ପ୍ରତି ଜିଲ୍ଲାରେ ପାଳନ ହେବ ବନ୍ଦେ ମାତରମ୍‌’ ଉତ୍ସବକୁ- ମୁଖ୍ୟମନ୍ତ୍ରୀ

  ପ୍ରତି ଜିଲ୍ଲାରେ ପାଳନ  ହେବ ବନ୍ଦେ ମାତରମ୍‌’ ଉତ୍ସବକୁ- ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍‌ଣରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ଏହି ପର୍ବକୁ ଓଡ଼ିଶା ସରକାର ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସରକାର ‘ବନ୍ଦେ ମାତରମ୍‌’ ଉତ୍ସବକୁ  ପ୍ରତି ଜିଲ୍ଲାରେ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସ୍ତରରେ ‘ବନ୍ଦେ ମାତରମ୍‌’ ପାଳନ କରାଯିବ। ସେହିପରି ପ୍ରତ୍ୟେକ ସାଂସ୍କୃତିକ କେନ୍ଦ୍ରରେ ଏହି ପର୍ବ ପାଳନ କରାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ପ୍ରାଙ୍ଗଣରେ ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଯୋଗଦେଇ ସାମୂହିକ ‘ବନ୍ଦେ ମାତରମ୍’ ଗାନରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଥିଲେ, ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ଏକ ଶକ୍ତିଶାଳୀ ପ୍ରତୀକ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହା ଦେଶବାସୀଙ୍କ ମନରେ ଅପୂର୍ବ ଉତ୍ସାହ ଓ ଜାଗୃତି ସୃଷ୍ଟି କରିଥିଲା। ଆମେ ସମସ୍ତେ ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହେବା। ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନେ ଏଥିରେ ଅଂଶଗ୍ରହଣ କରନ୍ତୁ। ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ। ମୋର ଦୃଢ଼ ବିଶ୍ୱାସ, ଆଗାମୀ ଦିନରେ ଏହି ଅଭିଯାନ ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ ଏବଂ ଭାରତ ମାତାର ଗୌରବକୁ ବିଶ୍ୱ ଦରବାରରେ ପରିବ୍ୟାପ୍ତ କରିବ।

Leave a Reply

Your email address will not be published. Required fields are marked *