ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧୁଆଁଧାର ପ୍ରଚାର

ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧୁଆଁଧାର ପ୍ରଚାର

ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଧୁଆଁଧାର ପ୍ରଚାର । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଶାଳ ରୋଡ୍ ଶୋ’ କରିଥିବା ବେଳେ ଏକ ସଭାକୁ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କୋମନା ବ୍ଲକରେ ତାଙ୍କ ପ୍ରଚାର କାର୍ଯ୍ୟକ୍ରମ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ରେ ହଜାର ହଜାର ସଂଖ୍ୟାରେ ଲୋକମାନେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପାଇଁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗାଡି ରାଲିରେ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ ଧ୍ବନୀରେ ଉଛୁଳି ପଡୁଥିଲା କୋମନା ।

କୋମନା ବ୍ଲକ ଉଦ୍ୟାନ ବନ୍ଧ ଭୀମରାଓ ଛକରୁ କୋମନା ବ୍ଲକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯାଇଥିଲେ । ବାଟରେ ସ୍ଥାନେ ସ୍ଥାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଉଥିବା ବେଳେ ମହିଳା ମାନେ ଫୁଲ ଚନ୍ଦନ ଦେଉଥିବା ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ରୋଡ୍ ଶୋ’ ପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ନିଶାନା ସାଧିଥିଲେ ।

କୋମନା ବ୍ଲକ ଉପରେ ସବୁ ଦଳର ନଜର ରହିଛି । ବିଜେପି, ବିଜେଡି ଓ କଂଗ୍ରେସର ତମାମ ବଡ ନେତା କୋମନାରେ ଡେରା ପକାଇଛନ୍ତି । ନୂଆପଡା ନିର୍ବାଚନ ମଣ୍ଡଳୀରେ କୋମନା ବ୍ଲକରେ ସବୁଠୁ ଅଧିକ ଭୋଟର ଅଛନ୍ତି । ମୋଟ ୨ ଲକ୍ଷ ୫୪ ହଜାର ଭୋଟରଙ୍କ ଭିତରୁ ପ୍ରାୟ ୧ ଲକ୍ଷ ୧୧ ହଜାର ଭୋଟର ଅଛନ୍ତି କୋମନା ବ୍ଲକରେ । ଆଗରୁ କୋମନାରେ ବିଜେଡି ବଡ ଭୋଟ ବ୍ୟାଙ୍କ ଥିଲା । କିନ୍ତୁ ଉପନିର୍ବାଚନରେ ବିଜେପି ଏହି ବିଜେଡି ଗଡକୁ ଭାଙ୍ଗିବାକୁ ପୁରା ଦମ୍ ଲଗାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାରର ପୁରା ଫୋକସ କରିଛନ୍ତି କୋମନା ବ୍ଲକରେ ।

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ – ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ – ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ

କ୍ବିନ୍ସଲାଣ୍ଡର କାରାରା ଓଭାଲ୍ସଠାରେ ଗୁରୁବାର ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ୪୮ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଏହି ୫ ଟିକିଆ ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଯାଇଛି ।  ଭାରତ ଦ୍ବାରା ରଖାଯାଇଥିବା ୧୬୮ରନର ଲକ୍ଷ୍ୟର ଜବାବରେ ଅଷ୍ଟ୍ରେଲିଆ ୧୮.୨ ଓଭରରେ ୧୧୯ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୩୦ ରନ କରିଥିବାବେଳେ ମାଥ୍ୟୁ ସର୍ଟ ୨୫ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ଭାରତ ପକ୍ଷରୁ ଓ୍ବାସିଂଟନ ସୁନ୍ଦର ୩ଟି ଓ୍ବିକେଟ ନେଇଥିବାବେଳେ ଅକ୍ଷର ପଟେଲ ଓ ଶିବମ ଦୁବେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତି ଓ ଯସପ୍ରୀତ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୧ ରନ କରି ଏକ ଭଲ ମୂଳଦୁଆ ପକାଇଥିଲେ । ଶର୍ମା ୨୮ ରନ ଓ ଗିଲ୍ ୪୬ ରନ କରିଥିଲେ । ସେହିପରି ଶିବମ ଦୁବେ ୨୨ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ କରିଥିଲେ । ମାତ୍ର ତିଳକ ବର୍ମା ଓ ଜିତେଶ ଶର୍ମା ଯଥାକ୍ରମେ ୫ ଓ ୩ ରନ କରି ବିଫଳ ହୋଇଥିଲେ । ତେବେ ଅକ୍ଷର ପଟେଲ ୧୧ଟି ବଲରୁ ୨୧ ରନ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ଓ ଆଡାମ ଜାମ୍ପା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।