ଚନ୍ଦ୍ରୟାନ-୨ର ଅର୍ବିଟର ଚନ୍ଦ୍ରପୃଷ୍ଠର ଉଭୟ ମେରୁ ଅଞ୍ଚଳରୁ କେତେକ ରାଡାର ଫଟୋ ପଠାଇଛି। ୨୦୧୯ରୁ ଅର୍ବିଟର ପ୍ରାୟ ୧୪୦୦ ରାଡାର ଡେଟାସେଟ୍ ପଠାଇଲାଣି। ମିଶନର ଡୁଆଲ୍ ଫ୍ରିକ୍ୟୁଏନ୍ସି ସିନ୍ଥେଟିକ୍ ଆପେର୍ଚର ରାଡାରରୁ ମିଳିଥିବା ଉକ୍ତ ଡେଟାଗୁଡ଼ିକୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଅହମଦାବାଦରେ ଥିବା ସ୍ପେସ୍ ଆପ୍ଲିକେଶନ୍ସ ସେଣ୍ଟର (ଏସ୍ଏସି) ଅନୁଧ୍ୟାନ କରୁଛି।
ଚନ୍ଦ୍ରପୃଷ୍ଠ ମୃତ୍ତିକାର ସାନ୍ଧ୍ରତା ଏବଂ ଏଥିରେ ବାୟୁ ଚଳାଚଳ ପାଇଁ ରହିଥିବା ସୂକ୍ଷ୍ମ ଛିଦ୍ର ସମ୍ପର୍କରେ ଜଣିବା ପାଇଁ ଡାଇଇଲେକ୍ଟ୍ରିକ୍ ଗୁଣ ଏବଂ ସମ୍ଭାବ୍ୟ ପାଣି-ବରଫର ଉପସ୍ଥିତି ସମ୍ପର୍କରେ ପରୀକ୍ଷା କରାଯାଉଛି। ଚନ୍ଦ୍ରପୃଷ୍ଠର ଗଠନ ଏବଂ ଆଭ୍ୟନ୍ତରୀଣ ପ୍ରକୃତି ସମ୍ପର୍କରେ ଜାଣିବାରେ ଏହା ସହାୟକ ହେବ ବୋଲି କୁହାଯାଉଛି।