ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ, ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ, ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟାରେ ମତଦାନ ହୋଇଛି । ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା । ସଂଧ୍ୟା ୬ଟା ସୁଦ୍ଧା ୬୪.୬୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ନିର୍ବାଚନ କମିଶନ ଦାବି କରିଛନ୍ତି ଯେ ଚଳିତ ଥର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ଭୋଟିଂ ହୋଇଛି ।

ଏହା ପୂର୍ବରୁ ୨୦୦୦ରେ ବିହାରରେ ୬୨ ପ୍ରତିଶତ ମତଦାନ ହୋଇଥିଲା । ଚଳିତ ବର୍ଷ ଭୋଟିଂ ୬୪ ପ୍ରତିଶତରୁ ଅଧିକ ହୋଇଛି । ଏହା ଇତିହାସରେ ସର୍ବାଧିକ ଭୋଟିଂ । ୨୦୨୦ରେ ହୋଇଥିବା ବିଧାନସଭା ନିର୍ବାଚନରେ ୫୭ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ପ୍ରତିଶତ ଅଧିକ ରହିଲେ ଏହି ନିର୍ବାଚନ ଇତିହାସରେ ଲିପିବଦ୍ଧ ହୋଇଯିବ ।

ନିର୍ବାଚନ କମିଶନ ପାଟନାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗଣତନ୍ତ୍ରର ପର୍ବ ବିହାରର ଗର୍ବର ଅବସର, ଅର୍ଥାତ୍ ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟରେ ଐତିହାସିକ ୬୪.୬୬% ମତଦାନ ରେକର୍ଡ କରାଯାଇଛି । ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି ଶାନ୍ତିପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଛି । ବିହାରର ଇତିହାସରେ ସର୍ବାଧିକ ମତଦାତା ନିଜ ମତାଧିକାର ସାବ୍ୟସ୍ତ କରିଥିଲେ ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ନିର୍ବାଚନ କମିଶନର ସୁଖବୀର ସିଂହ ସନ୍ଧୁ ଏବଂ ବିବେକ ଯୋଶୀଙ୍କ ସହିତ, ଲାଇଭ୍ ୱେବକାଷ୍ଟିଂ ମାଧ୍ୟମରେ ମତଦାନକୁ ତଦାରଖ କରିଥିଲେ । ବିହାରରେ ପ୍ରଥମ ଥର ପାଇଁ ଶତ ପ୍ରତିଶତ ମତଦାନ କେନ୍ଦ୍ର ୱେବକାଷ୍ଟ କରାଯାଇଥିଲା । ମୁକ୍ତ, ନିରପେକ୍ଷ, ନିର୍ଭୟ ନିର୍ବାଚନ ଏବଂ ମତଦାନକୁ ସୂଚାରୁ ଭାବେ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବ୍ୟକ୍ତିଗତ ଭାବରେ ଇସିଆଇ ନିୟନ୍ତ୍ରଣ କକ୍ଷରୁ ପ୍ରିଜାଇଡିଂ ଅଧିକାରୀ ଏବଂ ଉପ ନିର୍ବାଚନ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଆଜି ରାଜ୍ୟର ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା । ଏହି ପର୍ଯ୍ୟାୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୭୫ ଲକ୍ଷରୁ ଅଧିକ ଥିଲା । ବିହାରରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଫିଲିପାଇନ୍ସ, ବେଲଜିୟମ ଏବଂ କଲମ୍ବିଆରୁ ୧୬ ଜଣ ପ୍ରତିନିଧି ଆନ୍ତର୍ଜାତୀୟ ନିର୍ବାଚନ ପରିଦର୍ଶକ କାର୍ଯ୍ୟକ୍ରମ (IEVP) ଅଧୀନରେ ନିର୍ବାଚନ ପ୍ରକ୍ରିୟା ପର୍ଯ୍ୟବେକ୍ଷଣ କରିଥିଲେ । ପ୍ରତିନିଧିମାନେ ବିହାର ନିର୍ବାଚନକୁ ପ୍ରଶଂସା କରି ଏହାକୁ ଆନ୍ତର୍ଜାତୀୟ ସ୍ତରରେ ସବୁଠାରୁ ସୁସଂଗଠିତ, ସ୍ୱଚ୍ଛ, ଦକ୍ଷ ନିର୍ବାଚନ ମଧ୍ୟରୁ ଗୋଟିଏ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *