ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର

ନୀତୀଶ କୁମାର ବୁଧବାର (୧୯ ନଭେମ୍ବର) ରାଜଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି ନୀତୀଶ । ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଏନଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିଧାୟକ ଦଳ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ପୁଣି ଥରେ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛି। ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳର ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବରେ ନିର୍ବାଚିତ କରାଯାଇଛି ।

ସୂତ୍ର ଅନୁସାରେ, ବାଚସ୍ପତି ପଦ ବିଜେପିକୁ ଯିବ । ପୂର୍ବରୁ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ମନୋନୀତ କରାଯାଇଥିଲା। ବୁଧବାର (୧୯ ନଭେମ୍ବର) ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ନୀତୀଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ମନୋନୀତ କରାଯାଇଥିଲା। ନୀତୀଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ଶପଥ ଗ୍ରହଣ ସମାରୋହ ଗୁରୁବାର (୨୦ ନଭେମ୍ବର) ପାଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନୀତୀଶ କୁମାର ମଙ୍ଗଳବାର (୧୮ ନଭେମ୍ବର) ବ୍ୟକ୍ତିଗତ ଭାବରେ ଗାନ୍ଧୀ ମୈଦାନ ଗସ୍ତ କରିଥିଲେ। ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ NDA ୨୦୨ଟି ଆସନ ଜିତିବାରେ ସଫଳ ହୋଇଛି। ବିଜେପି ୮୯ଟି ଆସନ ଜିତି ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ୮୫ଟି ଆସନ ପାଇ ଦଳୀୟ ସଂଖ୍ୟା ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ରହିଛି।

ଚିରାଗ ପାସୱାନଙ୍କ ଏଲଜେପି (ଆର) ୧୯ଟି ଆସନ ଜିତିଥିବା ବେଳେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚଏଏମ) ୫ଟି ଏବଂ ଆରଏଲଏମ ୪ଟି ଆସନ ଜିତିଛି । ଅନ୍ୟପକ୍ଷରେ, ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଛି । ଏମଜିବି ମାତ୍ର ୩୫ଟି ଆସନ ଜିତିଛି।

ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର

ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର

ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ ଗୁରୁବାର ଶପଥ ନେବେ ନୀତିଶ କୁମାର । ଏଥିପାଇଁ ବିଜେପି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ବିହାର ବିଧାନସଭା ନିର୍ବାଚନରେ ଏନଡିଏର ବିପୁଳ ବିଜଯ ପରେ ନୀତିଶ କୁମାର ଗୁରୁବାର ୨୦ ନଭେମ୍ବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଏନଡିଏ ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ସବରେ ଯୋଗଦେବେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପାଟନାର ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ ବୋଲି କୁହା ଯାଉଛି । ଏଥିପାଇଁ ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଛି । ଗୁରୁବାର ଦିନ ୧୧ ଟାରୁ ୧୨ଟା  ମଧ୍ୟରେ ଶପଥ ସମାରୋହ ଉତ୍ସବ ଅନୁଷ୍ଠିତ ହେବ । ମିଳିଥିବା ସୂତ୍ର ଅନୁସାରେ ଶପଥ ସମାରୋହର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ନୀତିଶ କୁମାର ବିଧାୟକ ଦଳ ନେତା ଭାବରେ ନିର୍ବାଚିତ ହେବେ । ଏଥିପାଇଁ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏବଂ ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ କେନ୍ଦ୍ରୀୟ ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।

ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

ନିର୍ବାଚନରେ ଜନ ସୁରାଜ ପାର୍ଟିର ପରାଜୟ ପରେ ଦଳର ପ୍ରତିଷ୍ଠାତା ତଥା ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାରବାସୀଙ୍କୁ କ୍ଷମା ମାଗିଛନ୍ତି । ତାଙ୍କ ଦଳର ଯଦି କିଛି ଭୁଲ ରହିଥାଏ ତେବେ ସେମାନେ ଆଗାମୀ ଦିନରେ ତାହାକୁ ସୁଧାରିବେ ବୋଲି ପିକେ କହିଛନ୍ତି । ଏହା ସହ ସେ ସିଧା ସିଧା କହିଛନ୍ତି ସେ ରାଜନୀତି ଛାଡିବେ ନାହିଁ । କାରଣ ସେ କୈାଣସି ପଦବିରେ ନାହାଁନ୍ତି । ସେ ବିହାର ଲୋକଙ୍କ କଥା କହିବେ । ଏନଡିଏ ଲୋକଙ୍କୁ ଦୁଇ ଲକ୍ଷ ଟଙ୍କା ଦେବା କଥା କହି ସରକାରଙ୍କୁ ଏଥିସହ ନୂଆ ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ସରକାର ଗଠନ ପୂର୍ବରୁ କିଛି ଭ୍ରଷ୍ଟ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ ନ କରିବା ପାଇଁ ଚେତାବନୀ ଦେଇଛନ୍ତି ।
ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସେ ପୂର୍ବରୁ କିଛି ଭ୍ରଷ୍ଟ ନେତାଙ୍କ ବିଷୟରେ କହିଥିଲେ । ଯଦିଓ ଜନତା ସେହି ନେତାମାନଙ୍କୁ ପୁଣି ଥରେ ବିପୁଳ ଜନମତ ଦେଇ ବିଜୟୀ କରାଇଛନ୍ତି । ତଥାପି ଏହି ଦାୟିତ୍ୱ ସରକାରଙ୍କର ଯେ ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ ନ କରନ୍ତୁ। ପ୍ରଶାନ୍ତ କିଶୋର ଚେତାବନୀ ଦେଇଛନ୍ତି ଯେ ଯଦି ସେହି ନେତାମାନଙ୍କୁ ପୁଣି ଥରେ ମନ୍ତ୍ରୀ ପଦରେ ସାମିଲ୍ କରାଯାଏ, ତେବେ ଜନ ସୁରାଜ ପାର୍ଟି ଆବଶ୍ୟକ ହେଲେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହେବ। ତେବେ ସେହି ଭ୍ରଷ୍ଟ ନେତା କିଏ ତାଙ୍କର ନାମ ପିକେ କହିନାହାଁନ୍ତି ।
ସେ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ବିଧାନସଭା ଆସନରେ ଲୋକଙ୍କୁ ସରକାର ଲାଂଚ ଦେଲେ । ନିର୍ବାଚନ ପୂର୍ବରୁ ମହିଳାଙ୍କ ଆକାଉଁଟକୁ ଦଶହଜାର ଟଙ୍କା ପଠାଗଲା । ପ୍ରତି ଆସନରେ ଅତି କମରେ ୬୦,୦୦୦ରୁ ୬୨,୦୦୦ ଲୋକଙ୍କୁ ୧୦,୦୦୦ ଟଙ୍କା ଦିଆଯାଇଥିଲା ଏବଂ ୨ ଲକ୍ଷ ଟଙ୍କା ଋଣ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଯାହା ଫଳରେ ଏନଡିଏକୁ ଅଧିକ ଭୋଟ ମିଳିଲା ।
ସେ ଅଭିଯୋଗ କରିଛନ୍ତି ଯେ ସରକାରୀ ଅଧିକାରୀମାନେ ଡ୍ୟୁଟିରେ ରହି ଲୋକଙ୍କୁ କହୁଥିଲେ ଯେ ଯଦି ଏନଡିଏ କ୍ଷମତାକୁ ଆସେ ତେବେ ଋଣ ମିଳିବ। ଏଥିପାଇଁ ଜୀବିକା ଦିଦିମାନଙ୍କୁ ମୋବିଲାଇଜର ଭାବରେ ବ୍ୟବହାର କରାଯାଇଥିଲା। ଯାହାର ଲାଭ ଏନଡିଏକୁ ମିଳିଲା । PK ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ମତଦାନର ଅନ୍ତିମ ଦୁଇ ଘଣ୍ଟାରେ ୧୫-୨୦% ଭୋଟ୍ ବଢ଼ିବାର ଏକ ଅସ୍ୱାଭାବିକ ଢାଞ୍ଚା ଦେଖାଯାଇଛି, କିନ୍ତୁ ନିର୍ବାଚନ କମିଶନ ଏହାର ସବିଶେଷ ତଥ୍ୟ ସାର୍ବଜନୀନ କରିନାହାନ୍ତି।

