ନୂଆପଡ଼ାରେ ‘ଡବଲ୍ ଇଞ୍ଜିନ’ ସରକାରକୁ ଟାର୍ଗେଟ୍ କଲେ – ଅଖିଳେଶ ଯାଦବ

ନୂଆପଡ଼ାରେ ‘ଡବଲ୍ ଇଞ୍ଜିନ’ ସରକାରକୁ ଟାର୍ଗେଟ୍ କଲେ –  ଅଖିଳେଶ ଯାଦବ

ଓଡ଼ିଶାର ନୂଆପଡ଼ା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟିର (ସପା) ସଭାପତି ତଥା ବରିଷ୍ଠ ନେତା ଅଖିଳେଶ ସିଂ ଯାଦବ ରବିବାର ଅପରାହ୍ଣରେ ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଜନସଭାରେ ପ୍ରଚାର କରିଛନ୍ତି। ସ୍ଥାନୀୟ ପୋଲିସ ପଡ଼ିଆରେ ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି ସେ ନିଜର ଉଦ୍‌ବୋଧନ ଆରମ୍ଭ କରିଥିଲେ।

ଅଖିଳେଶ ଯାଦବ କହିଛନ୍ତି ଯେ ଓଡ଼ିଶାର ରାଜନୈତିକ ଇତିହାସ ସମାଜବାଦୀ ଚିନ୍ତାରେ ବିକଶିତ ହୋଇଛି। କିନ୍ତୁ ଯେଉଁମାନେ ଭାରତୀୟ ଜନତା ପାର୍ଟି (ଭାଜପା)ର ନିକଟତର ହୋଇଛନ୍ତି, ସେମାନେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେ କହିଛନ୍ତି, “ପୂର୍ବରୁ ଏଠାରେ ସରକାର ଚୋରି ହୋଇଛି ଏବଂ ଏବେ ପ୍ରାର୍ଥୀ ଚୋରି ହୋଇଛନ୍ତି।”

ଭାଜପା ନେତୃତ୍ୱାଧୀନ ‘ଡବଲ୍ ଇଞ୍ଜିନ’ ସରକାରକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ନୂଆପଡ଼ାରେ ୧ କୋଟି ୨୦ ଲକ୍ଷ ଟଙ୍କାର ବେଆଇନ ମଦ ଓ ଗଞ୍ଜେଇ ଜବତ ହୋଇଛି। ସେ ପ୍ରଶ୍ନ କରିଛନ୍ତି, “ଡବଲ୍ ଇଞ୍ଜିନ ସରକାର କ’ଣ କରୁଛି? ଏହାର ଅର୍ଥ କ’ଣ ଗୋଟିଏ ଇଞ୍ଜିନ ଗଞ୍ଜେଇ ଏବଂ ଅନ୍ୟ ଏକ ଇଞ୍ଜିନ ମଦ ଦାୟିତ୍ୱ ନେଇଛି?”

ସେ କହିଛନ୍ତି ଯେ ଓଡ଼ିଶା ପରମ୍ପରାର ମାଟି, ଏଠାକାର ଆଦିବାସୀ ଭାଇଭଉଣୀମାନଙ୍କୁ ସେମାନଙ୍କର ଅଧିକାର ଦିଆଯିବାର ଆବଶ୍ୟକତା ଅଛି। ସେ ଦରଦାମ୍ ବୃଦ୍ଧି ଏବଂ ତେଲ ଦର ବଢ଼ିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁଯୋଗ ଦେଲେ ସମାଜବାଦୀ ପାର୍ଟି ଝିଅମାନଙ୍କୁ ମାଗଣାରେ ପାଠ ପଢ଼ାଇବାକୁ ପ୍ରତିଶ୍ରୁତି ଦେଇଛି। ଉନ୍ନତ ସଡ଼କ ଦ୍ୱାରା ଚାଷୀମାନେ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି।

ଏହି ଅବସରରେ ଅଖିଳେଶ ଯାଦବ ଘୋଷଣା କରିଛନ୍ତି ଯେ ଆଗାମୀ ଦିନରେ ସମାଜବାଦୀ ପାର୍ଟି ଓଡ଼ିଶାର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ଏବଂ ଏଥିପାଇଁ ଯୁବପିଢ଼ିଙ୍କୁ ଦଳରେ ସାମିଲ କରାଯିବ।

ଭୁଶୁଡ଼ିଲା ବାଲକୋନି ,  ୩ ମୃତ ୬ ଆହତ

ଭୁଶୁଡ଼ିଲା ବାଲକୋନି ,  ୩ ମୃତ ୬ ଆହତ

ବାଲିଯାତ୍ରାକୁ ନେଇ ଉତ୍ସବ ମୁଖର କଟକ ସହର। ଘରମାନଙ୍କରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗି ରହିଛି। ଏହା ମଧ୍ୟରେ ସିଲଭର ସିଟି କଟକରୁ ଆସିଛି ଦୁଃଖଦ ଖବର। ଶନିବାର ସହରରେ ବାଲକୋନି ଭୁଶୁଡ଼ି ଯିବାରୁ ଜଣେ ଶି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ମଣିସାହୁ ଛକ ନିକଟସ୍ଥ ଏକ ଫ୍ଲାଟ୍‌ର ବାଲକୋନି ଭାଙ୍ଗି ତଳେ ଥିବା ଆଜବେଷ୍ଟସ ଘର ଉପରେ ପଡ଼ିଥିଲା ।  ୪ଟା ୪୫ ମିନିଟ୍ ସମୟରେ ଘଟିଛି ଏହି ଘଟଣା ।ସୂଚନା ଅନୁଯାୟୀ, କଟକ ମଣିସାହୁ ଛକ ନିକଟରେ ଏହି ଅଘଟଣ ଘଟିଛି। ଆଜବେଷ୍ଟସ ଘର ଉପରେ ଫ୍ଲାଟର ବାଲକୋନି ଭୁଶୁଡ଼ି ପଡ଼ିଛି।  ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଅବଦୁଲ ମୁଜାହିଦ।  ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି  ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ବାଲକୋନି ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।ବିପଦସଙ୍କୁଳ କୋଠା ଭୁଷୁଡି ୩ଜଣଙ୍କ ମୃତ୍ୟୁ ଘଟଣାରେ ଏସସିବିରେ ମୃତାହତଙ୍କ ପରିବାରକୁ ଭେଟିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଅଘଟଣ ପାଇଁ ସି ଏମ୍ ସି ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ସୋଫିଆ। ଅଘଟଣର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।  ଏହା ସହ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଦାବି କରିଛନ୍ତି।

୨୦୪୭ ସୁଦ୍ଧା ଭାରତ ୩୦ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇ ପାରିବ

୨୦୪୭ ସୁଦ୍ଧା ଭାରତ ୩୦ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇ ପାରିବ

ଭାରତର ଅର୍ଥ ବ୍ୟବସ୍ଥା ଆଜି ଏକ ନୂଆ ମୋଡ଼ରେ ଛିଡା ହୋଇଛି, ଏହି ଠାରୁ ଦେଶର ଆଗାମୀ ଲକ୍ଷ୍ୟ ବୈଶ୍ୱିକ ମଞ୍ଚରେ ଏକ ଆର୍ଥିକ ମହାଶକ୍ତିରେ ପରିଣତା ହେବା। ନିକଟରେ ୱାର୍ଲଡବ୍ୟାଙ୍କର ଫାଇନାନ୍ସ ସେକ୍ଟର ଆସେସମେଣ୍ଟ (ଏଫଏସଏ) ରିପୋର୍ଟ ଏହି ଦିଗରେ ଭାରତର ପ୍ରଗତିକୁ ଉଚ୍ଚ ପ୍ରଶଂସା କରିଛି। କୁହାଯାଇଛି ଯଦି ଏବେକା ବେଗ ଜାରି ରହେ ଓ ସଂସ୍କାରକୁ ଆହୁରି ଗତି ଦିଆଯାଏ ତେବେ ୨୦୪୭ ସୁଦ୍ଧା ଭାରତ ୩୦ ଟ୍ରିଲିୟନ ଡଲାରର ଅର୍ଥ ବ୍ୟବସ୍ଥାରେ ପରିଣତ ହୋଇ ପାରିବ।

