ନୂଆପଡ଼ା ଉପନିର୍ବାଚନ: ରାଜେନ୍ଦ୍ର ଢୋଲକିଆ କାହାର?

ନୂଆପଡ଼ା ଉପନିର୍ବାଚନ: ରାଜେନ୍ଦ୍ର ଢୋଲକିଆ କାହାର?

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ  ବିବାଦ ଦେଖାଦେଇଛି। ସ୍ୱର୍ଗତ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ନ ଥିବା ବେଳେ, ହଠାତ୍ ଜିଲ୍ଲା ପ୍ରଶାସନ ତାଙ୍କ ନାମକୁ ନେଇ କେଁ ପୂରାଇଛି। ନିର୍ବାଚନ ପ୍ରଚାର ସମୟରେ ବିଜେଡି ତାଙ୍କର ଭିଡିଓ ବ୍ୟବହାର କରିପାରିବ ନାହିଁ ବୋଲି ଜିଲ୍ଲାପାଳ ଆପତ୍ତି ଉଠାଇବା ପରେ ଏହି ପ୍ରସଙ୍ଗ ଉପରକୁ ଆସିଛି। ଏହି ଘଟଣାକୁ ନେଇ ଆଜି ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।

ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ବିଜୁ ବାବୁଙ୍କଠାରୁ ଆରମ୍ଭ କରି ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବିଜୁ ପରିବାର ଏବଂ ବିଜେଡି ସହ ଜଡ଼ିତ ଥିଲେ। ତେଣୁ, ଉପନିର୍ବାଚନରେ ବିଜେଡି ତାଙ୍କ ଫଟୋ ବା ଭିଡିଓ ପ୍ରଚାରରେ ବ୍ୟବହାର କରିବା ସ୍ୱାଭାବିକ। କିନ୍ତୁ ବିଜେଡିର ଏକ ପ୍ରଚାର ଭିଡିଓରେ ରାଜେନ୍ଦ୍ର ଢୋଲକିଆଙ୍କର ମାତ୍ର ଦୁଇ ସେକେଣ୍ଡର ଭିଡିଓ କ୍ଲିପ୍ ବ୍ୟବହାର ହୋଇଥିବାରୁ ଜିଲ୍ଲାପାଳ ଏହା ଉପରେ କଟକଣା ଲଗାଇଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ ଜିଲ୍ଲାପାଳ ଭାରତୀୟ ଜନତା ପାର୍ଟି (ବିଜେପି) ନେତାମାନଙ୍କ ଇଙ୍ଗିତରେ କାମ କରୁଛନ୍ତି। ରାଜେନ୍ଦ୍ର ଢୋଲକିଆ ଥିଲେ ବିଜେଡିର ସମ୍ପତ୍ତି। ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ, ତାଙ୍କ ପିତାଙ୍କ ଫଟୋ ବିଜେଡି ବ୍ୟବହାର କଲେ ବିଜେପି ହାରିଯିବା ଭୟରେ ପ୍ରଶାସନକୁ ଦୁରୁପଯୋଗ କରାଯାଉଛି।

ବିଜେଡି କହିଛି ଯେ ବିଜେପି ମଧ୍ୟ ରାଜେନ୍ଦ୍ର ଢୋଲକିଆଙ୍କ ଫଟୋ ବ୍ୟବହାର କରୁଛି, ଯାହାକୁ ବିଜେଡି କେବେ ପ୍ରତିବାଦ କରିନାହିଁ। ତେଣୁ କେବଳ ବିଜେଡି ଉପରେ କଟକଣା ଲଗାଇବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି।

ଜିଲ୍ଲାପାଳଙ୍କ ଏହି ଆପତ୍ତି ଉଠାଇବା ସହ ବିଜେଡି ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛି। ଆସନ୍ତା ତିନି ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋମନାଠାରେ ହେବାକୁ ଥିବା ଜନସଭାକୁ ପଞ୍ଚାୟତିରାଜ ମନ୍ତ୍ରୀ ଷଡଯନ୍ତ୍ର କରି ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ବିଜେଡି ଅଭିଯୋଗ କରିଛି।

ସମୁଦାୟ ଘଟଣାକୁ ନେଇ ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

ବିଜେଡିର ଅଭିଯୋଗ ଉପରେ ଜବାବ ଦେଇ ବିଜେପି ସ୍ପଷ୍ଟ ଭାବରେ କହିଛି ଯେ, ନିର୍ବାଚନରେ ନିଶ୍ଚିତ ପରାଜୟର ଭୟରେ ବିଜେଡି ଜିଲ୍ଲା ପ୍ରଶାସନ ଉପରେ ଆଧାରହୀନ ଅଭିଯୋଗ ଆଣୁଛି।

ବିଜେପିର ମିଡିଆ ରାଜ୍ୟ ପ୍ରଭାରୀ ଶ୍ରୀ ସୁଜିତ ଦାସ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି: “ଉଭୟ ବିଜେଡି ଏବଂ କଂଗ୍ରେସ ନିଜର ଆସନ୍ନ ପରାଜୟ ପାଇଁ ବାହାନା ଖୋଜୁଛନ୍ତି। ଗଣତାନ୍ତ୍ରିକ ଢଙ୍ଗରେ ଲଢ଼େଇ କରିବା ପରିବର୍ତ୍ତେ, ଏହି ଦୁଇ ଦଳ ମିଶି ଜିଲ୍ଲା ପ୍ରଶାସନ ବିରୋଧରେ ମିଥ୍ୟା ଓ ମୂଲ୍ୟହୀନ ଅଭିଯୋଗରେ ଲିପ୍ତ ଅଛନ୍ତି।” ବିଜେଡି ନିର୍ବାଚନ ହାରିଯିବ ବୋଲି ଭୟଭୀତ ହୋଇ ପଡ଼ିଛି। ସେମାନେ ଜାଣିଛନ୍ତି ଯେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ (ଯିଏ ବର୍ତ୍ତମାନ ବିଜେପି ପ୍ରାର୍ଥୀ) ଙ୍କ ପାଇଁ ଜନ ସମର୍ଥନ ବୃଦ୍ଧି ପାଉଛି। ତେଣୁ ନିର୍ବାଚନରେ କୌଣସି ପ୍ରକାରେ ବାଧା ସୃଷ୍ଟି କରିବା ପାଇଁ ସେମାନେ ପ୍ରଶାସନ ଉପରେ ଚାପ ପକାଉଛନ୍ତି।”

ବିଜେପିର ଯୁକ୍ତି ହେଉଛି, ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଏବେ ବିଜେପିର ପ୍ରାର୍ଥୀ। ତେଣୁ ତାଙ୍କ ପିତାଙ୍କ ରାଜନୈତିକ ବିରାସତ ଉପରେ ବିଜେପିର ପୂରା ଅଧିକାର ଅଛି। ଅପରପକ୍ଷରେ ବିଜେଡି ଯେଉଁ ଅଭିଯୋଗ ଆଣୁଛି, ତାହା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ବିଜେପି କୌଣସି ଜିଲ୍ଲାପାଳଙ୍କୁ ପ୍ରଭାବିତ କରିନାହିଁ ଏବଂ ଜିଲ୍ଲା ପ୍ରଶାସନ କେବଳ ନିର୍ବାଚନ ଆଚରଣ ବିଧି (Model Code of Conduct) ଅନୁଯାୟୀ କାର୍ଯ୍ୟ କରୁଛନ୍ତି।

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମୋନ୍ଥା

ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ମୋନ୍ଥା

ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ମୋନ୍ଥା। ଆଜି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ବା ଭୟଙ୍କର ଘୁର୍ଣ୍ଣିଝଡ଼ର ରୂପ ନେଇ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକିନାଡା ପାଖାପାଖି ମଛଲିପଟନମ ଏବଂ କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ଏହି ସମୟରେ ୯୦ରୁ ଶହେ କିଲୋମିଟର ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବା ସମ୍ଭାବନା ରହିଛି। ଘଣ୍ଟାପ୍ରତି ୧୫ କିଲୋମିଟର ରହିଛି ବାତ୍ୟାର ବେଗ ।

କାକିନାଡାଠାରୁ ୩୧୦, ବିଶାଖାପାଟଣାଠାରୁ ୩୭୦ କିଲୋମିଟର ଓ ଗୋପାଳପୁର ଠାରୁ ୫୭୦ କିଲୋମିଟର ଦକ୍ଷିଣରେ ରହିଛି ସାମୁଦ୍ରିକ ଝଡ଼ । ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଏହାର ପରିମାଣ ଆହୁରି ବଢ଼ିବ । ବିଶେଷ କରି ଗଜପତି, ରାୟଗଡ଼ା, କୋରାପୁଟ ,କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ । ସେଥିପାଇଁ ଏହି ସବୁ ଜିଲ୍ଲା କୁ ରେଡ ଆଲର୍ଟ ଜାରି କରିଛି ବିଭାଗ । ଗଞ୍ଜାମ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦେଇଛି ବିଭାଗ । ଏଠାରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କିଲୋମିଟର ହେବାକୁ ଥିବା ବେଳେ ୮୦ କିମି ପ୍ରତି ଘଣ୍ଟାରେ ରହିବ ଝଟକା ପବନ ।

ସେହିପରି କାଲି ପାଇଁ ସାରା ଓଡ଼ିଶାରେ ବର୍ଷା ସହ ଅତ୍ୟନ୍ତ ବର୍ଷା ସମ୍ଭାବନାକୁ ନେଇ ମାଲକାନଗିରି କୋରାପୁଟ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅରେଞ୍ଜ ସହ ୧୯ ଜିଲ୍ଲାକୁ ପ୍ରବଳ ଵର୍ଷା ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ କେନ୍ଦ୍ର । ୩୦ ପରେ ବଦଳିବ ପାଗ । ସେପଟେ ସାରା ରାଜ୍ୟରେ ଆଜି ଠାରୁ ବର୍ଷା ସହିତ କିଛି କିଛି ସ୍ଥାନ ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି । ବନ୍ଦର ଗୁଡିକ ପାଇଁ ରହିଛି ୨ ନମ୍ବର ବିପଦ ସଂକେତ । ବିଶେଷ ଭାବେ ମାଲକାନଗିରି, ଗଜପତି ଗଂଜାମ, କୋରାପୁଟ କଳାହାଣ୍ଡି ଓ ନବରଙ୍ଗପୁର ଏହି ୬ ଜିଜିଲ୍ଲା ବାତ୍ୟାର ଅଧିକ ପ୍ରଭାବିତ ହେବାକୁ ଥିବା ବେଳେ, ଭୁସ୍ଖଳନ ସହ କଚ୍ଚା ଘର ଭାଙ୍ଗିବା ,ଗଛ ପଡିବା ଓ କୁତ୍ରିମ ବନ୍ୟା ସ୍ଥିତି ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।

ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଆଜି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣବଳୟ ସକ୍ରିୟ ରହିଥିବାରୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି। ଏହି ଲଘୁଚାପ ଅଧିକ ଘନୀଭୂତ ହେଲେ ଅଧିକ ବର୍ଷା ହୋଇପାରେ। ତେବେ ବର୍ତ୍ତମାନ ପୂର୍ବ ଦିଗରୁ ରାଜ୍ୟକୁ ପବନ ଆସୁଥିବାରୁ ବଙ୍ଗୋପସାଗରର ଜଳୀୟବାଷ୍ପ ଆସୁଛି। ଏହାର ପ୍ରଭାବରେ ରାଜ୍ୟରେ ୭ ଦିନ ଧରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ତାମିଲନାଡୁ ଉପକୂଳରେ ଏବେ ୱେଲ୍ ମାର୍କଡ ଲୋ ପ୍ରେସର ସକ୍ରିୟ ଅଛି । ତାହା ଅବପାତରେ ପରିଣତ ହୋଇ ତାମିଲନାଡୁ ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ ।

ଆସନ୍ତାକାଲି ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳରେ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ । ୨୫ ଓ ୨୬ ତାରିଖରେ ବି ବର୍ଷା ହେବ। ୨୮ ତାରିଖ ଯାଏ ରାଜ୍ୟରେ ଏପରି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ୨୪ରେ ଥିବା ଲଘୁଚାପ ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛନ୍ତି ପାଣପାଗ ବିଶେଷଜ୍ଞ । ବଙ୍ଗୋପସାଗରରେ ଏହି ସପ୍ତାହରେ ସମୁଦ୍ର ଓ ଉପରିସ୍ଥ ବାୟୁମଣ୍ଡଳର ପ୍ରତିକୂଳ ସ୍ଥିତି, ବର୍ତ୍ତମାନ ରହିଥିବା ଲଘୁଚାପ ୨୩-୨୪ ତାରିଖ ସୁଦ୍ଧା ଘନୀଭୂତ ନ ହୋଇ ୨୪-୨୫ ତାରିଖ ମଧ୍ୟରେ ସମ୍ଭାବ୍ୟ ଦ୍ବିତୀୟ ଲଘୁଚାପ ସହ ମିଶି ଗୋଟିଏ ସିଷ୍ଟମରେ ପରିଣତ ହେବ । ତେବେ ଏହା କେବେ ଓ କେତେ ଘନୀଭୂତ ହେବ ଏବଂ ଗତିପଥ କ’ଣ ରହିବ, ତାହା ବର୍ତ୍ତମାନ ଅନିଶ୍ଚିତତାରେ ରହିଛି ।

ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି

ଭୁବନେଶ୍ୱର,: ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ଗିରଫକୁ ନେଇ ବିଜୁ ଜନତା ଦଳ ତାର ଆଭିମୁଖ୍ୟ କଡ଼ା କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଗତ ୧୬ ମାସର ରାଜ୍ୟରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଥିବା ବେଳେ ବିଜେପି ହତାଶ ହୋଇ ବିଜେଡି ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି ବୋଲି କୁହାଯାଇଛି ।
ଏହି ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ.ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଓ ମହିଳା ନିର୍ଯାତନା ବୃଦ୍ଧି ପାଇଛି । ଓଡିଶା ଦେଶର ଅପରାଧ ତାଲିକାରେ, ୮ମ ସ୍ଥାନରେ ରହିଛି । ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କର୍ମ, ରାହାଜାନି ଇତ୍ୟାଦି ଘଟଣାମାନ ଅହେତୁକ ବୃଦ୍ଧି ପାଇଛି । ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ଜନସାଧାରଣଙ୍କ ହୃଦବୋଧ ହୋଇଛି । ରାଜ୍ୟର ସରକାରୀ ଅଫିସ ଗୁଡିକରେ ଯଥା, ବ୍ଲକ ଓ ପଞ୍ଚାୟତ ଅଫିସ ଇତ୍ୟାଦିରେ ବିଜେପି କର୍ମୀ ମାନଙ୍କ ଦୌରାତ୍ମ ବୃଦ୍ଧି ପାଇଛି । ରାଜ୍ୟର ଥାନା ଗୁଡିକ ବିଜେପି ନେତା ଓ କର୍ମୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।
ଡ. ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ବିଜେପି କର୍ମୀମାନଙ୍କ ସହାଭାଗିତାରେ ଚୋରା ବାଲି, ଚୋରା ଚିପ୍ସ ଓ ଚୋରା ମଦ କାରବାର ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ବିଜେପି ନେତା, କର୍ମୀ ଓ ଅପରାଧୀଙ୍କ ସହିତ ଏକ ଅସାଧୁ ମେଣ୍ଟ ମାଧ୍ୟମରେ ଏହି ସବୁ ଚୋରା କାରବାର ବୃଦ୍ଧି ପାଇଛି । ଏହାଛଡ଼ା, ସରକାରୀ ଚାକିରୀକୁ ବିକ୍ରୟ କରିବା ପାଇଁ ଏକ ପ୍ରକାରର ନିଲାମ ଡକାଯାଉଛି । ଏହି ସବୁ ବିଫଳତାକୁ ଲୁଚାଇବା ପାଇଁ ବିଜେପି ସରକାର ଏବେ ରକ୍ତମୁଖା ହୋଇ ବିରୋଧୀ ଦଳକୁ ଟାର୍ଗେଟ କରିବା ଆରମ୍ଭ କରିଛି । ସେହି ନ୍ୟାୟରେ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ, ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାରେ ଗିରଫ କରାଯାଇଛି । ଏହି ଘଟଣାରେ, ବିକ୍ରମଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନଥିଲେ ମଧ୍ୟ ତାଙ୍କୁ ଗିରଫ କରାଯାଇଛି । ଦେଶରେ ପ୍ରତିପକ୍ଷ ଦଳର ନେତା ମାନଙ୍କୁ ମିଥ୍ୟା ମାମଲାରେ ଗିରଫ କରିବା, ବିଜେପିର ପୁରୁଣା ଅଭ୍ୟାସ ରହିଛି । ଓଡ଼ିଶାରେ ବିଜେପି ଶାସନକୁ ଆସିବା ପରେ, ଏହି ପ୍ରକ୍ରିୟା ଏଠାରେ ମଧ୍ୟ ଆରମ୍ଭ ହୋଇଛି । ଡ.ମହାନ୍ତି କହିଛନ୍ତି, ବିଜୁ ଜନତା ଦଳ ଏହି ଅନ୍ୟାୟ ବିରୋଧରେ ଲଢେଇ ଜାରି ରଖିବ । ଆଇନଗତ ଲଢେଇ ସହିତ ରାଜରାସ୍ତାରେ ମଧ୍ୟ ବିଜେଡି ଏହି ଲଢେଇ ଜାରି ରଖିବ ।

ନିଜ ଦୋଷ, ଦୁର୍ବଳତା ଓ ଅପରାଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି

ନିଜ ଦୋଷ, ଦୁର୍ବଳତା ଓ ଅପରାଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି

ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ନେଇ ବିଜୁ ଜନତା ଦଳର ବିଧାୟତ ତଥା ମୁଖପାତ୍ର ଗୌତମବୁଦ୍ଧ ଦାସ ସାମାଜିକ ଗଣମାଧ୍ୟମରେ ଅତ୍ୟନ୍ତ ଅଭଦ୍ର, ଅଶାଳୀନ ଓ ଶସ୍ତା ମନ୍ତବ୍ୟ ଦେଇଛନ୍ତି । ଏହା ତାଙ୍କ ପାର୍ଟି ତଥା ତାଙ୍କ ହତାଶାର ମନୋଭାବକୁ ପରିପ୍ରକାଶ କରୁଛି । ଆସନ୍ନ ପରାଜୟରେ ଭୟଭୀତ ହୋଇ ଗୌତମବୁଦ୍ଧ ଦାସ ଏଭଳି ବୟାନବାଜୀ କରିଛନ୍ତି । ଦୀର୍ଘଦିନ ଧରି ନିର୍ଦ୍ଧିଷ୍ଟ ଅଣଓଡ଼ିଆ ଅଫିସରଙ୍କ ପାଇଁ ଚାମଚାଗିରି କରୁଥିବା ଓ ତାଙ୍କ ପାଇଁ ମଂଚ, ପ୍ୟାଣ୍ଡେଲ ବାନ୍ଧୁଥିବା ବେଜେଡି ନେତାଙ୍କ ମାନସିକତାରେ କୌଣସି ପରିବର୍ତନ ଦେଖାଯାଉନାହଁ । ଗୋଟିଏ ସମୁଦାୟ ବିରୋଧରେ ବିଜେଡି ଯେଉଁଭଳି ମନ୍ତବ୍ୟ ଦେଇଛି, ତାହା ସେମାନଙ୍କ ରାଜନୈତିକ ଅଭଦ୍ରାମୀକୁ ପରିପ୍ରକାଶ କରୁଛି । ଦେଢ଼ବର୍ଷ ପୂର୍ବେ ବିଜେଡିକୁ ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ବିଜୁ ଜନତା ଦଳର କଫିନରେ ଶେଷ କଂଟା ନୂଆପଡ଼ାବାସୀ ବାଡାଇ ୨୪ ବର୍ଷ ଅହଙ୍କାରର ଅନ୍ତ ଘଟାଇବେ ବୋଲି ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି କହିଛନ୍ତି ।
ଡ. ମହାନ୍ତି କହିିଛନ୍ତି ଯେ, ନୂଆପଡା ଉପନିର୍ବାଚନରେ ଆସନ୍ନ ପରାଜୟରେ ଭୟଭୀତ ହୋଇପଡିଥିବାରୁ ତଥ୍ୟ ଓ ସତ୍ୟରୁ ନିବୃତ ରହି ନିଜ ଦୋଷ, ଦୁର୍ବଳତା ଓ ଅପାରଗତାକୁ ଲୁଚାଇବା ପାଇଁ ବିଜେଡି ନେତୃବୃନ୍ଦ ଏବେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି । ବିଜୁ ଜନତା ଦଳକୁ ପ୍ରାର୍ଥୀ ମିଳିଳା ନାହିଁ ବୋଲି ଅନ୍ୟ ଜିଲ୍ଲାରୁ ଜଣଙ୍କୁ ନେଇ ପ୍ରାର୍ଥୀ କରିଛି । ଅପରପକ୍ଷେ ବିଜେପି ପ୍ରାର୍ଥୀଙ୍କ ବାପା ରାଜେନ୍ଦ୍ର ଢୋଲକିଆ ନୂଆପଡ଼ାର ଜଣେ ସୁନାମଧନ୍ୟ ରାଜନେତା ଥିଲେ । ତାଙ୍କ ପ୍ରତି ବିପୁଳ ଜନ ସମର୍ଥନ ଥିଲା । ସେଠାରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନୂଆପଡ଼ା ଅଂଚଳର ଜଣେ ଲୋକପ୍ରିୟ ନେତା ଥିଲେ । ଏଭଳି ଜଣେ ରାଜନେତାଙ୍କ ପୁଅ ତଥା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଏଭଳି ଅଶାଳୀନ ମନ୍ତବ୍ୟ ଦିଆଯିବା ଆଦୌ ଶୋଭନୀୟ ନୁହେଁ । ଖାଲି ସେତିକି ନୁହେଁ ଦେଶର ଗୃହମନ୍ତ୍ରୀଙ୍କ ପୁଅ ଯାହାର ରାଜନୀତି ସହ କୌଣସି ସମ୍ପୃକ୍ତି ନାହିଁ, ତାଙ୍କୁ ମଧ୍ୟ ଜବରଦସ୍ତ କରି ଏହା ଭିତରକୁ ଟାଣି ନେଇ ଖରାପ ମନ୍ତବ୍ୟ ଦିଆଯାଉଛି । ଏହା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ । ନୂଆପଡ଼ାବାସୀ ଏହା ଉଚିତ ଜବାବ ଦେବେ ବୋଲି ଡ. ମହାନ୍ତି କହିଛନ୍ତି । ଏହି ଅବସରରେ ବିଜେପି ମୁଖପାତ୍ର ଶ୍ରୀ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

ଆସୁଛି ବଡ଼ ବର୍ଷା, ବାତ୍ୟାର ଅଛି ସମ୍ଭାବନା

ଆସୁଛି ବଡ଼ ବର୍ଷା, ବାତ୍ୟାର ଅଛି ସମ୍ଭାବନା

ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର। ଏକ ବିଦେଶୀ ସଂସ୍ଥାର ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ବାତ୍ୟା ହୋଇପାରେ ବୋଲି ଅନୁମାନ କରିଛି ଆମେରିକାର ଏକ ସଂସ୍ଥା। କିନ୍ତୁ ଭାରତୀୟ ପାଣିପାଗ ବିଭାଗ କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ସେହି ଅଞ୍ଚଳକୁ ରେଡ଼ ଆଲର୍ଟରେ ରଖା ଯାଇଛି । ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି। ବର୍ଷା ଅଧିକ ପରିମାଣରେ ହେବାର ସମ୍ଭାବନା ଥିବାରୁ ଆମେ ଜିଲ୍ଲା ପ୍ରଶାସନ ଆଲର୍ଟରେ ରଖିଛୁ । ପ୍ରକୋପ ଯଦି ବେଶୀ ହୁଏ ସେଥିପାଇଁ ଆମେ ପ୍ରସ୍ତୁତ ବୋଲି ସୁରେଶ ପୂଜାରୀ କହିଛନ୍ତି।

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରସଙ୍ଗ

aamodishanews.com

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଚାପ ପରେ ଦୁଷ୍କର୍ମକାରୀମାନଙ୍କୁ ଗିରଫ କଲେ ପଶ୍ଚିମବଙ୍ଗ ସରକାର: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

ଅପରାଧିମାନଙ୍କୁ ବଂଚାଇବାକୁ ଯାଇ ପୀଡ଼ିତାଙ୍କ ନାଁରେ ମିଛ କହୁଛନ୍ତି ମମତା ବାନାର୍ଜୀ
ସର୍ବସମ୍ମୁଖରେ ମା’ ଭଉଣୀଙ୍କୁ କ୍ଷମା ମାଗନ୍ତୁ ମମତା ବାନାର୍ଜୀ
ପ୍ରବାସୀ ଓଡ଼ିଆମାନଙ୍କୁ କେବଳ ଭୋଟ ବ୍ୟାଙ୍କ ଭଳି ବ୍ୟବହାର କରାଯାଉଛି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ହେଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

aamodishanews.com

ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଜ୍ୟ ପ୍ରଭାରୀ ଓ ସହପ୍ରଭାରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ତାରକା ପ୍ରଚାରକ ତାଲିକାରେ ସାମିଲ

ପୋଲିସ୍ SI ପରୀକ୍ଷା ସ୍କାମର ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କୁ ପୋଲିସ ଶେଷରେ ଧରିଛି ।

aamodishanews.com

ଦଶପଲ୍ଲାରେ ଛପି ରହିଥିଲା ମୁନା । ପୂର୍ବରୁ ହାଇକୋର୍ଟ ଯାଇଥିଲା ବେଳେ ତାଙ୍କୁ ଜାମିନ ମିଳିନଥିଲା ।  କୈାଣସି ସୂତ୍ରରୁ  ଖବର ପାଇବା ପରେ ମୁନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ନିଆଯାଇଛି।

ନୁଆପଡା ଉପନିର୍ବାଚନ ପାଇଁ  ୪୦ ଜଣିଆ ତାରକା ପ୍ରଚାରକ ତାଲିକା ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି

aamodishanews.com

ନୁଆପଡା ଉପନିର୍ବାଚନ ପାଇଁ  ୪୦ ଜଣିଆ ତାରକା ପ୍ରଚାରକ ତାଲିକା ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି । ଏହି ତାରକା ପ୍ରଚାରକମାନେ ପ୍ରଚାରର ମଙ୍ଗ ଧରିବେ ।  କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିବେ ।  ଦଳ ସହିତ ଯୋଡି ହୋଇ ବିଜେପି ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ ମୁଖପାତ୍ର  ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଏହି ତାଲିକାରେ  ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀ ଜୁଏଲ ଓରାମ, ଛତିଶଗଡ ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ, କ୍ଷେତ୍ରୀୟ ପ୍ରଭାରୀ ଶ୍ରୀ ସୁନୀଲ ବଂସଲ, ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡୀ ପ୍ରମୁଖ ରହିଛନ୍ତି ।

ଏହା ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଭି ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡ. ସମ୍ବିତ ପାତ୍ର, ବରିଷ୍ଠ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ଶ୍ରୀ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଂସଦ ଶ୍ରୀ ବିଜମୋହନ ଅଗ୍ରଓ୍ବାଲ, ଶ୍ରୀମତୀ ସଂଗୀତା ସିଂହଦେଓ, ପଂଚାୟତିରାଜ ଏବଂ ପାନୀୟ ଜଳ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଆଦିବାସୀ କଲ୍ୟାଣ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମିଲ ଅଛନ୍ତି ।

ତାଲିକାରେ  ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଛତିଶଗଡ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଗୁରୁ ଖୁସଓ୍‌ôନ୍ତ ସାହବ, ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ କୁମାର, ସାଂସଦ ଶ୍ରୀମତୀ ରୁପକୁମାରୀ ଚୈାଧୁରୀ, ଶ୍ରୀମତୀ ମାଳବିକା ଦେବୀ, ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ପୂର୍ବତନ ସାଂସଦ ଶ୍ରୀ ଅନୁଭବ ମହାନ୍ତି, ବିଧାୟକ ଶ୍ରୀ ଆକାଶ ଦାଶ ନାୟକ, ରାଜ୍ୟ ସାଧାରଣ ସଂପାଦକ(ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ଶ୍ରୀ ରଞ୍ଜନ କୁମାର ପଟେଲ, ପ୍ରସିଦ୍ଧ ଅଭିନେତା ତଥା ଛତିଶଗଡ ବିଧାୟକ ଶ୍ରୀ ଅନୁଜ ଶର୍ମା, ଶ୍ରୀ ରୋହିତ ସାହୁ, ଶ୍ରୀ ଯୋଗେଶ୍ୱର ରାଜୁ ସିହ୍ନା, ଶ୍ରୀ ଲକ୍ଷ୍ମଣ ବାଗ ଏବଂ ଶ୍ରୀ ସନତ ଗଡତିଆ ପ୍ରମୁଖ ସାମିଲ ଅଛନ୍ତି ।


ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତା ମୁରଲୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