ଆରମ୍ଭ ହୋଇଛି ଜିଲ୍ଲାପାଳ ଓ ଏସପି ସମ୍ମିଳନୀ: ୨୦୨୭ ସୁଦ୍ଧା ପାଣି, ରାସ୍ତା ଓ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଆରମ୍ଭ ହୋଇଛି ଜିଲ୍ଲାପାଳ ଓ ଏସପି ସମ୍ମିଳନୀ: ୨୦୨୭ ସୁଦ୍ଧା ପାଣି, ରାସ୍ତା ଓ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଆରମ୍ଭ ହୋଇଛି ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଲୋକସେବା ଭବନର କନ୍ଭେନସନ୍ ଏହାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନେ ଉପସ୍ଥିତ ରହିଛନ୍ତି । ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ କାମ କରିବା । ୨୦୨୭ ସୁଦ୍ଧା ପାଣି, ରାସ୍ତା ଓ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଜିଲ୍ଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତୁ ଜାଣିବା ସେହି ୯ଟି ଟାସ୍କ ସଂପର୍କରେ.

• ଦୁର୍ନୀତି ହଟାଅ, ସଚ୍ଚୋଟତା ଓ ସାଧୁତା ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି ବୋଲି କହିଛନ୍ତି।

• ଅଧିକ ଫିଲଡ଼ ଭିଜିଟ କର, କେବଳ ଅଫିସରେ ଶୀତତାପ ନିୟନ୍ତ୍ରିତ ରୁମରେ ନବସି ଲୋକଙ୍କ ପାଖକୁ ଯାଅ। ତୃଣମୂଳ ସ୍ତରରେ କାମ କରନ୍ତୁ।

• ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର କରନ୍ତୁ। ରିୟଲ ଟାଇମ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ କରନ୍ତୁ।

• ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇ, ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

• ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରଶାସନିକ ସ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର କରନ୍ତୁ । ସରକାରୀ ନୋଟିସ ଵିଜ୍ଞାପନ ଓଡିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ।

• ଲୋକଙ୍କ ପାଖକୁ ସରକାରୀ କାମର ସଫଳତା ପହଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆ ଜରିଆରେ ସରକାରଙ୍କ କାମର ପ୍ରଚାର କରନ୍ତୁ ।

• ଆଉଟସୋର୍ସିଂ କମାଅ, ରାଜ୍ୟସ୍ତରରେ PMU ଏବଂ ଜିଲ୍ଲା ସ୍ତରରେ ଆଉଟସୋର୍ସ କରାଯାଉଛି. ଏ ଅଭ୍ୟାସକୁ ସମୀକ୍ଷା କରି ଛାଡ଼ନ୍ତୁ।

• ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅନ୍ତୁ ।

• ଗାଦିମଡ଼ା ବାବୁଙ୍କୁ ହଟାଅ, ଲୋକଙ୍କୁ ତ୍ୱରିତ ସେବା ଦିଅ ।

ସାଉଦି ଆରବରେ ଏକ ବଡ ଦୁର୍ଘଟଣା, ୪୨ଜଣ ଭାରତୀୟଙ୍କ ମୃତ

ସାଉଦି ଆରବରେ ଏକ ବଡ ଦୁର୍ଘଟଣା, ୪୨ଜଣ ଭାରତୀୟଙ୍କ ମୃତ

ସୋମବାର ସାଉଦି ଆରବରେ ଏକ ବଡ ଦୁର୍ଘଟଣା ଘଟିଛି । ଉମରା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ବସରେ ଥିବା ୪୨ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ମକ୍କାରୁ ମଦିନା ଯାତ୍ରା କରୁଥିଲେ । ରିପୋର୍ଟ ଅନୁସାରେ ମୁଫାରିହାଟ ନିକଟରେ ବସଟି ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ମୃତ ଭାରତୀୟ ସମସ୍ତେ ହାଇଦ୍ରାବାଦର ସହରର ବାସିନ୍ଦା ବୋଲି ସୂଚନା ମିଳିଥିବା ବେଳେ ମୃତକଙ୍କ ମଧ୍ୟରେ ୨୦ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଥିଲେ। ରିପୋର୍ଟ ଅନୁଯାୟୀ, କେବଳ ବସ୍ ଡ୍ରାଇଭର ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି।

ଦୁର୍ଘଟଣାଟି ଭାରତୀୟ ସମୟ ଅନୁସାରେ ରାତି ୧:୩୦ ସମୟରେ ମଦିନାରୁ ପ୍ରାୟ ୧୬୦ କିଲୋମିଟର ଦୂରରେ ମୁହରାସ ନିକଟରେ ଘଟିଥିଲା।ତେଲେଙ୍ଗାନା ସରକାର କହିଛନ୍ତି ଯେ ରିୟାଦରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛୁ। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦିଲ୍ଲୀର ଅଧିକାରୀମାନଙ୍କୁ ପୀଡିତଙ୍କ ଚିହ୍ନଟ ଏବଂ ଅନ୍ୟାନ୍ୟ ଔପଚାରିକତାରେ ସହାୟତା କରିବା ପାଇଁ ଦୂତାବାସ ସହିତ ଘନିଷ୍ଠ ସମନ୍ୱୟ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ବାଂଲା ଅନ୍ତର୍ଜାତୀୟ କ୍ରାଇମ୍‌ ଟ୍ରିବ୍ୟୁନାଲ୍‌ ଏପରି ବଡ଼ ରାୟ ଶୁଣାଇଛନ୍ତି । ବର୍ତ୍ତମାନର ୟୁନୁସ୍ ସରକାର ହସିନାଙ୍କ ବିରୋଧରେ କୋର୍ଟକୁ ଯାଇଥିଲେ । ଆଉ କୋର୍ଟ ତାଙ୍କ ରାୟରେ କହିଛନ୍ତି, ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଶେଖ୍ ହସିନା । ମାନବତା ବିରୋଧୀ ଏହି ଅପରାଧ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶରେ କରାଯାଇଥିଲା ।୨୦୨୪ ଜୁଲାଇ ଓ ଅଗଷ୍ଟ ମାସରେ ଛାତ୍ର ଆନ୍ଦୋଳନ । ୧୪୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କ ହୋଇଥିଲା ମୃତ୍ୟୁ । ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶେଖ୍‌ ହସିନା ବୋଲି କହିଛନ୍ତି ବାଂଲାଦେଶର ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ ।

ଅଭିଯୋଗ-୧: ଆନ୍ଦୋଳନ ରୋକିବା ବଦଳରେ ନିରୀହଙ୍କୁ ହତ୍ୟା ନିର୍ଦ୍ଦେଶ
ଅଭିଯୋଗ-୨: ପ୍ରଦର୍ଶନକାରୀଙ୍କୁ ଦମନ ଏବଂ ହତ୍ୟା ପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର ନିର୍ଦ୍ଦେଶ
ଅଭିଯୋଗ-୩: ହେଲିକପ୍ଟରରୁ ଛାତ୍ରଙ୍କ ଉପରେ ବୋମା ପକାଇବାକୁ ନିର୍ଦ୍ଦେଶ
ଅଭିଯୋଗ-୪: ପ୍ରଦର୍ଶନକାରୀଙ୍କୁ ଅପହରଣ କରିବା ସହ ଶବକୁ ଜଳାଇ ପ୍ରମାଣ ନଷ୍ଟ
ଅଭିଯୋଗ-୫: ତଦନ୍ତ ସଂସ୍ଥା ଉପରେ ଚାପ ପକାଇବା
ଆଉ ହସିନାଙ୍କ ସାଥ୍‌ ଦେଇଥିଲେ ପୂର୍ବତନ ଗୃହମନ୍ତ୍ରୀ ଓ ଆଇଜିପି ।

କୋର୍ଟ ୮୪ଟି ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି  । ୨୦୨୪ରେ ହସିନାଙ୍କ ସରକାର ଭାଙ୍ଗିବା ପରେ ବାଂଲାଦେଶରେ ଗଠନ ହୋଇଥିଲା ଅନ୍ତରୀଣ ସରକାର । କ୍ଷମତାକୁ ଆସିବା ପରେ ହସିନାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାଙ୍କୁ ଫାଶୀ ଦେବାକୁ ମହମ୍ମଦ ୟୁନୁସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  । ଏପଟେ କୋର୍ଟଙ୍କ ରାୟ ପରେ ହସିନା କହିଛନ୍ତି, ଏପରି ରାୟ ପକ୍ଷପାତିତା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଶୁଣାଣି ବେଳେ ତାଙ୍କ ପକ୍ଷ ଶୁଣାଯାଇନାହିଁ ।

ବାଂଲାଦେଶରେ ହିଂସା ଚାଲିଥିବା ବେଳେ ରାତି ଅଧିଆ ଭାରତ ପଳାଇ ଆସିଥିଲେ ଶେଖ୍‌ ହସିନା । କିଛି ଦିନର ଲୁଚକାଳି ପରେ ମିତ୍ରଦେଶ ଭାରତର ସାହାଯ୍ୟ ନେଇ ଦିଲ୍ଲୀରେ ଶରଣ ନେଇଥିଲେ । ସେତେବେଳେ ସଙ୍କେତ ମିଳିଥିଲା ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି ।

ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କର ‘ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ’ (MODS) ସହ ଏନସେଫାଲୋପାଥି (ମସ୍ତିଷ୍କ ସମସ୍ୟା), ଶ୍ୱାସକ୍ରିୟାରେ ବିଫଳତା, ତୀବ୍ର ବୃକକ ଆଘାତ, ଯକୃତ ରୋଗ, ଦ୍ୱିପାକ୍ଷିକ ନିମୋନିଆ ଏବଂ ହୃଦ୍‌ଘାତ ଭଳି ସମସ୍ୟା ଥିଲା।

ଓଲିଉଡରେ ଜଣାଶୁଣା କଣ୍ଠଶିଳ୍ପୀ ଥିଲେ ହ୍ୟୁମାନ ସାଗର। ଅନେକ ଆଲବମ ଓ ଫିଲ୍ମରେ ଗୀତ ଗାଇଥିଲେ ହ୍ୟୁମାନ। ତାଙ୍କ ମୃତ୍ୟୁ ଖବରରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି।

ଗତ କିଛି ସପ୍ତାହ ହେଲା ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ଥିଲା ଏବଂ ଏଥିପାଇଁ ତାଙ୍କ ମାଆ ଓ ସ୍ତ୍ରୀ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଡାକ୍ତରଙ୍କ ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆଲୋଚନା କରିଥିଲେ।

ନୌଗାମ ଥାନା ବିସ୍ଫୋରଣ ନେଇ ଡିଜିପି ପ୍ରତିକ୍ରିୟା : ବିସ୍ଫୋରଣ ‘ଦୁର୍ଘଟଣାଜନିତ’ ଥିବା ନେଇ ଗଣମାଧ୍ୟମକୁ ଦେଲେ ସୂଚନା

ନୌଗାମ ଥାନା ବିସ୍ଫୋରଣ ନେଇ ଡିଜିପି ପ୍ରତିକ୍ରିୟା : ବିସ୍ଫୋରଣ ‘ଦୁର୍ଘଟଣାଜନିତ’ ଥିବା ନେଇ ଗଣମାଧ୍ୟମକୁ ଦେଲେ ସୂଚନା

ନୌଗାମ ଥାନା ବିସ୍ଫୋରଣ ନେଇ ଡିଜିପି ପ୍ରତିକ୍ରିୟା । ଜମ୍ମୁକାଶ୍ମୀର ଡିଜିପିଙ୍କ କହିଛନ୍ତି ଏତେ ବଡ଼ ଘଟଣା ଦୁର୍ଘଟଣାଜନିତ । ବିସ୍ଫୋରଣ ‘ଦୁର୍ଘଟଣାଜନିତ’ ଥିବା ନେଇ ଗଣମାଧ୍ୟମକୁ ଦେଲେ ସୂଚନା । ଏହି ଘଟଣାର କାରଣ ସମ୍ପର୍କରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ । ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି, ୩୨ ଆହତ ।

ପୋଲିସ ଓ ଫରେନ୍ସିକ ଟିମ୍ ଯାଞ୍ଚ କଲା ବେଳେ ବିସ୍ଫୋରଣ ଘଟିଥିଲା । ରାତି ପ୍ରାୟ ୧୧ଟା ୨୦ ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା ବୋଲି ଡିଜିପି କହିଛନ୍ତି । ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ଚାଲିଛି ବୋଲି ଡିଜିପି କହିଛନ୍ତି । ଜାମ୍ମୁ ଓ କାଶ୍ମୀର ଡିଜିପି ନଲୀନ ପ୍ରଭାତ କହିଛନ୍ତି, “ବିସ୍ଫୋରଣରେ ୧୦ ଜଣ ପ୍ରାଣ ହରାଇଛନ୍ତି ।

ଯେଉଁଥିରେ ବିସ୍ଫୋରଣରେ ଜଣେ SIA କର୍ମୀ, ୩ FSL କର୍ମୀ, ୨ କ୍ରାଇମସିନ୍ ଫୋଟୋଗ୍ରାଫରଙ୍କ ମୃତ୍ୟୁ ହୋଇଛି। ୨ ରାଜସ୍ବ ଅଧିକାରୀ ଓ ଜଣେ ଟେଲରଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏହାସହ ଅନେକ ସାଧାରମ ଲୋକଙ୍କ ବି ମୃତ୍ୟୁ ହୋଇଛି । ସେ ଏହାକୁ ଏକ ଦୁର୍ଘଟଣାଜନିତ ବିସ୍ଫୋରଣ ବୋଲି କହିଥିଲେ ଏବଂ ଘଟଣାର କାରଣ ବିଷୟରେ ଅନ୍ୟ କୌଣସି ଅନୁମାନ ଅନାବଶ୍ୟକ ବୋଲି କହିଥିଲେ।

ଡିଜିପି କହିଛନ୍ତି ଯେ ପିଏସ୍ ନୌଗାମର ଏଫଆଇଆର ନମ୍ବର ୧୬୨/୨୦୨୫ର ତଦନ୍ତ ସମୟରେ, ୯ ଓ ୧୦ ନଭେମ୍ବର ୨୦୨୫ରେ ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ପଦାର୍ଥ, ରାସାୟନିକ ପଦାର୍ଥ ଏବଂ ରିଏଜେଣ୍ଟ ମଧ୍ୟ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସାମଗ୍ରୀକୁ ପରିବହନ କରାଯାଇଥିଲା ଓ ପୋଲିସ ଷ୍ଟେସନର ଖୋଲା ଅଞ୍ଚଳରେ ସୁରକ୍ଷିତ ଭାବରେ ରଖାଯାଇଥିଲା।

ହରିୟାଣାର ଫରିଦାବାଦରୁ ଅଣାଯାଇଥିବା ବିସ୍ଫୋରକ ସାମଗ୍ରୀ (ଆମୋନିୟମ୍ ନାଇଟ୍ରେଟ୍) ର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହେବାର କିଛି ଦିନ ପରେ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ ରୁ ଅଧିକ ଆହତ ହୋଇଥିଲେ।

ରାଜ୍ୟସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ପାଳିତ । ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରୁ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ।

ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ସହରର ହନୁମାନ ବାଟିକା ଛକରୁ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ଭଗବାନ ବିର୍ସା ମୁଣ୍ଡା ରାସ୍ତା ଭାବେ ନାମିତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିର୍ସା ମୁଣ୍ଡା ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି । ଇଂରେଜ ଶାସନ ସମୟରେ ବିର୍ସା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ବିହାର, ଝାଡଖଣ୍ଡ ଅଞ୍ଚଳର ସଂଗ୍ରାମୀ ମାନଙ୍କୁ ଏକାଠି ଏକ ବଡ ଧରଣର ବିପ୍ଳବ ମାଧ୍ୟମରେ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଥିଲେ ।

ଉପସ୍ଥିତ ରାଉରକେଲା ବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କିଶୋର ବୟସରୁ ବିର୍ସା ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ବ ନେଇଥିଲେ । ବ୍ରିଟିଶ୍ ଶାସନ ଓ ସ୍ଥାନୀୟ ଜମିଦାରଙ୍କ ଶୋଷଣ ଓ ଅତ୍ୟାଚାରରେ ନିଷ୍ପେଷିତ ଲୋକମାନଙ୍କ ସାମାଜିକ ଓ ଆର୍ଥିକ ଅଧିକାର ପାଇଁ ଲଢେଇ ଜାରି ରଖିଥିଲେ। ବିର୍ସା ମୁଣ୍ଡାଙ୍କ ବିଦ୍ରୋହ ଝାଡଖଣ୍ଡ, ଓଡିଶା, ବିହାର, ପଶ୍ଚିମ ବଙ୍ଗ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବ୍ୟାପୀ ଏକ ବିରାଟ ଆଦିବାସୀ ଆନ୍ଦୋଳନର ରୂପ ନେଇଥିଲା ।

ସେ ପୁଣି କହିଥିଲେ, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପ୍ରେରଣାଦାୟୀ ଉଦ୍ୟମରେ ଆଜି ମହାନ୍ ଜନଜାତି ନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଉତ୍ସବ ଭଗବାନ ବିର୍ସା ମୁଣ୍ଡାଙ୍କ ବୀରତ୍ବ, ତ୍ୟାଗ ଓ ସାହସ ନିମନ୍ତେ ଉତ୍ସର୍ଗୀକୃତ।

କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ବରନ୍ ସ୍ବାଗତ ଭାଷଣ ଦେଇଥିଲେ । ଜିଲ୍ଲାପାଳ ସୁନ୍ଦରଗଡ ଡ. ଶୁଭଙ୍କର ମହାପାତ୍ର, ରାଉରକେଲା ମ୍ୟୁନିସପାଲ କମିଶନର ଅମ୍ରିତପାଲ କୌର ଉପସ୍ଥିତ ଥିଲେ ।

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ

କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ଆଜି ଥିଲା ପ୍ରଥମ ଦିବସ । ପ୍ରଥମ ଦିବସରେ ହିଁ ଦକ୍ଷିଣ ଆଫ୍ରିକା ମାତ୍ର ୧୫୯ ରନରେ ଅଲଆଉଟ ହୋଇଯାଇଛି । ଏହାର ଜବାବରେ ଭାରତ ଷ୍ଟମ୍ସ ଅପସାରଣ ପର୍ଯ୍ୟନ୍ତ ୧ ଓ୍ବିକେଟ ହରାଇ ୩୭ ରନ କରିଛି ।ଏହା ଫଳରେ ଏପର୍ଯ୍ୟନ୍ତ ଭାରତ ୧୨୨ ରନରେ ଆଗୁଆ ରହିଛି । ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଆଇଡେନ ମାର୍କରାମ ଓ ରିୟାନ ରିକଲଟନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୭ ରନ କରିଥିଲେ । ମାର୍କରାମ ୩୧ ରନ କରିଥିବାବେଳେ ରିକଲଟନ ୨୩ ରନ କରିଥିଲେ । ସେହିପରି ଓ୍ବିଆନ ମୋଲଡର ୨୪ ରନ କରିଥିବାବେଳେ ଟୋନି ଡେ ୨୪ ରନ କରିଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଏହି ବିପର୍ଯ୍ୟୟ ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୫୯ ରନରେ ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକାର ୧୫୯ ରନ ଜବାବରେ ଭାରତ ଷ୍ଟମ୍ସ ଅପସାରଣ ପର୍ଯ୍ୟନ୍ତ ୧ ଓ୍ବିକେଟ ହରାଇ ୩୭ ରନ କରିଛି । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୧୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୩ ଓ ଓ୍ବାସିଂଟନ ସୁନ୍ଦର ୬ ରନ କରି ଖେଳୁଛନ୍ତି ।