ରାଜ୍ୟସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ପାଳିତ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା ଠାରେ ଆୟୋଜିତ ଶହୀଦ ବିର୍ସା ମୁଣ୍ଡାଙ୍କ ରାଜ୍ୟସ୍ତରୀୟ ୧୫୧ତମ ଜୟନ୍ତୀ ‘ଜନଜାତୀୟ ଗୌରବ ଦିବସ’ ପାଳିତ । ଏହି ଅବସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଦେଶବ୍ୟାପୀ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରୁ ଶହୀଦ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ।

ରାଜ୍ୟ ସ୍ତରୀୟ ଜନଜାତୀୟ ଗୌରବ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ଠାରେ ସୁନ୍ଦରଗଡ ଜିଲ୍ଲା ପାଇଁ ୧୩୪୫ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୬୦୯ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଉରକେଲା ସହରର ହନୁମାନ ବାଟିକା ଛକରୁ ପାୱାର ହାଉସ୍ ଛକ ପର୍ଯ୍ୟନ୍ତ ରାସ୍ତାକୁ ଭଗବାନ ବିର୍ସା ମୁଣ୍ଡା ରାସ୍ତା ଭାବେ ନାମିତ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିର୍ସା ମୁଣ୍ଡା ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଭାରତ ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଛନ୍ତି । ଇଂରେଜ ଶାସନ ସମୟରେ ବିର୍ସା ଅନ୍ୟାୟ, ଅତ୍ୟାଚାରକୁ ବିରୋଧ କରି ବିହାର, ଝାଡଖଣ୍ଡ ଅଞ୍ଚଳର ସଂଗ୍ରାମୀ ମାନଙ୍କୁ ଏକାଠି ଏକ ବଡ ଧରଣର ବିପ୍ଳବ ମାଧ୍ୟମରେ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଥିଲେ ।

ଉପସ୍ଥିତ ରାଉରକେଲା ବାସୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କିଶୋର ବୟସରୁ ବିର୍ସା ଉପନିବେଶବାଦୀ ଶୋଷଣ ବିରୋଧୀ ଜନପ୍ରତିରୋଧର ନେତୃତ୍ବ ନେଇଥିଲେ । ବ୍ରିଟିଶ୍ ଶାସନ ଓ ସ୍ଥାନୀୟ ଜମିଦାରଙ୍କ ଶୋଷଣ ଓ ଅତ୍ୟାଚାରରେ ନିଷ୍ପେଷିତ ଲୋକମାନଙ୍କ ସାମାଜିକ ଓ ଆର୍ଥିକ ଅଧିକାର ପାଇଁ ଲଢେଇ ଜାରି ରଖିଥିଲେ। ବିର୍ସା ମୁଣ୍ଡାଙ୍କ ବିଦ୍ରୋହ ଝାଡଖଣ୍ଡ, ଓଡିଶା, ବିହାର, ପଶ୍ଚିମ ବଙ୍ଗ ଏବଂ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ବ୍ୟାପୀ ଏକ ବିରାଟ ଆଦିବାସୀ ଆନ୍ଦୋଳନର ରୂପ ନେଇଥିଲା ।

ସେ ପୁଣି କହିଥିଲେ, ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ପ୍ରେରଣାଦାୟୀ ଉଦ୍ୟମରେ ଆଜି ମହାନ୍ ଜନଜାତି ନାୟକ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି। ଏହି ଉତ୍ସବ ଭଗବାନ ବିର୍ସା ମୁଣ୍ଡାଙ୍କ ବୀରତ୍ବ, ତ୍ୟାଗ ଓ ସାହସ ନିମନ୍ତେ ଉତ୍ସର୍ଗୀକୃତ।

କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ବରନ୍ ସ୍ବାଗତ ଭାଷଣ ଦେଇଥିଲେ । ଜିଲ୍ଲାପାଳ ସୁନ୍ଦରଗଡ ଡ. ଶୁଭଙ୍କର ମହାପାତ୍ର, ରାଉରକେଲା ମ୍ୟୁନିସପାଲ କମିଶନର ଅମ୍ରିତପାଲ କୌର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *