ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ

ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ

ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଷ୍ଟାଇପେଣ୍ଡ ୩୧ ହଜାରରୁ ୪୮ ହଜାରକୁ ବୃଦ୍ଧି କରାଯାଇଛି । ଯଦି ଦେଖିବା ଷ୍ଟାଇପେଣ୍ଡରେ ପାଖାପାଖି ୫୫ପ୍ରତିଶତ ବୃଦ୍ଧି କରାଯାଇଛି । ସେହିପରି ଦ୍ବିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ୩୨ ହଜାରରୁ ୫୨ ହଜାରକୁ ବଢ଼ିଲା । ଅନ୍ୟପଟେ ତୃତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି କରାଯାଇଛି । ତେବେ ଏହି ଷ୍ଟାଇପେଣ୍ଡ ବୃଦ୍ଧି ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ । ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍‌ ମଧ୍ୟ ବୃଦ୍ଧି, ଚଳିତ ଅଗଷ୍ଟ ପହିଲାରୁ ପିଛିଲା ଲାଗୁ ହେବା ନେଇ ଘୋଷଣା କରାଯାଇଛି ।

ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେ କରିବେ- ମୁଖ୍ୟମନ୍ତ୍ରୀ

ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେ କରିବେ- ମୁଖ୍ୟମନ୍ତ୍ରୀ

ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେ କରିବେ । ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ  ଓ ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତମାନଙ୍କୁ ଉପଦେଶ ଦେଇ କହିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ନିଯୁକ୍ତି ମେଳାରେ ଜଳ ସମ୍ପଦ ବିଭାଗର ୨୩୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Assistant Executive Engineer ), ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକ (Planning Assistant)ଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଏହି ନିଯୁକ୍ତି ମେଳା ଜରିଆରେ ପ୍ରଥମ କରି GATE SCORE ଆଧାରରେ, ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE)ଙ୍କୁ ଚୟନ କରି ୩ଟି ଇଞ୍ଜିନିୟରିଂ ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

କୃଷି ଶିକ୍ଷା ସଦନ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜୁନ୍ ମାସରୁ ଆଜି ଭିତରେ ଅର୍ଥାତ ୧୮ ମାସ ମଧ୍ୟରେ  ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଗଲା। ଆଗାମୀ ଛ’ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସରାକର ପ୍ରତିଶ୍ରୁତି ଦେଇଥିଲେ ।  ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କର ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ କରିଥିଲେ । ଏହି ଯୋଜନା ପାଇଁ ୨୭୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ଏହାଦ୍ୱାରା ଆଗାମୀ ୫ ବର୍ଷରେ ୩ ହଜାର ନୂଆ ଚେକ୍‌ ଡ୍ୟାମ୍ ନିର୍ମାଣ ହେବା ସହିତ ୨ ହଜାର ପୁରୁଣା ଚେକ୍‌ ଡ୍ୟାମ୍‌ର ପୁନଃରୁଦ୍ଧାର କରାଯିବ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ ।

ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ ରାଜ୍ୟର ୨୨ ଟି ଜିଲ୍ଲାରେ ୧୦୧ଟି ଚେକ୍‌ଡ୍ୟାମ୍ ଲୋକାର୍ପିତ କରିଛନ୍ତି। ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ।

ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ୩.୦ ରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୨୦୧ ଟି ଚେକ୍‌ଡ୍ୟାମ୍ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି । ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବ।

ଆଡ଼ିବନ୍ଧ ଯୋଜନା ସହିତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ୧୨୫ କୋଟି ଟଙ୍କା ବିନିଯୋଗରେ ମୟୁରଭଞ୍ଜ ଓ ଗଜପତି ଜିଲ୍ଲାରେ ଦୁଇଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ଏହାଦ୍ୱାରା ୪ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବା ସହିତ ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ । ଏହା ସହିତ ଆନନ୍ଦପୁର ବ୍ୟାରେଜର ଶାଳନ୍ଦୀ ବାମପାର୍ଶ୍ୱ କେନାଲର ପ୍ରାୟ ୧୪ କିଲୋମିଟର ଅଞ୍ଚଳରୁ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିକୁ ଭୂ-ତଳ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି ।

ଅନୁଗୋଳ ଜିଲ୍ଲାର ଅଙ୍ଗପଡ଼ା ଠାରେ ୩୩ କୋଟି ଟଙ୍କା ବିନିଯୋଗରେ ଏକ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୩୫୫ କୋଟି ଟଙ୍କା ବିନିଯୋଗରେ ସମ୍ୱଲପୁର ଜିଲ୍ଲାରେ ୬ ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୧,୫୧୫ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୨୦ ଟି ଜିଲ୍ଲାରେ ୨୮, ୩୦୨ ଟି ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭାକୁ ଆସି ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ – ମୁଖ୍ୟମନ୍ତ୍ରୀ

ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭାକୁ ଆସି ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ – ମୁଖ୍ୟମନ୍ତ୍ରୀ

ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠହାଇଛନ୍ତି। ନବୀନଙ୍କ ଏହି ଟାର୍ଗେଟ୍‌ ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାକୁ ଆସିବା ପ୍ରସଙ୍ଗରେ ନବୀନଙ୍କୁ ପାଲଟା ଆକ୍ରମଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ଗୃହରେ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ବିଧାନସଭାକୁ ଆସି ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ। ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭା ୯ ଦିନ ହେଲାଣି ଚାଲିଥିଲେ ମଧ୍ୟ ବିରୋଧୀଦଳ ନେତା କେତେ ଦିନ ଆସିଛନ୍ତି? କେବଳ ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ। ଗୃହରେ କଥା ଉଠାଇବାକୁ ଅଧିକାର ଦିଆଯାଇଛି।”

ଏହା ପୂର୍ବରୁ, ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜଗାଙ୍ଗପୁର ଘଟଣାକୁ “ଅତ୍ୟନ୍ତ ହୃଦୟ ବିଦାରକ” କହିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ପୀଡ଼ିତାଙ୍କ ପରିବାର ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଗଲା ନାହିଁ। ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି,” ଏବଂ ଲୋକମାନେ ନିରାପଦ ଅନୁଭବ କରୁ ନାହାଁନ୍ତି।

ପୂର୍ବରୁ ବଲାଙ୍ଗୀର ଏବଂ ଯାଜପୁରରେ ଛାତ୍ରୀଙ୍କୁ ନେଇ ଘଟିଥିବା ହିଂସା ଘଟଣାକୁ ଉଲ୍ଲେଖ କରି ନବୀନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଥିଲେ।

ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ ଓ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ

ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ ଓ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ

ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ ଓ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଆୟୋଜିତ ୩୬ତମ କୋଣାର୍କ ଉତ୍ସବ ୨୦୨୫ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟୀ ଯୋଗ ଦେଇଛନ୍ତି । ଏହି ଅବସରରେ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଶ୍ରୀମତୀ.ଜୟଶ୍ରୀ କମ୍ଭମପାଟି, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ଥାନର ମାନ୍ୟବର ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର ମଧ୍ୟ ଉପସ୍ଥିତ ଥିଲେ  ।

ଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ୍ଚ ଏକାଡେମୀର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ଓଡିଶୀ ନୃତ୍ୟ ପରିବେସିତ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଓ ତାଙ୍କ ଡାନ୍ସ ଗ୍ରୁପର ଶିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା । ପରିଶେଷରେ ସମସ୍ତ କଳାକାର ଓ ଶିଳ୍ପୀବୃନ୍ଦ/ବାଲୁକାଶିଳ୍ପୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ  ।

ଏହା ପୂର୍ବରୁ ରାଜ୍ୟପାଳ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ସେଠାରେ ଦେଶ ବିଦେଶରୁ ଆସିଥିବା ଅଂଶଗ୍ରହଣକାରୀଙ୍କ ସହ ରାଜ୍ୟପାଳ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କ କଳା ନୈପୁଣ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ  ।

ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

ମାଟ୍ରିକ ପରୀକ୍ଷା ପାଇଁ ଆସିଲା କାର୍ଯ୍ୟସୂଚୀ | ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡିଛି | ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ ଯାଏଁ ମାଟ୍ରିକ ପରୀକ୍ଷା ହେବ ଓ ସକାଳ ୯ଟାରୁ ଦିନ ୧୧ଟା ୩୦ ଯାଏଁ ପରୀକ୍ଷା ଚାଲିବ | ମିଳିଥିବା ସୂଚନା ମୁତାବକ ସବୁ ବିଷୟ ପାଇଁ ଅଢେଇ ଘଣ୍ଟା ସମୟ ମିଳିବାକୁ ଥିବାବେଳେ ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍‌ ସମୟ | ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଫେବ୍ରୁଆରୀ ୧୯ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ | ସେହିପରି ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ/ ହିନ୍ଦୀ, ୨୫ରେ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେବେ | ସେହିପରି ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ହେବ |

ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାକ କଲେ ସରକାର

ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାକ କଲେ ସରକାର

ଧନୁଯାତ୍ରା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯିବ । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ୨୦୦ କଳାକାରଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ମଞ୍ଜୁର ହୋଇଛି। ଏଥିସହିତ ଧନୁଯାତ୍ରାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ଏଲଇଡ଼ି ପରଦା ମାଧ୍ୟମରେ ଧନୁଯାତ୍ରାର ସିଧା ପ୍ରସାରଣ କରାଯିବ।

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବାହାରର ବିଭିନ୍ନ ରାଜ୍ୟରେ ମଧ୍ୟ ଏଲଇଡ଼ି ପରଦା ମାଧ୍ୟମରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ । ଚଳିତ ବର୍ଷ ଡିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ଅନୁଷ୍ଠିତ ହେବ। ବରଗଡ଼ ସହରର ପ୍ରମୁଖ ପ୍ରବେଶ ଦ୍ୱାରରେ ଧନୁଯାତ୍ରା ଥିମ୍‌ର ଗେଟ ନିର୍ମାଣ ବି ହେବ। ଧନୁଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀରୁ ବରଗଡ଼କୁ ସ୍ବତନ୍ତ୍ର ଟୁରିଷ୍ଟ ବସ୍‌ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧନୁଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱେବସାଇଟରେ ଏକ ଡିଜିଟାଲ କୁଇଜ ଅନୁଷ୍ଠିତ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିବ।

ସେବେ ଲୋକସେବା ଭବନ ଏବେ ଲୋକ ଭବନ

ସେବେ  ଲୋକସେବା ଭବନ ଏବେ ଲୋକ ଭବନ

ଦେଶର ଅନେକ ରାଜ୍ୟରେ ଏବେ  ରାଜ୍ୟପାଳଙ୍କ ସରକାରୀ ଆବାସକୁ ଆଉ ରାଜଭବନ  କୁହାଯିବନି । ରାଜଭବନ ବଦଳରେ ଏବେ ଏହାକୁ ଲୋକଭବନ କୁହାଯିବ । ସେହି ଅନୁସାରେ ପୁରୀ ଆଉ ଭୁବନେଶ୍ୱରଙ୍କ ଥିବା ରାଜଭବନର ଏବେ ନାଁ ବଦଳିଛି । ଦୁଇ ରାଜଭବନ ଏବେ ବିଧିବଦ୍ଧ ଭାବେ ଲୋକଭବନରେ ପରିଗଣିତ ହେବ । ଏନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୂଚନା ଦେବା ସହିତ, ରାଜଭବନ ସଚିବାଳୟ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି ହେଇଛି ।

ତେବେ ଏହା ପୂର୍ବରୁ ରାଜ୍ୟର କ୍ଷମତାକେନ୍ଦ୍ର ଭାବେ ପରିଚିତ ସଚିବାଳୟର ନାଁ ମଧ୍ୟ ବଦଳାଇଥିଲେ ନବୀନ ସରକାର । ସେତେବେଳେ ସଚିବାଳୟ ବଦଳରେ ଏହାକୁ ଲୋକସେବା ଭବନରେ ନାମିତ କରାଯାଇଥିଲା । ସେହିପରି ସଚିବାଳୟ ସାମ୍ନା ରାସ୍ତାକୁ ମଧ୍ୟ ସଚିବାଳୟ ମାର୍ଗ ବଦଳରେ ଲୋକସେବା ମାର୍ଗ କୁହାଯାଇଥିଲା । ଯାହାପରେ ଦୀର୍ଘ ବର୍ଷ ଧରି ଯେଉଁ କୋଠା ସେକ୍ରେଟେରିଏଟ୍ ନାଁରେ ପରିଚିତ ଥିଲା, ସେହି କୋଠା ହୋଇଯାଇଥିଲା ଲୋକସେବା ଭବନ ।

ଖାଲି ରାଜ୍ୟରେ ନୁହେଁ କେନ୍ଦ୍ରରେ ମଧ୍ୟ ମୋଦୀ ସରକାର ଏମିତି ଅନେକ ପରିବର୍ତ୍ତନ କରିସାରିଛନ୍ତି । ଏହା ପୂର୍ବରୁ ମୋଦୀ ସରକାର ଦିଲ୍ଲୀରେ ରାଜପଥର ନାଁ ପରିବର୍ତ୍ତନ କରିଥିଲେ । ଯାହାକୁ ରାଜପଥ ବଦଳରେ କର୍ତ୍ତବ୍ୟ ପଥ ବୋଲି ନାମିତ କରାଯାଇଥିଲା । ସେହିପରି କେନ୍ଦ୍ର ସଚିବାଳୟର ନାଁକୁ ମଧ୍ୟ କର୍ତ୍ତବ୍ୟ ଭବନ ଭାବରେ ନାମିତ କରାଯାଇଛି । ଯେଉଁଥିରେ କି ଅନେକ ମନ୍ତ୍ରାଳୟ ନିଜ ନିଜର କାମ ଜାରି ରଖିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ସେଭେନ୍ ରେସକୋର୍ସ ରୋଡ୍ ବୋଲି କୁହାଯାଉଥିଲା । ହେଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ  ଏହାର ମଧ୍ୟ ନାମ ପରିବର୍ତ୍ତନ କରିଥିଲେ । ସେଭେନ୍ ରେସକୋର୍ସ ରୋଡ୍ ବଦଳରେ ସେତେବେଳେ ଏହାକୁ ଲୋକ କଲ୍ୟାଣ ମାର୍ଗ ନାଁରେ ନାମିତ କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ସେବା ଆଉ କଲ୍ୟାଣ ।

ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବା- ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବା- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବାକୁ ହେବ । ପରିବର୍ତ୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ସେମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ଆମର ପ୍ରୟାସ ରହିଛି । ଏହି ଲକ୍ଷ୍ୟରେ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ ତଥା ସିଙ୍ଗାପୁରର ଜିଏଫଟିଏନ୍, ଏଆଇଡିଏଫ ଏବଂ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ମିଳିତ ଭାବରେ ଏସଡିଆଇ, ଭୁବନେଶ୍ୱରରେ ଫିନଟେକ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ସ୍କିଲ ଡେଭଲପମେଣ୍ଟ୍ ସେଣ୍ଟର ଏବଂ ଜିଏଫଟିଏନର ମିଳିତ ସହଯୋଗରେ ଅନୁଷ୍ଠିତ “ଶିକ୍ଷା ସମ୍ବାଦ – ପ୍ରଯୁକ୍ତି ବିଦ୍ୟା ସହିତ ଭବିଷ୍ୟତ” (The Edu Dialogue – Future with Technology)” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ପ୍ରଧାନ । ଏହି ଅବସରରେ ସେ ସମ୍ବାଦ ଅଧିବେଶନରେ ଭାଗ ନେଇ ନିଜର ମତାମତ ବ୍ୟକ୍ତ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଭର୍ଚୁଆଲ ରିଆଲିଟି (ଭିଆର୍) ଆମର ଶିକ୍ଷା, କାର୍ଯ୍ୟ ଏବଂ ଯୋଗାଯୋଗକୁ ବର୍ତ୍ତମାନ ସମୟରେ ରୂପାନ୍ତରିତ କରୁଛି । ଏହା ଏବେ କେବଳ ଏକ ବିଷୟ ନୁହେଁ ବରଂ ଆମ ଜୀବନଶୈଳୀର ଏକ ଅଂଶ ପାଲଟିଛି ; ଅଡିଓ କମ୍ୟୁନିକେସନରୁ ଆରମ୍ଭ କରି ଜଟିଳ ସମାଧାନ ପର୍ଯ୍ୟନ୍ତ ସବୁଠି ଏହାର ପ୍ରୟୋଗ ହେଉଛି । ଆମେ ବର୍ତ୍ତମାନ ଶିଳ୍ପ ବିପ୍ଳବ ୫.୦ ଆଡକୁ ଅଗ୍ରସର ହେଉଛୁ । ଭବିଷ୍ୟତର ଟେକ୍ନୋଲୋଜି ବିଶେଷ ଭାବରେ ୬ଜି ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ଆଗାମୀ ଦିନରେ ଏକ ନୂଆ ପରିଚୟ ସୃଷ୍ଟି କରିବ । ଏହି ବୈଷୟିକ ପରିବର୍ତ୍ତନର ସାମ୍ନା କରିବାକୁ ହେଲେ ଆମକୁ କେବଳ କ୍ୟାମ୍ପସ ନୁହେଁ ବରଂ ନୂଆ ଦକ୍ଷତା, ଉଚ୍ଚତା, ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏକ ଶିକ୍ଷା ଓ କୌଶଳର ସଂସ୍କୃତି ତିଆରି କରିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଏସଡିଆଇ ଭୁବନେଶ୍ୱର ଆମର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାର ନିଷ୍ଠା ପ୍ରଶଂସନୀୟ ।

ଶ୍ରୀ ପ୍ରଧାନ ଏସଡିଆଇ ଭୁବନେଶ୍ୱର ଅନୁଷ୍ଠାନ ଐତିହ୍ୟରେ ପରିପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ । ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହର ପରମ୍ପରା ଏଠାରେ ରହିଛି । ଏହାର ପରମ୍ପରା ଓ ଭବିଷ୍ୟତର ଏକ ପ୍ରତୀକାତ୍ମକ ସଙ୍ଗମସ୍ଥଳ ଭାବରେ ଛିଡ଼ା ହୋଇଛି । ସେ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଉଦାହରଣ ଦେଇ କହିଥିଲେ ଯେ ଏହା କେବଳ ଏକ ସ୍ମାରକୀ ନୁହେଁ, ବରଂ ବୈଜ୍ଞାନିକ ଭାବରେ ପରିକଳ୍ପିତ ଏକ ସ୍ଥାପତ୍ୟ କଳା ଏବଂ ଆମ ପୂର୍ବପୁରୁଷଙ୍କ ଦ୍ୱାରା ପରିକଳ୍ପିତ ଏକ ବିଜ୍ଞାନ ପରୀକ୍ଷଣ । ଆମକୁ ଆଜିର ଆବଶ୍ୟକତାକୁ ବୁଝି ଭବିଷ୍ୟତ ପାଇଁ ଯୋଜନା କରିବାକୁ ପଡ଼ିବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାଷା ଭିତ୍ତିରେ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଏଣୁ ଆମର ଆଗାମୀ ୧୦ ବର୍ଷର ଲକ୍ଷ୍ୟ ସ୍ପଷ୍ଟ ହେବା ଆବଶ୍ୟକ । ଆମର ପ୍ରଥମ ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଏକ ବିକାଶମୂଳକ ବାତାବରଣ ତିଆରି କରିବା, ଯେଉଁଠାରେ ଆମେ କେବଳ ନିଯୁକ୍ତି ଖୋଜିବା ନାହିଁ, ବରଂ ନିଯୁକ୍ତିଦାତା ଭାବେ ଉଭା ହେବା । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ସମୟ ପାଇଁ ପ୍ରସ୍ତୁତ ହୋଇ ଓଡ଼ିଆ ଭାବେ ନିଜର ଦାୟିତ୍ୱବୋଧକୁ ଉପସ୍ଥାପନ କରିବାକୁ ପଡ଼ିବ। ଏହା କରିବାକୁ ହେଲେ ଆମକୁ ସାହସୀ ଓ ସ୍ୱାଭିମାନୀ ହେବା ସହ ପୁରୁଷାର୍ଥ ମାଧ୍ୟମରେ ସମୃଦ୍ଧି ଓ ସମ୍ପନ୍ନତା ଆଣିବାକୁ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି ସାମାଜିକ ଦାୟିତ୍ୱ । କାହାର ଅଧିକାର ସେତେବେଳେ ପୂରା ହୁଏ, ଯେତେବେଳେ କେହି ଦାୟିତ୍ୱ ନିଏ। ପୁଷ୍ଟିକର ଆହାର ଯୋଗାଇ ପୋଷଣ ଅଭାବରୁ ଅପପୁଷ୍ଟିର ଶିକାର ହେଉଥିବା ପିଲାମାନଙ୍କର ଧ୍ୟାନ ନେବା ଦ୍ୱାରା ହିଁ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ହେବ। ଏହିପରି ଭାବେ, ଆମେ ବିକଶିତ ଓଡ଼ିଶା ମାଧ୍ୟମରେ ଏକ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିପାରିବା ।

ପ୍ରକାଶ ଯେ, ନିକଟରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟଓ୍ୱାର୍କ(ଜିଏଫଟିଏନ) ସହଯୋଗରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସମ୍ପୂର୍ଣ୍ଣ ସୁଯୋଗ ନେବା ପାଇଁ ‘ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) – ଭାରତନେତ୍ରର ଶୁଭାରମ୍ଭ ହୋଇଥିଲା । ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା, ରେଗୁଲେସନ ଏବଂ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ତାଲିମ ଦେବା । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଗକୁ ନେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଶ୍ରୀ ପ୍ରଧାନ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ, କର୍ମଚାରୀ, ପ୍ରଶିକ୍ଷକଙ୍କ ସହ କଥା ହୋଇଥିଲେ । ହରପ୍ରିୟା ରେଡ୍ଡି, ସୁମନ କୁମାର ସେନାପତି, ବିକାଶ କୁମାର, ଲିଜା ବେହେରା, ଅଭିଜିତ ନାଏକ, ଅଭିଜିତ ସାମନ୍ତରାୟ, ଗଙ୍ଗାଧର ଦାଶ, ଶାଶ୍ୱତ ମହାନ୍ତି ପ୍ରମୁଖ କେନ୍ଦ୍ର ମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଏସଡିଆଇ, ଭୁବନେଶ୍ୱରରେ ଆଲୋଚନା କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କଠାରୁ ଲ୍ୟାବରେ ପ୍ରସ୍ତୁତ ହୋଇଥିବା ପେନ୍, ଏସଡ଼ିଆଇର ସ୍ମୃତିଚିହ୍ନ ଏବଂ ହାତ ତିଆରି କୁକିଜ୍ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଓସିଏଲ ଆର୍ ଆଣ୍ଡ୍ ଡି’ର ନିର୍ଦ୍ଦେଶକ ଆଲୋକ ଶର୍ମା, ଜିଏଫଟିଏନ, ସିଙ୍ଗାପୁରର ସିଇଓ ଜେମ୍ସ ବୋ, ଏନୟୁଏସର ଆଡଜଣ୍ଟ ପ୍ରଫେସର ଇଲେନ୍ ସୋର,ଏସଡ଼ିଆଇ ଭୁବନେଶ୍ୱରର ସିଇଓ ରଞ୍ଜନ ଭୌମିକ ପ୍ରମୁଖ ଉପସ୍ଥିତ ଥିଲେ ।

୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ

୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ

ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଏହି ନିଷ୍ପତ୍ତି ଦେବ୍ରିଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେବା ସହିତ ବନ୍ୟଜନ୍ତୁ ସଂରକ୍ଷଣରେ ସହାୟକ ହେବ । ଏହି ଇକୋଟୁରିଜିମ୍ ପ୍ରକଳ୍ପ ସ୍ଥାନୀୟ ନିଯୁକ୍ତି ଏବଂ ପର୍ଯ୍ୟଟନକୁ ବଡ଼ ଗତି ଦେବ ।

ଅପରପକ୍ଷରେ ସୂଚାନୁସାରେ, ଅଭୟାରଣ୍ୟର ପ୍ରାୟ ୧୦୦ କିଲୋମିଟର ପରିସୀମା ଚାରିପାଖରେ ବାଡ଼ ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବରେ ଅତିରିକ୍ତ ପ୍ରାୟ ୧୪.୧୮ କୋଟି ଟଙ୍କା ପାଣ୍ଠି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରାଶିକୁ କାମ୍ପା କିମ୍ବା ଅନ୍ୟାନ୍ୟ ରାଜ୍ୟ ସରକାରୀ ପାଣ୍ଠି ମାଧ୍ୟମରେ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବାଡ଼ ନିର୍ମାଣ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସଂଘର୍ଷ ହ୍ରାସ ହୋଇପାରିବ । ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି ଡିପିଆର ଅନୁଯାୟୀ ଆଗାମୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରକଳ୍ପ ଦେବ୍ରିଗଡ଼ରେ ଇକୋଟୁରିଜିମ୍ ଭିତ୍ତିଭୂମିର ବିକାଶ କରିବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ବଳିଷ୍ଠ କରିବ ।

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ୩ ହଜାର କୋଟି ଏବଂ ଚାଷୀଙ୍କୁ MSP ଓ ଇନପୁଟ ସହାୟତା ବାବଦରେ ୮୫୦ କୋଟି ବ୍ୟୟ ଅଟକଳ ହୋଇଛି। ସେହିପରି ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ପାଇଁ ୯୯୪ କୋଟି, ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୪୦୫ କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୪୨୬ କୋଟି, ରାସ୍ତା ଓ ସେତୁ ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ବ୍ୟୟବରାଦ ହୋଇଛି। ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୬ କୋଟି, ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ୧୭୧ କୋଟି, ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ପାଇଁ ୧୬୪ କୋଟି। ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି।