ଭାରତ ଗସ୍ତରେ ଆସୁଥିବା ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳ ନେତାଙ୍କୁ ସରକାର ଦୂରେଇ ରଖୁଛନ୍ତି – ରାହୁଲ

ଭାରତ ଗସ୍ତରେ ଆସୁଥିବା ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳ ନେତାଙ୍କୁ ସରକାର ଦୂରେଇ ରଖୁଛନ୍ତି – ରାହୁଲ

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ସରକାରଙ୍କ ବିରୋଧରେ ବଡ ଅଭିଯୋଗ ଉଠାଇଛନ୍ତି। ଗୁରୁବାର ରାହୁଲ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ପୁରୁଣା ପରମ୍ପରା ସବୁକୁ ଭାଙ୍ଗିଦେଉଛନ୍ତି। କାରଣ ଭାରତ ଗସ୍ତରେ ଆସୁଥିବା ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳ ନେତାଙ୍କୁ ସରକାର ଦୂରେଇ ରଖୁଛନ୍ତି। ପୁଟିନ ଭାରତ ଗସ୍ତରେ ଆସିଥିବାବେଳେ ତାଙ୍କ ସହ ବିରୋଧୀ ନେତାମାନଙ୍କ ବୈଠକ ପାଇଁ ସରକାର କୌଣସି କାର୍ଯ୍ୟସୂଚୀ ରଖିନଥିବା ସେ କହିଛନ୍ତି। ଅତୀତର ସରକାର ବିଦେଶରୁ ଆସୁଥିବା ପ୍ରତିନିଧିଙ୍କ ସହିତ ବିରୋଧୀ ନେତାଙ୍କ ସାକ୍ଷାତ୍‌ର କାର୍ଯ୍ୟକ୍ରମ ରଖୁଥିଲେ। ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସରକାର ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ ଥିଲା। ଏବେ କିନ୍ତୁ ସରକାର ବିରୋଧୀ ଦଳ ନେତାଙ୍କୁ ବିଦେଶୀ ପ୍ରତିନିଧିଙ୍କୁ ଭେଟିବାର ସୁଯୋଗ ଦେଉ ନାହାନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ରାହୁଲଙ୍କ ଏପରି ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଦେଶରୁ ଆସୁଥିବା ପ୍ରତିନିଧିମାନେ କାହାକୁ ଭେଟିବେ। କାହା ସହିତ କ’ଣ ଆଲୋଚନା କରିବେ ତାହା ସେମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଏଥିରେ ଭାରତ ସରକାରଙ୍କ କୌଣସି ହସ୍ତକ୍ଷେପ ନାହିଁ। ବିଦେଶୀ ପ୍ରତିନିଧି ବିରୋଧୀ ଦଳ ନେତାଙ୍କୁ ଭେଟିବେ କି ନାହିଁ ତାହା ସେମାନଙ୍କ ନିଷ୍ପତ୍ତି। ରାହୁଲ ଗାନ୍ଧୀ ୨୦୨୪ ଜୁନ୍ ୯ରେ ଲୋକସଭା ବିରୋଧୀ ଦଳ ନେତା ହୋଇଥିଲେ। ଏହା ପରଦିନ ଜୁନ୍ ୧୦ରେ ରାହୁଲଙ୍କୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭେଟିଥିଲେ। ୨୦୨୪ ଅଗଷ୍ଟ ୨୧ରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ୨୦୨୫ ସେପ୍ଟେମ୍ବର ୧୬ରେ ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ, ୨୦୨୫ ମାର୍ଚ୍ଚ ୮ରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲୁକ୍ସନ ତାଙ୍କର ଭାରତ ଗସ୍ତ କାଳରେ ରାହୁଲଙ୍କୁ ଭେଟିଥିଲେ। ତେଣୁ ବିଦେଶୀ ପ୍ରତିନିଧିଙ୍କୁ ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ଦିଆଯାଉ ନାହିଁ ବୋଲି ରାହୁଲଙ୍କ ଅଭିଯୋଗ ଭୁଲ୍ ବୋଲି ସରକାର କହିଛନ୍ତି।