ଛଟ୍ ପର୍ବକୁ ନେଇ ଚଳଚଞ୍ଚଳ ସାରା ଦେଶ

ଛଟ୍ ପର୍ବକୁ ନେଇ ଚଳଚଞ୍ଚଳ ସାରା ଦେଶ

ଛଟ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଆଜି ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥିଲେ ବ୍ରତଧାରୀ । ଭୁବନେଶ୍ୱରରେ ହିନ୍ଦୀ ବିକାଶ ମଞ୍ଚ ପକ୍ଷରୁ କୁଆଖାଇ ନଦୀ ପଠାରେ ଛଟ ପୂଜା ଧୂମଧାମରେ ପାଳିତ ହେଉଛି। ହଜାର ହଜାର ବ୍ରତଧାରୀ ଉପବାସ ରହି ସୂର୍ଯ୍ୟଙ୍କୁ ପୂଜାର୍ଚନା କରିବା ସହ ପରିବାର ଓ ଭାଇଙ୍କ ଶୁଭ ମନାସୀ ଥିଲେ। ସୂର୍ଯ୍ୟଙ୍କୁ ପୂଜା କଲେ ବହୁ ଦୁରାରୋଗ ଓ ଚର୍ମ ରୋଗ ଭଲ ହେବା ସହ ଶରୀର ସୁସ୍ଥ ରହିବାର ବିଶ୍ୱାସ ରହିଛି।କଟକରେ ବସବାସ କରୁଥିବା ହିନ୍ଦୀ ଭାଷାଭାଷୀ ଶ୍ରଦ୍ଧାଳୁମାନେ ବି ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳୁଛନ୍ତି।

କଟକ ମହାନଗର ଛଟ ପୂଜା କମିଟି ପକ୍ଷରୁ କାଠଯୋଡି ନଦୀପଠାରେ ଆୟୋଜିତ ପୂଜାରେ ଶହ ଶହ ସଂଖ୍ୟାରେ ଭକ୍ତ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଭୋଗ ତଥା ଅର୍ଘ୍ୟ ପ୍ରଦାନ କରିଛନ୍ତି। କାଠଯୋଡ଼ି ଓ ମହାନଦୀ କୂଳରେ ଏକାଠି ହୋଇ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ରାଉରକେଲା ସହରରେ ମଧ୍ୟ ବିଭିନ୍ନ ନଦୀ କୂଳ ଓ ପୋଖରୀ କୂଳରେ ଭକ୍ତମାନେ ଶ୍ରଦ୍ଧା ଓ ନିଷ୍ଠାର ସହ ଛଟପୂଜା ପାଳନ କରିଛନ୍ତି। ଭକ୍ତମାନେ ବିଭିନ୍ନ ଫଳମୂଳ ଆଣି ସୁର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଛଟପୂଜା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ବିହାର ସମ୍ପ୍ରଦାୟ ଲୋକେ ଏହି ପୂଜା କରିଥାନ୍ତି।

କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଥିଲେ । ସେ ଏହି ପର୍ବରେ ଯୋଗ ଦେବା ସହିତ ଶ୍ରଦ୍ଧାଳୁମାନଙ୍କର ମନରେ ଉତ୍ସାହ ଆଣିଥିଲେ। ଏହା ସୂର୍ଯ୍ୟଦେଵ ଓ ଛଟୀ ମୈୟାଙ୍କୁ ପୂଜା କରିବାର ଏକ ଅବସର। ମା’ମାନେ ଏହି ବ୍ରତ ପାଳନ କରି ପରିବାର ସୁସ୍ଥତା, ସୁଖ, ସମୃଦ୍ଧି ଓ ପରିବେଶର ସୁରକ୍ଷା କାମନା କରନ୍ତି। ଏହି ବ୍ରତର ବିଶେଷତା ହେଉଛି, କୌଣସି ବିରାଟ ଆଡମ୍ବରର ଆବଶ୍ୟକତା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲୋ। କେବଳ ଭକ୍ତି, ଶ୍ରଦ୍ଧା ଓ ନିଷ୍ଠାରେ ଏହାକୁ ଶ୍ରଦ୍ଧାଳୁମାନେ ପାଳନ କରୁଛନ୍ତି। ବିଶ୍ୱର କୋଣଅନୁକୋଣରେ ଏହି କାର୍ଯ୍ୟକ୍ରମ ପାଳିତ ହେଉଛି। ଗତ ୪ଦିନ ଧରି ଏହି ବ୍ରତ ଆରମ୍ଭ ହୋଇଛି। ଆଜି ହେଉଛି ତାର ଅନ୍ତିମ ଦିନ। ଆଜି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଏହି ବ୍ରତ ଶ୍ରଦ୍ଧାଳୁମାନେ ସମାପନ କରିଛନ୍ତି।

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମୋନ୍ଥା

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମୋନ୍ଥା

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ମୋନ୍ଥା। ଆଜି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ବା ଭୟଙ୍କର ଘୁର୍ଣ୍ଣିଝଡ଼ର ରୂପ ନେଇ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟନମ ଏବଂ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ୯୦ରୁ ଶହେ କିଲୋମିଟର ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ରହିଛି ବାତ୍ୟାର ବେଗ ।

କାକିନାଡାଠାରୁ ୩୧୦, ବିଶାଖାପାଟଣାଠାରୁ ୩୭୦ କିଲୋମିଟର ଓ ଗୋପାଳପୁର ଠାରୁ ୫୭୦ କିଲୋମିଟର ଦକ୍ଷିଣରେ ରହିଛି ସାମୁଦ୍ରିକ ଝଡ଼ । ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହାର ପରିମାଣ ଆହୁରି ବଢ଼ିବ । ବିଶେଷ କରି ଗଜପତି, ରାୟଗଡ଼ା, କୋରାପୁଟ ,କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ । ସେଥିପାଇଁ ଏହି ସବୁ ଜିଲ୍ଲା କୁ ରେଡ ଆଲର୍ଟ ଜାରି କରିଛି ବିଭାଗ । ଗଞ୍ଜାମ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦେଇଛି ବିଭାଗ । ଏଠାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ହେବାକୁ ଥିବା ବେଳେ ୮୦ କିମି ପ୍ରତି ଘଣ୍ଟାରେ ରହିବ ଝଟକା ପବନ ।

ସେହିପରି କାଲି ପାଇଁ ସାରା ଓଡ଼ିଶାରେ ବର୍ଷା ସହ ଅତ୍ୟନ୍ତ ବର୍ଷା ସମ୍ଭାବନାକୁ ନେଇ ମାଲକାନଗିରି କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅରେଞ୍ଜ ସହ ୧୯ ଜିଲ୍ଲାକୁ ପ୍ରବଳ ଵର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ୩୦ ପରେ ବଦଳିବ ପାଗ । ସେପଟେ ସାରା ରାଜ୍ୟରେ ଆଜି ଠାରୁ ବର୍ଷା ସହିତ କିଛି କିଛି ସ୍ଥାନ ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦର ଗୁଡିକ ପାଇଁ ରହିଛି ୨ ନମ୍ବର ବିପଦ ସଂକେତ । ବିଶେଷ ଭାବେ ମାଲକାନଗିରି, ଗଜପତି ଗଂଜାମ, କୋରାପୁଟ କଳାହାଣ୍ଡି ଓ ନବରଙ୍ଗପୁର ଏହି ୬ ଜିଜିଲ୍ଲା ବାତ୍ୟାର ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ, ଭୁସ୍ଖଳନ ସହ କଚ୍ଚା ଘର ଭାଙ୍ଗିବା ,ଗଛ ପଡିବା ଓ କୁତ୍ରିମ ବନ୍ୟା ସ୍ଥିତି ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।

ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣବଳୟ ସକ୍ରିୟ ରହିଥିବାରୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ଏହି ଲଘୁଚାପ ଅଧିକ ଘନୀଭୂତ ହେଲେ ଅଧିକ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ପୂର୍ବ ଦିଗରୁ ରାଜ୍ୟକୁ ପବନ ଆସୁଥିବାରୁ ବଙ୍ଗୋପସାଗରର ଜଳୀୟବାଷ୍ପ ଆସୁଛି। ଏହାର ପ୍ରଭାବରେ ରାଜ୍ୟରେ ୭ ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ତାମିଲନାଡୁ ଉପକୂଳରେ ଏବେ ୱେଲ୍ ମାର୍କଡ ଲୋ ପ୍ରେସର ସକ୍ରିୟ ଅଛି । ତାହା ଅବପାତରେ ପରିଣତ ହୋଇ ତାମିଲନାଡୁ ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ ।

ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ୨୫ ଓ ୨୬ ତାରିଖରେ ବି ବର୍ଷା ହେବ। ୨୮ ତାରିଖ ଯାଏ ରାଜ୍ୟରେ ଏପରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ୨୪ରେ ଥିବା ଲଘୁଚାପ ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛନ୍ତି ପାଣପାଗ ବିଶେଷଜ୍ଞ । ବଙ୍ଗୋପସାଗରରେ ଏହି ସପ୍ତାହରେ ସମୁଦ୍ର ଓ ଉପରିସ୍ଥ ବାୟୁମଣ୍ଡଳର ପ୍ରତିକୂଳ ସ୍ଥିତି, ବର୍ତ୍ତମାନ ରହିଥିବା ଲଘୁଚାପ ୨୩-୨୪ ତାରିଖ ସୁଦ୍ଧା ଘନୀଭୂତ ନ ହୋଇ ୨୪-୨୫ ତାରିଖ ମଧ୍ୟରେ ସମ୍ଭାବ୍ୟ ଦ୍ବିତୀୟ ଲଘୁଚାପ ସହ ମିଶି ଗୋଟିଏ ସିଷ୍ଟମରେ ପରିଣତ ହେବ । ତେବେ ଏହା କେବେ ଓ କେତେ ଘନୀଭୂତ ହେବ ଏବଂ ଗତିପଥ କ’ଣ ରହିବ, ତାହା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି ।

ଜଳିଗଲା ଚଳନ୍ତା ବସ୍ : 20 ଜଣ ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ୍ : 20 ଜଣ ଜୀବନ୍ତ ଦଗ୍ଧ

ଆନ୍ଧ୍ରର କୁର୍ନୁଲ ଜିଲ୍ଲା ଚିନ୍ନାଟେକୁରୁ ନିକଟରେ ବଡ଼ ଦୁର୍ଘଟଣା। ଜଳିଗଲା ଚଳନ୍ତା ବସ୍। ଏଥିରେ 20 ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଆହୁରି ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ହାଇଦ୍ରାବାଦରୁ ବସଟି ବେଙ୍ଗାଲୁରୁ ଯାଉଥିଲା। ଏକ ବାଇକକୁ ଧକ୍କା ଦେବା ପରେ ବସରେ ନିଆଁ ଲାଗି ଯାଇଥିଲା। ବସ୍ ଝରକା ଭାଙ୍ଗି ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

ବସରେ ଥିଲେ ୪୦ ଜଣ ଯାତ୍ରୀ ଓ ଦୁଇ ଜଣ ଡ୍ରାଇଭର। ଏହି ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଆନ୍ଧ୍ର ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀମାନେ ବି ଶୋକ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏକ ହେଲପ ଲାଇନ ନମ୍ଵର ବି ଜାରି କରାଯାଇଛି।

ଦୁର୍ଘଟଣା ସମୟରେ  ୧୨ ଜଣ ଯାତ୍ରୀ ଜରୁରୀକାଳୀନ ଦ୍ୱାର ଭାଙ୍ଗି ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ। ସାମାନ୍ୟ ଆହତ ହୋଇଥିବା ଏହି ୧୨ ଜଣଙ୍କୁ କୁର୍ଣ୍ଣୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଘଟଣା ସମୟରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା, ଯାହା ଦୁର୍ଘଟଣାର କାରଣ ହୋଇପାରେ ।

ପୋଲିସ କହିଛି ଯେ ଶୁକ୍ରବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ବାଇକ ସହିତ ଧକ୍କା ହେବା ପରେ ବେଙ୍ଗାଲୁରୁ ଯାଉଥିବା ଏକ ବସ୍ ନିଆଁ ଲାଗିଯିବାରୁ 20 ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି।

ପୋଲିସ କହିଛି ଯେ, ରାତି 10.30 ରେ ହାଇଦ୍ରାବାଦରୁ ବାହାରିଥିବା କାବେରୀ ଟ୍ରାଭେଲ୍ସ ଘରୋଇ ବସ୍ କୁ କୁର୍ଣ୍ଣୁଲର ଉପକଣ୍ଠ ଚିନ୍ନାଟେକୁରରେ ଜାତୀୟ ରାଜପଥ 44 ରେ ପ୍ରାୟ 3:30 ରେ ଏକ ଦୁଇ ଚକିଆ ଯାନ ପଛରୁ ଧକ୍କା ଦେଇଥିଲା। ବାଇକଟି ବସ୍ ତଳେ ଯାଇ ଇନ୍ଧନ ଟାଙ୍କିରେ ପିଟି ହୋଇଯାଇଥିଲା, ଯାହା ଫଳରେ ନିଆଁ ଲାଗିଯାଇଥିଲା ଏବଂ ସମଗ୍ର ବସ୍ ନିଆଁରେ ପୋଡ଼ି ଯାଇଥିଲା।

ବସ୍ ସାରା ନିଆଁ ବ୍ୟାପିବା ମାତ୍ରେ ଗଭୀର ନିଦ୍ରାରେ ଥିବା ଯାତ୍ରୀମାନେ ଉଠି ପଡ଼ିଲେ ଏବଂ କେତେକ ଚିତ୍କାର କରି ବାହାରକୁ ଆସିଲେ; ଅନେକ ନିଆଁରେ ଫସି ଯାଇଥିଲେ। କିଛି ଯାତ୍ରୀ ବସ୍ ର ଜରୁରୀକାଳୀନ ଦ୍ୱାର ଭାଙ୍ଗି ବାହାରକୁ ଡେଇଁ ପଡ଼ିଲେ। ସର୍ଟ ସର୍କିଟ୍ ଯୋଗୁଁ ବସ୍ ର ଦ୍ୱାର ଜାମ୍ ହୋଇଗଲା ଏବଂ କିଛି ମିନିଟ୍ ମଧ୍ୟରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଗଲା। ଅଧିକାଂଶ ବଞ୍ଚିଥିବା ଲୋକଙ୍କ ବୟସ 25 ରୁ 35 ବର୍ଷ ମଧ୍ୟରେ ଥିଲା।

କୁର୍ଣ୍ଣୁଲ୍ ରେଞ୍ଜ ଡିଆଇଜି କୋୟା ପ୍ରବୀଣଙ୍କ ଅନୁଯାୟୀ,  ୧୯ ଜଣ ସୁରକ୍ଷିତ ଲୋକଙ୍କୁ ଚିହ୍ନଟ କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକ ହସ୍ପିଟାଲରେ ଚିକିତ୍ସା ପାଉଛନ୍ତି। ଜିଲ୍ଲା କଲେକ୍ଟର ଏ ସିରି କହିଛନ୍ତି ଯେ ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର।

ସୂଚନା ପାଇବା ପରେ, ପୋଲିସ  ଆହତମାନଙ୍କୁ କୁର୍ଣ୍ଣୁଲ୍ ଜେନେରାଲ ହସ୍ପିଟାଲକୁ ନିଆଯାଇଛି। ଏହି ଦୁର୍ଘଟଣାରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ପ୍ରବଳ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି।

