କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ ଜାରି ରଖିଛି । ରବିବାର ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ କରିଛି । ସେହିପରି ବାତିଲ ଦ୍ୱାରା ପ୍ରଭାବିତ ଯାତ୍ରା ରିସିଡ୍ୟୁଲିଂ ପାଇଁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଇଣ୍ଡିଗୋ ବିମାନ ଚାଳନା ସଂକଟ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବା ଏବଂ ଯାତ୍ରୀମାନେ ଯେପରି ଅଧିକ ସମୟ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଏହା ଫଳରେ ଦେଶବ୍ୟାପୀ ବିମାନ ଯାତ୍ରା ଦ୍ରୁତ ଗତିରେ ସ୍ବାଭାବିକ ହେଉଛି। ଅନ୍ୟ ସମସ୍ତ ଘରୋଇ ବିମାନ କମ୍ପାନୀଗୁଡ଼ିକ ସୁଗମ ଏବଂ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ଯେତେବେଳେ କି ଇଣ୍ଡିଗୋର ବିମାନ ଚାଳନାରେ ଦ୍ରୁତଗତିରେ ସୁଧାର ହେଉଛି ଓ ଉଡ଼ାଣ ସମୟସୂଚୀ ସ୍ୱାଭାବିକ ସ୍ତରକୁ ଫେରୁଛି। ଇଣ୍ଡିଗୋର ଫ୍ଲାଇଟ ସଂଖ୍ୟା ଡିସେମ୍ବର ୫, ୨୦୨୫ରେ ୭୦୬ରୁ ବୃଦ୍ଧି ପାଇ ଡିସେମ୍ବର ୬, ୨୦୨୫ ସୁଦ୍ଧା ୧୫୬୫କୁ ବୃଦ୍ଧି ପାଇଛି ଏବଂ ଆଜି ଏହା ୧୬୫୦ରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଆହୁରି ମଧ୍ୟ ଏହି ଅବ୍ୟବସ୍ଥା ଯୋଗୁଁ ଯାତ୍ରୀମାନଙ୍କଠାରୁ ଅଲଗା ହୋଇଯାଇଥିବା କିମ୍ବା ମିଳୁନଥିବା ସବୁ ବ୍ୟାଗେଜଗୁଡିକୁ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଫେରସ୍ତ କରିବାକୁ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋ ଗତକାଲି ପର୍ଯ୍ୟନ୍ତ ସାରା ଭାରତରେ ଯାତ୍ରୀମାନଙ୍କୁ ୩୦୦୦ ଖଣ୍ଡ ବ୍ୟାଗେଜ ସଫଳତାର ସହିତ ପହଞ୍ଚାଇଛି।
ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ, ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