ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ବିଚକ୍ଷଣ ନେତା ଥିଲେ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ବିଚକ୍ଷଣ ନେତା ଥିଲେ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ମହାପୁରୁଷ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ ରାଜ୍ୟରୁ କେନ୍ଦ୍ରସ୍ତର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନେତା ଭାବରେ ଓଡ଼ିଆଙ୍କ ସ୍ୱାଭିମାନ ବଢାଇଥିଲେ। ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ସେ ଜଣେ ବିଚକ୍ଷଣ ନେତା ଥିଲେ ବୋଲି ଶୁକ୍ରବାର କଟକର ସାରଳା ଭବନରେ ଆୟୋଜିତ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଡଃ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ମହତାବ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ମହାନ ସୁଧାରକ, ମହାନ ବକ୍ତା, ପ୍ରଖ୍ୟାତ ରାଜନେତା, କବି, ଔପନ୍ୟାସିକ, ସ୍ତମ୍ଭକାର, ଇତିହାସକାର ଏବଂ ସାମ୍ବାଦିକ ମଧ୍ୟ । ଗୋଟିଏ ସମାଜ କିମ୍ବା ଜାତି ଦୟାରେ ଚାଲିପାରିବ ନାହିଁ । ଅଧିକାର ପାଇଁ ଚିତ୍କାର କଲେ ହେବନି । ଡଃ ମହତାବ ଏପରି ନେତୃତ୍ୱ ଥିଲେ, ଯେ ଓଡ଼ିଆ ସ୍ୱାର୍ଥକୁ ପୂରଣ କରୁଥିଲେ । ହୀରାକୁଦ ବନ୍ଧର ପରିକଳ୍ପନା ଦ୍ୱାରା ସେ ବନ୍ୟା ଜଳ ନିୟନ୍ତ୍ରଣ ସହ, ଜଳସେଚନ, ବିଦ୍ୟୁତ ଉତ୍ପାଦନ କରିବାର ମାର୍ଗ ପ୍ରଶସ୍ତ କରିଥିଲେ । ଏହିପରି ଭାବରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଶାସକ ବିରୋଧୀ ଆମ ପଡ଼ୋଶୀ ରାଜ୍ୟ ମାନଙ୍କରେ ଏକାଠି ହେଉଛନ୍ତି କିନ୍ତୁ ଆମ ରାଜ୍ୟରେ ଆମେ ଏକାଠି ହେଇ ପାରୁନାହାନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି ।ବର୍ତ୍ତମାନ ସମୟରେ ଦେଶରେ ଲୌହପୁରୁଷ ତଥା ‘ଭାରତରତ୍ନ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି । ବର୍ତ୍ତମାନ ସମଗ୍ର ଦେଶରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’ର ୧୫୦ ଗୌରବମୟ ବର୍ଷ ପାଳନ କରାଯାଉଛି । ଏହି ଗୀତ ଆମକୁ ସ୍ୱରାଜ୍ୟ ପାଇଁ ସଂଘର୍ଷ କରିବାକୁ ଶକ୍ତି ଦେଇଥିଲା । ଡଃ ମହତାବଙ୍କ ୧୨୫ତମ ଜୟନ୍ତୀ ସମାପନ ଉତ୍ସବ ଜାତୀୟ ସ୍ତରରେ ବ୍ୟାପକ କରିବା ପାଇଁ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଦଳ ମତ ନିର୍ବିଶେଷରେ ଓଡ଼ିଶାର ନବଜାତ ଶିଶୁ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ଯତ୍ନ ନେବା ଭଳି ୧୦ଟି ବିଷୟରେ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।

ଦୁବାଇ ଏୟାର ଶୋ’ରେ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ , ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍ ମୃତ

ଦୁବାଇ ଏୟାର ଶୋ’ରେ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ , ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍ ମୃତ

ଦୁବାଇ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ତେଜସ୍ ବିମାନକୁ ଉଡ଼ାଉଥିଲେ ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍। ଏୟାର ଶୋ’ରେ ଉପସ୍ଥିତ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ସେ ନିଜ ବଳିଦାନ ଦେଇଛନ୍ତି । ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ପାଇଲଟ୍ ସିଆଲ ନିଜ ଜୀବନ ହରାଇଛନ୍ତି ବୋଲି ଭାରତୀୟ ବାୟୁସେନା କହିଛି । ନମାଂଶ ଠିକ୍ ସମୟରେ ବିମାନରୁ ବାହାରକୁ ଆସିପାରି ନଥିଲେ । ଫଳରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ନମାଂଶ ସିଆଲ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ବାସିନ୍ଦା । ୩୪ ବର୍ଷୀୟ ୱିଙ୍ଗ କମାଣ୍ଡର ସିଆଲ ମିଗ୍-21 ଏବଂ ସୁଖୋଇ Su-30MKI ବିମାନରେ ତାଲିମ ନେଇଥିଲେ । ସେ ତୃତୀୟ ସ୍କ୍ୱାର୍ଡନର ତେଜସ୍ ବିମାନ ଉଡ଼ାଉଥିଲେ । ସେପଟେ ନମାଂଶଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ । ଏକ୍ସରେ ଓ୍ବିଙ୍ଗ କମାଣ୍ଡରଙ୍କ ଫଟୋ ସେୟାର କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ।

ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଦୁବାଇ ଏୟାର ଶୋ’ରେ ତେଜସ୍ ବିମାନ ଦୁର୍ଘଟଣାରେ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ସାହସୀ ପୁଅ ନମାଂଶ ସିଆଲ୍ ଜୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ। ଦେଶ ଜଣେ କର୍ତ୍ତବ୍ୟପରାୟଣ ଏବଂ ସାହସୀ ପାଇଲଟ ହରାଇଛି। ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ସାହସୀ ପୁଅ ନମାଂଶ ସିଆଲ୍ ଜୀଙ୍କ ରାଷ୍ଟ୍ର ସେବା ପ୍ରତି ଅଦମ୍ୟ ସାହସ, ସମର୍ପଣ ଏବଂ ସମର୍ପଣକୁ ମୁଁ ହୃଦୟରୁ ପ୍ରଣାମ କରୁଛି।’

ଦୁବାଇ ଏୟାର ଶୋ’ରେ ପ୍ରାୟ ୧୫୦ ଦେଶ ସାମିଲ ହୋଇଥିଲେ । ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଏୟାର ଶୋ’ ଆଜି (ଶୁକ୍ରବାର) ଶେଷ ହୋଇଛି । ଏଥିରେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଏବଂ ତେଜସ୍ ଫାଇଟର୍ସ ସାମିଲ ହୋଇଥିଲା । କିନ୍ତୁ ଶେଷ ଦିନରେ ଭାରତ ପାଇଁ ଦୁଃଖ ଖବର ମିଳିଛି । ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାକୁ ଉଡ଼ାଉଥିବା ଓ୍ବିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ୨୦୨୪ରେ ରାଜସ୍ଥାନର ଜୈସାଲେମର ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରି ଆସିଥିଲେ ।

ମିଛ ଧରା ପଡିଯିବା ଭୟରେ ସରକାର ଗଣତି ମଣତିକୁ ଟାଳୁଛନ୍ତି: ବିଜେଡି

ମିଛ ଧରା ପଡିଯିବା ଭୟରେ ସରକାର ଗଣତି ମଣତିକୁ ଟାଳୁଛନ୍ତି: ବିଜେଡି

ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ରଖିଛି । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ସରକାର କେବଳ ରାଜନୀତି କରୁଛନ୍ତି, ଗଣତି ମଣତି କରିବା ପାଇଁ ରାଜ୍ୟ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ନିର୍ବାଚନ ସମୟରେ ବିଜେପି ତରଫରୁ ରତ୍ନ ଭଣ୍ଡାରକୁ ନେଇ ଅନେକ ମିଥ୍ୟା ପ୍ରଚାର କରି ଏହାର ଗଣତି ମଣତି ପାଇଁ ସ୍ୱର ଉଠାଇଥିଲା । ବିଜେପି ତାର ସଙ୍କଳ୍ପ ପତ୍ରରେ କ୍ଷମତାକୁ ଆସିଲେ ଗଣତି ମଣତିର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, କ୍ଷମତାକୁ ଆସିବା ପରେ ଗଣତି ମଣତିକୁ ଉପରେ ବିଜେପି ସରକାର ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି । ଗଣତି ମଣତି ଉପରେ, ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟରୁ କେବେ ଏହା କରାଯିବ, ସେନେଇ କୌଣସି ସ୍ପଷ୍ଟତା ନାହିଁ । ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାରମ୍ୱାର ତାରିଖ ଘୁଞ୍ଚାଇ ଚାଲିଛନ୍ତି । ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ତବ୍ୟ ଭିତରେ କୌଣସି ତାଳମେଳ ନାହିଁ । ନିର୍ବାଚନ ସମୟରେ ରତ୍ନ ଭଣ୍ଡାରକୁ ନେଇ ବିଜେପି ଦ୍ୱାରା କରାଯାଇଥିବା ମିଛ ପ୍ରଚାର ସବୁ ଧରାପଡିଯିବା ଭୟରେ ବିଜେପି ସରକାର ଗଣତି ମଣତିକୁ ଜାଣି ଶୁଣି ଘୁଞ୍ଚାଉଛନ୍ତି ବୋଲି ଡ. ମହାନ୍ତି ଅଭିଯୋଗ କରିଛନ୍ତି ।
ଡ. ମହାନ୍ତି ଆହୁରି କହିଛନ୍ତି, ଶ୍ରୀମନ୍ଦିରରେ ବ୍ୟବସ୍ଥିତ ଦର୍ଶନ ଓ ପରିକ୍ରମା ପ୍ରକଳ୍ପକୁ ନେଇ ନିର୍ବାଚନ ବେଳେ ବିଜେପି ଅନେକ ପ୍ରଶ୍ନ ଉଠାଇଥିଲା ବେଳେ ଏବେ ଶ୍ରୀମନ୍ଦିରର ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଅବ୍ୟବସ୍ଥିତ ହୋଇଛି । ଭକ୍ତ ମାନଙ୍କ ପାଇଁ ପୂର୍ବରୁ କରାଯାଇଥିବା ଏସି ଟନେଲଟିକୁ ଉଠାଇ ଦିଆଯାଇଛି, ଯେଉଁଥି ପାଇଁ ଦର୍ଶନାର୍ଥୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ମନ୍ଦିର ଭିତରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି । ଧାଡ଼ି ଦର୍ଶନ ପାଇଁ ଆଇନ ମନ୍ତ୍ରୀଙ୍କ ପ୍ରତିଶ୍ରୁତି କେବଳ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି ସଦୃଶ୍ୟ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୫ର ସେକ୍ସନ ୬ ଅନୁଯାୟୀ ମନ୍ଦିର ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିବା କଥା । କିନ୍ତୁ, ସରକାର କେବଳ ଦଶ ଜଣଙ୍କୁ କମିଟିକୁ ମନୋନୀତ କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି, ଶ୍ରୀମନ୍ଦିରର ପରିଚାଳନାକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି । କେବଳ ଫୁଲା ଫାଙ୍କିଆ ଢଙ୍ଗରେ ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟ ଚାଲିଛି ।

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା ; ଗିରଫ ୪ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା NIA

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା ; ଗିରଫ ୪ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା NIA

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା।  ଗିରଫ ୪ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେଲା NIA। ଅଭିଯୁକ୍ତଙ୍କ ମଧ୍ୟରେ ଡାକ୍ତର ମୁଜାମ୍ମିଳ ଶକିଲ ରହିଛି। ବୋମା ବିସ୍ଫୋରଣ ଘଟଣାର ଚାଲିଛି  ଅଧିକ ତନାଘନା। ମାମଲାର ଶୁଣାଣି କରି ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଚାରି ଜଣ ଅଭିଯୁକ୍ତଙ୍କୁ 10 ଦିନ ପାଇଁ NIA ହେପାଜତକୁ ପଠାଇ ଦେଇଛନ୍ତି କୋର୍ଟ। ପୁଲୱାମାର ଡାକ୍ତର ମୁଜାମ୍ମିଲ ଶକିଲ , ଅନନ୍ତନାଗର ସହାରନପୁରର ଡାକ୍ତର ଆଦିଲ ଅହମ୍ମଦ ରାଥେର, ଲକ୍ଷ୍ନୌର ଡାକ୍ତର ଶାହିନ ସଇଦ ଏବଂ ଶୋପିଆନର ମୁଫତି ଇରଫାନ ଅହମ୍ମଦ ରହିଛନ୍ତି। ପଟିଆଲା ହାଉସ କୋର୍ଟ ଦ୍ୱାରା ଜାରି ୱାରେଣ୍ଟ ଅନୁଯାୟୀ ଏହି ଚାରି ଜଣଙ୍କୁ ହେପାଜତକୁ ନିଆଯାଇଛି। ସଇଦ, ରାଥର ଏବଂ ଅନ୍ୟ ଦୁଇ ଜଣ ନଭେମ୍ବର 10 ତାରିଖରେ ଦିଲ୍ଲୀ ବିସ୍ଫୋରଣର ଯୋଜନା ଏବଂ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ତଦନ୍ତକାରୀ ସଂସ୍ଥା କହିଛି ଯେ ଚାରି ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଯୋଜନାକୁ କାର୍ଯ୍ୟକ୍ଷମ କରିବାରେ ସହାୟତା କରିଥିଲେ। ଏପର୍ଯ୍ୟନ୍ତ ସେମାନେ ଜମ୍ମୁ ଏବଂ କାଶ୍ମୀର ପୋଲିସର ହେପାଜତରେ ଥିଲେ। ଏନଆଇଏ ଦ୍ୱାରା ପୂର୍ବରୁ ଦୁଇ ଜଣଙ୍କୁ ଅଟକ ରଖିବା ପରେ ଏହି ଗିରଫଦାରୀ କରାଯାଇଛି। ଆମିର ରସିଦ ଅଲି, ଯାହାଙ୍କ ନାମରେ ବିସ୍ଫୋରଣରେ ବ୍ୟବହୃତ ଗାଡି ପଞ୍ଜିକୃତ ହୋଇଥିଲା ଏବଂ ଜସିର ବିଲାଲ ୱାନି ଓରଫ ଦାନିଶ  ଯିଏ ମଡ୍ୟୁଲକୁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ସହାୟତା ଯୋଗାଇଥିବା ଅଭିଯୋଗ ହୋଇଛି।

ଆଜିଠୁ ବିହାରରେ ପୁଣି ନୀତିଶ ଯୁଗ, ବିହାରର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଆଜିଠୁ ବିହାରରେ ପୁଣି ନୀତିଶ ଯୁଗ, ବିହାରର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଆଜିଠୁ ବିହାରରେ ପୁଣି ନୀତିଶ ଯୁଗ । ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ । ନୀତିଶଙ୍କ ସହ ଦୁଇ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପାଟନା ଗାନ୍ଧୀ ମୈଦାନରେ ଭବ୍ୟ ଶପଥ ଗ୍ରହଣ ସମାରୋହ ।

ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଉପସ୍ଥିତ ଅଛନ୍ତି । ଏହାସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି । ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବ୍ୟତୀତ ଅନ୍ୟ ୨୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନାଙ୍କ ବ୍ୟତୀତ ମନ୍ତ୍ରୀ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଜୟ ଚୌଧୁରୀ, ବିଜୟନ୍ଦ୍ର ଯାଦବ, ଶ୍ରାବଣ କୁମାର, ମଙ୍ଗଲ ପାଣ୍ଡେ, ଦିଲୀପ ଜୈସୱାଲ, ଅଶୋକ ଚୌଧୁରୀ, ଲେସୀ ସନ୍ଥ, ରାମିନ ସାହିନୀ, ରାମିନ ସାହିନୀ କୁମାର, ଜାମା ଖାନ, ସଞ୍ଜୟ ସିଂ ଟାଇଗର, ଅରୁଣ ଶଙ୍କର, ସୁରେନ୍ଦ୍ର ମେହେଟ୍ଟା, ନାରାୟଣ ପ୍ରସାଦ, ରାମ ନିଶାଦ, ଲକ୍ଷେନ୍ଦ୍ର କୁମାର ରୋଶନ, ଶ୍ରେୟସୀ ସିଂ, ପ୍ରମୋଦ କୁମାର, ସଞ୍ଜୟ କୁମାର, ସଞ୍ଜୟ କୁମାର ସିଂ ଏବଂ ଦୀପକ ପ୍ରକାଶ।

ବିଧାୟକ ଭାବେ ଶପଥ ନେଲେ ନବ ନିର୍ବାଚିତ ଜୟ ଢୋଲକିଆ

ବିଧାୟକ ଭାବେ ଶପଥ ନେଲେ ନବ ନିର୍ବାଚିତ  ଜୟ ଢୋଲକିଆ

ବିଧାନସଭାରେ ଶପଥ ସହ ନୂଆପଡ଼ାର ବିଧାୟକ ଭାବେ  ନୂଆ ଦାୟିତ୍ବ । ଜୟ ଢୋଲକିଆଙ୍କ ହାତରେ ସାଢେ ୩ ବର୍ଷରୁ କମ ସମୟ । ସେବା ପାଇଁ ସୁଯୋଗ ଦେଇଥିବା ନୂଆପଡାବାସୀଙ୍କୁ ଏବେ ପ୍ରତିଦାନର ସମୟ । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରା କରିବା ଜୟଙ୍କ ପାଇଁ ବଡ଼ ଆହ୍ବାନ ।ସମୟ : ଅପରାହ୍ନ ୧ଟା ୧୧ ମିନିଟ୍ । ବିଧାନସଭା ପରିସରକୁ ଆସିଥିଲେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ । ପବିତ୍ର ଗୃହକୁ ଆସି ବଡ଼ ଦାୟିତ୍ବ ନେବା ପୂର୍ବରୁ ସମ୍ବିଧାନକୁ ମୁଣ୍ଡିଆ ମାରିଥିଲେ । ପରିବାର ସହ ଆସି ବିଧାୟକ ଭାବେ ଶପଥ ନେଇଥିଲେ ଜୟ ଢୋଲକିଆ । ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୁରମା ପାଢୀ । ଏହି ଶପଥପାଠ ସମୟରେ ବିଜେପିର ବରିଷ୍ଠ ନେତୃବୃନ୍ଦ ମଧ୍ୟ ସାମିଲ ହୋଇଥିଲେ । ବିଧାୟକ ଭାବେ ଶପଥ ନେବା ପରେ  କହିଛନ୍ତି, ବିଶ୍ରାମ କରିବାର ସମୟ ସରିଛି, କାମ କରିବାର ସମୟ ଆସିଛି । ନୂଆପଡ଼ାର ସେବା ପାଇଁ ସୁଯୋଗ ମିଳିବା ସହ ଦାୟିତ୍ବ ବଢିଛି । ଏହାସହ ବାପାଙ୍କ ପ୍ରତି ବିଜେଡି ଯେଉଁ ଆଭିମୁଖ୍ୟ ଆପଣାଇଥିଲା ତାହାକୁ ଭୁଲିବିନି ବୋଲି କହିଛନ୍ତି ଜୟ । ବାପାଙ୍କ ଅସୁସ୍ଥତା ବେଳେ ସାଥିରେ ଛିଡ଼ା ହୋଇନଥିଲା ବିଜେଡି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋତେ ପୁଅ ଭଳି ସ୍ନେହ ଦେଇଛନ୍ତି । ଆଗକୁ ଭିଜନ, ନୂଆପଡ଼ାରେ ନିଯୁକ୍ତି ସୃଷ୍ଟି କରି ଦାଦନ ହ୍ରାସ କରିବୁ ।ଦମ୍ଭ ଦେଖାଇଛନ୍ତି ଜୟ । କହିଛନ୍ତି, ଆଗାମୀ ସାଢେ ୩ ବର୍ଷରେ ଡବଲ ଇଞ୍ଜିନ ସରକାରରେ ନୂଆପଡ଼ା ବିକାଶର ଶିଖର ଛୁଇଁବ । ନିର୍ବାଚନମଣ୍ଡଳୀରେ ପାନୀୟ ଜଳ, ଟେଲିକମ ସମସ୍ୟା ଦୂର କରିବା ସହ ନୂଆ ମେଡିକାଲ କଲେଜ ନିର୍ମାଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଜୟ ।

ଆସୁଛି ଆଉ ଏକ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା

ଆସୁଛି ଆଉ ଏକ ଲଘୁଚାପ, ୪ ଦିନ ପ୍ରବଳ ବର୍ଷା

ଆସୁଛି ଆଉ ଏକ ଲଘୁଚାପ। ପୁଣି ଆସିବକି ବାତ୍ୟା! ଆସନ୍ତା ୨୨ରେ ସୃଷ୍ଟି ହୋଇ ପାରେ ଲଘୁଚାପ । ୨୪ରେ ଏହା ଅବପାତର ରୂପ ନେଇ ଆକଳନ ଲଗାଇଛନ୍ତି ପାଣିପାଗ ବିଶେଷଜ୍ଞ। ଏମିକି କିଛି ଆକଳନ ପରେ ବାତ୍ୟା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ମାଲକା ସମୁଦ୍ର ସନ୍ଧିରେ ସୃଷ୍ଟି ହୋଇଛି ଘୁର୍ଣିବଳୟ।

ପୁଣି ଆସିବକି ବାତ୍ୟା। ମାଲକା ସମୁଦ୍ର ସନ୍ଧିରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରର ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହାର ପ୍ରଭାବରେ, ୨୨ ନଭେମ୍ବରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟ ଭାଗରେ ଗୋଟିଏ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। । ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନଥିବା ବେଳେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବାତ୍ୟାର ରୂପରେଖ।

ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ସୋଆ ସିଇସି ନିର୍ଦେଶକ ତଥା ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ କହିବା କଥା ଏହା ସମୁଦ୍ର ଭିତରେ ହିଁ ବାତ୍ୟାରୁ ରୁପ ନେଇ ଦୁର୍ବଳ ହୋଇଯିବ । ସ୍ଥଳ ଭାଗ ଆଡକୁ ଆସିଲା ବେଳକୁ ଏହା ଦୁର୍ବଳ ହୋଇଯିବ ।

ଉତ୍ତର ତାମିଲାନାଡୁ ଦକ୍ଷିଣ ଆନ୍ଧ୍ର ଅଞ୍ଚଳରେ ବର୍ଷା ପବନର ତିବ୍ରତା ଅଧିକ ରହିପାରେ। ଦକ୍ଷିଣ ଓଡିଶା ଓ ଉପକୁଳ ଜିଲ୍ଲା ଗୁଡିକରେ ବର୍ଷା ହେବା ନେଇ ଆକଳନ କରାଯାଉଛି। ଲଘୁଚାପ ପ୍ରଭାବରେ ଉପକୁଳ ଓ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ଥିବାରୁ ଅମଳ ଧାନ ପାଇଁ ଏହା ଅଡୁଆ ସୃଷ୍ଟି କରିପାରେ।

ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ଦଶମ ଇନିଂସ୍‌: ଶପଥ ଗ୍ରହଣ ଉତ୍ସବ ଆଜି

ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶଙ୍କ ଦଶମ ଇନିଂସ୍‌: ଶପଥ ଗ୍ରହଣ ଉତ୍ସବ ଆଜି

ରାଜନୈତିକ ସ୍ଥିରତାର ଏକ ଅଭୂତପୂର୍ବ ମାଇଲଖୁଣ୍ଟ ସୃଷ୍ଟି କରି ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଆସନ୍ତାକାଲି ଐତିହାସିକ ଗାନ୍ଧୀ ମଇଦାନରେ ରେକର୍ଡ ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଅପରାହ୍ଣରେ ସେ ବିହାର ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନ୍‌ଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ଶପଥଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। ଏଥିପାଇଁ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଚଳିତ ରଣଜୀ ସିଜିନରେ ନାଗାଲାଣ୍ଡକୁ ୨୯୯ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା

ଚଳିତ ରଣଜୀ ସିଜିନରେ ନାଗାଲାଣ୍ଡକୁ ୨୯୯ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା

ନୈରାଶ୍ୟଜନକ ପ୍ରଦର୍ଶନ ପରେ ଶେଷରେ ଚଳିତ ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା। ଘରୋଇ ମଇଦାନରେ ଓଡିଶା ଭ୍ରମଣକାରୀ ନାଗାଲାଣ୍ଡକୁ ୨୯୯ ରନରେ ହରାଇଛି। ବିଜୟ ସହ ଏଲିଟ୍ ଗ୍ରୁପ ଏରେ ଅଷ୍ଟମ ସ୍ଥାନକୁ ଉଠିଛି ଓଡ଼ିଶା। ଚଳିତ ସିଜିନରେ ପଞ୍ଚମ ମ୍ୟାଚରୁ ଓଡିଶାର ଏହା ପ୍ରଥମ ବିଜୟ। ସ୍ଵସ୍ତିକ ସାମଲଙ୍କ ୧୬୯ ରନ ଓ ଅଧିନାୟକ ସୁଭ୍ରାଂଶୁ ସେନାପତିଙ୍କ ୧୩୭ ରନର ଶତକୀୟ ଇନିଂସ ପରେ ଗୋବିନ୍ଦ ପୋଦ୍ଦାରଙ୍କ ୫ ଓ୍ଵିକେଟ୍ ବଳରେ ଓଡ଼ିଶା ନାଗାଲାଣ୍ଡକୁ ହରାଇ ପାରିଛି। ଓଡ଼ିଶା ୫ଟି ମ୍ୟାଚ୍ ଖେଳି ୩ ପରାଜୟ, ଗୋଟିଏ ଡ୍ର ଓ ଗୋଟିଏ ବିଜୟ ସହ ୭ ପଏଣ୍ଟ ପାଇଛି।