ପୋଲିସ ଅଧିକାରୀ ଆହୁରି କହିଛନ୍ତି ଯେ ବସ୍‌ର ମୁଖ୍ୟ ଡ୍ରାଇଭର ନିଖୋଜ ଅଛନ୍ତି। ସେମାନେ ଅନ୍ୟ ଜଣେ ଡ୍ରାଇଭରଙ୍କୁ ହେପାଜତକୁ ନେଇଛନ୍ତି। ବସ୍‌ ଡ୍ରାଇଭରମାନଙ୍କୁ ଶିବନାରାୟଣ ଏବଂ ଲକ୍ଷ୍ମୈୟା ଭାବରେ ଚିହ୍ନଟ କରାଯାଇଛି। ସେ ଆହୁରି କହିଛନ୍ତି ଯେ ଦୁର୍ଘଟଣାରେ ଜଡିତ ସମସ୍ତ ଲୋକଙ୍କର ସମ୍ପୂର୍ଣ୍ଣ ତଦନ୍ତ ଏବଂ ଚିହ୍ନଟ ପରେ ହିଁ ମୃତାହତ ଏବଂ ବଞ୍ଚିଥିବା ଲୋକଙ୍କ ସମ୍ପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ।

ଏହି ସମୟରେ, ପୋଡ଼ିଯାଇଥିବା ମୃତଦେହଗୁଡ଼ିକର ଡିଏନଏ ନମୁନା ସଂଗ୍ରହ କରିବା ପାଇଁ ଡାକ୍ତରୀ ବିଶେଷଜ୍ଞଙ୍କ ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ପ୍ରବୀଣ କହିଛନ୍ତି। ଡିଆଇଜି ଉଲ୍ଲେଖ କରିଛନ୍ତି ଯେ ନିଆଁ ଲାଗିଥିବା ବସ୍‌ରେ କୌଣସି ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ନଥିଲା।

ରନ୍ ମେସିନ କୋହଲି ନେବେ କି ଅବସର !

ରନ୍ ମେସିନ କୋହଲି ନେବେ କି ଅବସର !

ଏକଦା ରନ ମେସିନ ଭାବରେ ଜଣାଶୁଣା କୋହଲି ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି,ଯାହାକୁ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିବାକୁ ଚାହିଁବେ ନାହିଁ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୪୦ତମ ଥର ବିରାଟଙ୍କୁ ବିନା ରନ୍‌ରେ ଆଉଟ କରାଯାଇଛି।

ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ତାଲିକାର ଶୀର୍ଷରେ ଅଛନ୍ତି। ତିନୋଟି ଫର୍ମାଟରେ ଭାରତ ପାଇଁ ୩୦୯ ମ୍ୟାଚ ଖେଳିଥିବା ଜାହିର ୪୩ ଥର ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ସେ ବଲ୍‌ରେ ଦଳ ପାଇଁ ଅନେକ ମ୍ୟାଚ ଜିତାଇଥିଲେ, କିନ୍ତୁ ବ୍ୟାଟ୍‌ରେ ତାଙ୍କର ଅବଦାନ ସୀମିତ ଥିଲା।

ଭାରତର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିବେଚିତ ବିରାଟ କୋହଲି ୨ ନମ୍ବରରେ ଅଛନ୍ତି। ତଥାପି, ପରିସଂଖ୍ୟାନ ଦର୍ଶାଉଛି ଯେ, କୋହଲିଙ୍କ ନାମରେ ଏବେ ୪୦ ଡକ ଅଛି। ତାଙ୍କ ଚମତ୍କାର କ୍ୟାରିୟରରେ, କୋହଲି ପ୍ରାୟ ୨୮,୦୦୦ ଅନ୍ତର୍ଜାତୀୟ ରନ ଏବଂ ୮୨ ଶତକ ହାସଲ କରିଛନ୍ତି, କିନ୍ତୁ ଏହି ‘ଡକ ରେକର୍ଡ’ ତାଙ୍କ ଗୌରବମୟ କ୍ୟାରିୟରରେ ଏକ ଦାଗ। ଆଡିଲେଡରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ସେ ପୁଣି ଥରେ ବିନା ସ୍କୋରରେ ଆଉଟ ହୋଇଥିଲେ।

ଇଶାନ୍ତ ଶର୍ମା ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଏହି ଦ୍ରୁତ ବୋଲର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪୦ ଥର ଡକ କରିଛନ୍ତି। ଭାରତର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରାୟ ୨୦ ବର୍ଷର କ୍ୟାରିୟରରେ, ସେ ଦୁଇଟି ଟେଷ୍ଟ ଶତକ ହାସଲ କରିଥିଲେ କିନ୍ତୁ ୩୭ ଥର ଡକରେ ଆଉଟ ହୋଇଥିଲେ। ହରଭଜନ ବଲ ସହିତ ଭାରତକୁ ଅନେକ ଥର ବିଜୟୀ କରାଇଥିଲେ, କିନ୍ତୁ ବ୍ୟାଟ ସହିତ ଅନେକ ଥର ଶୀଘ୍ର ଆଉଟ ହୋଇଥିଲେ। ବର୍ତ୍ତମାନର ଦ୍ରୁତ ବୋଲର ଜସପ୍ରିତ ବୁମରା ପଞ୍ଚମ ସ୍ଥାନରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୩୫ ଥର ଡକ କରିଛନ୍ତି।

ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ଭୁବନେଶ୍ୱର,: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଗତ ୧୬ ମାସର ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ବିଜେପି ହତାଶ ହୋଇ ବିଜେଡି ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ବୋଲି କୁହାଯାଇଛି ।
ଏହି ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଓ ମହିଳା ନିର୍ଯାତନା ବୃଦ୍ଧି ପାଇଛି । ଓଡିଶା ଦେଶର ଅପରାଧ ତାଲିକାରେ, ୮ମ ସ୍ଥାନରେ ରହିଛି । ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ରାହାଜାନି ଇତ୍ୟାଦି ଘଟଣାମାନ ଅହେତୁକ ବୃଦ୍ଧି ପାଇଛି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ଜନସାଧାରଣଙ୍କ ହୃଦବୋଧ ହୋଇଛି । ରାଜ୍ୟର ସରକାରୀ ଅଫିସ ଗୁଡିକରେ ଯଥା, ବ୍ଲକ ଓ ପଞ୍ଚାୟତ ଅଫିସ ଇତ୍ୟାଦିରେ ବିଜେପି କର୍ମୀ ମାନଙ୍କ ଦୌରାତ୍ମ ବୃଦ୍ଧି ପାଇଛି । ରାଜ୍ୟର ଥାନା ଗୁଡିକ ବିଜେପି ନେତା ଓ କର୍ମୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।
ଡ. ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ବିଜେପି କର୍ମୀମାନଙ୍କ ସହାଭାଗିତାରେ ଚୋରା ବାଲି, ଚୋରା ଚିପ୍ସ ଓ ଚୋରା ମଦ କାରବାର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ବିଜେପି ନେତା, କର୍ମୀ ଓ ଅପରାଧୀଙ୍କ ସହିତ ଏକ ଅସାଧୁ ମେଣ୍ଟ ମାଧ୍ୟମରେ ଏହି ସବୁ ଚୋରା କାରବାର ବୃଦ୍ଧି ପାଇଛି । ଏହାଛଡ଼ା, ସରକାରୀ ଚାକିରୀକୁ ବିକ୍ରୟ କରିବା ପାଇଁ ଏକ ପ୍ରକାରର ନିଲାମ ଡକାଯାଉଛି । ଏହି ସବୁ ବିଫଳତାକୁ ଲୁଚାଇବା ପାଇଁ ବିଜେପି ସରକାର ଏବେ ରକ୍ତମୁଖା ହୋଇ ବିରୋଧୀ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛି । ସେହି ନ୍ୟାୟରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ, ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ଗିରଫ କରାଯାଇଛି । ଏହି ଘଟଣାରେ, ବିକ୍ରମଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି । ଦେଶରେ ପ୍ରତିପକ୍ଷ ଦଳର ନେତା ମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରିବା, ବିଜେପିର ପୁରୁଣା ଅଭ୍ୟାସ ରହିଛି । ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ, ଏହି ପ୍ରକ୍ରିୟା ଏଠାରେ ମଧ୍ୟ ଆରମ୍ଭ ହୋଇଛି । ଡ.ମହାନ୍ତି କହିଛନ୍ତି, ବିଜୁ ଜନତା ଦଳ ଏହି ଅନ୍ୟାୟ ବିରୋଧରେ ଲଢେଇ ଜାରି ରଖିବ । ଆଇନଗତ ଲଢେଇ ସହିତ ରାଜରାସ୍ତାରେ ମଧ୍ୟ ବିଜେଡି ଏହି ଲଢେଇ ଜାରି ରଖିବ ।

ନିଜ ଦୋଷ, ଦୁର୍ବଳତା ଓ ଅପରାଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି

ନିଜ ଦୋଷ, ଦୁର୍ବଳତା ଓ ଅପରାଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି

ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ନେଇ ବିଜୁ ଜନତା ଦଳର ବିଧାୟତ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି । ଏହା ତାଙ୍କ ପାର୍ଟି ତଥା ତାଙ୍କ ହତାଶାର ମନୋଭାବକୁ ପରିପ୍ରକାଶ କରୁଛି । ଆସନ୍ନ ପରାଜୟରେ ଭୟଭୀତ ହୋଇ ଗୌତମବୁଦ୍ଧ ଦାସ ଏଭଳି ବୟାନବାଜୀ କରିଛନ୍ତି । ଦୀର୍ଘଦିନ ଧରି ନିର୍ଦ୍ଧିଷ୍ଟ ଅଣଓଡ଼ିଆ ଅଫିସରଙ୍କ ପାଇଁ ଚାମଚାଗିରି କରୁଥିବା ଓ ତାଙ୍କ ପାଇଁ ମଂଚ, ପ୍ୟାଣ୍ଡେଲ ବାନ୍ଧୁଥିବା ବେଜେଡି ନେତାଙ୍କ ମାନସିକତାରେ କୌଣସି ପରିବର୍ତନ ଦେଖାଯାଉନାହଁ । ଗୋଟିଏ ସମୁଦାୟ ବିରୋଧରେ ବିଜେଡି ଯେଉଁଭଳି ମନ୍ତବ୍ୟ ଦେଇଛି, ତାହା ସେମାନଙ୍କ ରାଜନୈତିକ ଅଭଦ୍ରାମୀକୁ ପରିପ୍ରକାଶ କରୁଛି । ଦେଢ଼ବର୍ଷ ପୂର୍ବେ ବିଜେଡିକୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ବିଜୁ ଜନତା ଦଳର କଫିନରେ ଶେଷ କଂଟା ନୂଆପଡ଼ାବାସୀ ବାଡାଇ ୨୪ ବର୍ଷ ଅହଙ୍କାରର ଅନ୍ତ ଘଟାଇବେ ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି ।
ଡ. ମହାନ୍ତି କହିିଛନ୍ତି ଯେ, ନୂଆପଡା ଉପନିର୍ବାଚନରେ ଆସନ୍ନ ପରାଜୟରେ ଭୟଭୀତ ହୋଇପଡିଥିବାରୁ ତଥ୍ୟ ଓ ସତ୍ୟରୁ ନିବୃତ ରହି ନିଜ ଦୋଷ, ଦୁର୍ବଳତା ଓ ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ବିଜୁ ଜନତା ଦଳକୁ ପ୍ରାର୍ଥୀ ମିଳିଳା ନାହିଁ ବୋଲି ଅନ୍ୟ ଜିଲ୍ଲାରୁ ଜଣଙ୍କୁ ନେଇ ପ୍ରାର୍ଥୀ କରିଛି । ଅପରପକ୍ଷେ ବିଜେପି ପ୍ରାର୍ଥୀଙ୍କ ବାପା ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଜଣେ ସୁନାମଧନ୍ୟ ରାଜନେତା ଥିଲେ । ତାଙ୍କ ପ୍ରତି ବିପୁଳ ଜନ ସମର୍ଥନ ଥିଲା । ସେଠାରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନୂଆପଡ଼ା ଅଂଚଳର ଜଣେ ଲୋକପ୍ରିୟ ନେତା ଥିଲେ । ଏଭଳି ଜଣେ ରାଜନେତାଙ୍କ ପୁଅ ତଥା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଏଭଳି ଅଶାଳୀନ ମନ୍ତବ୍ୟ ଦିଆଯିବା ଆଦୌ ଶୋଭନୀୟ ନୁହେଁ । ଖାଲି ସେତିକି ନୁହେଁ ଦେଶର ଗୃହମନ୍ତ୍ରୀଙ୍କ ପୁଅ ଯାହାର ରାଜନୀତି ସହ କୌଣସି ସମ୍ପୃକ୍ତି ନାହିଁ, ତାଙ୍କୁ ମଧ୍ୟ ଜବରଦସ୍ତ କରି ଏହା ଭିତରକୁ ଟାଣି ନେଇ ଖରାପ ମନ୍ତବ୍ୟ ଦିଆଯାଉଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ନୂଆପଡ଼ାବାସୀ ଏହା ଉଚିତ ଜବାବ ଦେବେ ବୋଲି ଡ. ମହାନ୍ତି କହିଛନ୍ତି । ଏହି ଅବସରରେ ବିଜେପି ମୁଖପାତ୍ର ଶ୍ରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

ଆସୁଛି ବଡ଼ ବର୍ଷା, ବାତ୍ୟାର ଅଛି ସମ୍ଭାବନା

ଆସୁଛି ବଡ଼ ବର୍ଷା, ବାତ୍ୟାର ଅଛି ସମ୍ଭାବନା

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର। ଏକ ବିଦେଶୀ ସଂସ୍ଥାର ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ବାତ୍ୟା ହୋଇପାରେ ବୋଲି ଅନୁମାନ କରିଛି ଆମେରିକାର ଏକ ସଂସ୍ଥା। କିନ୍ତୁ ଭାରତୀୟ ପାଣିପାଗ ବିଭାଗ କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ସେହି ଅଞ୍ଚଳକୁ ରେଡ଼ ଆଲର୍ଟରେ ରଖା ଯାଇଛି । ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି। ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟରେ ରଖିଛୁ । ପ୍ରକୋପ ଯଦି ବେଶୀ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ ବୋଲି ସୁରେଶ ପୂଜାରୀ କହିଛନ୍ତି।

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

ଆଜି ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୧୯୦୮ ମସିହା, ଅପ୍ରେଲ ୧୭ତାରିଖ ରାତିରେ କଟକ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଆ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ୧୮୬୯ ମସିହା ଠାରୁ ଏକ ନୂଆ ଅଧ୍ୟାୟ ର ସୂତ୍ରପାତ ହୋଇଥିଲା । କବିବର ରାଧାନାଥ ଏହି ସମୟରେ ସାରସ୍ଵତ ସାଧନା କରି ଓଡ଼ିଶା ର ନବ ଜାଗରଣ କୁ ଦୃଢିଭୂତ ଓ ତ୍ବରାନ୍ବିତ କରିଥିଲେ । ସେ ସେହି କାଳଖଣ୍ଡ ର କେବଳ ଧାରକ ଓ ବାହକ ନୁହନ୍ତି, ଅଧିକନ୍ତୁ ଅନ୍ୟତମ ନିର୍ମାତା ।

ଏହି ମହାନ ସାରସ୍ଵତ ସାଧକ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ୨୮ ସେପ୍ଟେମ୍ବର ୧୮୪୮ (ଆଶ୍ୱିନ ପନ୍ଦରଦିନ, ୧୭୭୧ ଶକାବ୍ଦ) ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସୁନ୍ଦର ନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ । ସୁନ୍ଦର ନାରାୟଣ ଥିଲେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବପୁରୁଷ ମେଦିନୀପୁର ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ । ତାଙ୍କର ବଂଶଗତ ଉପାଧି ଥିଲା ‘ଦେ’ ।

ସୁନ୍ଦର ନାରାୟଣ ବାଲେଶ୍ୱର କଲେକ୍ଟୋରେଟ୍‌ରେ ସଦର କାନୁନଗୋ ଥିଲେ । ଅତି ଶୈଶବରୁ ତାଙ୍କର ମାତୃ ବିୟୋଗ ଘଟିଥିଲା । ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପାଠପଢ଼ା ତାଙ୍କର ବହୁ ସମୟ ରୋଗରେ ନଷ୍ଟ ହୋଇଥିଲା । ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ସେ ସମୟରେ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ନଥିବାରୁ, କଲିକତାକୁ ଏଫ୍. ଏ. ପଢ଼ିବାକୁ ଗଲେ । ସେଠାରେ ସ୍ୱାସ୍ଥ୍ୟହାନି ଘଟିବାରୁ ଉଚ୍ଚଶିକ୍ଷାକୁ ଜଳାଞ୍ଜଳି ଦେଇ ତାଙ୍କୁ ଶୀଘ୍ର ସେଠାରୁ ଫେରିଆସିବାକୁ ହେଲା ।

କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିୟୁକ୍ତ ହେଲେ । କଲେଜରେ ପଢ଼ିବା ସୁବିଧା ଆଉ ନଘଟିବାରୁ ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍.ଏ. ପାସ୍ କରିଥିଲେ ଓ ବି.ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରି ସେଥିରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଚାକିରୀ କରିଥିଲେ ଓ ଏହି ସମୟରେ ରେମୁଣା ଗ୍ରାମର ଆଦିତ୍ୟ ବଂଶର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହିତ ରାଧାନାଥଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ଏହା ପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀଜିଲ୍ଲା ସ୍କୁଲକୁ ବଦଳି ହେଲେ ଓ ସେଠାରେ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ । ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ । ରାଧାନାଥ ତାଙ୍କ ସାହିତ୍ୟସେବାର ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାରସ୍ୱରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ସେ ୧୯୦୮ ସାଲ ଅପ୍ରେଲ ମାସ ୧୭ ତାରିଖରେ ମୃତ୍ୟୁ ବରଣ କରିଥିଲେ ।
ରାଧାନାଥ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ । ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖପାଧ୍ୟାୟ ଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ । ସେ ସର୍ବଦା ମସିଣାରେ ବସି ଏକ ବାକ୍ସ ଉପରେ ଲେଖୁଥିଲେ । ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ନଦୀ, ବନ, ଗ୍ରାମ. ଉଦ୍ୟାନ, ବୃକ୍ଷ, ଲତା, ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ଲିପିବଦ୍ଧ କରି ଯାଇଅଛନ୍ତି ।

ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ (ଇତାଲୀୟ ଯୁବା) ଓ ବିବେକୀ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟ ପୁସ୍ତକ ଛଡ଼ା ଆଉ ସବୁ ରଚନା ପଦ୍ୟ । ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି । ଅନେକ କାବ୍ୟ ସୃଷ୍ଟି ଯଥା କେଦାରଗୌରୀ (୧୮୮୫),ଚନ୍ଦ୍ରଭାଗା (୧୮୮୬), ନନ୍ଦିକେଶ୍ୱରୀ (୧୮୮୭),ଉଷା (୧୮୮୮),ପାର୍ବତୀ (୧୮୯୦)
ଚିଲିକା (୧୮୯୧),ମହାଯାତ୍ରା (୧୮୯୧-୯୨),ଦରବାର(୧୮୯୭) ଏବଂ କବିତା ସଙ୍କଳନ ମଧ୍ୟରେ ତୁଳସୀ ସ୍ତବକ (୧୮୯୪),
ଯଯାତିକେଶରୀ (୧୮୯୪),ଉର୍ବଶୀ (୧୮୯୫),ଦଶରଥ ବିୟୋଗ (୧୯୦୧),ଭାରତ ଗୀତିକା (୧୯୦୩),ଧବଳେଶ୍ୱର ସ୍ତୋତ୍ରମ(୧୯୦୩),ସାବିତ୍ରୀ ଚରିତ୍ର (୧୯୦୬)ତିନିବନ୍ଧୁ (୧୮୯୮)
ବନ୍ଦନା (୧୯୧୧),ନିବେଦନ (୧୯୧୧),ପ୍ରତାପରୁଦ୍ର (୧୯୧୧)


ଶ୍ମଶାନ ଦୃଶ୍ୟ (୧୯୦୪),ଏକାଗ୍ରତା। (୧୯୦୪)ଦୁର୍ଯ୍ୟେଧନ ର ରକ୍ତନଦୀ ସନ୍ତରଣ(୧୯୦୫) ଓଡ଼ିଆ ବାଣୀ ଭଣ୍ଡାରୀର ଅମୃତ ଅମ୍ଲାନ ପଣ୍ୟ । ରାଧାନାଥଙ୍କ ପ୍ରକୃଷ୍ଟ ଗଦ୍ୟ ରଚନାର ଶକ୍ତିଶାଳୀ ଉଦାହରଣ ହୋଉଛି “ବିବେକୀ”। କବିଙ୍କର ମୌଳିକ ଭାବ ଓ ଦାର୍ଶନିକ ଚିନ୍ତାଧାରା ଏହି ପ୍ରବନ୍ଧରେ ପ୍ରକାଶ ପାଇଛି।ଓଡ଼ିଆ ପ୍ରବନ୍ଧ ସାହିତ୍ୟଏହା ଏକ ଗୌରବମୟ ସୃଷ୍ଟି ଭାବରେ ପରିଚିତ । ରାଧାନାଥ ରାୟଙ୍କ ବ୍ୟକ୍ତିତ୍ୱର ସମ୍ପର୍କରେ ଏହା ଧାରଣା ପ୍ରଦାନ କରେ। ସେହିପରି କବିଵରଙ୍କର ‘ଇତାଲୀୟ ଯୁବା’ହେଉଛିଏକ ବିଦେଶୀ ଗଳ୍ପର ରୂପାନ୍ତର । ରାଧାନାଥ ରାୟଙ୍କ ଗଦ୍ୟ ରଚନା କ୍ଷେତ୍ରରେ ଏହା ଏକ ଅମଳିନ ସୃଷ୍ଟି ।

ଏହା ୧୮୭୩ମସିହାରେ ପ୍ରଥମେ ‘ଉତ୍କଳଦର୍ପଣ’ ପତ୍ରିକାରେ ପ୍ରକାଶ ପାଇଥିଲା ,ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୃଷ୍ଟି ହୋଇଥିଲା। ଏହା ଏକ ପ୍ରେମ ମୂଳକ ଗଳ୍ପ , ଯେଉଁଥିରେ ଏକ ପାଶ୍ଚାତ୍ୟ ପ୍ରଣୟ କାହାଣୀ ରୂପ ପାଇଛି । ରାଧାନାଥ ରାୟଙ୍କ ପାଶ୍ଚାତ୍ୟ ସାହିତ୍ୟଦ୍ୱାରା ଅନୁପ୍ରାଣିତ ହୋଇ ଏହା ରଚନା କରିଥିଲେ ।ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ପ୍ରୀତି ଏଥିରେ ସୁସ୍ପଷ୍ଟ । ସେହିପରି ରାଧାନାଥ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟମୂଳକ ଯେଉଁ ଛଅଗୋଟିକାବ୍ୟ ରଚନା କରିଥିଲେ, ତନ୍ମଧ୍ୟରୁ କେଦାରଗୌରୀ ହେଉଛି ଅନ୍ୟତମ ।ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟର କଳାଗତ ସୁଷମାର ଏହା ମହିମାମଣ୍ଡିତ ହୋଇଅଛି ।

ରାଧାନାଥ ରାୟ ଗ୍ରୀକ କବି ଓଭିଡ଼ଙ୍କର ମେଟମରଫସିସ କାବ୍ୟର ଗୋଟିଏ ଗଳ୍ପ “The Legend Of Thisbe Of Babylon” ଅବଲମ୍ବନରେ ରଚିତ ସେକ୍ସପଅରଙ୍କ”Mid Summer Night’s Dream”ନାଟକ “Pvramus And Thisbe” ଅବଲମ୍ବନରେ ଏହା ରଚନା କରିଛନ୍ତି । ପାଶ୍ଚାତ୍ୟର କଥା ବସ୍ତୁକୁ ସେ ଓଡ଼ିଶାର କେଦାର ଗୌରୀଚରିତ୍ର ସହିତ ସାମିଲ କରି କାବ୍ୟିକ ସୌନ୍ଦର୍ଯ୍ୟ ପ୍ରତିପାଦନ କରିପାରିଛନ୍ତି । ଭୁବନେଶ୍ୱରର କେଦାରଗୌରୀ ଓ ଉପାଖ୍ୟାନ ଏଥିରେ ପ୍ରକାଶ ପାଇଛି । ଏହା ଏକ ଛୋଟକାବ୍ୟ ହେଲେ ମଧ୍ୟ ଏଥିରୁ ରାଧାନାଥ ରାୟଙ୍କ କବି ପ୍ରତିଭାର ଯଥାର୍ଥ ପରିଚୟ ମିଳିଥାଏ ।

ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

aamodishanews.com

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ ସଂଘର ମଞ୍ଜୁରୀ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। 

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, “ଭାରତ ପାଇଁ ଏହା ଏକ ଅପାର ଆନନ୍ଦ ଏବଂ ଗର୍ବର ଦିନ। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ କ୍ରୀଡା ସଂଘ ଅନୁମୋଦନ କରିଥିବାରୁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସର ଏହା ଏକ ବିଶାଳ ସମର୍ଥନ। ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଦେଶବ୍ୟାପୀ କ୍ରୀଡ଼ା ପ୍ରତିଭାର ଭଣ୍ଡାର ସୃଷ୍ଟି କରିବା, ମୋଦିଜୀ ଭାରତକୁ ଏକ ଚମତ୍କାର କ୍ରୀଡ଼ା ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି ।’’