ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କଲା ବିିସିସିଆଇ

ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କଲା ବିିସିସିଆଇ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ ଜାତୀୟ ଦଳର ଖେଳାଳିଙ୍କ ପାଇଁ ଏକ କଡ଼ା ନିୟମ ଲାଗୁ କରିଛି। ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ଅତିକମରେ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ବର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ବିସିସିଆଇ ଚାହୁଁଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ଡିସେମ୍ବର ୧୯, ଅହମଦାବାଦ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜାନୁଆରୀ ୧୧, ୨୦୨୬ ମଧ୍ୟରେ ଥିବା ତିନି ସପ୍ତାହର ବ୍ୟବଧାନରେ ସମସ୍ତ ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ୍ ଖେଳନ୍ତୁ। ଏହି ନିର୍ଦ୍ଦେଶନାମା ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟି ଦ୍ୱାରା ଖେଳାଳିମାନଙ୍କୁ ଜଣାଇ ଦିଆଯାଇଛି।

ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା

ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା

ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ T-20ରେ ଭାରତକୁ ୫୧ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଏହି ସିରିଜ ଏବେ ୧-୧ରେ ବରାବର ହୋଇଯାଇଛି । ଦକ୍ଷିଣ ଆଫ୍ରିକା  ଦ୍ବାରା ରଖାଯାଇଥିବା ୨୧୪ ରନର ଲକ୍ଷ୍ୟ ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ତିଳକ ବର୍ମା ୬୨ ରନ କରିଥିବାବେଳେ ଜିତେଶ ଶର୍ମା ୨୭ ରନ ଓ ଅକ୍ଷର ପଟେଲ ୨୧ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଓଟନେଲ ବାର୍ଟମାନ ୪ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜାନସେନ, ଲୁଙ୍ଗି ଏନଗିଡି ଓ ଲୁଥୋ ସିମ୍ପାଲା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକାର ଓପନର ରେଜା ହେଣ୍ଡରିକ୍ସ ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଅନ୍ୟତମ ଓପନର କ୍ବିଣ୍ଟନ ଡି’ କକ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୪୬ଟି ବଲରେ ୯୦ ରନ କରିଥିଲେ । ସେ ଆଇଡେନ ମାର୍କରାମଙ୍କ ସହ ମିଶି ଏକ ଉପଯୋଗୀ ପାର୍ଟନରସିପ କରିଥିଲେ । ମାର୍କରାମ ୨୯ ରନ କରିଥିଲେ । ଡୋନୋଭନ ଫରେରା ୩୦ ରନ କରିଥିବାବେଳେ ଡେଭିଡ ମିଲର ୨୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍‌ର ଖେଳାଳି

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍‌ର ଖେଳାଳି

ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍‌ର ଖେଳାଳି । ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଲେ ଉଭୟ ଦଳର ଖେଳାଳି । ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଆସି ପହଞ୍ଚିଲେ ଉଭୟ ଟିମ୍‌ ।ଭାରତୀୟ କ୍ରିକେଟ ଟିମ୍‌ର କୋଚ୍ ଗୌତମ ଗମ୍ଭୀର ପ୍ରଥମେ ବିମାନ ବନ୍ଦରରୁ ବାହାରିଥିଲେ । ତାଙ୍କ ସହିତ ତିଲକ ବର୍ମା, ଅର୍ସଦୀପ ସିଂ, ହର୍ଶିତ୍ ରାଣା, କୁଲଦୀପ ୟାଦବ, ୱାଶିଂଟନ ସୁନ୍ଦର ଓ ଅନ୍ୟ ଖେଳାଳି ମାନେ ପହଞ୍ଚିଛନ୍ତି । ଖେଳାଳିଙ୍କ ସହ ଅନ୍ୟ କୋଚିଙ୍ଗ ଓ ସପୋର୍ଟ ଷ୍ଟାଫ୍ ବି ପହଞ୍ଚିଛନ୍ତି । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍ ବୁମ୍‌ରା ବି ପହଞ୍ଚି ସାରିଛନ୍ତି । ଦକ୍ଷିଣ ଆଫ୍ରିକାର କୋଚ୍ ଓ ଖେଳାଳି ମାନେ ବି ବିମାନ ବନ୍ଦରରେ ପହଞ୍ଚିଛନ୍ତି ।କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ଗଲେ ଉଭୟ ଟିମ୍ । ହୋଟେଲରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ।