ଭୁବନେଶ୍ଵର ସ୍ଥିତ କିଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ରଣଜୀ ମୁକାବିଲାରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା। ଅନିଲ ପରିଡ଼ାଙ୍କ ଅପରାଜିତ ୧୧୮ ରନ ଓ ବିପ୍ଳବ ସାମନ୍ତରାୟଙ୍କ ୯୨ ରନ ବଳରେ ୨୭୫ ରନ କରିଥିଲା ଓଡିଶା। ଜବାବରେ ନାଗାଲାଣ୍ଡ ୧୬୧ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଦେଗା ନିତ୍ସଲ ୭୨ ରନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି, ସମ୍ବିତ ଏସ ବରାଲ ଓ ଗୋବିନ୍ଦ ପୋଦ୍ଦାର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୧୪ ରନର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ସ୍ଵସ୍ତିକ ଲ ୧୬୯ ରନର ଦମଦାର ଇନିଂସ ଖେଳିଥିଲେ। ଏଥିରେ ୧୧ ଚୌକା ଓ ୬ ଛକା ସାମିଲ୍। ଏହା ସହ ଅଧିନାୟକ ସୁଭ୍ରାଂଶୁ ସେନାପତି ମଧ୍ୟ ୧୩୭ ରନର ଶତକୀୟ ଇନିଂସ ଖେଳି ଓଡ଼ିଶାର ସ୍ଥିତି ମଜବୁତ କରିଥିଲେ। ଦ୍ଵିତୀୟ ଇନିଂସରେ ସ୍ଵସ୍ତିକ ଓ ସେନାପତିଙ୍କ ମଧ୍ୟରେ ୩ୟ ଓ୍ଵିକେଟ୍ରେ ୨୬୧ ରନର ଭାଗିଦାରୀ ହୋଇଥିଲା। ଓଡ଼ିଶା ୫ ଓ୍ଵିକେଟ୍ ହରାଇ ୩୫୦ ରନ ସ୍କୋରରେ ପାଳି ସମାପ୍ତି ଘୋଷଣା କରିଥିଲା।

ଆଉ ନାଗାଲାଣ୍ଡ ସମ୍ମୁଖରେ ଥିଲା ୪୬୪ ରନର ବିଶାଳ ବିଜୟ ଲକ୍ଷ୍ୟ। ଜବାବରେ ଭ୍ରମଣକାରୀ ଦଳ ଓଡ଼ିଶା ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲା। ବିଶେଷ କରି ଗୋବିନ୍ଦ ପୋଦ୍ଦାର ଘାତକ ବୋଲିଂ କରି ନାଗାଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ନାଗାଲାଣ୍ଡ ପକ୍ଷରୁ ଡେଗା ନିତ୍ସଲ ସର୍ବାଧିକ ୫୨ ରନ କରିଥିଲେ। ଦଳ ୧୬୫ ରନରେ ଅଲଆଉଟ୍ ହୋଇଥିଲା। ଆଉ ଓଡ଼ିଶା ମ୍ୟାଚକୁ ୨୯୯ ରନରେ ଜିତି ନେଇଛି। ଗୋବିନ୍ଦ ପୋଦ୍ଦାର ୬୯ ରନ ଦେଇ ୫ ଓ୍ଵିକେଟ୍ ଓ ବାଦଲ ବିଶ୍ଵାଳ ୩୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ

ମାଲକାନଗିରି ସୀମାନ୍ତରେ ପୁଣି ଏନକାଉଣ୍ଟର। ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡମିଲ୍ଲୀ ଜଙ୍ଗଲରେ ଏନ୍କାଉଣ୍ଟର ହୋଇଥିଲା । ଯେଉଁଥିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏନ୍କାଉଣ୍ଟରରେ ଟପ୍ ମାଓନେତା ହିଡ୍ମା ସମେତ ୬ ମାଓବାଦୀ ନିହତ ହୋଇଥିଲେ । ହିଡ୍ମାର ନିହତ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ସର୍ଚ୍ଚ ଅପରେସନରେ ବୁଧବାର ଦିନ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧ ନିହତ ମାଓବାଦୀଙ୍କ ପରିଚୟ ହସ୍ତଗତ ହୋଇନାହିଁ । ଏବେବି ଆନ୍ଧ୍ର ପ୍ରଦେଶର ଗ୍ରେହାଉଣ୍ଟ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।