ସେବେ ଲୋକସେବା ଭବନ ଏବେ ଲୋକ ଭବନ

ସେବେ  ଲୋକସେବା ଭବନ ଏବେ ଲୋକ ଭବନ

ଦେଶର ଅନେକ ରାଜ୍ୟରେ ଏବେ  ରାଜ୍ୟପାଳଙ୍କ ସରକାରୀ ଆବାସକୁ ଆଉ ରାଜଭବନ  କୁହାଯିବନି । ରାଜଭବନ ବଦଳରେ ଏବେ ଏହାକୁ ଲୋକଭବନ କୁହାଯିବ । ସେହି ଅନୁସାରେ ପୁରୀ ଆଉ ଭୁବନେଶ୍ୱରଙ୍କ ଥିବା ରାଜଭବନର ଏବେ ନାଁ ବଦଳିଛି । ଦୁଇ ରାଜଭବନ ଏବେ ବିଧିବଦ୍ଧ ଭାବେ ଲୋକଭବନରେ ପରିଗଣିତ ହେବ । ଏନେଇ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୂଚନା ଦେବା ସହିତ, ରାଜଭବନ ସଚିବାଳୟ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି ହେଇଛି ।

ତେବେ ଏହା ପୂର୍ବରୁ ରାଜ୍ୟର କ୍ଷମତାକେନ୍ଦ୍ର ଭାବେ ପରିଚିତ ସଚିବାଳୟର ନାଁ ମଧ୍ୟ ବଦଳାଇଥିଲେ ନବୀନ ସରକାର । ସେତେବେଳେ ସଚିବାଳୟ ବଦଳରେ ଏହାକୁ ଲୋକସେବା ଭବନରେ ନାମିତ କରାଯାଇଥିଲା । ସେହିପରି ସଚିବାଳୟ ସାମ୍ନା ରାସ୍ତାକୁ ମଧ୍ୟ ସଚିବାଳୟ ମାର୍ଗ ବଦଳରେ ଲୋକସେବା ମାର୍ଗ କୁହାଯାଇଥିଲା । ଯାହାପରେ ଦୀର୍ଘ ବର୍ଷ ଧରି ଯେଉଁ କୋଠା ସେକ୍ରେଟେରିଏଟ୍ ନାଁରେ ପରିଚିତ ଥିଲା, ସେହି କୋଠା ହୋଇଯାଇଥିଲା ଲୋକସେବା ଭବନ ।

ଖାଲି ରାଜ୍ୟରେ ନୁହେଁ କେନ୍ଦ୍ରରେ ମଧ୍ୟ ମୋଦୀ ସରକାର ଏମିତି ଅନେକ ପରିବର୍ତ୍ତନ କରିସାରିଛନ୍ତି । ଏହା ପୂର୍ବରୁ ମୋଦୀ ସରକାର ଦିଲ୍ଲୀରେ ରାଜପଥର ନାଁ ପରିବର୍ତ୍ତନ କରିଥିଲେ । ଯାହାକୁ ରାଜପଥ ବଦଳରେ କର୍ତ୍ତବ୍ୟ ପଥ ବୋଲି ନାମିତ କରାଯାଇଥିଲା । ସେହିପରି କେନ୍ଦ୍ର ସଚିବାଳୟର ନାଁକୁ ମଧ୍ୟ କର୍ତ୍ତବ୍ୟ ଭବନ ଭାବରେ ନାମିତ କରାଯାଇଛି । ଯେଉଁଥିରେ କି ଅନେକ ମନ୍ତ୍ରାଳୟ ନିଜ ନିଜର କାମ ଜାରି ରଖିଛି ।

ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ସେଭେନ୍ ରେସକୋର୍ସ ରୋଡ୍ ବୋଲି କୁହାଯାଉଥିଲା । ହେଲେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ  ଏହାର ମଧ୍ୟ ନାମ ପରିବର୍ତ୍ତନ କରିଥିଲେ । ସେଭେନ୍ ରେସକୋର୍ସ ରୋଡ୍ ବଦଳରେ ସେତେବେଳେ ଏହାକୁ ଲୋକ କଲ୍ୟାଣ ମାର୍ଗ ନାଁରେ ନାମିତ କରାଯାଇଥିଲା । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ସେବା ଆଉ କଲ୍ୟାଣ ।

ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବା- ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ପାଇଁ ଓଡ଼ିଆ ପିଲାଙ୍କୁ ପ୍ରସ୍ତୁତ କରାଇବା- ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ପିଲାମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବାକୁ ହେବ । ପରିବର୍ତ୍ତିତ ଟେକ୍ନୋଲୋଜି ଦୃଶ୍ୟପଟ୍ଟରେ ସେମାନଙ୍କ ମାଧ୍ୟମରେ ବିଶ୍ୱବ୍ୟାପୀ ଜ୍ଞାନର ଅନ୍ୱେଷଣ କରିବା ଆମର ପ୍ରୟାସ ରହିଛି । ଏହି ଲକ୍ଷ୍ୟରେ ବିଶ୍ୱର ଅଗ୍ରଣୀ ଅନୁଷ୍ଠାନ ତଥା ସିଙ୍ଗାପୁରର ଜିଏଫଟିଏନ୍, ଏଆଇଡିଏଫ ଏବଂ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁର ମିଳିତ ଭାବରେ ଏସଡିଆଇ, ଭୁବନେଶ୍ୱରରେ ଫିନଟେକ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶୁକ୍ରବାର ସ୍କିଲ ଡେଭଲପମେଣ୍ଟ୍ ସେଣ୍ଟର ଏବଂ ଜିଏଫଟିଏନର ମିଳିତ ସହଯୋଗରେ ଅନୁଷ୍ଠିତ “ଶିକ୍ଷା ସମ୍ବାଦ – ପ୍ରଯୁକ୍ତି ବିଦ୍ୟା ସହିତ ଭବିଷ୍ୟତ” (The Edu Dialogue – Future with Technology)” କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ପ୍ରଧାନ । ଏହି ଅବସରରେ ସେ ସମ୍ବାଦ ଅଧିବେଶନରେ ଭାଗ ନେଇ ନିଜର ମତାମତ ବ୍ୟକ୍ତ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ଭର୍ଚୁଆଲ ରିଆଲିଟି (ଭିଆର୍) ଆମର ଶିକ୍ଷା, କାର୍ଯ୍ୟ ଏବଂ ଯୋଗାଯୋଗକୁ ବର୍ତ୍ତମାନ ସମୟରେ ରୂପାନ୍ତରିତ କରୁଛି । ଏହା ଏବେ କେବଳ ଏକ ବିଷୟ ନୁହେଁ ବରଂ ଆମ ଜୀବନଶୈଳୀର ଏକ ଅଂଶ ପାଲଟିଛି ; ଅଡିଓ କମ୍ୟୁନିକେସନରୁ ଆରମ୍ଭ କରି ଜଟିଳ ସମାଧାନ ପର୍ଯ୍ୟନ୍ତ ସବୁଠି ଏହାର ପ୍ରୟୋଗ ହେଉଛି । ଆମେ ବର୍ତ୍ତମାନ ଶିଳ୍ପ ବିପ୍ଳବ ୫.୦ ଆଡକୁ ଅଗ୍ରସର ହେଉଛୁ । ଭବିଷ୍ୟତର ଟେକ୍ନୋଲୋଜି ବିଶେଷ ଭାବରେ ୬ଜି ଏବଂ କ୍ୱାଣ୍ଟମ କମ୍ପ୍ୟୁଟିଂ ଆଗାମୀ ଦିନରେ ଏକ ନୂଆ ପରିଚୟ ସୃଷ୍ଟି କରିବ । ଏହି ବୈଷୟିକ ପରିବର୍ତ୍ତନର ସାମ୍ନା କରିବାକୁ ହେଲେ ଆମକୁ କେବଳ କ୍ୟାମ୍ପସ ନୁହେଁ ବରଂ ନୂଆ ଦକ୍ଷତା, ଉଚ୍ଚତା, ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରୋତ୍ସାହିତ କରୁଥିବା ଏକ ଶିକ୍ଷା ଓ କୌଶଳର ସଂସ୍କୃତି ତିଆରି କରିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ ଏସଡିଆଇ ଭୁବନେଶ୍ୱର ଆମର ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବାର ନିଷ୍ଠା ପ୍ରଶଂସନୀୟ ।

ଶ୍ରୀ ପ୍ରଧାନ ଏସଡିଆଇ ଭୁବନେଶ୍ୱର ଅନୁଷ୍ଠାନ ଐତିହ୍ୟରେ ପରିପୂର୍ଣ୍ଣ ଅଞ୍ଚଳରେ ଅବସ୍ଥିତ । ମହାନ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହର ପରମ୍ପରା ଏଠାରେ ରହିଛି । ଏହାର ପରମ୍ପରା ଓ ଭବିଷ୍ୟତର ଏକ ପ୍ରତୀକାତ୍ମକ ସଙ୍ଗମସ୍ଥଳ ଭାବରେ ଛିଡ଼ା ହୋଇଛି । ସେ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀ ମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଉଦାହରଣ ଦେଇ କହିଥିଲେ ଯେ ଏହା କେବଳ ଏକ ସ୍ମାରକୀ ନୁହେଁ, ବରଂ ବୈଜ୍ଞାନିକ ଭାବରେ ପରିକଳ୍ପିତ ଏକ ସ୍ଥାପତ୍ୟ କଳା ଏବଂ ଆମ ପୂର୍ବପୁରୁଷଙ୍କ ଦ୍ୱାରା ପରିକଳ୍ପିତ ଏକ ବିଜ୍ଞାନ ପରୀକ୍ଷଣ । ଆମକୁ ଆଜିର ଆବଶ୍ୟକତାକୁ ବୁଝି ଭବିଷ୍ୟତ ପାଇଁ ଯୋଜନା କରିବାକୁ ପଡ଼ିବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାଷା ଭିତ୍ତିରେ ଓଡ଼ିଶା ୨୦୩୬ରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ଏଣୁ ଆମର ଆଗାମୀ ୧୦ ବର୍ଷର ଲକ୍ଷ୍ୟ ସ୍ପଷ୍ଟ ହେବା ଆବଶ୍ୟକ । ଆମର ପ୍ରଥମ ଲକ୍ଷ୍ୟ ହେଉଛି ୨୦୩୫ ସୁଦ୍ଧା ଏକ ବିକାଶମୂଳକ ବାତାବରଣ ତିଆରି କରିବା, ଯେଉଁଠାରେ ଆମେ କେବଳ ନିଯୁକ୍ତି ଖୋଜିବା ନାହିଁ, ବରଂ ନିଯୁକ୍ତିଦାତା ଭାବେ ଉଭା ହେବା । ଏହି ଐତିହାସିକ ମୁହୂର୍ତ୍ତ ପାଇଁ ଆମକୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ସମୟ ପାଇଁ ପ୍ରସ୍ତୁତ ହୋଇ ଓଡ଼ିଆ ଭାବେ ନିଜର ଦାୟିତ୍ୱବୋଧକୁ ଉପସ୍ଥାପନ କରିବାକୁ ପଡ଼ିବ। ଏହା କରିବାକୁ ହେଲେ ଆମକୁ ସାହସୀ ଓ ସ୍ୱାଭିମାନୀ ହେବା ସହ ପୁରୁଷାର୍ଥ ମାଧ୍ୟମରେ ସମୃଦ୍ଧି ଓ ସମ୍ପନ୍ନତା ଆଣିବାକୁ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ହେଉଛି ସାମାଜିକ ଦାୟିତ୍ୱ । କାହାର ଅଧିକାର ସେତେବେଳେ ପୂରା ହୁଏ, ଯେତେବେଳେ କେହି ଦାୟିତ୍ୱ ନିଏ। ପୁଷ୍ଟିକର ଆହାର ଯୋଗାଇ ପୋଷଣ ଅଭାବରୁ ଅପପୁଷ୍ଟିର ଶିକାର ହେଉଥିବା ପିଲାମାନଙ୍କର ଧ୍ୟାନ ନେବା ଦ୍ୱାରା ହିଁ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ହେବ। ଏହିପରି ଭାବେ, ଆମେ ବିକଶିତ ଓଡ଼ିଶା ମାଧ୍ୟମରେ ଏକ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିପାରିବା ।

ପ୍ରକାଶ ଯେ, ନିକଟରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଓ ସିଙ୍ଗାପୁର ସ୍ଥିତ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟଓ୍ୱାର୍କ(ଜିଏଫଟିଏନ) ସହଯୋଗରେ ଓଡ଼ିଶାର ଯୁବପିଢ଼ିଙ୍କୁ ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସମ୍ପୂର୍ଣ୍ଣ ସୁଯୋଗ ନେବା ପାଇଁ ‘ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) – ଭାରତନେତ୍ରର ଶୁଭାରମ୍ଭ ହୋଇଥିଲା । ଏହି କେନ୍ଦ୍ରର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା, ରେଗୁଲେସନ ଏବଂ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ତାଲିମ ଦେବା । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଆଗକୁ ନେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଶ୍ରୀ ପ୍ରଧାନ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ, କର୍ମଚାରୀ, ପ୍ରଶିକ୍ଷକଙ୍କ ସହ କଥା ହୋଇଥିଲେ । ହରପ୍ରିୟା ରେଡ୍ଡି, ସୁମନ କୁମାର ସେନାପତି, ବିକାଶ କୁମାର, ଲିଜା ବେହେରା, ଅଭିଜିତ ନାଏକ, ଅଭିଜିତ ସାମନ୍ତରାୟ, ଗଙ୍ଗାଧର ଦାଶ, ଶାଶ୍ୱତ ମହାନ୍ତି ପ୍ରମୁଖ କେନ୍ଦ୍ର ମନ୍ତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ଏସଡିଆଇ, ଭୁବନେଶ୍ୱରରେ ଆଲୋଚନା କାର୍ଯ୍ୟକ୍ରମ ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କଠାରୁ ଲ୍ୟାବରେ ପ୍ରସ୍ତୁତ ହୋଇଥିବା ପେନ୍, ଏସଡ଼ିଆଇର ସ୍ମୃତିଚିହ୍ନ ଏବଂ ହାତ ତିଆରି କୁକିଜ୍ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଓସିଏଲ ଆର୍ ଆଣ୍ଡ୍ ଡି’ର ନିର୍ଦ୍ଦେଶକ ଆଲୋକ ଶର୍ମା, ଜିଏଫଟିଏନ, ସିଙ୍ଗାପୁରର ସିଇଓ ଜେମ୍ସ ବୋ, ଏନୟୁଏସର ଆଡଜଣ୍ଟ ପ୍ରଫେସର ଇଲେନ୍ ସୋର,ଏସଡ଼ିଆଇ ଭୁବନେଶ୍ୱରର ସିଇଓ ରଞ୍ଜନ ଭୌମିକ ପ୍ରମୁଖ ଉପସ୍ଥିତ ଥିଲେ ।

୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ

୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ – ଧର୍ମେନ୍ଦ୍ର ପ୍ରଧାନ

ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ ୭୧.୧୯ କୋଟି ଟଙ୍କା ମୂଲ୍ୟର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍)କୁ ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।

ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଏହି ନିଷ୍ପତ୍ତି ଦେବ୍ରିଗଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ଦେବା ସହିତ ବନ୍ୟଜନ୍ତୁ ସଂରକ୍ଷଣରେ ସହାୟକ ହେବ । ଏହି ଇକୋଟୁରିଜିମ୍ ପ୍ରକଳ୍ପ ସ୍ଥାନୀୟ ନିଯୁକ୍ତି ଏବଂ ପର୍ଯ୍ୟଟନକୁ ବଡ଼ ଗତି ଦେବ ।

