କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ । ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ୍ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପିସିସି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

ରିପୋର୍ଟ ଅନୁସାରେ, କିଛି ଦିନ ତଳେ ମୋକିମ୍ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ,​​​​​​​ ୩ ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତ ଦାସଙ୍କୁ ୨୦୨୫ରେ ଦଳର ନେତୃତ୍ୱ ମିଳିଛି । ତାଙ୍କର ବ୍ୟକ୍ତିଗତ ବିଚାରଧାରା ଦଳୀୟ ନେତାଙ୍କ ଠାରୁ ପୂରା ଅଲଗା । ଜୟପ୍ରକାଶଙ୍କ ଆନ୍ଦୋଳନ ବେଳେ ସେ ଗାନ୍ଧୀ ପରିବାରକୁ ସମାଲୋଚନା କରିଥିଲେ । ସେ ଓ ତାଙ୍କ ପୁଅ କୋଶଳ ଆନ୍ଦୋଳନକୁ ସମର୍ଥନ କରିବା ଚିନ୍ତାଜନକ ।

ମୋକିମ୍ ଚିଠିରେ ଅସନ୍ତୋଷ ଝାଡି କହିଥିଲେ ଯେ, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ତାଙ୍କ ନେତୃତ୍ବରେ ୮୩ ହଜାର ଭୋଟରେ ହାରିଛି । ନୂଆପଡ଼ା ଭକ୍ତଙ୍କ ସଂସଦୀୟ କ୍ଷେତ୍ର ହୋଇଥିଲେ ବି ପ୍ରଦର୍ଶନ ନୈରାଶ୍ୟଜନକ । ନିଜ ସଂସଦୀୟ କ୍ଷେତ୍ର ତାଙ୍କୁ ବିଶ୍ବାସ କରୁନି, କର୍ମୀ ବିଶ୍ବାସ ନକରିବା ସ୍ବାଭାବିକ । ସେ ଓଡ଼ିଶାରେ କଂଗ୍ରେସକୁ ନେତୃତ୍ବ ଦେବା ଅସମ୍ଭବ ବ୍ୟାପାର । ଏହାସହ ମୋକିମ୍ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଆଜିର ଦିନରେ କଂଗ୍ରେସକୁ ପୁନର୍ଜୀବନ ଦରକାର । ପାରଦର୍ଶିତା ଓ ଯୋଗ୍ୟତା ଆଧାରରେ ନିଯୁକ୍ତି ସହ ଯୁବ ନେତୃତ୍ବ ଦରକାର ବୋଲି ଚିଠିରେ ମୋକିମ୍ ଉଲ୍ଲେଖ କରିଥିଲେ ।

ତେବେ ମୋକିମଙ୍କ ଚିଠି ପରେ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା । ଯାହାର ପ୍ରତିକ୍ରିୟା ନିଜେ ରଖିଥିଲେ ପିସିସି ସଭାପତି ଭକ୍ତ । ଯେଉଁମାନେ ବିଜେପି ସହ ସଂସ୍ପର୍ଶରେ ଅଛନ୍ତି ସେମାନେ ଦଳ ଛାଡିଯାଆନ୍ତୁ ବୋଲି ଭକ୍ତ କହିଥିଲେ । ତେବେ ଭକ୍ତଙ୍କ ବୟାନର ଗାଟିଏ ଦିନ ମଧ୍ୟରେ ମୋକିମଙ୍କୁ ବହିଷ୍କାର କରାଯାଇଛି ।

ଫେବୃଆରୀ 12 ରେ ବାଂଲାଦେଶ ନିର୍ବାଚନ , ଲଢିପାରିବେନି ଆୱାମୀ ଲିଗ୍

ବାଂଲାଦେଶରେ ଗତ ବର୍ଷ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଓ କ୍ଷମତା ପରିବର୍ତ୍ତନ ପରେ, ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ବାଂଲାଦେଶର ମୁଖ୍ୟ ନିର୍ବାଚନ କମିସନର, ଏଏମଏମ ନାସିରୁଦ୍ଦିନ, ଗୁରୁବାର (ଡିସେମ୍ବର ୧୧, ୨୦୨୫) ଘୋଷଣା କରିଛନ୍ତି ଯେ ୧୩ତମ ଜାତୀୟ ବିଧାନସଭା ନିର୍ବାଚନ ଫେବୃଆରୀ ୧୨, ୨୦୨୫ରେ ଅନୁଷ୍ଠିତ ହେବ। ଏହା ବାଂଲାଦେଶରେ ମହମ୍ମଦ ୟୁନୁସ ସରକାରଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ସମ୍ପର୍କରେ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି। ଛାତ୍ର ନେତୃତ୍ୱାଧୀନ ହିଂସାତ୍ମକ ଆନ୍ଦୋଳନ ପରେ ଅଗଷ୍ଟ ୨୦୨୪ରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାରୁ ବହିଷ୍କାର କରାଯିବା ପରେ ଏହା ପ୍ରଥମ ନିର୍ବାଚନ ହେବ। ଗତ ବର୍ଷଠାରୁ ଶେଖ ହସିନା ଏବେ ଭାରତରେ ଆଶ୍ରୟ ନେଇଛନ୍ତି । ତେବେ ଶେଖ ହସିନାଙ୍କ ଦଳ, ଆୱାମୀ ଲିଗ୍, ବାଂଲାଦେଶ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରିପାରିବ ନାହିଁ। ବାଂଲାଦେଶରେ ଆୱାମୀ ଲିଗ ଉପରେ କଟକଣା ଲଗାଯାଇଛି। ଫଳସ୍ୱରୂପ, ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଦଳ, ବିଏନପି ଏବଂ ମୌଳବାଦୀ ସଂଗଠନ ଜମାତ-ଏ-ବାଂଲାଦେଶ ମଧ୍ୟରେ ମୁଖ୍ୟ ପ୍ରତିଯୋଗିତା ହେବାର ଆଶା କରାଯାଉଛି। ନିର୍ବାଚନ କମିସନଙ୍କ ଅନୁଯାୟୀ, ଭୋଟ୍ ପାଇଁ ପ୍ରସ୍ତୁତି ପ୍ରାୟ ସମ୍ପୂର୍ଣ୍ଣ ହୋଇଥିଲା, କେବଳ କାର୍ଯ୍ୟସୂଚୀ ବାକି ଥିଲା।
ବାଂଲାଦେଶର ମୁଖ୍ୟ ନିର୍ବାଚନ କମିସନରଙ୍କ ଅନୁଯାୟୀ, ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଡିସେମ୍ବର ୨୯, ୨୦୨୫ ଏବଂ ପ୍ରତ୍ୟାହାରର ଶେଷ ତାରିଖ ଜାନୁଆରୀ ୨୦, ୨୦୨6। ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ଜାନୁଆରୀ ୨୧ରେ ପ୍ରକାଶିତ ହେବ। ପ୍ରଚାର ଜାନୁଆରୀ ୨୨ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ସକାଳ ୭:୩୦ ପର୍ଯ୍ୟନ୍ତ ଚାଲିବ।