ଆଇପିଏଲ୍ 2026 : ୨୩୭.୫୫ କୋଟି ଟଙ୍କାରେ କିଣାହେବ ଖେଳାଳି

ଆଇପିଏଲ୍ 2026 : ୨୩୭.୫୫ କୋଟି ଟଙ୍କାରେ କିଣାହେବ ଖେଳାଳି

ଆଇପିଏଲ୍ ମିନି ଅକ୍ସନ ଡିସେମ୍ୱର ୧୬ରେ ଆବୁ ଧାବିରେ ଆୟୋଜିତ ହେବ । ଦୁବାଇର ଆବୁ ଧାବିରେ ହେବାକୁ ଥିବା ଏହି ନିଲାମ ପାଇଁ ଖେଳାଳିଙ୍କ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ଚଳିତ ଥର ମିନି ଅକ୍ସନ ପାଇଁ ୧୩୫୫ ଖେଳାଳି ନିଜ ନାଁ ପଞ୍ଜୀକରଣ କରିଛନ୍ତି । ଏହି ସୂଚୀରେ ଅନେକ ଭାରତୀୟ ଓ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଚଳିତ ଥର ଆଇପିଏଲର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ପାଖରେ ମୋଟ ୭୭ଟି ସ୍ଲାଟ୍ ଖାଲି ରହିଛି । ଏଥିରୁ ୩୧ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ରିପୋର୍ଟ ଅନୁସାରେ ନଭେମ୍ୱର ୩୦ରେ ରେଜିଷ୍ଟ୍ରେସନ ବନ୍ଦ ହେବା ପରେ ଏହି ଲିଷ୍ଟ ସବୁ ଟିମ୍ ସହ ସେୟାର କରାଯାଇଛି ।

ଏହି ଲିଷ୍ଟରେ ୪୫ ଖେଳାଳି ସବୁଠୁ ଅଧିକ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଛନ୍ତି । ଏହି ଟପ୍ କ୍ୟାଟେଗୋରୀରେ କାମେରନ୍ ଗ୍ରୀନ, ଲିୟାମ ଲିଭିଙ୍ଗଷ୍ଟୋନ, ମଥିଶା ପଥିରାନା ଓ ୱାର୍ନିନ୍ଦୁ ହସରଙ୍ଗା ପରି ବଡ଼ ବିଦେଶୀ ଖେଳାଳିଙ୍କ ନାଁ ରହିଛି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏହି ଗ୍ରୁପରେ କେବଳ ଭେଙ୍କଟେଶ ଆୟର ଓ ରବି ବିଷ୍ନୋଇଙ୍କ ନାଁ ରହିଛି ।

ସବୁ ଟିମ୍ ପାଖରେ ମୋଟ ୨୩୭.୫୫ କୋଟି ଟଙ୍କା ରହିଛି । ଅନେକ ଫ୍ରାଞ୍ଚାଇଜ୍ ପାଖରେ ବଡ଼ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ଟିମଗୁଡ଼ିକ ଡିସେମ୍ୱର ୫ ସୁଦ୍ଧା ନିଜର ସର୍ଟଲିଷ୍ଟ ପଠାଇବେ, ଯାହା ପରେ ଫାଇନାଲ୍ ପ୍ଲେୟର ପୁଲ୍ ପ୍ରସ୍ତୁତ କରାଯିବ । ଚଳିତ ଥର ନିଲାମୀର ସବୁଠୁ ବଡ଼ ନାଁ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ୍ ଗ୍ରୀନ, ଯିଏ ଗତ ମେଗା ନିଲାମରେ ଆହତ ଯୋଗୁ ସାମିଲ ହୋଇପାରି ନଥିଲେ । ତାଙ୍କ ଉପରେ ଏଥର ଅଧିକ ଟଙ୍କା ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । କେକେଆର୍ ପାଖରେ ୬୪.୩ କୋଟି ଟଙ୍କା ଓ ସିଏସ୍‌କେ ପାଖରେ ୪୩.୪ କୋଟି ଟଙ୍କାର ବଡ଼ ପର୍ସ ରହିଛି । ଆନ୍ଦ୍ରେ ରସେଲଙ୍କ ଅବସର ପରେ କେକେଆର୍ ଏହି ଅଲରାଉଣ୍ଡର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିପାରେ । ବିଦେଶୀ ଖେଳାଳିଙ୍କ ବ୍ୟତୀତ ଭାରତର ଅନେକ ଚର୍ଚ୍ଚିତ ନାଁ ମଧ୍ୟ ଏଥର ନିଲାମରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଏମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ, କେଏସ୍ ଭରତ, ରାହୁଲ ଚହର, ପୃଥ୍ୱୀ ଶ’ ଏବଂ ନବଦୀପ ସାଇନଙ୍କ ପରି ମୋଟ ୧୬ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ଏଥର ୧୪ ଦେଶର ଅନେକ ଇଣ୍ଟରନ୍ୟାସନାଲ୍ ଖେଳାଳି ଅକ୍ସନରେ ସାମିଲ ହେବେ ।

୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ – ବିସିସିଆଇ

୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ – ବିସିସିଆଇ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପରାଜୟ ପରେ ଗୌତମ ଗମ୍ଭୀର  ଙ୍କୁ ଟାର୍ଗେଟ କରାଯାଉଥିଲା। ଗମ୍ଭୀର ଦାୟିତ୍ବ ନେବା ପରେ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରିନଥିବାରୁ ତାଙ୍କୁ ବିସିସିଆଇ  ପଦରୁ ହଟାଇ ଦେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ବିସିସିଆଇ ସ୍ପଷ୍ଟ କରିଛି ଯେ, ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ।ସୂଚନା ମୁତାବକ, ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିବେ। ବିସିସିଆଇ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ଉପରେ ବିଶ୍ୱାସ ବଜାୟ ରଖିବ। ଏବେ ବିସିସିଆଇ, ଦଳର ଖରାପ ପ୍ରଦର୍ଶନ ବିଷୟରେ ଆଲୋଚନା କରୁଛି ଏବଂ ଖୁବ୍ ଶୀଘ୍ର ପ୍ରଶିକ୍ଷକଙ୍କ ସହ ଦଳର ପ୍ରଦର୍ଶନ ବିଷୟରେ ଆଲୋଚନା କରିବ। ଏହା ମଧ୍ୟ ସୂଚନା ମିଳିଛି ଯେ, ଗମ୍ଭୀରଙ୍କ ସହ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ସମ୍ପର୍କରେ ପ୍ରଶିକ୍ଷକଙ୍କ ସହ ଆଲୋଚନା କରାଯିବ ଏବଂ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ।ଭାରତ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ହାରିବା ପରେ ଗମ୍ଭୀରଙ୍କ ଭବିଷ୍ୟତ ବିଷୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଭିଭିଏସ ଲକ୍ଷ୍ମଣ ଗମ୍ଭୀରଙ୍କ ସ୍ଥାନ ନେଇ ଭାରତୀୟ ଟେଷ୍ଟ ଟିମ୍‌ର ପ୍ରଶିକ୍ଷକ ହୋଇପାରନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ବିସିସିଆଇ ଗମ୍ଭୀରଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ୨୦୨୭ ପର୍ଯ୍ୟନ୍ତ ସୁଯୋଗ ଦେବ ବୋଲି ଜଣାପଡ଼ିଛି।

ଟି-୨୦ ବିଶ୍ଵକପ୍ ର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତର ବରିଷ୍ଠ ଖେଳାଳି ରୋହିତ ଶର୍ମା

ଟି-୨୦ ବିଶ୍ଵକପ୍ ର ବ୍ରାଣ୍ଡ ଆମ୍ବାସଡର ହେଲେ ଭାରତର ବରିଷ୍ଠ ଖେଳାଳି ରୋହିତ ଶର୍ମା

ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୬ ପାଇଁ ମଙ୍ଗଳବାର କ୍ରୀଡ଼ାସୂଚୀ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ଭାରତର ବରିଷ୍ଠ ଖେଳାଳି ରୋହିତ ଶର୍ମାଙ୍କୁ ବଡ଼ ଦାୟିତ୍ଵ ଦେଇଛି। ରୋହିତଙ୍କୁ ଟି-୨୦ ବିଶ୍ଵକପ୍ ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି। ଟୁର୍ଣ୍ଣାମେଣ୍ଟର ଦଶମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ।

ଆଇସିସି ଚେୟାରମ୍ୟାନ ଜୟ ଶାହ ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଜାରି କରିବା ସହ ରୋହିତଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି। ରୋହିତଙ୍କ ନେତୃତ୍ଵରେ ଗବର୍ଷ ଭାରତ ଟି-୨୦ ବିଶ୍ଵକପ୍ ଜିତିଥିଲା। ରୋହିତ ଟି-୨୦ ଓ ଟେଷ୍ଟରୁ ସନ୍ନ୍ୟାସ ନେଇ ସାରିଥିବା ବେଳେ ଏବେ କେବଳ ଦିନିକିଆରେ ସକ୍ରିୟ ଅଛନ୍ତି।

ଆଇସିସି ପ୍ରଥମ ଥର କୌଣସି ସକ୍ରିୟ କ୍ରିକେଟରଙ୍କୁ ଟି-୨୦ ବିଶ୍ଵକପର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତ କରିଛି। ରୋହିତ ଭାରତର ଦୁଇଟି ବିଶ୍ଵକପ୍ ବିଜେତା ଦଳର ସଦସ୍ୟ। ସେ ୨୦୦୭ ଟି-୨୦ ବିଶ୍ଵକପର ପଦାର୍ପଣ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହା ପରେ ୨୦୨୪ ଟୁର୍ଣ୍ଣାମେଣ୍ଟରେ ତାଙ୍କ ନେତୃତ୍ଵରେ ଭାରତ ଦ୍ଵିତୀୟ ଥର ଟି-୨୦ ବିଶ୍ଵକପ୍ ଜିତିବାରେ ସଫଳ ହୋଇଛି। ଭାରତ ଟି-୨୦ ଚାମ୍ପିଅନ ହେବା ପରେ ରୋହିତ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଭାରତ ୧୧ ବର୍ଷ ପରେ ଆଇସିସି ଟ୍ରଫି ଜିତିଥିଲା। ରୋହିତ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ୩୨.୦୧ ହାରରେ ଏବଂ ୧୪୦.୮୯ ଷ୍ଟ୍ରାଇକ ରେଟରେ ୪ ହଜାର ୨୩୧ ରନ କରିଛନ୍ତି। ହିଟମ୍ୟାନ ନାଁରେ ପ୍ରସିଦ୍ଧ ରୋହିତ ୨୦୨୫ରେ ଟେଷ୍ଟରୁ ଅବସର ନେଇଥିଲେ।

ଜୟ ଶାହ ଏକ୍ସରେ ଲେଖିଛନ୍ତି, ଏହି ଘୋଷଣା କରି ମୁଁ ଗର୍ବିତ ଯେ, ରୋହିତ ଶର୍ମା ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଟି-୨୦ ବିଶ୍ଵକପର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟର ପ୍ରତିନିଧିତ୍ଵ ଭାବେ ୨୦୨୪ର ଟି-୨୦ ବିଶ୍ଵକପ୍ ବିଜେତା ଅଧିନାୟକ ଏବଂ ଏ ପର୍ଯ୍ୟନ୍ତ ସମସ୍ତ ନଅ ସଂସ୍କରଣ ଖେଳିଥିବା ଖେଳାଳିଙ୍କଠୁ ଭଲ ବିକଳ୍ପ ଆଉ ହୋଇ ପାରିବ ନାହିଁ।

