ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ : ବାବ୍ରି ମସଜିଦ୍ ଭାଙ୍ଗିବାର ପ୍ରତିଶୋଧ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଖୁଲାସା ହୋଇଛି। ତଦନ୍ତକାରୀ ସଂସ୍ଥାମାନଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଆତଙ୍କବାଦୀମାନେ ବାବ୍ରି ମସଜିଦ୍ ଭାଙ୍ଗିବାର ବାର୍ଷିକୀ ଡିସେମ୍ବର ୬ ତାରିଖରେ ଦିଲ୍ଲୀ ସମେତ ୬ଟି ସ୍ଥାନରେ ସିରିଜ୍ ଆକ୍ରମଣ ପାଇଁ ୩୨ଟି କାର୍ (ଯେଉଁଥିରେ i20, Brezza, Swift Dzire ଓ EcoSport ସାମିଲ) ବ୍ୟବହାର କରିବାକୁ ଯୋଜନା କରିଥିଲେ।

ଜୈଶ-ଏ-ମହମ୍ମଦ (JeM) ସହ ଜଡ଼ିତ ଏହି ‘ଡାକ୍ତର ମଡ୍ୟୁଲ୍’ ପୁରୁଣା ଓ ବାରମ୍ବାର ବିକ୍ରି ହୋଇଥିବା ଗାଡ଼ି (ଯେପରିକି Maruti Brezza, Swift Dzire, Ford EcoSport) ବ୍ୟବହାର କରିବାକୁ ଯୋଜନା କରିଥିଲେ, ଯାହାଦ୍ୱାରା ପୋଲିସ ସେମାନଙ୍କୁ ଚିହ୍ନଟ କରିପାରିବ ନାହିଁ।

ହରିୟାଣାର ଫରିଦାବାଦରେ ଥିବା ‘ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର’ ଏହି ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ପାଲଟିଥିଲା। ଏଠାରୁ Brezza କାର୍ ଜବତ ହୋଇଛି। Swift Dzire କାର୍ରୁ ଆକ୍ରମଣକାରୀ ରାଇଫଲ୍ ଏବଂ ଗୁଳି ଜବତ କରାଯାଇଛି।

Ford EcoSport (DL10 CK 0458) କାର୍ ଫରିଦାବାଦରୁ ଉଦ୍ଧାର ହୋଇଛି। ଏହି କାର୍‌ରେ ବିସ୍ଫୋରକ ସାମଗ୍ରୀ ପରିବହନ କରାଯାଉଥିଲା। ଜଣେ ଯୁବକ ସେହି କାର୍ ଭିତରେ ଶୋଇଥିବା ଅବସ୍ଥାରେ ଗିରଫ ହୋଇଛି।

i20 କାରରେ ଉଚ୍ଚମାନର ବିସ୍ଫୋରକ ଏବଂ ଆମୋନିୟମ୍ ନାଇଟ୍ରେଟ୍ ଥିଲା। ତେବେ ଡାକ୍ତର ଉମର ମହମ୍ମଦ ଓରଫ୍ ଉମର ଉନ୍-ନବୀ ନାମକ ଜଣେ ଆତଙ୍କବାଦୀ ସାଥୀମାନଙ୍କ ଗିରଫଦାରୀ ଓ ଫରିଦାବାଦରୁ ପ୍ରାୟ ୩,୦୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହେବା ପରେ ଭୟଭୀତ ହୋଇ ଯୋଜନା ପୂର୍ବରୁ ହିଁ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ DNA ପରୀକ୍ଷାରେ ଉମରଙ୍କ ମୃତ୍ୟୁ ପ୍ରମାଣିତ ହୋଇଛି।

ମୂଳ ଯୋଜନା ଲାଲକିଲ୍ଲା ଭିତରର ପାର୍କିଂରେ ବିସ୍ଫୋରଣ କରିବା ଥିଲା, କିନ୍ତୁ ଉମର ସୋମବାର ଲାଲକିଲ୍ଲା ବନ୍ଦ ଥିବାରୁ ନିକଟସ୍ଥ ମେଟ୍ରୋ ଷ୍ଟେସନ୍ ସାମ୍ନାର ଏକ ବ୍ୟସ୍ତବହୁଳ ଟ୍ରାଫିକ୍ ସିଗନାଲ୍ ନିକଟରେ ବିସ୍ଫୋରଣ ଘଟାଇଥିଲେ।

ସନ୍ଦିଗ୍ଧ ଆତଙ୍କବାଦୀମାନେ ଡାକ୍ତର ଭଳି ‘ହ୍ୱାଇଟ୍ କଲାର୍ ପ୍ରଫେସନାଲ୍’ ଭାବରେ ନିଜର ପରିଚୟ ଲୁଚାଉଥିଲେ। ଆତଙ୍କବାଦ ନିରୋଧୀ ସଂସ୍ଥା NIA ଏହି ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *