ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନୋଟି ଦେଶ- ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ବାହାରିଛନ୍ତି । ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ ଅଲ ହୁସେନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଡିସେମ୍ବର ୧୫ରୁ ୧୬ ପର୍ଯ୍ୟନ୍ତ ଜୋର୍ଡାନରେ ରହିବେ । ଏହି ସମୟରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ସମ୍ପର୍କର ସମୀକ୍ଷା କରିବେ ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଆଲୋଚନା କରିବେ । ଭାରତ-ଜୋର୍ଡାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ଗସ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା ଏବଂ ନିରାପତ୍ତା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଏଥିରେ ଧ୍ୟାନ ଦିଆଯିବ । ପ୍ରଧାନମନ୍ତ୍ରୀ ଜୋର୍ଡାନରେ ଥିବା ଭାରତୀୟ ସମୁଦାୟର ଲୋକଙ୍କ ସହ ମଧ୍ୟ ଆଲୋଚନା କରିବେ, ପରେ ପ୍ରଧାନମନ୍ତ୍ରୀ ଇଥିଓପିଆ ଏବଂ ଓମାନ ଗସ୍ତ କରିବେ, ଯାହାର ଉଦ୍ଦେଶ୍ୟ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରେ ଭାରତର ସମ୍ପର୍କକୁ ଦୃଢ଼ କରିବା ।
କଂଗ୍ରେସ କେବଳ ବନ୍ଦେ ମାତରମକୁ ଭାଙ୍ଗି ନାହିଁ, ବରଂ ଦେଶରେ ବିଭାଜନର ମଞ୍ଜି ମଧ୍ୟ ବୁଣିଥିଲା- ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ ବିଶେଷ ବିତର୍କ ଆରମ୍ଭ କରିଥିଲେ। ତାଙ୍କ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ବନ୍ଦେ ମାତରମ, ମନ୍ତ୍ର, ଦେଶର ସ୍ବାଧୀନତା ଆନ୍ଦୋଳନକୁ ଶକ୍ତିଶାଳୀ ଏବଂ ପ୍ରେରଣାଦାୟକ ସ୍ଲୋଗାନ ଏବଂ ତ୍ୟାଗ ଏବଂ ତପସ୍ୟାର ପଥ ଦେଖାଇବା ଆମ ପାଇଁ ସୌଭାଗ୍ୟର ବିଷୟ। ଏହା ଗର୍ବର ବିଷୟ ଯେ ଆମେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ପାଳନ କରି ଏହି ଐତିହାସିକ ଅବସରର ସାକ୍ଷୀ ହେଉଛୁ।’
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଏହା ଏକ ସମୟ ଯାହା ଇତିହାସର ଅଗଣିତ ଘଟଣା ଆମ ସମ୍ମୁଖରେ ଆଣିଥାଏ। ଏହି ଆଲୋଚନା କେବଳ ଗୃହର ପ୍ରତିବଦ୍ଧତାକୁ ପ୍ରକାଶ କରିବ ନାହିଁ ବରଂ ଭବିଷ୍ୟତ ପିଢ଼ି ପାଇଁ ଶିକ୍ଷାର ଏକ ଉତ୍ସ ଭାବରେ ମଧ୍ୟ କାର୍ଯ୍ୟ କରିପାରିବ, ଯଦି ଆମେ ସମସ୍ତେ ଏହାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରୁ। ଆମେ ସମ୍ବିଧାନର ୭୫ ବର୍ଷ ଗର୍ବର ସହିତ ପାଳନ କରିଛୁ। ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ଦେଶ ବିର୍ସା ମୁଣ୍ଡା ଏବଂ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଏବଂ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ମଧ୍ୟ ପାଳନ କରୁଛି। ‘ବନ୍ଦେ ମାତରମ’ର ୧୫୦ ବର୍ଷର ଯାତ୍ରା ଅନେକ ମାଇଲଖୁଣ୍ଟ ଦେଇ ଗତି କରିଛି।
ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେତେବେଳେ ‘ବନ୍ଦେ ମାତରମ’ ୫୦ ବର୍ଷ ପୂରଣ କଲା, ଦେଶକୁ ଦାସତ୍ୱରେ ରହିବାକୁ ବାଧ୍ୟ କରାଯାଇଥିଲା। ଯେତେବେଳେ ‘ବନ୍ଦେ ମାତରମ’ ୧୦୦ ବର୍ଷ ପୂରଣ କଲା, ଦେଶ ଜରୁରୀକାଳୀନ ପରିସ୍ଥିତିର ଶିକୁଳିରେ ବାନ୍ଧି ଦିଆଯାଇଥିଲା। ଭାରତୀୟ ସମ୍ବିଧାନର ଗଳାକାଟି ହତ୍ୟା କରାଯାଇଥିଲା। ଯେତେବେଳେ ‘ବନ୍ଦେ ମାତରମ’ ୧୦୦ ବର୍ଷ ପୂରଣ କଲା, ଦେଶପ୍ରେମ ପାଇଁ ବଞ୍ଚିଥିବା ଏବଂ ମରିଥିବା ଲୋକମାନଙ୍କୁ ଜେଲରେ ରଖାଯାଇଥିଲା। ସେତେବେଳେ ଏକ ଅନ୍ଧାର ଯୁଗ ପ୍ରକାଶ ପାଇଥିଲା।’
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୫୦ ବର୍ଷ ହେଉଛି ସେହି ମହାନ ଅଧ୍ୟାୟ, ସେହି ଗୌରବକୁ ପୁନଃସ୍ଥାପିତ କରିବାର ଏକ ସୁଯୋଗ। ୧୯୪୭ ମସିହାରେ ‘ବନ୍ଦେ ମାତରମ’ ଦେଶକୁ ସ୍ବାଧୀନତା ଦେଇଥିଲା। ସ୍ବାଧୀନତା ସଂଗ୍ରାମର ଭାବପ୍ରବଣ ନେତୃତ୍ୱ ଏହି ‘ବନ୍ଦେ ମାତରମ’ ଧ୍ୱନିରେ ଥିଲା। ଆମ ସମସ୍ତ ଜନପ୍ରତିନିଧିଙ୍କ ପାଇଁ ‘ବନ୍ଦେ ମାତରମ’ର ରଙ୍ଗକୁ ଗ୍ରହଣ କରିବାର ଏହା ଏକ ପବିତ୍ର ଅବସର। ମୋଦି କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ‘ବନ୍ଦେ ମାତରମ’ର ସମ୍ପର୍କ ଆମ ସ୍ବାଧୀନତା ସଂଗ୍ରାମର ଦୀର୍ଘ କାହାଣୀକୁ ପ୍ରତିଫଳିତ କରେ। ବ୍ରିଟିଶମାନେ ବୁଝିପାରିଥିଲେ ଯେ ଭାରତରେ ଅଧିକ ଦିନ ରହିବା କଷ୍ଟକର ହେବ। ସେମାନେ ନିଜର ସ୍ବପ୍ନ ନେଇ ଆସିଥିଲେ, କିନ୍ତୁ ସେମାନେ ଅନୁଭବ କରିଥିଲେ ଯେ ଯଦି ସେମାନେ ଭାରତକୁ ବିଭାଜିତ ନ କରନ୍ତି, ଏହାକୁ ଖଣ୍ଡ ଖଣ୍ଡ ନ କରନ୍ତି ଏବଂ ଲୋକଙ୍କୁ ଲଢ଼େଇ ନ କରନ୍ତି, ତେବେ ଏଠାରେ ଶାସନ କରିବା କଷ୍ଟକର ହେବ।
ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ, ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ ଜାରି ରଖିଛି । ରବିବାର ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ କରିଛି । ସେହିପରି ବାତିଲ ଦ୍ୱାରା ପ୍ରଭାବିତ ଯାତ୍ରା ରିସିଡ୍ୟୁଲିଂ ପାଇଁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଇଣ୍ଡିଗୋ ବିମାନ ଚାଳନା ସଂକଟ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବା ଏବଂ ଯାତ୍ରୀମାନେ ଯେପରି ଅଧିକ ସମୟ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଏହା ଫଳରେ ଦେଶବ୍ୟାପୀ ବିମାନ ଯାତ୍ରା ଦ୍ରୁତ ଗତିରେ ସ୍ବାଭାବିକ ହେଉଛି। ଅନ୍ୟ ସମସ୍ତ ଘରୋଇ ବିମାନ କମ୍ପାନୀଗୁଡ଼ିକ ସୁଗମ ଏବଂ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ଯେତେବେଳେ କି ଇଣ୍ଡିଗୋର ବିମାନ ଚାଳନାରେ ଦ୍ରୁତଗତିରେ ସୁଧାର ହେଉଛି ଓ ଉଡ଼ାଣ ସମୟସୂଚୀ ସ୍ୱାଭାବିକ ସ୍ତରକୁ ଫେରୁଛି। ଇଣ୍ଡିଗୋର ଫ୍ଲାଇଟ ସଂଖ୍ୟା ଡିସେମ୍ବର ୫, ୨୦୨୫ରେ ୭୦୬ରୁ ବୃଦ୍ଧି ପାଇ ଡିସେମ୍ବର ୬, ୨୦୨୫ ସୁଦ୍ଧା ୧୫୬୫କୁ ବୃଦ୍ଧି ପାଇଛି ଏବଂ ଆଜି ଏହା ୧୬୫୦ରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଆହୁରି ମଧ୍ୟ ଏହି ଅବ୍ୟବସ୍ଥା ଯୋଗୁଁ ଯାତ୍ରୀମାନଙ୍କଠାରୁ ଅଲଗା ହୋଇଯାଇଥିବା କିମ୍ବା ମିଳୁନଥିବା ସବୁ ବ୍ୟାଗେଜଗୁଡିକୁ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଫେରସ୍ତ କରିବାକୁ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋ ଗତକାଲି ପର୍ଯ୍ୟନ୍ତ ସାରା ଭାରତରେ ଯାତ୍ରୀମାନଙ୍କୁ ୩୦୦୦ ଖଣ୍ଡ ବ୍ୟାଗେଜ ସଫଳତାର ସହିତ ପହଞ୍ଚାଇଛି।
ଭାରତ -ରୁଷ ଶିଖର ସମ୍ମିଳନୀ – 7 ବୁଝମଣା ଉପରେ ମୋଦୀ ଓ ପୁଟିନଙ୍କ ସହମତି
ଭାରତ ଓ ରୁଷ ମଧ୍ୟରେ ସୁଦୃଢ଼ ସମ୍ପର୍କର ନୂଆଯୁଗ ଆରମ୍ଭ । ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ଦ୍ବିପାକ୍ଷିକ ଆଲୋଚନାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନୂଆ ଦିଶା ଦେଇଛନ୍ତି । ଆଲୋଚନା ପରେ ଏକ ମିଳିତ ବିବୃତି ଜାରି କରାଯାଇଛି। ପୁଟିନ ଓ ମୋଦୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଯୋଗଦେଇଥିଲେ । ପରିବର୍ତ୍ତିତ ବିଶ୍ବରେ ରୁଷ୍ ଓ ଭାରତର ସମ୍ପର୍କ ଆକାଶରେ ଧ୍ରୁବତାରା ପରି ଉଜ୍ଜ୍ବଳ ରହିବ । ଏଥିପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିବଦ୍ଧତା ଦୋହରାଇଛନ୍ତି। ଦିଲ୍ଲୀ ହାଇଦ୍ରାବାଦ ହାଉସରେ ୨୩ତମ ବାର୍ଷିକ ସମ୍ମିଳନୀ ପରେ ଦୁଇନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ୨୦୩୦ ପର୍ଯ୍ୟନ୍ତ ଭାରତ- ରୁଷ୍ ଅର୍ଥନୈତିକ ସହଯୋଗ ବଜାୟ ରହି ବ। ଦୁଇନେତା ଏଥିପାଇଁ ରାଜି ହେଇଛନ୍ତି। ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ପାଇଁ ଦୁଇନେତା ନିରନ୍ତର କାମ କରିଛନ୍ତି ବୋଲି କହି ପରସ୍ପରକୁ ପ୍ରଶଂସା କରିଥିଲେ । ବିଭିନ୍ନ କ୍ଷେତ୍ରରେ ରୁଷ ଓ ଭାରତ ମଧ୍ୟରେ ସହଯୋଗ ବଢୁଛି ଓ ବଢ଼ିବ ବୋଲି ମୋଦୀ କହିଛନ୍ତି । ଆଲୋଚନା ଅବସରରେ ପୁଟିନଙ୍କୁ ମୋଦୀ ଏକ ଉପହାର ଦେଇଛନ୍ତି । ରୁଷିଆ ନାଗରିକଙ୍କ ପାଇଁ ମାଗଣା ୩୦ ଦିନିଆ ଇ- ପର୍ଯ୍ୟଟକ ଭିସା ଏବଂ ୩୦-ଦିନିଆ ଗ୍ରୁପ୍ ପର୍ଯ୍ୟଟନ ଭିସା ଦିଆଯିବ ।ଆମେରିକାର ବିରୋଧ ସତ୍ତ୍ବେ ଭାରତକୁ ରୁଷରୁ ତୈଳ ଯୋଗାଣ ଅବ୍ୟାହତ ରହିବ ବୋଲି ପୁଟିନ କହିଛନ୍ତି। ଭାରତ କହିଛି, ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରହିବ । ପ୍ରତିରକ୍ଷା, ପ୍ରଯୁକ୍ତି, ମହାକାଶ, ଶିଳ୍ପ, ଶକ୍ତି, ସ୍ବାସ୍ଥ୍ୟ, ବାଣିଜ୍ୟ, ଖାଦ୍ୟ, ସାଂସ୍କୃତିକ, ଆଣବିକ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି । ବାର୍ଷିକ ବାଣିଜ୍ୟ କାରବାର ଶହେ ବିଲିଅନ ଡଲାରକୁ ବୃଦ୍ଧି ପାଇଁ ରୁଷ ଓ ଭାରତ ଉଦ୍ୟମ କରିବେ ବୋଲି କହିଛନ୍ତି । ପୁଟିନ ମଧ୍ୟ ଭାରତର ଆତିଥ୍ୟକୁ ବେଶ୍ ପ୍ରଶଂସା କରିଥିଲେ ।ଆମେରିକା ସହିତ ସମ୍ପର୍କରେ ତିକ୍ତତା ଭିତରେ ପୁଟିନଙ୍କ ଭାରତ ଗସ୍ତକୁ ବିଶ୍ବରେ ଗୁରୁତ୍ବ ଦିଆଯାଉଛି। ଉଭୟ ରୁଷ୍ ଓ ଭାରତ ହାତ ମିଶାଇ ଚାଲିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି ।
ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ
ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) । ଗୁରୁବାର ସଂଧ୍ୟାରେ ତାଙ୍କ ସ୍ବତନ୍ତ୍ର ବିମାନ ନୂଆଦିଲ୍ଲୀର ପାଲାମୋ ବିମାନବନ୍ଦରରେ ଅବତରଣ କରିଥିଲା । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଖୋଦ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ତାଙ୍କୁ ସ୍ବାଗତ କରିଥିଲେ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଦିଲ୍ଲୀରେ ପହଞ୍ଚିବା ପରେ ରାତି ୮ଟାରେ ପୁଟିନଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ନୈଶ୍ୟଭୋଜି ପ୍ରଦାନ କରାଯିବ । ଏହା ପରେ ଆସନ୍ତା କାଲି ପୁଟିନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଏହି ଅବସରରେ ବିଭିନ୍ନ ଦ୍ବିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଶେଷକରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତି ଉପରେ ବିଶ୍ବର ନଜର ରହିବ ।
ବଞ୍ଚିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ , ଜେଲରେ ତାଙ୍କୁ ଭେଟିବା ପରେ ଏହି ଘୋଷଣା କରିଛନ୍ତି ତାଙ୍କ ଉଭଣୀ
ବଞ୍ଚିଛନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଜେଲରେ ତାଙ୍କୁ ଭେଟିବା ପରେ ତାଙ୍କ ଉଭଣୀ ଏହା ଘୋଷଣା କରିଛନ୍ତି । ଏହାସହିତ ଗତ କିଛି ଦିନ ହେଲା ଇମ୍ରାନଙ୍କ ମୃତ୍ୟୁକୁ ନେଇ ଚାଲିଥିବା ଗୁଜବର ଅବସାନ ହୋଇଛି । ମଙ୍ଗଳବାର ଦିନ ପାକିସ୍ତାନ ଜେଲରେ ଇମ୍ରାନ ଖାନଙ୍କୁ ଭେଟିଥିବା ତାଙ୍କ ଭଉଣୀ ଉଜମା ଖାନମ କହିଛନ୍ତି ଯେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ସେ ବହୁତ ରାଗିଛନ୍ତି। ଇମ୍ରାନ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା । ତେବେ ଜେଲରୁ ବାହାରକୁ ଆସିବା ପରେ ଉଜମା କହିଛନ୍ତି ଯେ ଇମ୍ରାନ ଜୀବିତ ଥିଲେ ବି ତାଙ୍କ ଅବସ୍ଥା ଠିକ ନାହିଁ ଓ ତାଙ୍କୁ ଜେଲରେ ନିର୍ଯ୍ୟାତନା ଦିଆଯାଉଛି । ଉଲ୍ଲଖଯୋଗ୍ୟ ଯେ ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଡ଼ିଆଲା ଜେଲରେ ବନ୍ଦୀ ଅଛନ୍ତି। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଚାଲିଥିଲା। ଏହାପରେ ଇମ୍ରାନ ଖାନଙ୍କ ପରିବାର ଏବଂ ଦଳୀୟ ନେତାମାନେ ଦାବି କରିଥିଲେ ଯେ ପାକିସ୍ତାନ ସରକାର ସେମାନଙ୍କୁ ଇମ୍ରାନ ଖାନଙ୍କୁ ଭେଟିବାକୁ ଦେଉନାହାଁନ୍ତି। ପରେ ସବୁଆଡ଼ୁ ଚାପ ସୃଷ୍ଟି ହେବା ପରେ ପାକିସ୍ତାନ ସରକାର ଇମ୍ରାନଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇଥିଲେ ।
ହ୍ୱାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ, ଦୁଇ କମାଣ୍ଡୋ ଆହତ
ଆମେରିକା ହ୍ୱାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ ହୋଇଛି । ଏଥିରେ ୟୁଏସ ନ୍ୟାଶନାଲ ସିକ୍ୟୁରିଟି ଗାର୍ଡର ଦୁଇ ଜଣ କମାଣ୍ଡୋ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଗୁଳିମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଥିବା କିଛି ଭିଡିଓରେ ଦେଖିବାକୁ ମିଳିଛି । ଏନେଇ ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ ସୂଚନା ଦେଇଛନ୍ତି ।
ସୂଚନାନୁସାରେ, ସ୍ଥାନୀୟ ସମୟ୨ଟା୧୫ରେ ଏନଏସଜିଙ୍କ ଉପରେ ଗୁଳିମାଡ ହୋଇଥିଲା । ହ୍ୱାଇଟ୍ ହାଉସ୍ ନିକଟରେ ଘଟଣା ଘଟିଥିଲା । ଆକ୍ରମଣ କରିଥିବା ବ୍ୟକ୍ତି ହେଲେ ଆଫଗାନିସ୍ତାନର ରହମାନୁଲହା ଲକନଓ୍ୱାଲ । ସେ୨୦୨୧ରେ ଆମେରିକା ଆସିଥିଲା ।
ସ୍ଥାନୀୟ ପୋଲିସର କହିବାନୁସାରେ, ଗୋଟିଏ କୋଣରୁ ରହମାନୁଲାହ ହଠାତ ଗୁଳିମାଡ କରିଥିଲା । ଏନଏସଜି ଟିମ୍ କିଛି ବୁଝିବା ଆଗରୁ ଦୁଇ ଜଣଙ୍କ ଶରୀରରେ ଗୁଳି ବାଜିଥିଲା । ସେମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏଥିରେ ରହମାନୁଲାହ ଆହତ ହୋଇଥିଲା । ତାକୁ ହାତକଡି ପକାଯାଇ ଷ୍ଟ୍ରେଚରରେ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି ।
ତେବେ ଗୁଳି ବିନିମୟରେ ଦୁଇ ଜଣ ସନ୍ଦିଗ୍ଧ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ନିଜେ ଡୋନାଲ୍ଡଟ୍ରମ୍ପ ସୂଚନା ଦେଇଛନ୍ତି । ଘଟଣା ପରେ ଓ୍ୱାସିଂଟନରେ ଅତିରିକ୍ତ୫୦୦କମାଣ୍ଡୋଙ୍କୁ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ. ହ୍ୱାଇଟ୍ ହାଉସ ହେଉଛି ଆମେରିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବାସ । ଏଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁହନ୍ତି । ଏଭଳି ଏକସମ୍ବେଦନଶୀଳ ଅଞ୍ଚଳରେ ଗୁଳିମାଡ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ନିର୍ଦ୍ଧାରିତ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟା ରାମ ମନ୍ଦିରରେ ଧ୍ଵଜା ଆରୋହଣ କରିଛନ୍ତି । ପ୍ରଥମେ ଅଯୋଧ୍ୟାରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ସପ୍ତମନ୍ଦିରରେ ଶକ୍ତିପୀଠ ଦର୍ଶନ କରିଥିଲେ । ଏହା ପରେ ଧ୍ଵଜା ଆରୋହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଧ୍ଵଜା ଆରୋହଣ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବାନ୍ ପଟେଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭଗବତ ଏହି ଉତ୍ସବରେ ମୋଦୀଙ୍କ ସହ ଯୋଗଦେଇଛନ୍ତି ।
ମନ୍ଦିର ଶିଖରରେ ଗେରୁଆ ରଙ୍ଗର ଧ୍ଵଜା ଫରଫର ହୋଇ ଉଡୁଛି । ଧ୍ଵଜା ଗେରୁଆ ରଙ୍ଗ ସହିତ ଦକ୍ଷିଣକୋଣୀ ହୋଇଛି । ଯାହା ସୂର୍ଯ୍ୟଙ୍କ ପ୍ରତୀକ ବହନ କରୁଛି । ଅନନ୍ତ ଶକ୍ତି, ଦିବ୍ୟ ଆଲୋକ, ଗୁଣ ଓ ଜ୍ଞାନ ଏବଂ ପ୍ରଭୁ ରାମଙ୍କ ସହିତ ଜଡିତ ସମସ୍ତ ଗୁଣକୁ ପ୍ରତିନିଧିତ୍ୱ କରୁଛି ଧ୍ଵଜା । ଧ୍ଵଜାରେ କାଞ୍ଚନ ବୃକ୍ଷର ପ୍ରତିଛବି ରହିଛି । ୧୯୧ ଫୁଟ ଉଚ୍ଚତାରେ ମନ୍ଦିର ଶିଖରରେ ୧୦ ଫୁଟ ଲମ୍ବ ଓ ୨୨ ଫୁଟ ଓସାରର ଏହି ଧ୍ଵଜା ଉଡୁଛି । ଏହାର ଓଜନ ପ୍ରାୟ ୧୧ କେଜି । ଧ୍ଵଜାରେ ରହିଛି ପ୍ରଭୁ ରାମଙ୍କ ପ୍ରତୀକ । ଧ୍ଵଜାରେ ‘ଓମ୍’ ଚିହ୍ନ ଖୋଦିତ ରହିଛି । ଏହି ଧ୍ଵଜାକୁ ପାରମ୍ପରିକ ଉତ୍ତର ଭାରତୀୟ ନାଗରା ସ୍ଥାପତ୍ୟ ଶୈଳୀରେ ନିର୍ମିତ ‘ଶିଖର’ ଉପରେ ସ୍ଥାପନ କରାଯାଇଛି । ୩ଟି ଲେୟାର ଫେବ୍ରିକରେ ଏହି ଧ୍ଵଜା ତିଆରି ହୋଇଛି ଓ ଏହାକୁ ନିର୍ମାଣ ଲାଗି ୨୫ ଦିନ ସମୟ ଲାଗିଛି । ଏହି ଧ୍ଵଜା ଅହମ୍ମଦାବାଦରେ ତିଆରି ହୋଇଛି
ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି
ଭାରତର ୫୩ତମ ପ୍ରଧାନ ବିଚାରପତି (ସିେଜଆଇ) ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଛନ୍ତି ।
୧୯୬୨ ଫେବୃଆରୀ ୧୦ରେ ହରିୟାଣାର ହିସାରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ସୂର୍ଯକାନ୍ତ ୧୯୮୧ରେ ହିସାରର ସରକାରୀ ପୋଷ୍ଟଗ୍ରାଜୁଏଟ୍ କଲେଜରୁ ସ୍ନାତକ ଡିଗ୍ରୀ ଓ ୧୯୮୪ରେ ରୋହତକର ମହର୍ଷି ଦୟାନନ୍ଦ ୟୁନିଭର୍ସିଟିରୁ ଆଇନରେ ସ୍ନାତକ ଡିଗ୍ରୀ ପାସ୍ କରିଥିଲେ। ୨୦୧୧ରେ ସେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଡାଇରେକ୍ଟୋରେଟ୍ ଅଫ୍ ଡିଷ୍ଟାନ୍ସ ଏଜୁକେସନରୁ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୮୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଇନ ଅଭ୍ୟାସ କରିବାକୁ ଚଣ୍ଡିଗଡ ଚାଲିଆସିଥିଲେ। ଏହି ସମୟରେ ସେ ବିଭିନ୍ନ ବିଶ୍ବବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କର ଆଇନ ଅଧିକାରୀ ଭାବେ ପ୍ରତିନିଧିତ୍ବ କରିଥିଲେ।
୨୦୦୦ ଜୁଲାଇ ୭ରେ ହରିୟାଣାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ୨୦୦୧ ମାର୍ଚ୍ଚରେ ସେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ୨୦୦୪ ଜାନୁଆରୀ ୯ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ଅକ୍ଟୋବର ୫ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ମେ ୨୪ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଏବେ ସେ ସୁପ୍ରିମକୋର୍ଟର ଲିଗାଲ ସର୍ଭିସ୍ କମିଟିର ଚେୟାରମ୍ୟାନ ଅଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ୨୦୨୭ ଫେବୃଆରୀ ୯ରେ ଅବସର ଗ୍ରହଣ କରିବେ।
ଦୁବାଇ ଏୟାର ଶୋ’ରେ ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ , ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍ ମୃତ
ଦୁବାଇ ଏୟାର ଶୋ’ରେ ଦୁର୍ଘଟଣାଗ୍ରସ୍ତ ତେଜସ୍ ବିମାନକୁ ଉଡ଼ାଉଥିଲେ ୱିଙ୍ଗ କମାଣ୍ଡର ନମାଂଶ ସିଆଲ୍। ଏୟାର ଶୋ’ରେ ଉପସ୍ଥିତ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ସେ ନିଜ ବଳିଦାନ ଦେଇଛନ୍ତି । ସାଧାରଣ ଲୋକଙ୍କ ଜୀବନ ବଞ୍ଚାଇବାକୁ ଯାଇ ପାଇଲଟ୍ ସିଆଲ ନିଜ ଜୀବନ ହରାଇଛନ୍ତି ବୋଲି ଭାରତୀୟ ବାୟୁସେନା କହିଛି । ନମାଂଶ ଠିକ୍ ସମୟରେ ବିମାନରୁ ବାହାରକୁ ଆସିପାରି ନଥିଲେ । ଫଳରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।
ନମାଂଶ ସିଆଲ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ବାସିନ୍ଦା । ୩୪ ବର୍ଷୀୟ ୱିଙ୍ଗ କମାଣ୍ଡର ସିଆଲ ମିଗ୍-21 ଏବଂ ସୁଖୋଇ Su-30MKI ବିମାନରେ ତାଲିମ ନେଇଥିଲେ । ସେ ତୃତୀୟ ସ୍କ୍ୱାର୍ଡନର ତେଜସ୍ ବିମାନ ଉଡ଼ାଉଥିଲେ । ସେପଟେ ନମାଂଶଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ । ଏକ୍ସରେ ଓ୍ବିଙ୍ଗ କମାଣ୍ଡରଙ୍କ ଫଟୋ ସେୟାର କରି ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ।
ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଦୁବାଇ ଏୟାର ଶୋ’ରେ ତେଜସ୍ ବିମାନ ଦୁର୍ଘଟଣାରେ ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ସାହସୀ ପୁଅ ନମାଂଶ ସିଆଲ୍ ଜୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ। ଦେଶ ଜଣେ କର୍ତ୍ତବ୍ୟପରାୟଣ ଏବଂ ସାହସୀ ପାଇଲଟ ହରାଇଛି। ମୁଁ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ସାହସୀ ପୁଅ ନମାଂଶ ସିଆଲ୍ ଜୀଙ୍କ ରାଷ୍ଟ୍ର ସେବା ପ୍ରତି ଅଦମ୍ୟ ସାହସ, ସମର୍ପଣ ଏବଂ ସମର୍ପଣକୁ ମୁଁ ହୃଦୟରୁ ପ୍ରଣାମ କରୁଛି।’
ଦୁବାଇ ଏୟାର ଶୋ’ରେ ପ୍ରାୟ ୧୫୦ ଦେଶ ସାମିଲ ହୋଇଥିଲେ । ନଭେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି ଏୟାର ଶୋ’ ଆଜି (ଶୁକ୍ରବାର) ଶେଷ ହୋଇଛି । ଏଥିରେ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଏବଂ ତେଜସ୍ ଫାଇଟର୍ସ ସାମିଲ ହୋଇଥିଲା । କିନ୍ତୁ ଶେଷ ଦିନରେ ଭାରତ ପାଇଁ ଦୁଃଖ ଖବର ମିଳିଛି । ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହାକୁ ଉଡ଼ାଉଥିବା ଓ୍ବିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ୨୦୨୪ରେ ରାଜସ୍ଥାନର ଜୈସାଲେମର ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରି ଆସିଥିଲେ ।