ଅପରପକ୍ଷରେ ସୂଚାନୁସାରେ, ଅଭୟାରଣ୍ୟର ପ୍ରାୟ ୧୦୦ କିଲୋମିଟର ପରିସୀମା ଚାରିପାଖରେ ବାଡ଼ ନିର୍ମାଣ ପାଇଁ ସ୍ୱତନ୍ତ୍ର ଭାବରେ ଅତିରିକ୍ତ ପ୍ରାୟ ୧୪.୧୮ କୋଟି ଟଙ୍କା ପାଣ୍ଠି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରାଶିକୁ କାମ୍ପା କିମ୍ବା ଅନ୍ୟାନ୍ୟ ରାଜ୍ୟ ସରକାରୀ ପାଣ୍ଠି ମାଧ୍ୟମରେ ଯୋଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବାଡ଼ ନିର୍ମାଣ ଦ୍ୱାରା ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ ସଂଘର୍ଷ ହ୍ରାସ ହୋଇପାରିବ । ସମ୍ପୃକ୍ତ ବିଭାଗକୁ ତୁରନ୍ତ ଏହି ଡିପିଆର ଅନୁଯାୟୀ ଆଗାମୀ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପ୍ରକଳ୍ପ ଦେବ୍ରିଗଡ଼ରେ ଇକୋଟୁରିଜିମ୍ ଭିତ୍ତିଭୂମିର ବିକାଶ କରିବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାକୁ ବଳିଷ୍ଠ କରିବ ।

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ

ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି ୩ ହଜାର କୋଟି ଏବଂ ଚାଷୀଙ୍କୁ MSP ଓ ଇନପୁଟ ସହାୟତା ବାବଦରେ ୮୫୦ କୋଟି ବ୍ୟୟ ଅଟକଳ ହୋଇଛି। ସେହିପରି ଚାଷୀଙ୍କ ଋଣ ସୁଧ ଛାଡ଼ ପାଇଁ ସମବାୟ ବ୍ୟାଙ୍କ/ପ୍ୟାକ୍ସକୁ ୩୦୦ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ (NHM) ପାଇଁ ୯୯୪ କୋଟି, ମିଶନ ଶକ୍ତି କାର୍ଯ୍ୟକ୍ରମ ପାଇଁ ୪୦୫ କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୪୨୬ କୋଟି, ରାସ୍ତା ଓ ସେତୁ ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ବ୍ୟୟବରାଦ ହୋଇଛି। ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୧୧୬ କୋଟି, ଜାତୀୟ ବିପର୍ଯ୍ୟୟ ବିପଦ ପ୍ରଶମନ ପାଣ୍ଠି ୧୭୧ କୋଟି, ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ପାଇଁ ୧୬୪ କୋଟି। ଅତିରିକ୍ତ ବଜେଟ ଆଗତ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବି ରଖାଯାଇଛି।

ଭୁବନେଶ୍ୱର ପଦ୍ମ ଭୂଷଣ ଜାଭେଦ ଅଖତର, ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ

ଭୁବନେଶ୍ୱର ପଦ୍ମ ଭୂଷଣ ଜାଭେଦ ଅଖତର, ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ

ଶବ୍ଦର ଯାଦୁକର, ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ, ପଦ୍ମ ଭୂଷଣ ଜାଭେଦ ଅଖତରଙ୍କୁ ତାଙ୍କର ଉଲ୍ଲେଖନୀୟ ଓ ଜୀବନବ୍ୟାପୀ ଅବଦାନ ନିମନ୍ତେ ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ କରାଯିବ । ଏହି ସମ୍ମାନ ଗ୍ରହଣ କରିବା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଛନ୍ତି ଜାଭେଦ ଅଖତର । ଭୁବନେଶ୍ୱର ବିମାନ ବନ୍ଦରରେ ସୋଆ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ରେ ସ୍ଵାଗତ କରାଯାଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ୨ ଦିନିଆ ତୃତୀୟ ସୋଆ ସାହିତ୍ୟ ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଏହି ପ୍ରଖ୍ୟାତ ସାହିତ୍ୟ ସାଧକଙ୍କୁ ସମ୍ମାନିତ କରାଯିବ । ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରତିଷ୍ଠିତ ସୋଆ ସାହିତ୍ୟ ସମ୍ମାନ ଦେଶରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରାଯିବ । ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯେଉଁମାନଙ୍କର ଏହି କ୍ଷେତ୍ରରେ ଉତ୍କର୍ଷତା, ସୃଜନଶୀଳତା ଓ ବୌଦ୍ଧିକ ଗଭୀରତା ରହିଛି ସେମାନଙ୍କୁ ସମ୍ମାନିତ କରିବା ହିଁ ସୋଆ ସାହିତ୍ୟ ସମ୍ମାନର ବିନମ୍ର ଉଦ୍ଦେଶ୍ୟ ।

ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ପ୍ରଦାନ ଅବସରରେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହିତ ମାନପତ୍ର, ଦେବୀ ସରସ୍ୱତୀଙ୍କ ରୌପ୍ୟ ମୂର୍ତ୍ତି ଓ ଉତରୀୟ ପ୍ରଦାନ କରାଯିବ । ଭାରତୀୟ ସମ୍ବିଧାନ ଅନୁମୋଦିତ ଯେକୌଣସି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।

ସୋଆ ପରିଚାଳିତ ସେଣ୍ଟର ଫର ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆସନ୍ତା ନଭେମ୍ବର ୨୯ ଓ ୩୦ ଦୁଇ ଦିନ ଧରି ଏହି ସାହିତ୍ୟ ଉତ୍ସବ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷର ପ୍ରସଙ୍ଗ ହେଉଛି ‘କଲ୍ଚର, କ୍ରିଏଟିଭିଟି ଆଣ୍ଡ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ’ ଅର୍ଥାତ ସଂସ୍କୃତି, ସୃର୍ଜନଶୀଳତା ଓ କୃତ୍ରିମ ବୁଦ୍ଧିମତା ।

୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ – ବିସିସିଆଇ

୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ – ବିସିସିଆଇ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପରାଜୟ ପରେ ଗୌତମ ଗମ୍ଭୀର  ଙ୍କୁ ଟାର୍ଗେଟ କରାଯାଉଥିଲା। ଗମ୍ଭୀର ଦାୟିତ୍ବ ନେବା ପରେ ଦଳ ସେତେଟା ଭଲ ପ୍ରଦର୍ଶନ କରିପାରିନଥିବାରୁ ତାଙ୍କୁ ବିସିସିଆଇ  ପଦରୁ ହଟାଇ ଦେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ବିସିସିଆଇ ସ୍ପଷ୍ଟ କରିଛି ଯେ, ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ଭାବରେ କାମ ଜାରି ରଖିବେ।ସୂଚନା ମୁତାବକ, ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ସେ କାର୍ଯ୍ୟ ଜାରି ରଖିବେ। ବିସିସିଆଇ ଖେଳାଳି ଏବଂ ପ୍ରଶିକ୍ଷକଙ୍କ ଉପରେ ବିଶ୍ୱାସ ବଜାୟ ରଖିବ। ଏବେ ବିସିସିଆଇ, ଦଳର ଖରାପ ପ୍ରଦର୍ଶନ ବିଷୟରେ ଆଲୋଚନା କରୁଛି ଏବଂ ଖୁବ୍ ଶୀଘ୍ର ପ୍ରଶିକ୍ଷକଙ୍କ ସହ ଦଳର ପ୍ରଦର୍ଶନ ବିଷୟରେ ଆଲୋଚନା କରିବ। ଏହା ମଧ୍ୟ ସୂଚନା ମିଳିଛି ଯେ, ଗମ୍ଭୀରଙ୍କ ସହ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ସମ୍ପର୍କରେ ପ୍ରଶିକ୍ଷକଙ୍କ ସହ ଆଲୋଚନା କରାଯିବ ଏବଂ ଆବଶ୍ୟକୀୟ ନିଷ୍ପତ୍ତି ନିଆଯିବ।ଭାରତ ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ହାରିବା ପରେ ଗମ୍ଭୀରଙ୍କ ଭବିଷ୍ୟତ ବିଷୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ଭିଭିଏସ ଲକ୍ଷ୍ମଣ ଗମ୍ଭୀରଙ୍କ ସ୍ଥାନ ନେଇ ଭାରତୀୟ ଟେଷ୍ଟ ଟିମ୍‌ର ପ୍ରଶିକ୍ଷକ ହୋଇପାରନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ବିସିସିଆଇ ଗମ୍ଭୀରଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ୨୦୨୭ ପର୍ଯ୍ୟନ୍ତ ସୁଯୋଗ ଦେବ ବୋଲି ଜଣାପଡ଼ିଛି।

ହ୍ୱାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ, ଦୁଇ କମାଣ୍ଡୋ ଆହତ

ହ୍ୱାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ, ଦୁଇ କମାଣ୍ଡୋ ଆହତ

ଆମେରିକା ହ୍ୱାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ ହୋଇଛି । ଏଥିରେ ୟୁଏସ ନ୍ୟାନାଲ ସିକ୍ୟୁରିଟି ଗାର୍ଡର ଦୁଇ ଜଣ କମାଣ୍ଡୋ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଗୁଳିମାଡ କରିଥିବା ବ୍ୟକ୍ତିକୁ ଗିରଫ କରାଯାଇଥିବା କିଛି ଭିଡିଓରେ ଦେଖିବାକୁ ମିଳିଛି । ଏନେଇ ଏଫବିଆଇ ନିର୍ଦ୍ଦେଶକ କାସ୍ ପଟେଲ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ସ୍ଥାନୀୟ ସମୟଟା୧୫ରେ ଏନଏସଜିଙ୍କ ଉପରେ ଗୁଳିମାଡ ହୋଇଥିଲା । ହ୍ୱାଇଟ୍ ହାଉସ୍ ନିକଟରେ ଘଟଣା ଘଟିଥିଲା । ଆକ୍ରମଣ କରିଥିବା ବ୍ୟକ୍ତି ହେଲେ ଆଫଗାନିସ୍ତାନର ରହମାନୁଲହା ଲକନଓ୍ୱାଲ । ସେ୨୦୨୧ରେ ଆମେରିକା ଆସିଥିଲା ।

ସ୍ଥାନୀୟ ପୋଲିସର କହିବାନୁସାରେ, ଗୋଟିଏ କୋଣରୁ ରହମାନୁଲାହ ହଠାତ ଗୁଳିମାଡ କରିଥିଲା । ଏନଏସଜି ଟିମ୍ କିଛି ବୁଝିବା ଆଗରୁ ଦୁଇ ଜଣଙ୍କ ଶରୀରରେ ଗୁଳି ବାଜିଥିଲା । ସେମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏଥିରେ ରହମାନୁଲାହ ଆହତ ହୋଇଥିଲା । ତାକୁ ହାତକଡି ପକାଯାଇ ଷ୍ଟ୍ରେଚରରେ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି ।

ତେବେ ଗୁଳି ବିନିମୟରେ ଦୁଇ ଜଣ ସନ୍ଦିଗ୍ଧ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବା ନିଜେ ଡୋନାଲ୍ଡଟ୍ରମ୍ପ ସୂଚନା ଦେଇଛନ୍ତି । ଘଟଣା ପରେ ଓ୍ୱାସିଂଟନରେ ଅତିରିକ୍ତ୫୦୦କମାଣ୍ଡୋଙ୍କୁ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ. ହ୍ୱାଇଟ୍ ହାଉସ ହେଉଛି ଆମେରିକାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆବାସ । ଏଠାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁହନ୍ତି । ଏଭଳି ଏସମ୍ବେଦନଶୀଳ ଅଞ୍ଚଳରେ ଗୁଳିମାଡ ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ,  ଏ ଗୃହକୁ କୋଟି କୋଟି ପ୍ରଣାମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ,   ଏ ଗୃହକୁ କୋଟି କୋଟି ପ୍ରଣାମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବିଧାନସଭା ପାଇଁ  ଆଜି ଥିଲା ଐତିହାସିକ ଦିନ ।  ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଘରବାହୁଡା ଭଳି ଲାଗୁଛି ।  ଦେଶର ଏକାଧିକ ବିଧାନସଭାକୁ ସମ୍ବୋଧନ କରିବାର ସୁଯୋଗ ପାଇଛି  ।   ଓଡିଶା କିନ୍ତୁ ଅନନ୍ୟ। ଗାଆଁ ରୁ ଆସିଥିଲି ସାଧାରଣ ଝିଅ ହୋଇ ।  ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ,  କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ।  ଏ ଗୃହକୁ କୋଟି କୋଟି ପ୍ରଣାମ।  ଓ ବିଧାୟକ ଭାବେ ପ୍ରଶ୍ନ ପଚାରିଛି,  ମନ୍ତ୍ରୀ ଭାବେ ଉତ୍ତର ଦେଇଛି ।   ଖୁସିର କଥା ହେଉଛି ଓଡିଶା ବିଧାନସଭା ପେପର ଲେସ୍ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଳ୍ପ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ  ନେଇଛନ୍ତି।  ଲକ୍ଷପତି ଦିଦି ପ୍ରସ୍ତୁତ କରିଛନ୍ତି ।  ଧାନ କିଣାରେ ସବସିଡି ଦେବା ଉତ୍ତମ ପଦକ୍ଷେପ ।

ବିଧାନସଭା ଗୃହରେ, ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେ କହିଛନ୍ତି,  ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ଆଚରଣ ଓ ଉଚ୍ଚାରଣ ଠିକ ରହିବା ଉଚିତ  ବୋଲି ପରାମର୍ଶ ଦେଇଛନ୍ତି ।   ବିଧାନସଭାରେ ଅଭିଭାଷଣ ରଖିବା ପରେ ରାଷ୍ଟ୍ରପତି ବିଧାନସଭାରେ ୧୧ ନମ୍ୱର ପ୍ରକୋଷ୍ଠକୁ ଯାଇଥିଲେ ।  ମନ୍ତ୍ରୀ ଥିବା ସମୟରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ ବସୁଥିଲେ । କିଛି ସମୟ ବସି ଏହି ପ୍ରକୋଷ୍ଠାରେ ସେ ନିଜର ପୁରୁଣା କଥାକୁ ତାଜା କରିଥିଲେ ।

ଅପରାହ୍ନରେ ରାଷ୍ଟ୍ରପତି ବିଧାସଭାରେ ପହଞ୍ଚିବା ପରେ ଗୃହରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଭିଭାଷଣ ରଖିଥିଲେ । ସବୁ ବିଧାୟକଙ୍କ ସହ ରାଷ୍ଟ୍ରପତି ଫଟୋ ଉଠାଇଥିଲେ ।

ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ , ଦୁଇ ଦିନ ଘନ କୁହୁଡ଼ି

ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ , ଦୁଇ ଦିନ ଘନ କୁହୁଡ଼ି

ରାଜ୍ୟରେ ପୁଣିଥରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ ଏବଂ କୋରାପୁଟ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬ ଡିଗ୍ରୀ କମ୍ ରେକର୍ଡ କରାଯାଇଛି। ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ କମ୍ ରହିଥିଲା। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍ ଥିବା ଲକ୍ଷ୍ୟ କରାଯାଇଛି।

ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ଗୁରୁବାର ଆରମ୍ଭ ହେଉଛି ବିଧାନସଭାର ଶୀଳକାଳୀନ ଅଧିବେଶନ । ତା ପୂର୍ବରୁ ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଏବଂ ବିଧାନସଭାରେ ଉଦବୋଧନ ଦେବା ନେଇ ଆଲୋଚନା ହୋଇଛି । ଏ ନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ଭାବେ ବିଧାସଭାରେ ସୁରୁଖୁରୁରେ ବିଭ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଜିରୋ ଆୱାର କେତେ ସମୟ ରହିବ, ସରକାରୀ ଦଳ କେତେ ସମୟ କହିବେ, ବିରୋଧୀ କେତେ ସମୟ କହିବେ ସେ ନେଇ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏ ନେଇ ବ୍ଲୁବୁକ୍ ଗାଇଡ଼ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବା ସହ ବ୍ୟାରିକେଡିଂ କରାଯାଇଛି ।

ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।  ଲୋୟର ପିଏମ୍‌ଜିରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସର୍ଭେଲାନ୍ସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।