୯ ରେ ଲୋକସଭାରେ ନିର୍ବାଚନ ସଂସ୍କାର ଓ ଏସଆଇଆର ସମ୍ପର୍କିତ ଭୋଟ ଚୋରି ଆରୋପ ଉପରେ ଚର୍ଚ୍ଚା ହେବ

୯ ରେ ଲୋକସଭାରେ ନିର୍ବାଚନ ସଂସ୍କାର ଓ ଏସଆଇଆର ସମ୍ପର୍କିତ ଭୋଟ ଚୋରି ଆରୋପ ଉପରେ ଚର୍ଚ୍ଚା ହେବ

ସଂସଦର ଶୀତକାଳୀନ ଅଧିବେଶନରେ ଡିସେମ୍ବର ୯ ତାରିଖ ମଙ୍ଗଳବାର ଲୋକସଭାରେ ନିର୍ବାଚନ ସଂସ୍କାର ଓ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (ଏସଆଇଆର) ସମ୍ପର୍କିତ ଭୋଟ ଚୋରି ଆରୋପ ଉପରେ ଚର୍ଚ୍ଚା ହେବ। ଏଥି ପାଇଁ ୧୦ ଘଣ୍ଟା ସମୟ ଦିଆଯାଇଛି। ଏହି ଚର୍ଚ୍ଚା ଲାଗି କଂଗ୍ରେସର ୧୦ ଜଣ ବକ୍ତାଙ୍କ ତାଲିକା (ଟେଣ୍ଟେଟିଭ) ସାମ୍ନାକୁ ଆସିଛି। ଏହି ବିତର୍କରେ ବିରୋଧୀ ଦଳ ନେତା ଭାବେ ରହୁଲ ଗାନ୍ଧି ଅଂଶଗ୍ରହଣ କରିବେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘବାଲ ଡିସେମ୍ବର ୧୦ ତାରିଖରେ ଏହାର ଜବାବ ଦେବେ।

ବିତର୍କରେ ଏସଆଇଆର ପ୍ରକ୍ରିୟାରେ ଭୋଟ ଚୋରି ଅଭିଯୋଗ, ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଓ ବ୍ୟାପକ ନିର୍ବାଚନ ସଂସ୍କାର ଉପରେ ଖାସ ଫୋକସ ରହିବ। କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଏହାକୁ ଜାତୀୟ ସଂକଟ ବୋଲି କହିଛନ୍ତି। ଚର୍ଚ୍ଚା ଲାଗି ମୋଟ ୧୦ ଘଣ୍ଟା ସମୟ ନିର୍ଦ୍ଧାରିତ ହୋଇଛି। ଏଥିରେ ଶାସକ ଓ ବିରୋଧୀଙ୍କୁ ସମାନ ସମାନ ସମୟ ମିଳିବ। ବିଜନେସ୍ ଆଡଭାଇଜରୀ କାଉନସିଲ (ବିଏସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ନିର୍ବାଚନ ସୁଧାର ଓ ଭୋଟ ଚୋରିକୁ ନେଇ ଚର୍ଚ୍ଚା ଲାଗି କଂଗ୍ରେସ ସାଂସଦଙ୍କୁ ୮ରୁ ୧୦ ଡିସେମ୍ବର ପର୍ଯ୍ୟନ୍ତ ସଦନରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଏସଆଇଆର ପ୍ରସଙ୍ଗରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ଏହି ଚର୍ଚ୍ଚାରେ କଂଗ୍ରେସ ପକ୍ଷରୁ ଯେଉଁ ସମ୍ଭାବିତ ତାଲିକା ଜାରି କରାଯାଇଛି ସେଥିରେ କେ.ସି.ବେଣୁଗୋପାଲ, ମନିଷ ତିୱାରୀ, ବର୍ଷା ଗାୟକୱାଡ, ମହମ୍ମଦ ଜାଭେଦ, ଉଜ୍ଜ୍ୱଲ ରମଣ ସିଂହ, ଈସା ଖାନ, ରବି ମଲ୍ଲୁ, ଇମ୍ରାନ ମସୁଦ, ଗୋୱାଲ ପଦବୀ ଓ ଜ୍ୟୋତିମଣିଙ୍କ ନାମ ଦିଆଯାଇଛି।

ଭାରତ ଗସ୍ତରେ ଆସୁଥିବା ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳ ନେତାଙ୍କୁ ସରକାର ଦୂରେଇ ରଖୁଛନ୍ତି – ରାହୁଲ

ଭାରତ ଗସ୍ତରେ ଆସୁଥିବା ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳ ନେତାଙ୍କୁ ସରକାର ଦୂରେଇ ରଖୁଛନ୍ତି – ରାହୁଲ

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବାବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ସରକାରଙ୍କ ବିରୋଧରେ ବଡ ଅଭିଯୋଗ ଉଠାଇଛନ୍ତି। ଗୁରୁବାର ରାହୁଲ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ପୁରୁଣା ପରମ୍ପରା ସବୁକୁ ଭାଙ୍ଗିଦେଉଛନ୍ତି। କାରଣ ଭାରତ ଗସ୍ତରେ ଆସୁଥିବା ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳ ନେତାଙ୍କୁ ସରକାର ଦୂରେଇ ରଖୁଛନ୍ତି। ପୁଟିନ ଭାରତ ଗସ୍ତରେ ଆସିଥିବାବେଳେ ତାଙ୍କ ସହ ବିରୋଧୀ ନେତାମାନଙ୍କ ବୈଠକ ପାଇଁ ସରକାର କୌଣସି କାର୍ଯ୍ୟସୂଚୀ ରଖିନଥିବା ସେ କହିଛନ୍ତି। ଅତୀତର ସରକାର ବିଦେଶରୁ ଆସୁଥିବା ପ୍ରତିନିଧିଙ୍କ ସହିତ ବିରୋଧୀ ନେତାଙ୍କ ସାକ୍ଷାତ୍‌ର କାର୍ଯ୍ୟକ୍ରମ ରଖୁଥିଲେ। ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ସରକାର ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ ଥିଲା। ଏବେ କିନ୍ତୁ ସରକାର ବିରୋଧୀ ଦଳ ନେତାଙ୍କୁ ବିଦେଶୀ ପ୍ରତିନିଧିଙ୍କୁ ଭେଟିବାର ସୁଯୋଗ ଦେଉ ନାହାନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ରାହୁଲଙ୍କ ଏପରି ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବିଦେଶରୁ ଆସୁଥିବା ପ୍ରତିନିଧିମାନେ କାହାକୁ ଭେଟିବେ। କାହା ସହିତ କ’ଣ ଆଲୋଚନା କରିବେ ତାହା ସେମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ଏଥିରେ ଭାରତ ସରକାରଙ୍କ କୌଣସି ହସ୍ତକ୍ଷେପ ନାହିଁ। ବିଦେଶୀ ପ୍ରତିନିଧି ବିରୋଧୀ ଦଳ ନେତାଙ୍କୁ ଭେଟିବେ କି ନାହିଁ ତାହା ସେମାନଙ୍କ ନିଷ୍ପତ୍ତି। ରାହୁଲ ଗାନ୍ଧୀ ୨୦୨୪ ଜୁନ୍ ୯ରେ ଲୋକସଭା ବିରୋଧୀ ଦଳ ନେତା ହୋଇଥିଲେ। ଏହା ପରଦିନ ଜୁନ୍ ୧୦ରେ ରାହୁଲଙ୍କୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭେଟିଥିଲେ। ୨୦୨୪ ଅଗଷ୍ଟ ୨୧ରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ, ୨୦୨୫ ସେପ୍ଟେମ୍ବର ୧୬ରେ ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ, ୨୦୨୫ ମାର୍ଚ୍ଚ ୮ରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲୁକ୍ସନ ତାଙ୍କର ଭାରତ ଗସ୍ତ କାଳରେ ରାହୁଲଙ୍କୁ ଭେଟିଥିଲେ। ତେଣୁ ବିଦେଶୀ ପ୍ରତିନିଧିଙ୍କୁ ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ଦିଆଯାଉ ନାହିଁ ବୋଲି ରାହୁଲଙ୍କ ଅଭିଯୋଗ ଭୁଲ୍ ବୋଲି ସରକାର କହିଛନ୍ତି।

ସଞ୍ଚାର ସାଥୀ ଆପ୍‌କୁ ଗୁପ୍ତଚର ଆପ୍ କହିଲେ – ପ୍ରିୟଙ୍କା ଗାନ୍ଧୀ

ସଞ୍ଚାର ସାଥୀ ଆପ୍‌କୁ ଗୁପ୍ତଚର ଆପ୍ କହିଲେ – ପ୍ରିୟଙ୍କା ଗାନ୍ଧୀ

ସରକାର ସମସ୍ତ ମୋବାଇଲ୍‌ ଫୋନ୍‌ରେ ସାଇବର ସୁରକ୍ଷା ଦୃଷ୍ଟିରୁ ସଞ୍ଚାର ସାଥୀ ଆପ୍‌ ଇନଷ୍ଟଲ୍‌ କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ମାତ୍ର ଏହାର ବିରୋଧ ଆରମ୍ଭ ହେଲାଣି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏହାକୁ ଗୁପ୍ତଚର ଆପ୍‌ ବୋଲି କହିଛନ୍ତି ।

ପ୍ରିୟଙ୍କା ଗାନ୍ଧୀଙ୍କ ଗୁପ୍ତଚର ସନ୍ଦେହ କେତେ ସତ୍ୟ? ସରକାର ପ୍ରତ୍ୟେକ ମୋବାଇଲ୍ ଫୋନ୍ ପାଇଁ ସଞ୍ଚାର ସାଥୀବାଧ୍ୟତାମୂଳକ କରିଛନ୍ତି; ଏହା ଓଟିପି OTP ପଢ଼ିପାରିବ ଏବଂ ସମସ୍ତ ବାର୍ତ୍ତାଳାପ ବିଷୟରେ ଜାଣିପାରିବ ।

ଆପଣଙ୍କ ଲୋକେସନ୍ ଟ୍ରାକ୍ କରିପାରିବେ ଏବଂ ଆପଣଙ୍କ ଫୋନରେ ସଂରକ୍ଷିତ ଫଟୋ ଏବଂ ଭିଡିଓ ଦେଖିପାରିବେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ସଞ୍ଚାର ସାଥୀ ମୋବାଇଲ୍ ଆପ୍ ସହିତ ଏପରି କିଛି ଘଟିପାରେ ସରକାର ପ୍ରତ୍ୟେକ ମୋବାଇଲ୍ ଫୋନ୍‌ରେ ଏହାକୁ ସଂସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପଦକ୍ଷେପ ଲୋକଙ୍କ ଗୋପନୀୟତା ଉପରେ ସିଧାସଳଖ ଆକ୍ରମଣ ବୋଲି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଏହା ଏକ ଗୁପ୍ତଚର ଆପ୍। ସରକାର ପ୍ରତ୍ୟେକ ନାଗରିକଙ୍କୁ ନଜର ରଖିବାକୁ ଚାହାଁନ୍ତି ।

, ଆମେ ଜାଣିବା ଯେ ସଞ୍ଚାର ସାଥୀ ମୋବାଇଲ୍ ଆପ୍ କ’ଣ, ଏହାକୁ କାହିଁକି ବିରୋଧ କରାଯାଉଛି? ଏହାକୁ ଗୁପ୍ତଚର ପାଇଁ ବ୍ୟବହାର କରାଯାଇପାରିବ କି, ଏବଂ ଏହା ଲୋକଙ୍କ ଗୋପନୀୟତା ଉପରେ ଆକ୍ରମଣ କି?

ପ୍ରଶ୍ନ ୧ : ସଞ୍ଚାର ସାଥୀ ମୋବାଇଲ୍ ଆପ୍ କ’ଣ? ଏହା କିପରି ଲାଭଦାୟକ?

ଉତ୍ତର: ଏହା କେନ୍ଦ୍ର ସରକାରଙ୍କ ଏକ ଡିଜିଟାଲ୍ ସୁରକ୍ଷା କାର୍ଯ୍ୟକ୍ରମ । ଜାନୁଆରୀ ୧୭, ୨୦୨୫ ରେ ଏହାକୁ ଲଞ୍ଚ୍‌ କରାଯାଇଥିଲା। ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ। ସଞ୍ଚାର ସାଥୀ ଆପ୍‌ ୱେବସାଇଟରେ ମଧ୍ୟ ଉପଲବ୍ଧ। ଏହା ଜନସାଧାରଣଙ୍କୁ ବିଭିନ୍ନ ବୈଶିଷ୍ଟ୍ୟ ପ୍ରଦାନ କରେ, …

ବ୍ୟବହାରକାରୀମାନେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଫୋନ୍ ନମ୍ବର ଅବରୋଧ କରିପାରିବେ।

ଡିଭାଇସ୍ ନକଲି କି ଅସଲି ତାହା ନିର୍ଣ୍ଣୟ କରିବା ପାଇଁ ଆପଣ ଆଇଏମ୍‌ଇଆଇ IMEI ଯାଞ୍ଚ କରିପାରିବେ।

କାହା ନାମରେ କେତେ ମୋବାଇଲ୍ ନମ୍ବର ସକ୍ରିୟ ଅଛି ତାହା ଦେଖିପାରିବେ।

ଏହି ଆପ୍ ମାଧ୍ୟମରେ ସନ୍ଦେହଜନକ କଲ୍ କିମ୍ବା ମେସେଜ୍ ମଧ୍ୟ ରିପୋର୍ଟ କରାଯାଇପାରିବ।

ସରକାରଙ୍କ ଅନୁଯାୟୀ, ଏହି ପଦକ୍ଷେପ ପଛରେ ମୁଖ୍ୟ କାରଣ ହେଉଛି ସାଇବର ଠକେଇକୁ ରୋକିବା।

ପ୍ରଶ୍ନ ୨: ଯୋଗାଯୋଗ ଆପ୍ କାହିଁକି ବିରୋଧର ସମ୍ମୁଖୀନ ହେଉଛି? ଏହା ମୋ ଫୋନରେ କେଉଁ ଡାଟା ଜାଣି ପାରିବ?

ଉତ୍ତର: ” , ସରକାରଙ୍କ ସାଇବର ସୁରକ୍ଷା ଆପ୍, ‘ସଞ୍ଚାର ସାଥୀ’ ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ ଏହା ପୂର୍ବରୁ ସଂସ୍ଥାପିତ ହେବ। ସମସ୍ତ କମ୍ପାନୀ ଏହାକୁ ୯୦ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେବେ। ଏହାକୁ ଅକ୍ଷମ କରାଯାଇପାରିବ ନାହିଁ।” ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

କିଛି ବିଶେଷଜ୍ଞ ସୋସିଆଲ ମିଡିଆରେ ଆପ୍ ର ଅନୁମତି ତାଲିକାର ସ୍କ୍ରିନସଟ୍ ପୋଷ୍ଟ କରିଥିଲେ। ଏଥିରେ ଦର୍ଶାଯାଇଥିଲା ଏହି ଆପ୍ କ୍ୟାମେରା, ମାଇକ୍ରୋଫୋନ୍, କୀବୋର୍ଡ, ମେସେଜ୍, କଲ୍ ଲଗ୍ ଏବଂ ସ୍ଥାନ ପାଇଁ ଅନୁମତି ଅନୁରୋଧ କରେ, ଯାହାକୁ ବ୍ୟବହାରକାରୀମାନେ ବନ୍ଦ କରିପାରିବେ ନାହିଁ।

ପରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି। “ମୋଦୀ ସରକାରଙ୍କ ଏହି ପଦକ୍ଷେପ ଗୋପନୀୟତା ଏବଂ ସ୍ୱାଧୀନତାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛନ୍ତି ବୋଲି କଂଗ୍ରେସ ନେତା କେ.ସି. ଭେନୁଗୋପାଳ କହିଛନ୍ତି,।”

“ଏହି ପଦକ୍ଷେପ ଲୋକଙ୍କ ଗୋପନୀୟତା ଉପରେ ସିଧାସଳଖ ଆକ୍ରମଣ। ଏହା ଏକ ଗୁପ୍ତଚର ଆପ୍। ସରକାର ପ୍ରତ୍ୟେକ ନାଗରିକଙ୍କୁ ନଜର ରଖିବାକୁ ଚାହାଁନ୍ତି ବୋଲି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି,।”

କଂଗ୍ରେସ ନେତା ଜୟରାମ ରମେଶ ଏହାକୁ ଡିଜିଟାଲ୍ ଏକଛତ୍ରବାଦର ନୂତନ ଚେହେରା ବୋଲି କହିଛନ୍ତି। ଏହି ସମୟରେ, ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି, “ସରକାର ଠକେଇ ରୋକିବା ନାମରେ ପ୍ରତ୍ୟେକ କଲ୍ ଶୁଣିବାକୁ ଚାହାଁନ୍ତି।”

ପ୍ରଶ୍ନ ୩: କ’ଣ ଏହି ଆପ୍ ମୋ ଉପରେ ନଜର ରଖିପାରିବ କିମ୍ବା ଗୁପ୍ତଚର କରିପାରିବ?

ଉତ୍ତର: ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ସମ୍ଭବ। ସଞ୍ଚାର ସାଥୀ ଆପ୍ ପାଇଁ ଫୋନର ଅନେକ ଆକ୍ସେସ୍ ଆବଶ୍ୟକ, କେବଳ IMEI ଯାଞ୍ଚ କରିବା ଅପେକ୍ଷା। ଏହା ସେହି ସ୍ଥାନର ସର୍ଭର ବିଷୟରେ ଜାଣିପାରିବ ।

ଗୁଗୁଲ୍ ଏବଂ ଆପଲ୍ ଆପ୍ ଷ୍ଟୋର ତାଲିକା ଦର୍ଶାଉଛି ଯେ ଏହା କ୍ୟାମେରା, ମାଇକ୍ରୋଫୋନ୍, କି-ବୋର୍ଡ, ମେସେଜ୍, କଲ୍ ଲଗ୍ ଏବଂ ଲୋକେସନ୍‌ର ଆକ୍ସସ୍‌ ମାଗିଥାଏ । ଏହାର ଅର୍ଥ ହେଉଛି ଆପଣଙ୍କର ବ୍ୟକ୍ତିଗତ ମେସେଜ୍ ଏବଂ ବ୍ୟାଙ୍କ ଓଟିପି ଏହି ଆପ୍‌ ପଢ଼ିପାରିବ। ଆପଣଙ୍କୁ ଶୁଣିପାରିବେ।
ସର୍ଭର: ଯେତେବେଳେ ଆପ୍ ଆଇଏମ୍‌ଇଆଇI ଯାଞ୍ଚ କରେ, ଠକେଇ ରିପୋର୍ଟ କରେ କିମ୍ବା ସ୍ଥାନ ସେୟାର କରେ, ସମସ୍ତ ଡାଟା ଡଟ୍‌ର କେନ୍ଦ୍ରୀୟ ସର୍ଭରରେ ସଂରକ୍ଷିତ ହୋଇଥଆଏ। ଏହି ଡାଟା “ଆଇନ ଦ୍ୱାରା ଆବଶ୍ୟକ ହେଲେ” ସେୟାର କରାଯାଇପାରିବ। ଏହାର ଅର୍ଥ ହେଉଛି ପୋଲିସ, ସିବିଆଇ କିମ୍ବା ରାଜ୍ୟ ସରକାର ଏହାକୁ ଆକ୍ସେସ୍ କରିପାରିବେ।

ପ୍ରଶ୍ନ ୪: ଆପ୍ ଦ୍ୱାରା ସଂଗୃହିତ ଡାଟା କେତେ ସମୟ ପାଇଁ ରଖାଯାଏ?

ଉତ୍ତର: ସଞ୍ଚାର ସାଥୀର ଗୋପନୀୟତା ନୀତିରେ କୁହାଯାଇଛି ଯେ ତଥ୍ୟ “ସୁରକ୍ଷିତ ରଖାଯିବ” ଏବଂ “ଆଇନଗତ ଆବଶ୍ୟକତା ଅନୁଯାୟୀ ସେୟାର କରାଯିବ”, କିନ୍ତୁ ଏହାକୁ କେତେ ସମୟ ପାଇଁ ସଂରକ୍ଷଣ କରାଯିବ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ବିଶେଷଜ୍ଞମାନେ ମତରେ ଏହା ଗୋପନୀୟତା ବିପଦକୁ ବୃଦ୍ଧି କରିପାରେ।

ପ୍ରଶ୍ନ ୫: ଆପ୍ ବିନା ଚଲାଇପାରିବ କି କୌଣସି ଅନୁମତି ଅଛି କି?

ଉତ୍ତର: ସଞ୍ଚାର ସାଥୀ ଆପ୍‌ର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଉଛି ଆଇଏମ୍‌ଇଆଇ ଯାଞ୍ଚ, ହଜିଯାଇଥିବା ଫୋନ୍ ରିପୋର୍ଟିଂ, ଠକେଇ କଲ୍/ଏସ୍‌ଏମ୍‌ଏସ୍‌ ରିପୋର୍ଟିଂ ଏବଂ ସିମ୍‌ SIM ଯାଞ୍ଚ। ଏହି ଅନୁମତିଗୁଡ଼ିକ ମୁଖ୍ୟତଃ ଡିଭାଇସ୍ ଚିହ୍ନଟକାରୀ ), ଫୋନ୍ ସ୍ଥିତି ), ଲୋକେସନ୍‌ (ଟ୍ରାକିଂ), ଏବଂ ନେଟୱାର୍କ ଆକ୍ସେସ୍।

ତଥାପି, ଆପ୍‌ର ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ ଏବଂ ଆପଲ୍‌ ଆପ୍‌ ଷ୍ଟୋର୍‌ ତାଲିକା ଅନୁଯାୟୀ, ଏହା କ୍ୟାମେରା, ମାଇକ୍, ଷ୍ଟୋରେଜ୍ ଏବଂ କୀବୋର୍ଡ ର ଆକ୍ସେସ୍‌ ମାଗିଥାଏ ।

ପ୍ରଶ୍ନ ୬ :ଏଥଇରେ ପୂର୍ବରୁ ଗୁପ୍ତଚରୀ ମାମଲା ହୋଇଛି?

ଉତ୍ତର: ପୂର୍ବରୁ ପେଗାସସ୍ ସ୍ପାଏୱେର୍ ମାମଲା ୨୦୨୩ରେ ଘଟିଥିଲା। ଏହା ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ର ଏକ ଉପକରଣ ଥିଲା। ଏହା ଫୋନ୍ ଭିତରକୁ ପଶି ମେସେଜ୍, କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆକ୍ସେସ୍‌ କରିଥିଲା। ଅଭିଯୋଗ ଥିଲା ଭାରତ ସରକାର ସାମ୍ବାଦିକମାନଙ୍କୁ ଟାର୍ଗେଟ କରିବା ପାଇଁ ଅତ୍ୟନ୍ତ ବିପଜ୍ଜନକ ପେଗାସସ୍ ସ୍ପାଏୱାୟାର ବ୍ୟବହାର କରିଥିଲେ।

ଆମନେଷ୍ଟି ଇଣ୍ଟରନ୍ୟାସନାଲ୍ ଏବଂ ଦି ୱାଶିଂଟନ୍ ପୋଷ୍ଟ ଦ୍ୱାରା ନ ତଦନ୍ତରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଏହି ସ୍ପାଏୱାୟାର ମେସେଜ୍ ଏବଂ ଇମେଲ୍ ପଢ଼ିପାରିବ, ଫଟୋ ଦେଖିପାରିବ, କଲ୍ ଶୁଣିପାରିବ, ଲୋକେସନ୍‌ ଟ୍ରାକ୍ କରିପାରିବ, ଏବଂ କ୍ୟାମେରା ଚାଲୁ କରି ଭିଡିଓ ରେକର୍ଡ ମଧ୍ୟ କରିପାରିବ।

ତଥାପି, ପେଗାସସ୍ ଏକ ସ୍ପାଏୱାୟାର ଥିଲା ଯାହା ଫୋନରେ ନୀରବରେ ତାହାର କାମ କରୁଥିଲା । ସରକାରଙ୍କ ସଞ୍ଚାର ସାଥୀ ଆପ୍ ଡିଜିଟାଲ୍ ସେଫ୍ଟି ପ୍ରୋଜେକ୍ଟର ଏକ ଅଂଶ। ଏହା ଫୋନରେ ପୂର୍ବରୁ ସଂସ୍ଥାପିତ ହୋଇଥାଏ। ବର୍ତ୍ତମାନ, ଏହାକୁ ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ।

ଅର୍ଥାତ୍, ଏହା ସ୍ପାଏୱାୟାର ନୁହେଁ। ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ସରକାର ଏହାକୁ ପ୍ରଚଳନ କରିଛନ୍ତି। ତଥାପି, ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ଏହାକୁ ସ୍ପାଏୱାୟାର ଭାବରେ ବ୍ୟବହାର କରାଯାଇପାରିବ।

ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ,  ଏ ଗୃହକୁ କୋଟି କୋଟି ପ୍ରଣାମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ,   ଏ ଗୃହକୁ କୋଟି କୋଟି ପ୍ରଣାମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବିଧାନସଭା ପାଇଁ  ଆଜି ଥିଲା ଐତିହାସିକ ଦିନ ।  ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଘରବାହୁଡା ଭଳି ଲାଗୁଛି ।  ଦେଶର ଏକାଧିକ ବିଧାନସଭାକୁ ସମ୍ବୋଧନ କରିବାର ସୁଯୋଗ ପାଇଛି  ।   ଓଡିଶା କିନ୍ତୁ ଅନନ୍ୟ। ଗାଆଁ ରୁ ଆସିଥିଲି ସାଧାରଣ ଝିଅ ହୋଇ ।  ଏ ଗୃହ ମତେ ସବୁ ଶିଖେଇଛି । ବିଷୟ ଉପସ୍ଥାପନ,  କଥା କହିବା ଏ ଗୃହ ଶିଖେଇଥିଲା । ଆଜି ମୁଁ ଯାହା ହୋଇଛି ଏ ଗୃହ ପାଇଁ ।  ଏ ଗୃହକୁ କୋଟି କୋଟି ପ୍ରଣାମ।  ଓ ବିଧାୟକ ଭାବେ ପ୍ରଶ୍ନ ପଚାରିଛି,  ମନ୍ତ୍ରୀ ଭାବେ ଉତ୍ତର ଦେଇଛି ।   ଖୁସିର କଥା ହେଉଛି ଓଡିଶା ବିଧାନସଭା ପେପର ଲେସ୍ ହୋଇଛି ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଳ୍ପ ଦିନରେ ଅନେକ କାର୍ଯ୍ୟକ୍ରମ ହାତକୁ  ନେଇଛନ୍ତି।  ଲକ୍ଷପତି ଦିଦି ପ୍ରସ୍ତୁତ କରିଛନ୍ତି ।  ଧାନ କିଣାରେ ସବସିଡି ଦେବା ଉତ୍ତମ ପଦକ୍ଷେପ ।

ବିଧାନସଭା ଗୃହରେ, ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ସେ କହିଛନ୍ତି,  ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ଆଚରଣ ଓ ଉଚ୍ଚାରଣ ଠିକ ରହିବା ଉଚିତ  ବୋଲି ପରାମର୍ଶ ଦେଇଛନ୍ତି ।   ବିଧାନସଭାରେ ଅଭିଭାଷଣ ରଖିବା ପରେ ରାଷ୍ଟ୍ରପତି ବିଧାନସଭାରେ ୧୧ ନମ୍ୱର ପ୍ରକୋଷ୍ଠକୁ ଯାଇଥିଲେ ।  ମନ୍ତ୍ରୀ ଥିବା ସମୟରେ ରାଷ୍ଟ୍ରପତି ଏହି ପ୍ରକୋଷ୍ଠରେ ବସୁଥିଲେ । କିଛି ସମୟ ବସି ଏହି ପ୍ରକୋଷ୍ଠାରେ ସେ ନିଜର ପୁରୁଣା କଥାକୁ ତାଜା କରିଥିଲେ ।

ଅପରାହ୍ନରେ ରାଷ୍ଟ୍ରପତି ବିଧାସଭାରେ ପହଞ୍ଚିବା ପରେ ଗୃହରେ ସମ୍ୱର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ସମ୍ବୋଧନ ପୂର୍ବରୁ ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଭିଭାଷଣ ରଖିଥିଲେ । ସବୁ ବିଧାୟକଙ୍କ ସହ ରାଷ୍ଟ୍ରପତି ଫଟୋ ଉଠାଇଥିଲେ ।

ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ

ଗୁରୁବାର ଆରମ୍ଭ ହେଉଛି ବିଧାନସଭାର ଶୀଳକାଳୀନ ଅଧିବେଶନ । ତା ପୂର୍ବରୁ ବିଧାନସଭା ସୁରୁଖୁରୁରେ ଚଳାଇବାକୁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ଏବଂ ବିଧାନସଭାରେ ଉଦବୋଧନ ଦେବା ନେଇ ଆଲୋଚନା ହୋଇଛି । ଏ ନେଇ ବିଧାନସଭା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କିଭଳି ଭାବେ ବିଧାସଭାରେ ସୁରୁଖୁରୁରେ ବିଭ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଜିରୋ ଆୱାର କେତେ ସମୟ ରହିବ, ସରକାରୀ ଦଳ କେତେ ସମୟ କହିବେ, ବିରୋଧୀ କେତେ ସମୟ କହିବେ ସେ ନେଇ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏ ନେଇ ବ୍ଲୁବୁକ୍ ଗାଇଡ଼ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ । ଏଥିପାଇଁ ୩୩ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବାବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ୫ଟି ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବା ସହ ବ୍ୟାରିକେଡିଂ କରାଯାଇଛି ।

ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା ।  ଲୋୟର ପିଏମ୍‌ଜିରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସର୍ଭେଲାନ୍ସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୂର୍ଣ୍ଣ ପୋଲିସ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।

ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି

ଭାରତର ୫୩ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି

ଭାରତର ୫୩ତମ ପ୍ରଧାନ ବିଚାରପତି (ସି​‌େ​‌ଜଆଇ) ଭାବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଛନ୍ତି ।

୧୯୬୨ ଫେବୃଆରୀ ୧୦ରେ ହରିୟାଣାର ହିସାରରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ସୂର୍ଯକାନ୍ତ ୧୯୮୧ରେ ହିସାରର ସରକାରୀ ପୋଷ୍ଟଗ୍ରାଜୁଏଟ୍ କଲେଜରୁ ସ୍ନାତକ ଡିଗ୍ରୀ ଓ ୧୯୮୪ରେ ରୋହତକର ମହର୍ଷି ଦୟାନନ୍ଦ ୟୁନିଭର୍ସିଟିରୁ ଆଇନରେ ସ୍ନାତକ ଡିଗ୍ରୀ ପାସ୍ କରିଥିଲେ। ୨୦୧୧ରେ ସେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟର ଡାଇରେକ୍ଟୋରେଟ୍ ଅଫ୍ ଡିଷ୍ଟାନ୍ସ ଏଜୁକେସନରୁ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ୧୯୮୫ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଆଇନ ଅଭ୍ୟାସ କରିବାକୁ ଚଣ୍ଡିଗଡ ଚାଲିଆସିଥିଲେ। ଏହି ସମୟରେ ସେ ବିଭିନ୍ନ ବିଶ୍ବବିଦ୍ୟାଳୟ, ବୋର୍ଡ, କର୍ପୋରେସନ, ବ୍ୟାଙ୍କର ଆଇନ ଅଧିକାରୀ ଭାବେ ପ୍ରତିନିଧିତ୍ବ କରିଥିଲେ।

୨୦୦୦ ଜୁଲାଇ ୭ରେ ହରିୟାଣାର ଆଡଭୋକେଟ୍ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ୨୦୦୧ ମାର୍ଚ୍ଚରେ ସେ ବରିଷ୍ଠ ଆଇନଜୀବୀର ମାନ୍ୟତା ପାଇଥିଲେ। ୨୦୦୪ ଜାନୁଆରୀ ୯ରେ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୧୮ ଅକ୍ଟୋବର ୫ରେ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୯ ମେ ୨୪ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଏବେ ସେ ସୁପ୍ରିମକୋର୍ଟର ଲିଗାଲ ସର୍ଭିସ୍‌ କମିଟିର ଚେୟାରମ୍ୟାନ ଅଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ୨୦୨୭ ଫେବୃଆରୀ ୯ରେ ଅବସର ଗ୍ରହଣ କରିବେ।

ବିଧାୟକ ଭାବେ ଶପଥ ନେଲେ ନବ ନିର୍ବାଚିତ ଜୟ ଢୋଲକିଆ

ବିଧାୟକ ଭାବେ ଶପଥ ନେଲେ ନବ ନିର୍ବାଚିତ  ଜୟ ଢୋଲକିଆ

ବିଧାନସଭାରେ ଶପଥ ସହ ନୂଆପଡ଼ାର ବିଧାୟକ ଭାବେ  ନୂଆ ଦାୟିତ୍ବ । ଜୟ ଢୋଲକିଆଙ୍କ ହାତରେ ସାଢେ ୩ ବର୍ଷରୁ କମ ସମୟ । ସେବା ପାଇଁ ସୁଯୋଗ ଦେଇଥିବା ନୂଆପଡାବାସୀଙ୍କୁ ଏବେ ପ୍ରତିଦାନର ସମୟ । ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରା କରିବା ଜୟଙ୍କ ପାଇଁ ବଡ଼ ଆହ୍ବାନ ।ସମୟ : ଅପରାହ୍ନ ୧ଟା ୧୧ ମିନିଟ୍ । ବିଧାନସଭା ପରିସରକୁ ଆସିଥିଲେ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ । ପବିତ୍ର ଗୃହକୁ ଆସି ବଡ଼ ଦାୟିତ୍ବ ନେବା ପୂର୍ବରୁ ସମ୍ବିଧାନକୁ ମୁଣ୍ଡିଆ ମାରିଥିଲେ । ପରିବାର ସହ ଆସି ବିଧାୟକ ଭାବେ ଶପଥ ନେଇଥିଲେ ଜୟ ଢୋଲକିଆ । ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ବାଚସ୍ପତି ସୁରମା ପାଢୀ । ଏହି ଶପଥପାଠ ସମୟରେ ବିଜେପିର ବରିଷ୍ଠ ନେତୃବୃନ୍ଦ ମଧ୍ୟ ସାମିଲ ହୋଇଥିଲେ । ବିଧାୟକ ଭାବେ ଶପଥ ନେବା ପରେ  କହିଛନ୍ତି, ବିଶ୍ରାମ କରିବାର ସମୟ ସରିଛି, କାମ କରିବାର ସମୟ ଆସିଛି । ନୂଆପଡ଼ାର ସେବା ପାଇଁ ସୁଯୋଗ ମିଳିବା ସହ ଦାୟିତ୍ବ ବଢିଛି । ଏହାସହ ବାପାଙ୍କ ପ୍ରତି ବିଜେଡି ଯେଉଁ ଆଭିମୁଖ୍ୟ ଆପଣାଇଥିଲା ତାହାକୁ ଭୁଲିବିନି ବୋଲି କହିଛନ୍ତି ଜୟ । ବାପାଙ୍କ ଅସୁସ୍ଥତା ବେଳେ ସାଥିରେ ଛିଡ଼ା ହୋଇନଥିଲା ବିଜେଡି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋତେ ପୁଅ ଭଳି ସ୍ନେହ ଦେଇଛନ୍ତି । ଆଗକୁ ଭିଜନ, ନୂଆପଡ଼ାରେ ନିଯୁକ୍ତି ସୃଷ୍ଟି କରି ଦାଦନ ହ୍ରାସ କରିବୁ ।ଦମ୍ଭ ଦେଖାଇଛନ୍ତି ଜୟ । କହିଛନ୍ତି, ଆଗାମୀ ସାଢେ ୩ ବର୍ଷରେ ଡବଲ ଇଞ୍ଜିନ ସରକାରରେ ନୂଆପଡ଼ା ବିକାଶର ଶିଖର ଛୁଇଁବ । ନିର୍ବାଚନମଣ୍ଡଳୀରେ ପାନୀୟ ଜଳ, ଟେଲିକମ ସମସ୍ୟା ଦୂର କରିବା ସହ ନୂଆ ମେଡିକାଲ କଲେଜ ନିର୍ମାଣକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି ଜୟ ।

ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

ରାଜନୀତି ଛାଡିବେନି ପ୍ରଶାନ୍ତ କିଶୋର: ନିର୍ବାଚନ ପରାଜୟ ପାଇଁ ଦାୟିତ୍ୱ ନେଲେ

ନିର୍ବାଚନରେ ଜନ ସୁରାଜ ପାର୍ଟିର ପରାଜୟ ପରେ ଦଳର ପ୍ରତିଷ୍ଠାତା ତଥା ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିହାରବାସୀଙ୍କୁ କ୍ଷମା ମାଗିଛନ୍ତି । ତାଙ୍କ ଦଳର ଯଦି କିଛି ଭୁଲ ରହିଥାଏ ତେବେ ସେମାନେ ଆଗାମୀ ଦିନରେ ତାହାକୁ ସୁଧାରିବେ ବୋଲି ପିକେ କହିଛନ୍ତି । ଏହା ସହ ସେ ସିଧା ସିଧା କହିଛନ୍ତି ସେ ରାଜନୀତି ଛାଡିବେ ନାହିଁ । କାରଣ ସେ କୈାଣସି ପଦବିରେ ନାହାଁନ୍ତି । ସେ ବିହାର ଲୋକଙ୍କ କଥା କହିବେ । ଏନଡିଏ ଲୋକଙ୍କୁ ଦୁଇ ଲକ୍ଷ ଟଙ୍କା ଦେବା କଥା କହି ସରକାରଙ୍କୁ ଏଥିସହ ନୂଆ ସରକାର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ସରକାର ଗଠନ ପୂର୍ବରୁ କିଛି ଭ୍ରଷ୍ଟ ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ ନ କରିବା ପାଇଁ ଚେତାବନୀ ଦେଇଛନ୍ତି ।
ପ୍ରଶାନ୍ତ କିଶୋର କହିଛନ୍ତି ଯେ, ସେ ପୂର୍ବରୁ କିଛି ଭ୍ରଷ୍ଟ ନେତାଙ୍କ ବିଷୟରେ କହିଥିଲେ । ଯଦିଓ ଜନତା ସେହି ନେତାମାନଙ୍କୁ ପୁଣି ଥରେ ବିପୁଳ ଜନମତ ଦେଇ ବିଜୟୀ କରାଇଛନ୍ତି । ତଥାପି ଏହି ଦାୟିତ୍ୱ ସରକାରଙ୍କର ଯେ ସେମାନଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ ନ କରନ୍ତୁ। ପ୍ରଶାନ୍ତ କିଶୋର ଚେତାବନୀ ଦେଇଛନ୍ତି ଯେ ଯଦି ସେହି ନେତାମାନଙ୍କୁ ପୁଣି ଥରେ ମନ୍ତ୍ରୀ ପଦରେ ସାମିଲ୍ କରାଯାଏ, ତେବେ ଜନ ସୁରାଜ ପାର୍ଟି ଆବଶ୍ୟକ ହେଲେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହେବ। ତେବେ ସେହି ଭ୍ରଷ୍ଟ ନେତା କିଏ ତାଙ୍କର ନାମ ପିକେ କହିନାହାଁନ୍ତି ।
ସେ ଅଭିଯୋଗ କରିଛନ୍ତି ଯେ ପ୍ରତ୍ୟେକ ବିଧାନସଭା ଆସନରେ ଲୋକଙ୍କୁ ସରକାର ଲାଂଚ ଦେଲେ । ନିର୍ବାଚନ ପୂର୍ବରୁ ମହିଳାଙ୍କ ଆକାଉଁଟକୁ ଦଶହଜାର ଟଙ୍କା ପଠାଗଲା । ପ୍ରତି ଆସନରେ ଅତି କମରେ ୬୦,୦୦୦ରୁ ୬୨,୦୦୦ ଲୋକଙ୍କୁ ୧୦,୦୦୦ ଟଙ୍କା ଦିଆଯାଇଥିଲା ଏବଂ ୨ ଲକ୍ଷ ଟଙ୍କା ଋଣ ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ଯାହା ଫଳରେ ଏନଡିଏକୁ ଅଧିକ ଭୋଟ ମିଳିଲା ।
ସେ ଅଭିଯୋଗ କରିଛନ୍ତି ଯେ ସରକାରୀ ଅଧିକାରୀମାନେ ଡ୍ୟୁଟିରେ ରହି ଲୋକଙ୍କୁ କହୁଥିଲେ ଯେ ଯଦି ଏନଡିଏ କ୍ଷମତାକୁ ଆସେ ତେବେ ଋଣ ମିଳିବ। ଏଥିପାଇଁ ଜୀବିକା ଦିଦିମାନଙ୍କୁ ମୋବିଲାଇଜର ଭାବରେ ବ୍ୟବହାର କରାଯାଇଥିଲା। ଯାହାର ଲାଭ ଏନଡିଏକୁ ମିଳିଲା । PK ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ମତଦାନର ଅନ୍ତିମ ଦୁଇ ଘଣ୍ଟାରେ ୧୫-୨୦% ଭୋଟ୍ ବଢ଼ିବାର ଏକ ଅସ୍ୱାଭାବିକ ଢାଞ୍ଚା ଦେଖାଯାଇଛି, କିନ୍ତୁ ନିର୍ବାଚନ କମିଶନ ଏହାର ସବିଶେଷ ତଥ୍ୟ ସାର୍ବଜନୀନ କରିନାହାନ୍ତି।