ମଙ୍ଗଳବାର ସକାଳେ ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ହୋଇଥିବା ନେଇ ଟେଲିଭିଜନର ଅନେକ ଲୋକପ୍ରିୟ ଚ୍ୟାନେଲଗୁଡ଼ିକ ବାଜି ଉଠିଥିଲା। କେବଳ ଏତିକି ନୁହେଁ ବିଭିନ୍ନ ପ୍ରକାର ପୋଷ୍ଟ ମାଧ୍ୟମରେ ଲୋକେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବି ଆରମ୍ଭ କରି ଦେଇଥିଲେ।
ଏଭଳି ସମୟରେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ହେମା ଝିଅ ଇଶା ଦେୱାଲଙ୍କ ସମେତ ସମ୍ପର୍କୀୟମାନେ ଅଭିନେତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଗତ କିଛି ଦିନ ଧରି ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ଆଜି ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଚିକିତ୍ସା ପରେ ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅସୁସ୍ଥ ସ୍ବାମୀଙ୍କ ପାଇଁ ଚିନ୍ତାରେ ଥିବା ବେଳେ କିଛି ଗଣମାଧ୍ୟମ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ବଜାଉଥିବା ମିଥ୍ୟା ଖବର ହେମାଙ୍କୁ ଖବୁ କଷ୍ଟ ଦେଇଛି। ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଯାଇଥିବା ନେଇ ପ୍ରଚାର ହେଉଥିବା ଗୁଜବ ଖବର ପ୍ରସଙ୍ଗରେ ହେମା କହିଛନ୍ତି, ‘ସମାଜରେ ଏମିତି ବି ଲୋକ ଅଛନ୍ତି ମୁଁ ବିଶ୍ବାସ କରି ପାରୁ ନାହିଁ। ଜଣେ ମଣିଷ ଜୀବିତ ଅଛନ୍ତି କିନ୍ତୁ ତାକୁ ମାରି ଦିଆଯାଉଛି। ଏସବୁ ଯାହା ଘଟୁଛି ଆଦୌ ସେ ସବୁକୁ କ୍ଷମା ଦିଆଯାଇ ପାରିବ ନାହିଁ।ଜଣେ ମଣିଷ ଅସୁସ୍ଥ ଥାଇ ହସ୍ପିଟାଲ ବିଛଣାରେ ଚିକିତ୍ସିତ ହେଉଛନ୍ତି। ଧୀରେ ଧୀରେ ସେ ସୁସ୍ଥ ହେବାପାଇଁ ସଂଘର୍ଷ କରୁଛନ୍ତି। ଆପଣମାନେ ତାଙ୍କ ଆରୋଗ୍ୟ କାମନା କରିବା ପରିବର୍ତ୍ତେ କିଛିଟା ଭିୟୁ ପାଇଁ ପରଲୋକ ହୋଇଯାଇଥିବା ନେଇ ଗୁଜବ ପ୍ରଚାର କରୁଛନ୍ତି। ଆପଣଙ୍କୁ ଅନୁରୋଧ କରୁଛି ଆଜ୍ଞା ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ। ଏହା ଅତ୍ୟନ୍ତ ଦାୟିତ୍ୱହୀନ ଏବଂ ଅପମାନଜନକ। ଦୟାକରି ଆମ ପରିବାର ଏବଂ ଗୋପନୀୟତାକୁ ସମ୍ମାନ ଦିଅନ୍ତୁ।