୨୦୨୬ ଟି-୨୦ ବିଶ୍ୱକପ୍ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଉଭୟ ସେମିଫାଇନାଲ ପାଇଁ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମିଫାଇନାଲ କୋଲକାତା ଏବଂ ଦ୍ୱିତୀୟ କଲମ୍ବୋରେ ଖେଳାଯିବ। ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଯଦି ପାକିସ୍ତାନ ଫାଇନାଲରେ ପହଞ୍ଚିଯାଏ, ତେବେ ଟାଇଟଲ୍ ମ୍ୟାଚ୍ କଲମ୍ବୋରେ ଖେଳାଯିବ।

୨୦୨୪ ଟି-୨୦ ବିଶ୍ୱକପ୍ ପରି, ପରବର୍ତ୍ତୀ ବିଶ୍ୱକପ୍ରେ ୨୦ଟି ଦଳ ଅଂଶଗ୍ରହଣ କରିବେ। ଭାରତ ଏବଂ ପାକିସ୍ତାନକୁ ସମାନ ଗ୍ରୁପ୍ରେ ରଖାଯାଇଛି। ଭାରତ-ପାକିସ୍ତାନ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଲମ୍ବୋରେ ଖେଳାଯିବ। ପୂର୍ବ ସଂସ୍କରଣ ପରି, ଆଠଟି ଦଳ ସୁପର ୮ ପର୍ଯ୍ୟାୟ, ତା’ପରେ ସେମିଫାଇନାଲ୍ ଏବଂ ତା’ପରେ ଫାଇନାଲ ଦେଇ ଆଗକୁ ବଢ଼ିବେ। ମୋଟ ଆଠଟି ସ୍ଥାନରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଭାରତର ୫ଟି ସହରକୁ ବିଶ୍ୱକପ୍ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି: ଦିଲ୍ଲୀ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ ଏବଂ ମୁମ୍ବାଇ। ଶ୍ରୀଲଙ୍କାର ତିନୋଟି ସହରରେ ହେବ ବିଶ୍ୱକପ୍ ମ୍ୟାଚ୍ ।

ଚଳିତ ରଣଜୀ ସିଜିନରେ ନାଗାଲାଣ୍ଡକୁ ୨୯୯ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା

ଚଳିତ ରଣଜୀ ସିଜିନରେ ନାଗାଲାଣ୍ଡକୁ ୨୯୯ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା

ନୈରାଶ୍ୟଜନକ ପ୍ରଦର୍ଶନ ପରେ ଶେଷରେ ଚଳିତ ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା। ଘରୋଇ ମଇଦାନରେ ଓଡିଶା ଭ୍ରମଣକାରୀ ନାଗାଲାଣ୍ଡକୁ ୨୯୯ ରନରେ ହରାଇଛି। ବିଜୟ ସହ ଏଲିଟ୍ ଗ୍ରୁପ ଏରେ ଅଷ୍ଟମ ସ୍ଥାନକୁ ଉଠିଛି ଓଡ଼ିଶା। ଚଳିତ ସିଜିନରେ ପଞ୍ଚମ ମ୍ୟାଚରୁ ଓଡିଶାର ଏହା ପ୍ରଥମ ବିଜୟ। ସ୍ଵସ୍ତିକ ସାମଲଙ୍କ ୧୬୯ ରନ ଓ ଅଧିନାୟକ ସୁଭ୍ରାଂଶୁ ସେନାପତିଙ୍କ ୧୩୭ ରନର ଶତକୀୟ ଇନିଂସ ପରେ ଗୋବିନ୍ଦ ପୋଦ୍ଦାରଙ୍କ ୫ ଓ୍ଵିକେଟ୍ ବଳରେ ଓଡ଼ିଶା ନାଗାଲାଣ୍ଡକୁ ହରାଇ ପାରିଛି। ଓଡ଼ିଶା ୫ଟି ମ୍ୟାଚ୍ ଖେଳି ୩ ପରାଜୟ, ଗୋଟିଏ ଡ୍ର ଓ ଗୋଟିଏ ବିଜୟ ସହ ୭ ପଏଣ୍ଟ ପାଇଛି।

ଭୁବନେଶ୍ଵର ସ୍ଥିତ କିଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ରଣଜୀ ମୁକାବିଲାରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା। ଅନିଲ ପରିଡ଼ାଙ୍କ ଅପରାଜିତ ୧୧୮ ରନ ଓ ବିପ୍ଳବ ସାମନ୍ତରାୟଙ୍କ ୯୨ ରନ ବଳରେ ୨୭୫ ରନ କରିଥିଲା ଓଡିଶା। ଜବାବରେ ନାଗାଲାଣ୍ଡ ୧୬୧ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଦେଗା ନିତ୍ସଲ ୭୨ ରନ କରିଥିଲେ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି, ସମ୍ବିତ ଏସ ବରାଲ ଓ ଗୋବିନ୍ଦ ପୋଦ୍ଦାର ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

୧୧୪ ରନର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ଵିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା। ସ୍ଵସ୍ତିକ ଲ ୧୬୯ ରନର ଦମଦାର ଇନିଂସ ଖେଳିଥିଲେ। ଏଥିରେ ୧୧ ଚୌକା ଓ ୬ ଛକା ସାମିଲ୍। ଏହା ସହ ଅଧିନାୟକ ସୁଭ୍ରାଂଶୁ ସେନାପତି ମଧ୍ୟ ୧୩୭ ରନର ଶତକୀୟ ଇନିଂସ ଖେଳି ଓଡ଼ିଶାର ସ୍ଥିତି ମଜବୁତ କରିଥିଲେ। ଦ୍ଵିତୀୟ ଇନିଂସରେ ସ୍ଵସ୍ତିକ ଓ ସେନାପତିଙ୍କ ମଧ୍ୟରେ ୩ୟ ଓ୍ଵିକେଟ୍ରେ ୨୬୧ ରନର ଭାଗିଦାରୀ ହୋଇଥିଲା। ଓଡ଼ିଶା ୫ ଓ୍ଵିକେଟ୍ ହରାଇ ୩୫୦ ରନ ସ୍କୋରରେ ପାଳି ସମାପ୍ତି ଘୋଷଣା କରିଥିଲା।

ଆଉ ନାଗାଲାଣ୍ଡ ସମ୍ମୁଖରେ ଥିଲା ୪୬୪ ରନର ବିଶାଳ ବିଜୟ ଲକ୍ଷ୍ୟ। ଜବାବରେ ଭ୍ରମଣକାରୀ ଦଳ ଓଡ଼ିଶା ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲା। ବିଶେଷ କରି ଗୋବିନ୍ଦ ପୋଦ୍ଦାର ଘାତକ ବୋଲିଂ କରି ନାଗାଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ନାଗାଲାଣ୍ଡ ପକ୍ଷରୁ ଡେଗା ନିତ୍ସଲ ସର୍ବାଧିକ ୫୨ ରନ କରିଥିଲେ। ଦଳ ୧୬୫ ରନରେ ଅଲଆଉଟ୍ ହୋଇଥିଲା। ଆଉ ଓଡ଼ିଶା ମ୍ୟାଚକୁ ୨୯୯ ରନରେ ଜିତି ନେଇଛି। ଗୋବିନ୍ଦ ପୋଦ୍ଦାର ୬୯ ରନ ଦେଇ ୫ ଓ୍ଵିକେଟ୍ ଓ ବାଦଲ ବିଶ୍ଵାଳ ୩୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ।

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ

କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟର ଆଜି ଥିଲା ପ୍ରଥମ ଦିବସ । ପ୍ରଥମ ଦିବସରେ ହିଁ ଦକ୍ଷିଣ ଆଫ୍ରିକା ମାତ୍ର ୧୫୯ ରନରେ ଅଲଆଉଟ ହୋଇଯାଇଛି । ଏହାର ଜବାବରେ ଭାରତ ଷ୍ଟମ୍ସ ଅପସାରଣ ପର୍ଯ୍ୟନ୍ତ ୧ ଓ୍ବିକେଟ ହରାଇ ୩୭ ରନ କରିଛି ।ଏହା ଫଳରେ ଏପର୍ଯ୍ୟନ୍ତ ଭାରତ ୧୨୨ ରନରେ ଆଗୁଆ ରହିଛି । ଆଜି ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଆଇଡେନ ମାର୍କରାମ ଓ ରିୟାନ ରିକଲଟନ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୭ ରନ କରିଥିଲେ । ମାର୍କରାମ ୩୧ ରନ କରିଥିବାବେଳେ ରିକଲଟନ ୨୩ ରନ କରିଥିଲେ । ସେହିପରି ଓ୍ବିଆନ ମୋଲଡର ୨୪ ରନ କରିଥିବାବେଳେ ଟୋନି ଡେ ୨୪ ରନ କରିଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଏହି ବିପର୍ଯ୍ୟୟ ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୫୯ ରନରେ ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକାର ୧୫୯ ରନ ଜବାବରେ ଭାରତ ଷ୍ଟମ୍ସ ଅପସାରଣ ପର୍ଯ୍ୟନ୍ତ ୧ ଓ୍ବିକେଟ ହରାଇ ୩୭ ରନ କରିଛି । ଦଳ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୧୨ ରନ କରି ଆଉଟ ହୋଇଥିବାବେଳେ କେଏଲ ରାହୁଲ ୧୩ ଓ ଓ୍ବାସିଂଟନ ସୁନ୍ଦର ୬ ରନ କରି ଖେଳୁଛନ୍ତି ।

ଆସନ୍ତା କାଲି ଠାରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ

ଆସନ୍ତା କାଲି ଠାରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ ଲାଗି ‘ସିଟି ଅଫ୍ ଜୟ’‌ କୋଲକାତା ଏବେ ପୂରା ପ୍ରସ୍ତୁତ। ଉଭୟ ଭାରତ ଓ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍ ବିଜେତା ଦକ୍ଷିଣ ଆଫ୍ରିକାର ବଛାବଛା ଓ ତାରକା ଖେଳାଳି ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ଲାଗି ଏଠାରେ ଡେରା ପକାଇବା କ୍ରିକେଟ୍‌ପ୍ରେମୀଙ୍କୁ ଯେତିକି ଉତ୍ସାହିତ କରୁଛି, ସହରକୁ ମଧ୍ୟ ସେତିକି ଚଳଚଞ୍ଚଳ କାରି ରଖିଛି। ବିଶ୍ବ ପ୍ରସିଦ୍ଧ ଇଡେନ୍ ଗାର୍ଡେନ୍ସ ପିଚ୍ କେମିତି ବ୍ୟବହାର କରିବ, ଭାରତୀୟ ବ୍ୟାଟର୍ କିଭଳି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା କରିବେ, ଟସ୍ କେତେ ଗୁରୁତ୍ବପୂର୍ଣ୍ଣ ରହିବ ସେ ଚର୍ଚ୍ଚା କୋଲକାତା କ୍ରିକେଟ୍ ଜଗତକୁ ଆନ୍ଦୋଳିତ କରୁଛି।

ସୂଚନା ଅନୁସାରେ ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଅନୌପଚାରିକ ଭାବେ ସ୍ପିନ୍‌କୁ ସୁହାଉଥିବା ପିଚ୍ ଦାବି କରିଛନ୍ତି। ତେବେ ଇଡେନ୍ ଗାର୍ଡେନ୍ସ ପିଚ୍ ପ୍ରଥମ ଦୁଇ ଦିନ ପେସର୍‌କୁ ସୁହାଇବାର ସମ୍ଭାବନା ଅଧିକ ରହିଛି। ତୃତୀୟ ଦିନଠାରୁ କିନ୍ତୁ ସ୍ପିନର୍ ପ୍ରଭାବ ବିସ୍ତାର କରିପାରିବେ। କୁଲଦୀପ ଯାଦବ ଓ କେଶବ ମହାରାଜଙ୍କ ଭଳି ବିଶେଷଜ୍ଞ ସ୍ପିନର ନିର୍ଣ୍ଣାୟକ ସାବ୍ୟସ୍ତ ହେବେ। ଯଶପ୍ରୀତ୍ ବୁମ୍‌ରା ଓ କାଗିସୋ ରବାଡ଼ା ମଧ୍ୟ ମ୍ୟାଚ୍‌ରେ‌ ରୋମାଞ୍ଚ ଭରିବେ।

ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା

ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା

ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା । ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ତଥା ପୂର୍ବତନ ଅଧିନାୟକ ରୋହିତ ଘରୋଇ ମ୍ୟାଚ୍ ଖେଳିବା ନେଇ ସୂଚନା ମିଳିଛି । ଏବାବଦରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜଣାଇ ଦେଇଛନ୍ତି । ବିସିସିଆଇ ସମସ୍ତ ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ନିର୍ଦ୍ଦେଶ ଦେବା ପରେ ରୋହିତ ଘରୋଇ କ୍ରିକେଟ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁସାରେ, ମୁମ୍ବାଇ ଦଳରେ ସାମିଲ ହେବା ପାଇଁ ରୋହିତ ରାଜି ଅଛନ୍ତି । ଯାହା ଡିସେମ୍ବର ୨୪ରୁ ଆରମ୍ଭ ହେବ । ଏସମ୍ବନ୍ଧରେ ସେ ଏମସିଏକୁ କହିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପୂର୍ବରୁ ବିଜୟ ହଜାରେ ଟ୍ରଫି ଖେଳି ରୋହିତ ଅଧିକ ଅଭ୍ୟାସ କରିପାରିବେ । ଏପରିକି ୨୦୨୭ ବିଶ୍ବକପ୍ ଯଦି ସେ ଖେଳିବେ ତାହାଲେ ଘରୋଇ ମୁକାବିଲା ଦ୍ୱାରା ସେ ନିଜ ଫର୍ମରେ ସୁଧାର ଆଣିପାରିବେ ।

ଅନ୍ୟଦିଗରେ ବିରାଟ କୋହଲିଙ୍କୁ ନେଇ ସସପେନ୍ସ ଲାଗି ରହିଛି । ୩୭ ବର୍ଷୀୟ ବିରାଟ ଏବେ ଲଣ୍ଡନରେ ରହୁଛନ୍ତି । ଘରୋଇ ଟୁର୍ଣ୍ଣାମେଣ୍ଟ ବାବଦରେ ସେ ଦିଲ୍ଲୀ କ୍ରିକେଟ୍ ଆସୋସିଏସନକୁ କିଛି ଜଣାଇ ନାହାଁନ୍ତି ।

ସୂଚନାଯୋଗ୍ୟ, ଉଭୟ ବିରାଟ ଏବଂ ରୋହିତ ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ଅବସର ନେଇଛନ୍ତି ।ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି । ଜାତୀୟ ଦଳରେ ଖେଳିବାକୁ ହେଲେ ଘରୋଇ ମୁକାବିଲାରେ ସାମିଲ ହେବାକୁ ପଡିବ ବୋଲି ବିସିସିଆଇର କଡା ନିର୍ଦ୍ଦେଶ ରହିଛି ।