ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ବିଚକ୍ଷଣ ନେତା ଥିଲେ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ବିଚକ୍ଷଣ ନେତା ଥିଲେ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାର ମହାପୁରୁଷ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବ ରାଜ୍ୟରୁ କେନ୍ଦ୍ରସ୍ତର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନେତା ଭାବରେ ଓଡ଼ିଆଙ୍କ ସ୍ୱାଭିମାନ ବଢାଇଥିଲେ। ଓଡ଼ିଆ ସ୍ୱାର୍ଥକୁ ପୂରଣ କରିବାରେ ସେ ଜଣେ ବିଚକ୍ଷଣ ନେତା ଥିଲେ ବୋଲି ଶୁକ୍ରବାର କଟକର ସାରଳା ଭବନରେ ଆୟୋଜିତ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଡଃ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି ମହତାବ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ମହାନ ସୁଧାରକ, ମହାନ ବକ୍ତା, ପ୍ରଖ୍ୟାତ ରାଜନେତା, କବି, ଔପନ୍ୟାସିକ, ସ୍ତମ୍ଭକାର, ଇତିହାସକାର ଏବଂ ସାମ୍ବାଦିକ ମଧ୍ୟ । ଗୋଟିଏ ସମାଜ କିମ୍ବା ଜାତି ଦୟାରେ ଚାଲିପାରିବ ନାହିଁ । ଅଧିକାର ପାଇଁ ଚିତ୍କାର କଲେ ହେବନି । ଡଃ ମହତାବ ଏପରି ନେତୃତ୍ୱ ଥିଲେ, ଯେ ଓଡ଼ିଆ ସ୍ୱାର୍ଥକୁ ପୂରଣ କରୁଥିଲେ । ହୀରାକୁଦ ବନ୍ଧର ପରିକଳ୍ପନା ଦ୍ୱାରା ସେ ବନ୍ୟା ଜଳ ନିୟନ୍ତ୍ରଣ ସହ, ଜଳସେଚନ, ବିଦ୍ୟୁତ ଉତ୍ପାଦନ କରିବାର ମାର୍ଗ ପ୍ରଶସ୍ତ କରିଥିଲେ । ଏହିପରି ଭାବରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଶାସକ ବିରୋଧୀ ଆମ ପଡ଼ୋଶୀ ରାଜ୍ୟ ମାନଙ୍କରେ ଏକାଠି ହେଉଛନ୍ତି କିନ୍ତୁ ଆମ ରାଜ୍ୟରେ ଆମେ ଏକାଠି ହେଇ ପାରୁନାହାନ୍ତି । ଓଡ଼ିଶାର ସ୍ୱାର୍ଥ ପାଇଁ ଆମେ ସମସ୍ତେ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି ।ବର୍ତ୍ତମାନ ସମୟରେ ଦେଶରେ ଲୌହପୁରୁଷ ତଥା ‘ଭାରତରତ୍ନ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି । ବର୍ତ୍ତମାନ ସମଗ୍ର ଦେଶରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ‘ବନ୍ଦେ ମାତରମ୍’ର ୧୫୦ ଗୌରବମୟ ବର୍ଷ ପାଳନ କରାଯାଉଛି । ଏହି ଗୀତ ଆମକୁ ସ୍ୱରାଜ୍ୟ ପାଇଁ ସଂଘର୍ଷ କରିବାକୁ ଶକ୍ତି ଦେଇଥିଲା । ଡଃ ମହତାବଙ୍କ ୧୨୫ତମ ଜୟନ୍ତୀ ସମାପନ ଉତ୍ସବ ଜାତୀୟ ସ୍ତରରେ ବ୍ୟାପକ କରିବା ପାଇଁ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଦଳ ମତ ନିର୍ବିଶେଷରେ ଓଡ଼ିଶାର ନବଜାତ ଶିଶୁ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ଯତ୍ନ ନେବା ଭଳି ୧୦ଟି ବିଷୟରେ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ ।