କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ । ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ୍ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପିସିସି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

ରିପୋର୍ଟ ଅନୁସାରେ, କିଛି ଦିନ ତଳେ ମୋକିମ୍ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ,​​​​​​​ ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ରେ ଦଳର ନେତୃତ୍ୱ ମିଳିଛି । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଦଳୀୟ ନେତାଙ୍କ ଠାରୁ ପୂରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ ।

ମୋକିମ୍ ଚିଠିରେ ଅସନ୍ତୋଷ ଝାଡି କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟରେ ହାରିଛି । ନୂଆପଡ଼ା ଭକ୍ତଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନୈରାଶ୍ୟଜନକ । ନିଜ ସଂସଦୀୟ କ୍ଷେତ୍ର ତାଙ୍କୁ ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ । ସେ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ବ ଦେବା ଅସମ୍ଭବ ବ୍ୟାପାର । ଏହାସହ ମୋକିମ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆଜିର ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର । ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ବୋଲି ଚିଠିରେ ମୋକିମ୍ ଉଲ୍ଲେଖ କରିଥିଲେ ।

ତେବେ ମୋକିମଙ୍କ ଚିଠି ପରେ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା । ଯାହାର ପ୍ରତିକ୍ରିୟା ନିଜେ ରଖିଥିଲେ ପିସିସି ସଭାପତି ଭକ୍ତ । ଯେଉଁମାନେ ବିଜେପି ସହ ସଂସ୍ପର୍ଶରେ ଅଛନ୍ତି ସେମାନେ ଦଳ ଛାଡିଯାଆନ୍ତୁ ବୋଲି ଭକ୍ତ କହିଥିଲେ । ତେବେ ଭକ୍ତଙ୍କ ବୟାନର ଗାଟିଏ ଦିନ ମଧ୍ୟରେ ମୋକିମଙ୍କୁ ବହିଷ୍କାର କରାଯାଇଛି ।

ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କଲା ବିିସିସିଆଇ

ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କଲା ବିିସିସିଆଇ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସମସ୍ତ ଜାତୀୟ ଦଳର ଖେଳାଳିଙ୍କ ପାଇଁ ଏକ କଡ଼ା ନିୟମ ଲାଗୁ କରିଛି। ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫିର ଅତିକମରେ ଦୁଇଟି ଦିନିକିଆ ମ୍ୟାଚ୍ ଖେଳିବାକୁ ବର୍ତ୍ତମାନର ସମସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି।

ବିସିସିଆଇ ଚାହୁଁଛି ଯେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-୨୦ ଡିସେମ୍ବର ୧୯, ଅହମଦାବାଦ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜାନୁଆରୀ ୧୧, ୨୦୨୬ ମଧ୍ୟରେ ଥିବା ତିନି ସପ୍ତାହର ବ୍ୟବଧାନରେ ସମସ୍ତ ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ୍ ଖେଳନ୍ତୁ। ଏହି ନିର୍ଦ୍ଦେଶନାମା ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଜାତୀୟ ଚୟନ କମିଟି ଦ୍ୱାରା ଖେଳାଳିମାନଙ୍କୁ ଜଣାଇ ଦିଆଯାଇଛି।

ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ

ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ

ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଷ୍ଟାଇପେଣ୍ଡ ୩୧ ହଜାରରୁ ୪୮ ହଜାରକୁ ବୃଦ୍ଧି କରାଯାଇଛି । ଯଦି ଦେଖିବା ଷ୍ଟାଇପେଣ୍ଡରେ ପାଖାପାଖି ୫୫ପ୍ରତିଶତ ବୃଦ୍ଧି କରାଯାଇଛି । ସେହିପରି ଦ୍ବିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ୩୨ ହଜାରରୁ ୫୨ ହଜାରକୁ ବଢ଼ିଲା । ଅନ୍ୟପଟେ ତୃତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ୩୩ ହଜାରରୁ ୫୫ ହଜାରକୁ ବୃଦ୍ଧି କରାଯାଇଛି । ତେବେ ଏହି ଷ୍ଟାଇପେଣ୍ଡ ବୃଦ୍ଧି ୨୦୨୬ ଜାନୁଆରୀ ପହିଲାରୁ ଲାଗୁହେବ । ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍‌ ମଧ୍ୟ ବୃଦ୍ଧି, ଚଳିତ ଅଗଷ୍ଟ ପହିଲାରୁ ପିଛିଲା ଲାଗୁ ହେବା ନେଇ ଘୋଷଣା କରାଯାଇଛି ।

ଆଜିଠାରୁ ତିନୋଟି ଦେଶ- ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ବାହାରିଛନ୍ତି ମୋଦି

ଆଜିଠାରୁ ତିନୋଟି ଦେଶ- ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ବାହାରିଛନ୍ତି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜିଠାରୁ ତିନୋଟି ଦେଶ- ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ବାହାରିଛନ୍ତି । ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ ଅଲ ହୁସେନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଡିସେମ୍ବର ୧୫ରୁ ୧୬ ପର୍ଯ୍ୟନ୍ତ ଜୋର୍ଡାନରେ ରହିବେ । ଏହି ସମୟରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ସମ୍ପର୍କର ସମୀକ୍ଷା କରିବେ ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଆଲୋଚନା କରିବେ । ଭାରତ-ଜୋର୍ଡାନ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ଗସ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ବାଣିଜ୍ୟ, ନିବେଶ, ଶକ୍ତି, ପ୍ରତିରକ୍ଷା ଏବଂ ନିରାପତ୍ତା ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଏଥିରେ ଧ୍ୟାନ ଦିଆଯିବ । ପ୍ରଧାନମନ୍ତ୍ରୀ ଜୋର୍ଡାନରେ ଥିବା ଭାରତୀୟ ସମୁଦାୟର ଲୋକଙ୍କ ସହ ମଧ୍ୟ ଆଲୋଚନା କରିବେ, ପରେ ପ୍ରଧାନମନ୍ତ୍ରୀ ଇଥିଓପିଆ ଏବଂ ଓମାନ ଗସ୍ତ କରିବେ, ଯାହାର ଉଦ୍ଦେଶ୍ୟ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରେ ଭାରତର ସମ୍ପର୍କକୁ ଦୃଢ଼ କରିବା ।

ଫେବୃଆରୀ 12 ରେ ବାଂଲାଦେଶ ନିର୍ବାଚନ , ଲଢିପାରିବେନି ଆୱାମୀ ଲିଗ୍

ବାଂଲାଦେଶରେ ଗତ ବର୍ଷ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଓ କ୍ଷମତା ପରିବର୍ତ୍ତନ ପରେ, ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବାଂଲାଦେଶର ମୁଖ୍ୟ ନିର୍ବାଚନ କମିସନର, ଏଏମଏମ ନାସିରୁଦ୍ଦିନ, ଗୁରୁବାର (ଡିସେମ୍ବର ୧୧, ୨୦୨୫) ଘୋଷଣା କରିଛନ୍ତି ଯେ ୧୩ତମ ଜାତୀୟ ବିଧାନସଭା ନିର୍ବାଚନ ଫେବୃଆରୀ ୧୨, ୨୦୨୫ରେ ଅନୁଷ୍ଠିତ ହେବ। ଏହା ବାଂଲାଦେଶରେ ମହମ୍ମଦ ୟୁନୁସ ସରକାରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି। ଛାତ୍ର ନେତୃତ୍ୱାଧୀନ ହିଂସାତ୍ମକ ଆନ୍ଦୋଳନ ପରେ ଅଗଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ ଏହା ପ୍ରଥମ ନିର୍ବାଚନ ହେବ। ଗତ ବର୍ଷଠାରୁ ଶେଖ ହସିନା ଏବେ ଭାରତରେ ଆଶ୍ରୟ ନେଇଛନ୍ତି । ତେବେ ଶେଖ ହସିନାଙ୍କ ଦଳ, ଆୱାମୀ ଲିଗ୍, ବାଂଲାଦେଶ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିପାରିବ ନାହିଁ। ବାଂଲାଦେଶରେ ଆୱାମୀ ଲିଗ ଉପରେ କଟକଣା ଲଗାଯାଇଛି। ଫଳସ୍ୱରୂପ, ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦଳ, ବିଏନପି ଏବଂ ମୌଳବାଦୀ ସଂଗଠନ ଜମାତ-ଏ-ବାଂଲାଦେଶ ମଧ୍ୟରେ ମୁଖ୍ୟ ପ୍ରତିଯୋଗିତା ହେବାର ଆଶା କରାଯାଉଛି। ନିର୍ବାଚନ କମିସନଙ୍କ ଅନୁଯାୟୀ, ଭୋଟ୍ ପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲା, କେବଳ କାର୍ଯ୍ୟସୂଚୀ ବାକି ଥିଲା।
ବାଂଲାଦେଶର ମୁଖ୍ୟ ନିର୍ବାଚନ କମିସନରଙ୍କ ଅନୁଯାୟୀ, ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଡିସେମ୍ବର ୨୯, ୨୦୨୫ ଏବଂ ପ୍ରତ୍ୟାହାରର ଶେଷ ତାରିଖ ଜାନୁଆରୀ ୨୦, ୨୦୨6। ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ଜାନୁଆରୀ ୨୧ରେ ପ୍ରକାଶିତ ହେବ। ପ୍ରଚାର ଜାନୁଆରୀ ୨୨ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ସକାଳ ୭:୩୦ ପର୍ଯ୍ୟନ୍ତ ଚାଲିବ।

ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେ କରିବେ- ମୁଖ୍ୟମନ୍ତ୍ରୀ

ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେ କରିବେ- ମୁଖ୍ୟମନ୍ତ୍ରୀ

ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରିକୁ ସବୁବେଳେ ଜନସେବା ଭାବେ ମନେ କରିବେ । ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ  ଓ ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଓୟୁଏଟିସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ୨୦୨୫ ଅବସରରେ ନବନିଯୁକ୍ତମାନଙ୍କୁ ଉପଦେଶ ଦେଇ କହିଛନ୍ତି। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜଳସେଚନ କାର୍ଯ୍ୟର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ନିଯୁକ୍ତି ମେଳାରେ ଜଳ ସମ୍ପଦ ବିଭାଗର ୨୩୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣ ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (Assistant Executive Engineer ), ୫ ଜଣ ଅର୍ଥ ଓ ହିସାବ ଅଧିକାରୀ ଏବଂ ୧୫ ଜଣ ଯୋଜନା ସହାୟକ (Planning Assistant)ଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଏହି ନିଯୁକ୍ତି ମେଳା ଜରିଆରେ ପ୍ରଥମ କରି GATE SCORE ଆଧାରରେ, ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (AEE)ଙ୍କୁ ଚୟନ କରି ୩ଟି ଇଞ୍ଜିନିୟରିଂ ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ସମୁଦାୟ ୫୯୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।

କୃଷି ଶିକ୍ଷା ସଦନ ଠାରେ ଉପସ୍ଥିତ ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଜୁନ୍ ମାସରୁ ଆଜି ଭିତରେ ଅର୍ଥାତ ୧୮ ମାସ ମଧ୍ୟରେ  ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ଦିଆଗଲା। ଆଗାମୀ ଛ’ ମାସ ମଧ୍ୟରେ ଆଉ ୩୦ ହଜାର ପଦବୀ ପୂରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ କରିବା ସହ ଦୁଇ ବର୍ଷ ଭିତରେ ୬୫ ହଜାର ସରକାରୀ ପଦବୀ ପୂରଣ କରିବା ପାଇଁ ଆମ ସରାକର ପ୍ରତିଶ୍ରୁତି ଦେଇଥିଲେ ।  ତେଣୁ ଆପଣମାନେ ସମସ୍ତେ ଦୁର୍ନୀତିରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କର ସମସ୍ତ ଜନ କଲ୍ୟାଣକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ଦୃଢ ପ୍ରତିବଦ୍ଧ ହୋଇପାରିଲେ ସମାଜ ତଥା ରାଜ୍ୟ ବିକଶିତ ହୋଇପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ କରିଥିଲେ । ଏହି ଯୋଜନା ପାଇଁ ୨୭୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଏବଂ ଏହାଦ୍ୱାରା ଆଗାମୀ ୫ ବର୍ଷରେ ୩ ହଜାର ନୂଆ ଚେକ୍‌ ଡ୍ୟାମ୍ ନିର୍ମାଣ ହେବା ସହିତ ୨ ହଜାର ପୁରୁଣା ଚେକ୍‌ ଡ୍ୟାମ୍‌ର ପୁନଃରୁଦ୍ଧାର କରାଯିବ । ଏହାଦ୍ୱାରା ରାଜ୍ୟରେ ପ୍ରାୟ ୪୮ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିପାରିବ ।

ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନାରେ ରାଜ୍ୟର ୨୨ ଟି ଜିଲ୍ଲାରେ ୧୦୧ଟି ଚେକ୍‌ଡ୍ୟାମ୍ ଲୋକାର୍ପିତ କରିଛନ୍ତି। ଏଥିପାଇଁ ୭୦ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାଦ୍ୱାରା ୨୪୧୬ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିବ।

ମୁଖ୍ୟମନ୍ତ୍ରୀ ଆଡିବନ୍ଧ ଯୋଜନା ୩.୦ ରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୨୦୧ ଟି ଚେକ୍‌ଡ୍ୟାମ୍ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖାଯାଇଛି । ପ୍ରାୟ ୧୬୦ କୋଟି ଟଙ୍କା ବିନିଯୋଗରେ ଏହା ନିର୍ମାଣ କରାଯିବ ଏବଂ ଏହାଦ୍ୱାରା ୫୩୪୨ ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବ।

ଆଡ଼ିବନ୍ଧ ଯୋଜନା ସହିତ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ୧୨୫ କୋଟି ଟଙ୍କା ବିନିଯୋଗରେ ମୟୁରଭଞ୍ଜ ଓ ଗଜପତି ଜିଲ୍ଲାରେ ଦୁଇଟି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଛି। ଏହାଦ୍ୱାରା ୪ ହଜାର ହେକ୍ଟର ଜମିରେ ଜଳସେଚନର ସୁବିଧା ମିଳିବା ସହିତ ପ୍ରାୟ ୧୦ ହଜାର ଚାଷୀ ଉପକୃତ ହେବେ । ଏହା ସହିତ ଆନନ୍ଦପୁର ବ୍ୟାରେଜର ଶାଳନ୍ଦୀ ବାମପାର୍ଶ୍ୱ କେନାଲର ପ୍ରାୟ ୧୪ କିଲୋମିଟର ଅଞ୍ଚଳରୁ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମିକୁ ଭୂ-ତଳ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରାଯାଇଛି ।

ଅନୁଗୋଳ ଜିଲ୍ଲାର ଅଙ୍ଗପଡ଼ା ଠାରେ ୩୩ କୋଟି ଟଙ୍କା ବିନିଯୋଗରେ ଏକ ନୂତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୩୫୫ କୋଟି ଟଙ୍କା ବିନିଯୋଗରେ ସମ୍ୱଲପୁର ଜିଲ୍ଲାରେ ୬ ଟି ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ପ୍ରାୟ ୧,୫୧୫ କୋଟି ଟଙ୍କା ବିନିଯୋଗରେ ରାଜ୍ୟର ୨୦ ଟି ଜିଲ୍ଲାରେ ୨୮, ୩୦୨ ଟି ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

କଂଗ୍ରେସ କେବଳ ବନ୍ଦେ ମାତରମକୁ ଭାଙ୍ଗି ନାହିଁ, ବରଂ ଦେଶରେ ବିଭାଜନର ମଞ୍ଜି ମଧ୍ୟ ବୁଣିଥିଲା- ମୋଦୀ

କଂଗ୍ରେସ କେବଳ ବନ୍ଦେ ମାତରମକୁ ଭାଙ୍ଗି ନାହିଁ, ବରଂ ଦେଶରେ ବିଭାଜନର ମଞ୍ଜି ମଧ୍ୟ ବୁଣିଥିଲା- ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ ବିଶେଷ ବିତର୍କ ଆରମ୍ଭ କରିଥିଲେ। ତାଙ୍କ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ବନ୍ଦେ ମାତରମ, ମନ୍ତ୍ର, ଦେଶର ସ୍ବାଧୀନତା ଆନ୍ଦୋଳନକୁ ଶକ୍ତିଶାଳୀ ଏବଂ ପ୍ରେରଣାଦାୟକ ସ୍ଲୋଗାନ ଏବଂ ତ୍ୟାଗ ଏବଂ ତପସ୍ୟାର ପଥ ଦେଖାଇବା ଆମ ପାଇଁ ସୌଭାଗ୍ୟର ବିଷୟ। ଏହା ଗର୍ବର ବିଷୟ ଯେ ଆମେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ପାଳନ କରି ଏହି ଐତିହାସିକ ଅବସରର ସାକ୍ଷୀ ହେଉଛୁ।’
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଏହା ଏକ ସମୟ ଯାହା ଇତିହାସର ଅଗଣିତ ଘଟଣା ଆମ ସମ୍ମୁଖରେ ଆଣିଥାଏ। ଏହି ଆଲୋଚନା କେବଳ ଗୃହର ପ୍ରତିବଦ୍ଧତାକୁ ପ୍ରକାଶ କରିବ ନାହିଁ ବରଂ ଭବିଷ୍ୟତ ପିଢ଼ି ପାଇଁ ଶିକ୍ଷାର ଏକ ଉତ୍ସ ଭାବରେ ମଧ୍ୟ କାର୍ଯ୍ୟ କରିପାରିବ, ଯଦି ଆମେ ସମସ୍ତେ ଏହାକୁ ବୁଦ୍ଧିମାନ ଭାବରେ ବ୍ୟବହାର କରୁ। ଆମେ ସମ୍ବିଧାନର ୭୫ ବର୍ଷ ଗର୍ବର ସହିତ ପାଳନ କରିଛୁ। ପ୍ରଧାନମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି ଯେ ଦେଶ ବିର୍ସା ମୁଣ୍ଡା ଏବଂ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ଏବଂ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ମଧ୍ୟ ପାଳନ କରୁଛି। ‘ବନ୍ଦେ ମାତରମ’ର ୧୫୦ ବର୍ଷର ଯାତ୍ରା ଅନେକ ମାଇଲଖୁଣ୍ଟ ଦେଇ ଗତି କରିଛି।
ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଯେତେବେଳେ ‘ବନ୍ଦେ ମାତରମ’ ୫୦ ବର୍ଷ ପୂରଣ କଲା, ଦେଶକୁ ଦାସତ୍ୱରେ ରହିବାକୁ ବାଧ୍ୟ କରାଯାଇଥିଲା। ଯେତେବେଳେ ‘ବନ୍ଦେ ମାତରମ’ ୧୦୦ ବର୍ଷ ପୂରଣ କଲା, ଦେଶ ଜରୁରୀକାଳୀନ ପରିସ୍ଥିତିର ଶିକୁଳିରେ ବାନ୍ଧି ଦିଆଯାଇଥିଲା। ଭାରତୀୟ ସମ୍ବିଧାନର ଗଳାକାଟି ହତ୍ୟା କରାଯାଇଥିଲା। ଯେତେବେଳେ ‘ବନ୍ଦେ ମାତରମ’ ୧୦୦ ବର୍ଷ ପୂରଣ କଲା, ଦେଶପ୍ରେମ ପାଇଁ ବଞ୍ଚିଥିବା ଏବଂ ମରିଥିବା ଲୋକମାନଙ୍କୁ ଜେଲରେ ରଖାଯାଇଥିଲା। ସେତେବେଳେ ଏକ ଅନ୍ଧାର ଯୁଗ ପ୍ରକାଶ ପାଇଥିଲା।’
ପ୍ରଧାନମନ୍ତ୍ରୀ କହିଥିଲେ ଯେ ୧୫୦ ବର୍ଷ ହେଉଛି ସେହି ମହାନ ଅଧ୍ୟାୟ, ସେହି ଗୌରବକୁ ପୁନଃସ୍ଥାପିତ କରିବାର ଏକ ସୁଯୋଗ। ୧୯୪୭ ମସିହାରେ ‘ବନ୍ଦେ ମାତରମ’ ଦେଶକୁ ସ୍ବାଧୀନତା ଦେଇଥିଲା। ସ୍ବାଧୀନତା ସଂଗ୍ରାମର ଭାବପ୍ରବଣ ନେତୃତ୍ୱ ଏହି ‘ବନ୍ଦେ ମାତରମ’ ଧ୍ୱନିରେ ଥିଲା। ଆମ ସମସ୍ତ ଜନପ୍ରତିନିଧିଙ୍କ ପାଇଁ ‘ବନ୍ଦେ ମାତରମ’ର ରଙ୍ଗକୁ ଗ୍ରହଣ କରିବାର ଏହା ଏକ ପବିତ୍ର ଅବସର। ମୋଦି କହିଥିଲେ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ‘ବନ୍ଦେ ମାତରମ’ର ସମ୍ପର୍କ ଆମ ସ୍ବାଧୀନତା ସଂଗ୍ରାମର ଦୀର୍ଘ କାହାଣୀକୁ ପ୍ରତିଫଳିତ କରେ। ବ୍ରିଟିଶମାନେ ବୁଝିପାରିଥିଲେ ଯେ ଭାରତରେ ଅଧିକ ଦିନ ରହିବା କଷ୍ଟକର ହେବ। ସେମାନେ ନିଜର ସ୍ବପ୍ନ ନେଇ ଆସିଥିଲେ, କିନ୍ତୁ ସେମାନେ ଅନୁଭବ କରିଥିଲେ ଯେ ଯଦି ସେମାନେ ଭାରତକୁ ବିଭାଜିତ ନ କରନ୍ତି, ଏହାକୁ ଖଣ୍ଡ ଖଣ୍ଡ ନ କରନ୍ତି ଏବଂ ଲୋକଙ୍କୁ ଲଢ଼େଇ ନ କରନ୍ତି, ତେବେ ଏଠାରେ ଶାସନ କରିବା କଷ୍ଟକର ହେବ।

ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭାକୁ ଆସି ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ – ମୁଖ୍ୟମନ୍ତ୍ରୀ

ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭାକୁ ଆସି ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ – ମୁଖ୍ୟମନ୍ତ୍ରୀ

ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠହାଇଛନ୍ତି। ନବୀନଙ୍କ ଏହି ଟାର୍ଗେଟ୍‌ ପରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାକୁ ଆସିବା ପ୍ରସଙ୍ଗରେ ନବୀନଙ୍କୁ ପାଲଟା ଆକ୍ରମଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ଗୃହରେ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ବିଧାନସଭାକୁ ଆସି ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ। ନବୀନ ବାବୁ ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଯାଇ ପାରୁଛନ୍ତି, କିନ୍ତୁ ବିଧାନସଭା ୯ ଦିନ ହେଲାଣି ଚାଲିଥିଲେ ମଧ୍ୟ ବିରୋଧୀଦଳ ନେତା କେତେ ଦିନ ଆସିଛନ୍ତି? କେବଳ ସୋସିଆଲ୍ ମିଡିଆରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ। ଗୃହରେ କଥା ଉଠାଇବାକୁ ଅଧିକାର ଦିଆଯାଇଛି।”

ଏହା ପୂର୍ବରୁ, ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜଗାଙ୍ଗପୁର ଘଟଣାକୁ “ଅତ୍ୟନ୍ତ ହୃଦୟ ବିଦାରକ” କହିବା ସହ ସରକାରଙ୍କୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ପୀଡ଼ିତାଙ୍କ ପରିବାର ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ନେଇ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରଭାବଶାଳୀ ପଦକ୍ଷେପ ନିଆଗଲା ନାହିଁ। ଅପରାଧୀମାନେ ମୁକ୍ତ ଭାବରେ ବୁଲୁଛନ୍ତି,” ଏବଂ ଲୋକମାନେ ନିରାପଦ ଅନୁଭବ କରୁ ନାହାଁନ୍ତି।

ପୂର୍ବରୁ ବଲାଙ୍ଗୀର ଏବଂ ଯାଜପୁରରେ ଛାତ୍ରୀଙ୍କୁ ନେଇ ଘଟିଥିବା ହିଂସା ଘଟଣାକୁ ଉଲ୍ଲେଖ କରି ନବୀନ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଆହ୍ୱାନ ଦେଇଥିଲେ।

୯ ରେ ଲୋକସଭାରେ ନିର୍ବାଚନ ସଂସ୍କାର ଓ ଏସଆଇଆର ସମ୍ପର୍କିତ ଭୋଟ ଚୋରି ଆରୋପ ଉପରେ ଚର୍ଚ୍ଚା ହେବ

୯ ରେ ଲୋକସଭାରେ ନିର୍ବାଚନ ସଂସ୍କାର ଓ ଏସଆଇଆର ସମ୍ପର୍କିତ ଭୋଟ ଚୋରି ଆରୋପ ଉପରେ ଚର୍ଚ୍ଚା ହେବ

ସଂସଦର ଶୀତକାଳୀନ ଅଧିବେଶନରେ ଡିସେମ୍ବର ୯ ତାରିଖ ମଙ୍ଗଳବାର ଲୋକସଭାରେ ନିର୍ବାଚନ ସଂସ୍କାର ଓ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ସମ୍ପର୍କିତ ଭୋଟ ଚୋରି ଆରୋପ ଉପରେ ଚର୍ଚ୍ଚା ହେବ। ଏଥି ପାଇଁ ୧୦ ଘଣ୍ଟା ସମୟ ଦିଆଯାଇଛି। ଏହି ଚର୍ଚ୍ଚା ଲାଗି କଂଗ୍ରେସର ୧୦ ଜଣ ବକ୍ତାଙ୍କ ତାଲିକା (ଟେଣ୍ଟେଟିଭ) ସାମ୍ନାକୁ ଆସିଛି। ଏହି ବିତର୍କରେ ବିରୋଧୀ ଦଳ ନେତା ଭାବେ ରହୁଲ ଗାନ୍ଧି ଅଂଶଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘବାଲ ଡିସେମ୍ବର ୧୦ ତାରିଖରେ ଏହାର ଜବାବ ଦେବେ।

ବିତର୍କରେ ଏସଆଇଆର ପ୍ରକ୍ରିୟାରେ ଭୋଟ ଚୋରି ଅଭିଯୋଗ, ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଓ ବ୍ୟାପକ ନିର୍ବାଚନ ସଂସ୍କାର ଉପରେ ଖାସ ଫୋକସ ରହିବ। କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଏହାକୁ ଜାତୀୟ ସଂକଟ ବୋଲି କହିଛନ୍ତି। ଚର୍ଚ୍ଚା ଲାଗି ମୋଟ ୧୦ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଛି। ଏଥିରେ ଶାସକ ଓ ବିରୋଧୀଙ୍କୁ ସମାନ ସମାନ ସମୟ ମିଳିବ। ବିଜନେସ୍ ଆଡଭାଇଜରୀ କାଉନସିଲ (ବିଏସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ନିର୍ବାଚନ ସୁଧାର ଓ ଭୋଟ ଚୋରିକୁ ନେଇ ଚର୍ଚ୍ଚା ଲାଗି କଂଗ୍ରେସ ସାଂସଦଙ୍କୁ ୮ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ସଦନରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଏସଆଇଆର ପ୍ରସଙ୍ଗରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ଏହି ଚର୍ଚ୍ଚାରେ କଂଗ୍ରେସ ପକ୍ଷରୁ ଯେଉଁ ସମ୍ଭାବିତ ତାଲିକା ଜାରି କରାଯାଇଛି ସେଥିରେ କେ.ସି.ବେଣୁଗୋପାଲ, ମନିଷ ତିୱାରୀ, ବର୍ଷା ଗାୟକୱାଡ, ମହମ୍ମଦ ଜାଭେଦ, ଉଜ୍ଜ୍ୱଲ ରମଣ ସିଂହ, ଈସା ଖାନ, ରବି ମଲ୍ଲୁ, ଇମ୍ରାନ ମସୁଦ, ଗୋୱାଲ ପଦବୀ ଓ ଜ୍ୟୋତିମଣିଙ୍କ ନାମ ଦିଆଯାଇଛି।

ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ, ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ

ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ, ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ଇଣ୍ଡିଗୋ ପକ୍ଷରୁ ଯାତ୍ରୀମାନଙ୍କୁ ବିମାନ ଭଡ଼ା ଫେରସ୍ତ ଜାରି ରଖିଛି । ରବିବାର ରାତି ୮ଟା ସୁଦ୍ଧା ମୋଟ ୬୧୦ କୋଟି ଟଙ୍କା ଫେରସ୍ତ କରିଛି । ସେହିପରି ବାତିଲ ଦ୍ୱାରା ପ୍ରଭାବିତ ଯାତ୍ରା ରିସିଡ୍ୟୁଲିଂ ପାଇଁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେପଟେ ଇଣ୍ଡିଗୋ ବିମାନ ଚାଳନା ସଂକଟ ଯୋଗୁଁ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ଦୂର କରିବା ଏବଂ ଯାତ୍ରୀମାନେ ଯେପରି ଅଧିକ ସମୟ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାହା ନିଶ୍ଚିତ କରିବା ପାଇଁ ମନ୍ତ୍ରଣାଳୟ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ନେଇଛି। ଏହା ଫଳରେ ଦେଶବ୍ୟାପୀ ବିମାନ ଯାତ୍ରା ଦ୍ରୁତ ଗତିରେ ସ୍ବାଭାବିକ ହେଉଛି। ଅନ୍ୟ ସମସ୍ତ ଘରୋଇ ବିମାନ କମ୍ପାନୀଗୁଡ଼ିକ ସୁଗମ ଏବଂ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରୁଛନ୍ତି, ଯେତେବେଳେ କି ଇଣ୍ଡିଗୋର ବିମାନ ଚାଳନାରେ ଦ୍ରୁତଗତିରେ ସୁଧାର ହେଉଛି  ଓ ଉଡ଼ାଣ ସମୟସୂଚୀ ସ୍ୱାଭାବିକ ସ୍ତରକୁ ଫେରୁଛି। ଇଣ୍ଡିଗୋର ଫ୍ଲାଇଟ ସଂଖ୍ୟା ଡିସେମ୍ବର ୫, ୨୦୨୫ରେ ୭୦୬ରୁ ବୃଦ୍ଧି ପାଇ ଡିସେମ୍ବର ୬, ୨୦୨୫  ସୁଦ୍ଧା ୧୫୬୫କୁ ବୃଦ୍ଧି ପାଇଛି ଏବଂ ଆଜି ଏହା ୧୬୫୦ରେ ପହଞ୍ଚିବ ବୋଲି ଆଶା କରାଯାଉଛି।ଆହୁରି ମଧ୍ୟ ଏହି ଅବ୍ୟବସ୍ଥା ଯୋଗୁଁ ଯାତ୍ରୀମାନଙ୍କଠାରୁ ଅଲଗା ହୋଇଯାଇଥିବା କିମ୍ବା ମିଳୁନଥିବା ସବୁ ବ୍ୟାଗେଜଗୁଡିକୁ ୪୮ ଘଣ୍ଟା ମଧ୍ୟରେ ଚିହ୍ନଟ କରି ଫେରସ୍ତ କରିବାକୁ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋ ଗତକାଲି ପର୍ଯ୍ୟନ୍ତ ସାରା ଭାରତରେ ଯାତ୍ରୀମାନଙ୍କୁ ୩୦୦୦ ଖଣ୍ଡ ବ୍ୟାଗେଜ ସଫଳତାର ସହିତ ପହଞ୍ଚାଇଛି।