ରିପୋର୍ଟରେ ଭାରତର ଡିଜିଟାଲ ଚମତ୍କାରର ପ୍ରଶଂସା
ରିପୋର୍ଟରେ ଭାରତର ୱାର୍ଲଡ କ୍ଲାସ୍ ଡିଜିଟାଲ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର କୁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇଛି। ଆଧାର, ୟୁପିଆଇ ଓ ଜନଧନ ଯୋଜନା କାର୍ଯ୍ୟକ୍ରମ ଦେଶର ଆର୍ଥିକ ସମାବେଶନକୁ ଗତି ଦେଇଛି। ଏହି ସବୁ ଉଦ୍ୟମ ଯୋଗୁ ଏବେ ସହରରୁ ଗାଁ ବ୍ୟାଙ୍କିଙ୍ଗ ସେବାର ପହଞ୍ଚ ସୁଗମ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ମହିଳାଙ୍କ ନିମନ୍ତେ ଆର୍ଥିକ ସେବା ପହଞ୍ଚ ବଢାଇବା ଉପରେ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି। ୱାର୍ଲଡ ବ୍ୟାଙ୍କ ଅନୁସାରେ ଯଦି ମହିଳା ଆର୍ଥିକ ନେଣଦେଣରେ ସକ୍ରିୟ ରୂପେ ସାମିଲ ହୁଅନ୍ତି ତେବେ ଭାରତର ଆର୍ଥିକ ଶକ୍ତି ଆହୁରି ମଜଭୁତ ହେବ।

ଦୃଢ କ୍ୟାପିଟାଲ ମାର୍କେଟ୍
ରିପୋର୍ଟ ଅନୁସାରେ ୨୦୧୭ ମସିହା ପରେ ଭାରତର କ୍ୟାପିଟାଲ ମାର୍କେଟ୍ (ପୁଞ୍ଜିବଜାର) ଅଧିକ ସଶକ୍ତ ହୋଇଛି। ଇକ୍ୱିଟି, ସରକାରୀ ବଣ୍ଡ ଓ କର୍ପୋରେଟ ବଣ୍ଡ ମିସାଇ ଭାରତର କ୍ୟାପିଟାଲ ମାର୍କେଟ ଜିଡିପିର ୧୭୫%କୁ ପହଞ୍ଚିଛି। ଏହା ପୂର୍ବରୁ ମାତ୍ର ୧୪୪% ଥିଲା। ଏହି ଅଭିବୃଦ୍ଧି ପଛରେ ନିବେଶକଙ୍କ ବର୍ଦ୍ଧିତ ଆସ୍ଥା, ପାରଦର୍ଶୀ ବଜାର ବ୍ୟବସ୍ଥା ଓ ବୈଷୟିକ ଇନଫ୍ରାଷ୍ଟ୍ରକ୍ଚରର ବଡ ଯୋଗଦାନ ରହିଛି।

ଆର୍ଥିକ ସୁଧାରର ବେଗ ବଢିଛି
ୱାର୍ଲଡବ୍ୟାଙ୍କ ଏହା ବି ସ୍ପଷ୍ଟ କରିଛି ଯେ ଭାରତକୁ ଆଗାମୀ ୨ ଦଶକରେ ଆର୍ଥିକ ରୂପେ ଶୀର୍ଷ ଦେଶଙ୍କ ମଧ୍ୟରେ ସାମିଲ ହେବା ଲାଗି ନିଜ ଫାଇନାନ୍ସିଆଲ ସେକ୍ଟରରେ ଆହୁରି ସୁଧାର କରିବାକୁ ପଡିବ। ଘରୋଇ ପୁଞ୍ଜି ସଂଗ୍ରହର ନୂଆ ରାସ୍ତା ଖୋଲିବା, ଏମଏସଏମଇକୁ ଶସ୍ତା ପୁଞ୍ଜି ଉପଲବ୍ଧ କରିବା ଓ ଇନୋଭେସନ ଆଧାରିତ ଉତ୍ପାଦ ବିକଶିତ କରିବା ଆବଶ୍ୟକତା ଥିବା କୁହାଯାଇଛି।

ଭାରତର ନୀତି ଓ ବୈଶ୍ୱିକ ବିଶ୍ୱାସ
ଭାରତ ସରକାର ଏହି ରିପୋର୍ଟକୁ ସ୍ୱାଗତ କରି କହିଛନ୍ତି ଯେ ଆଇଏମଏଫ ଏବଂ ୱାର୍ଲଡବ୍ୟାଙ୍କ  ଯୁଗ୍ମ ଟିମ ଦ୍ୱାରା କରାଯାଇଥିବା ଏହି ମୂଲ୍ୟାୟନ ଭାରତର ମଜଭୁତ ଆର୍ଥିକ ନୀତିକୁ ପ୍ରମାଣିତ କରୁଛି। ମହାମାରୀ ଓ ବୈଶ୍ୱିକ ଆର୍ଥିକ ଅସ୍ଥିରତା କାଳରେ ଭାରତର ଆର୍ଥିକ ତନ୍ତ୍ର ନା କେବଳ ସ୍ଥିର ରହିଛି ବରଂ ଅଧିକ ବିବିଧ  ହୋଇ ପାରିଛି।

ଆଦିବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ବଞ୍ଚିତ ରଖିଥିଲା ପୂର୍ବ ବିଜେଡି ସରକାର – ମୁଖ୍ୟମନ୍ତ୍ରୀ

ଆଦିବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ବଞ୍ଚିତ ରଖିଥିଲା ପୂର୍ବ ବିଜେଡି ସରକାର – ମୁଖ୍ୟମନ୍ତ୍ରୀ

ସ୍ବାଧିନତା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ସୁନାବେଡ଼ାରେ ପହଞ୍ଚିଛନ୍ତି । ଏହି ଅବସରରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଥମେ ମା’ ସୁନାଦେଇ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ପରିସରରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସ୍ଥାନୀୟ ସରପଞ୍ଚ ଏବଂ ଲୋକଙ୍କ ଲିଖିତ ଅଭିଯୋଗ ଶୁଣିଛନ୍ତି । ଏହାପରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଢ଼ୋଲକିଆଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆଗକୁ ସୁନାବେଡ଼ା ଅଞ୍ଚଳର ବିକାଶ ହେବ । ସୁନାବେଡ଼ା ଅଞ୍ଚଳରେ ଯେଉଁ ଯେଉଁ ସମସ୍ୟା ତାର ସମାଧାନ ହେବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରତିଶ୍ରୁତି ଦେଇଛନ୍ତି । ସ୍ଥାନୀୟ ସରପଞ୍ଚ ଦାବି ଶୁଣିବା ପରେ ପ୍ରତିଶ୍ରୁତି ଦେଇଛନ୍ତି ସୁନାବେଡ଼ା ଅଞ୍ଚଳରେ କଲେଜ ପ୍ରତିଷ୍ଠା ହେବ ସହ ମେଡିକାଲର ମଧ୍ୟ ଉନ୍ନତି କରାଯିବ ବୋଲି ମୋହନ କହିଛନ୍ତି । ସେହିପରି ସ୍ଵତନ୍ତ୍ର ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମୁଁ ଜନଜାତି ବର୍ଗଙ୍କୁ ପ୍ରତିନିଧିତ୍ଵ କରୁଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ମୋର ଆଦିବାସୀ ଭାଇ ଭଉଣୀଙ୍କ ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହିତ ନବୀନଙ୍କୁ ପ୍ରଶ୍ନ କରିଛନ୍ତି ମୋହନ, ୨୪ ବର୍ଷ କ୍ଷମତାରେ ଥିଲା ବିଜେଡ଼ି । ସୁନାବେଡ଼ାରେ କାହିଁକି ବିକାଶ କରି ନଥିଲା ବିଜେଡି । ତାର ଉତ୍ତର ଦେଇ ପାରିବେ କି ? ଆଦିବାସୀଙ୍କୁ ମୌଳିକ ସୁବିଧା ସୁଯୋଗ ବଞ୍ଚିତ ରଖିଥିଲା ପୂର୍ବ ବିଜେଡି ସରକାର । ତାର ଉତ୍ତର ଦେଇ ପାରିବେ କି ? ବିଜେଡି ପାଇଁ ସୁନାବେଡ଼ା ପଛୁଆ ଥିଲା । କିନ୍ତୁ ବିଜେପି ସରକାର ସୁନାବେଡ଼ା ବିକାଶ କରିବ ।

ନବୀନ ବାବୁ ସୁନାବେଡ଼ାକୁ କେବେ ଆସି ନାହାନ୍ତି । ଆସିଥିଲେ କେଉଁ ଭାଷାରେ କଥା ହୋଇ ଥାଆନ୍ତେ । ସେ ଭାଷାରେ କଥା ହେବେ । ଆପଣଙ୍କ କଥା କେବେ ବୁଝିପାରିବେ ନାହିଁ । ଯିଏ ଓଡ଼ିଆ ଭାଷା କହିପାରୁ ନାହାନ୍ତି । ୨୪ ବର୍ଷ ଶାସନ କରିବା ପରେ ବି ଯିଏ ଓଡ଼ିଆ ଶିଖି ପାରିଲେ ନାହିଁ । ସିଏ କେମିତି ଆପଣଙ୍କ ଆଦିବାସୀ ଭାଷା ବୁଝିବେ । ୨୪ ବର୍ଷ ଧରି ସିଏ ସୁନାବେଡାକୁ ଆସିଲେ ନାହିଁ । ଆସିଥିଲେ ଜାଣିଥାଆନ୍ତେ । କେବଳ ପୋଷ୍ଟର ମାରିଛନ୍ତି । ଆଉ ଏବେ ଭୋଟ୍ ମାଗିବା ପାଇଁ କେଉଁ ମୁହଁରେ ଆସୁଛନ୍ତି ନବୀନ ବାବୁ । ମୁଁ କିନ୍ତୁ ଆଦିବାସୀ ଆପଣ କଥା ବୁଝିବେ । ଆପଣଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବି ।

ନୂଆପଡାକୁ ଶିଳ୍ପ ମନ୍ତ୍ରୀ ଆସିଛନ୍ତି । ନୂଆପଡାରେ ବିକାଶ ହେବ । ଶିଳ୍ପ ପ୍ରତିଷ୍ଠା ହେବ । ଏଠାକାର ଯୁବକ ନିଯୁକ୍ତି ପାଇବେ । ମନମୋହନ ସାମଲ ମୋତେ ଟିକେଟ୍ ଦେଇଥିଲେ । MLA ଟିକେଟ୍ ଦେଇଥିଲେ ମନମୋହନ ସାମଲ । ସରପଞ୍ଚ ଥିଲା ବେଳେ ମନମୋହନ ସାମଲ ମୋତେ ଡାକି MLA ଟିକେଟ୍ ଦେଇଥିଲେ । ମୁଖ୍ୟମନ୍ତ୍ରୀ ହେବା ସମୟରେ ମଧ୍ୟ ସେ ବିଜେପିର ରାଜ୍ୟ ସଭାପତି । ମୋହନ ମାଝୀ ଏବଂ ମନମୋହନ ସାମଲଙ୍କ ରାଶି ଗୋଟିଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚନ୍ଦ୍ର ମେରୁର ରାଡାର ଫଟୋ ପଠାଇଲା ଚନ୍ଦ୍ରାୟନ-୨

ଚନ୍ଦ୍ର ମେରୁର ରାଡାର ଫଟୋ ପଠାଇଲା ଚନ୍ଦ୍ରାୟନ-୨

ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍‌ ପଠାଇଲାଣି। ମିଶନର ଡୁଆଲ୍‌ ଫ୍ରିକ୍ୟୁଏନ୍ସି ସିନ୍ଥେଟିକ୍‌ ଆପେର୍‌ଚର ରାଡାରରୁ ମିଳିଥିବା ଉକ୍ତ ଡେଟାଗୁଡ଼ିକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅହମଦାବାଦରେ ଥିବା ସ୍ପେସ୍‌ ଆପ୍ଲିକେଶନ୍ସ ସେଣ୍ଟର (ଏସ୍‌ଏସି) ଅନୁଧ୍ୟାନ କରୁଛି।

ଚନ୍ଦ୍ରପୃଷ୍ଠ ମୃତ୍ତିକାର ସାନ୍ଧ୍ରତା ଏବଂ ଏଥିରେ ବାୟୁ ଚଳାଚଳ ପାଇଁ ରହିଥିବା ସୂକ୍ଷ୍ମ ଛିଦ୍ର ସମ୍ପର୍କରେ ଜଣିବା ପାଇଁ ଡାଇଇଲେକ୍ଟ୍ରିକ୍‌ ଗୁଣ ଏବଂ ସମ୍ଭାବ୍ୟ ପାଣି-ବରଫର ଉପସ୍ଥିତି ସମ୍ପର୍କରେ ପରୀକ୍ଷା କରାଯାଉଛି। ଚନ୍ଦ୍ରପୃଷ୍ଠର ଗଠନ ଏବଂ ଆଭ୍ୟନ୍ତରୀଣ ପ୍ରକୃତି ସମ୍ପର୍କରେ ଜାଣିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି।

କଟକ ବକ୍ସିବଜାର ଅଞ୍ଚଳରେ ବଡ଼ ଅଘଟଣ

କଟକ ବକ୍ସିବଜାର ଅଞ୍ଚଳରେ ବଡ଼ ଅଘଟଣ

କଟକରେ ବାଲିଯାତ୍ରା ଧୁମଧାମ୍‌ରେ ଚାଲୁଥିବା ବେଳେ ବକ୍ସିବଜାର ଅଞ୍ଚଳରେ ବଡ଼ ଅଘଟଣ ଘଟିଛି । ପୁରୁଣା କୋଠାଘର ଭୁଶୁଡ଼ି ୩ ଜଣ ଗୁରୁତର ହୋଇଛନ୍ତି । ସେହିପରି କୋଠା ଘର ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଲାଇନ୍ ସ୍ଥିତ ହାତୀବନ୍ଧୁ ସ୍କୁଲ ନିକଟ କୋଠା ଭୁଶୁଡ଼ି ପଡିଛି । ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେଉଁ କାରଣ ପାଇଁ କୋଠା ଘରଟି ଭୁଶୁଡ଼ି ପଡ଼ିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।

୨-୧ରେ ସିରିଜ୍‌ ଜିତିଲା ଟିମ୍ ଇଣ୍ଡିଆ

୨-୧ରେ ସିରିଜ୍‌ ଜିତିଲା ଟିମ୍ ଇଣ୍ଡିଆ

ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ । ଶେଷ ଟି-୨୦ ମ୍ୟାଚ୍‌ରେ ମାତ୍ର ୪.୫ ଓଭର ଖେଳାଯାଇଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆ ୫୨ ରନ୍ କରିଥିଲା । ଏହା ପରେ ବର୍ଷା କାରଣରୁ ମ୍ୟାଚ୍ ପୁଣି ଆରମ୍ଭ ହୋଇପାରିଲା ନାହିଁ । ଯାହାଫଳରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଜିତିଛି ।ବ୍ରିସବେନର ଐତିହାସିକ ଗାବାରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶୁବମନ ଗିଲ୍ ଏବଂ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ୪.୫ ଓଭରରେ ଖେଳ ହେବା ପରେ ପ୍ରବଳ ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଯାଇଥିଲା । ପ୍ରାୟ ୨ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ବର୍ଷା ନ କମିବାରୁ ଏହି ମ୍ୟାଚ୍‌କୁ ବାତିଲ କରାଯାଇଥିଲା । ପୂର୍ବରୁ, ସିରିଜର ପ୍ରଥମ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ଧୋଇ ଯାଇଥିଲା ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୯ରେ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚ୍‌ ଅକ୍ଟୋବର ୩୧ରେ ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍‌ କରିଥିଲା ।

  ପ୍ରତି ଜିଲ୍ଲାରେ ପାଳନ ହେବ ବନ୍ଦେ ମାତରମ୍‌’ ଉତ୍ସବକୁ- ମୁଖ୍ୟମନ୍ତ୍ରୀ

  ପ୍ରତି ଜିଲ୍ଲାରେ ପାଳନ  ହେବ ବନ୍ଦେ ମାତରମ୍‌’ ଉତ୍ସବକୁ- ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପୂର୍ବାହ୍‌ଣରେ ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକୀ ପାଳନ ଲାଗି ଏକ ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ଏହି ପର୍ବକୁ ଓଡ଼ିଶା ସରକାର ବ୍ୟାପକ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ସରକାର ‘ବନ୍ଦେ ମାତରମ୍‌’ ଉତ୍ସବକୁ  ପ୍ରତି ଜିଲ୍ଲାରେ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସ୍ତରରେ ‘ବନ୍ଦେ ମାତରମ୍‌’ ପାଳନ କରାଯିବ। ସେହିପରି ପ୍ରତ୍ୟେକ ସାଂସ୍କୃତିକ କେନ୍ଦ୍ରରେ ଏହି ପର୍ବ ପାଳନ କରାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ପ୍ରାଙ୍ଗଣରେ ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଯୋଗଦେଇ ସାମୂହିକ ‘ବନ୍ଦେ ମାତରମ୍’ ଗାନରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସେ କହିଥିଲେ, ବନ୍ଦେ ମାତରମ୍ କେବଳ ଏକ ଗୀତ ନୁହେଁ, ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ଏକ ଶକ୍ତିଶାଳୀ ପ୍ରତୀକ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହା ଦେଶବାସୀଙ୍କ ମନରେ ଅପୂର୍ବ ଉତ୍ସାହ ଓ ଜାଗୃତି ସୃଷ୍ଟି କରିଥିଲା। ଆମେ ସମସ୍ତେ ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ସାମିଲ ହେବା। ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନେ ଏଥିରେ ଅଂଶଗ୍ରହଣ କରନ୍ତୁ। ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ। ମୋର ଦୃଢ଼ ବିଶ୍ୱାସ, ଆଗାମୀ ଦିନରେ ଏହି ଅଭିଯାନ ରାଷ୍ଟ୍ରବାଦକୁ ଏକ ନୂଆ ସଂଜ୍ଞା ଦେବାରେ ସଫଳ ହେବ ଏବଂ ଭାରତ ମାତାର ଗୌରବକୁ ବିଶ୍ୱ ଦରବାରରେ ପରିବ୍ୟାପ୍ତ କରିବ।

ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି- ନବୀନ

ବିଜେପି ସରକାର ମିଥ୍ୟା ପ୍ରଚାର କରୁଛି। ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି। ନୂଆପଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ନିର୍ବଚାନୀ ପ୍ରଚାର ବେଳେ ଏଭଳି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପ୍ରଚାର ସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି, କେବଳ ରଙ୍ଗ ମାରିଲେ ବିକାଶ ହୁଏ ନାହିଁ। ୫୦୦ ଦିନର ସରକାର ଲୋକଙ୍କୁ କେବଳ ଧୋକା ଦେଇଛି। କେବଳ ଧୋକା ଧୋକା, ଡବଲ ଧୋକା। ରାଜ୍ୟରେ ସାର ଅଭାବକୁ ନେଇ ମଧ୍ୟ ନବୀନ ପ୍ରଶ୍ନ ଉଠାଇଛନ୍ତି। ମଣ୍ଡି ଅବ୍ୟବସ୍ଥା, କଟନିଛଟନିକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସରକାର ଭୋଟ ଚୋରି କରିପାରନ୍ତି, ଲୋକଙ୍କ ହୃଦୟ ନୁହେଁ।

ନବୀନ ଆହୁରି କହିଥିଲେ, କ୍ଷମତାକୁ ଆସିବା ଆଗରୁ ବିଜେପି ମାଗଣା ୩୦୦ ୟୁନିଟ ବିଦ୍ୟୁତ ଦେବ ବୋଲି କହିଥିଲା। ତାହା ମିଳିଲା କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେହିପରି ୩୫୦୦ ଟଙ୍କା ପେନସନ ମିଳିଲା କି ? ଚାଷୀମାନଙ୍କୁ ୟୁରିଆ ସାର ମିଳିଲା କି ? ଯୁବକମାନଙ୍କୁ ଚାକିରି ମିଳିଲା କି? ମିଶନଶକ୍ତି ମା’ ମାନଙ୍କୁ ଋଣ ମିଳିଲା କି ? ଆମ ବିଏସକେଓ୍ବାଇ କାର୍ଡରେ ଭଲ ସ୍ଵାସ୍ଥ୍ୟସେବା ମିଳୁଥିଲା। ବର୍ତ୍ତମାନର ଆୟୁଷ୍ମାନ କାର୍ଡରେ କେବଳ ଟେନସନ ମିଳୁଛି। ବିଜେପି ସରକାରର ଧୋକାର ଜବାବ ଭୋଟରେ ଦେବାକୁ ସେ ନୂଆପଡ଼ାବାସୀଙ୍କୁ ନିବେଦନ କରିଛନ୍ତି। ବିଜେଡି କଥା ନୁହେଁ, କାମରେ ବିଶ୍ଵାସ କରେ।

ନବୀନ କହିଥିଲେ, ବିଜୁ ବାବୁ ନୂଆପଡ଼ା ଜିଲା ଗଢ଼ିଥିଲେ। ରାଜୁ ଭାଇଙ୍କୁ ମୋ କ୍ୟାବିନେଟରେ ମନ୍ତ୍ରୀ କରିଥିଲି। ନୂଆପଡ଼ାବାସୀ ସମସ୍ତ ପ୍ରକାର ସହଯୋଗ କରିଆସିଛନ୍ତି। ଆମ ସରକାରରେ ନୂଆପଡ଼ାରେ ସବୁକ୍ଷେତ୍ରରେ ବିକାଶ ହୋଇଛି। ଏବେ ବିକାଶ ପୂରା ଠପ। ମିଛ ପ୍ରଚାରରେ ବିକାଶ ହୁଏନି ବୋଲି ନବୀନ କହିଥିଲେ।

ଦିଲ୍ଲୀ ବିମାନ ବନ୍ଦରରେ ବିମାନ ସେବା ବ୍ୟାହତ

ଦିଲ୍ଲୀ ବିମାନ ବନ୍ଦରରେ ବିମାନ ସେବା ବ୍ୟାହତ

ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (IGIA) ର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ସକାଳେ ବିମାନ ସେବା ବ୍ୟାପକ ଭାବରେ ବ୍ୟାହତ ହୋଇଛି। ଏହି ସମସ୍ୟା ଫଳରେ ବିମାନ ଅବତରଣ ଏବଂ ଉଡ଼ାଣ ଉଭୟ ପ୍ରଭାବିତ ହୋଇଛି ପ୍ରାୟ ୧୦୦ରୁ ଅଧିକ ଫ୍ଲାଇଟ୍ ବିଳମ୍ବ ହୋଇଛି।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ATC ବ୍ୟବସ୍ଥାରେ ଥିବା ଏକ ସଫ୍ଟୱେର୍ ଜନିତ ତ୍ରୁଟି ଯୋଗୁଁ ଏହି ବ୍ୟାଘାତ ସୃଷ୍ଟି ହୋଇଛି। ବର୍ତ୍ତମାନ ଇଞ୍ଜିନିୟର୍ ଏବଂ ATC କର୍ତ୍ତୃପକ୍ଷ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଜୋରସୋରରେ କାମ କରୁଛନ୍ତି। ଉଭୟ ସ୍ପାଇସ୍‌ଜେଟ୍ ସମେତ ଅନେକ ଏୟାରଲାଇନ୍ସର ଫ୍ଲାଇଟ୍ ବିଳମ୍ବ ହୋଇଛି।
ଦିଲ୍ଲୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍ ଏକ ଯାତ୍ରୀ ପରାମର୍ଶ ଜାରି କରି ସମସ୍ୟାକୁ ସ୍ୱୀକାର କରିଛି। “ATC ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁଁ IGIA ରେ ବିମାନ ସେବା ବିଳମ୍ବ ହେଉଛି। ଟିମ୍ ଯଥାଶୀଘ୍ର ଏହାକୁ ସମାଧାନ କରିବା ପାଇଁ DIAL ସମେତ ସମସ୍ତ ଷ୍ଟେକହୋଲ୍ଡରଙ୍କ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରୁଛି।”

ବାରଣାସୀ ଠାରୁ ମୁମ୍ବାଇକୁ ଯାଉଥିବା ଅକାସା ଏୟାର୍ ଫ୍ଲାଇଟ୍‌ରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଯେତେବେଳେ ଜଣେ ଯାତ୍ରୀ ଆକାଶରେ ଥିବା ସମୟରେ ଆପାତକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କଲେ । ଫ୍ଲାଇଟ୍ ଟେକଅଫ୍ ପରେ କିଛି ମିନିଟ୍‌ ହେବା ପରେ ଏହି ଘଟଣା ଘଟିଥିବା କୁହାଯାଉଛି । ଏହା ପରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ ଓ ବିମାନରେ ସବୁ ଯାତ୍ରୀ ଭୟଭୀତ ହୋଇପଡ଼ିଥିଲେ।

ସୋମବାର ଦିନ ବାରାଣସୀରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କୁ ଉଡ଼ାଣ ପୂର୍ବରୁ ବିମାନର ଜରୁରୀକାଳୀନ ପ୍ରସ୍ଥାନ ଦ୍ୱାର ଖୋଲିବାକୁ ଚେଷ୍ଟା କରିବା ଅଭିଯୋଗରେ ଅଟକ ରଖାଯାଇଛି। ଅଭିଯୁକ୍ତ ହେଲେ ଜୌନପୁର ଜିଲ୍ଲାର ଗୌରା ବାଦଶାହପୁରର ଯାତ୍ରୀ ସୁଜିତ ସିଂହ। ଜରୁରୀକାଳୀନ ପ୍ରସ୍ଥାନ ଖୋଲିବାକୁ ଚେଷ୍ଟା କରି ଧରାପଡ଼ିଥିଲେ। ତେବେ ସେ କାହିଁକି ଏପରି କରିଥିଲେ କାରଣ ଏଯାଏ ଜଣାପଡ଼ିନାହିଁ।
ଏହା ଆକାସା ଏୟାରର ବିମାନ QP 1497ରେ ଘଟିଥିବା ଜଣାପଡ଼ିଛି।