ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଲଢ଼େଇ ଲାଗି ‘ସିଟି ଅଫ୍ ଜୟ’ କୋଲକାତା ଏବେ ପୂରା ପ୍ରସ୍ତୁତ। ଉଭୟ ଭାରତ ଓ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ବିଜେତା ଦକ୍ଷିଣ ଆଫ୍ରିକାର ବଛାବଛା ଓ ତାରକା ଖେଳାଳି ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍ ଲାଗି ଏଠାରେ ଡେରା ପକାଇବା କ୍ରିକେଟ୍ପ୍ରେମୀଙ୍କୁ ଯେତିକି ଉତ୍ସାହିତ କରୁଛି, ସହରକୁ ମଧ୍ୟ ସେତିକି ଚଳଚଞ୍ଚଳ କାରି ରଖିଛି। ବିଶ୍ବ ପ୍ରସିଦ୍ଧ ଇଡେନ୍ ଗାର୍ଡେନ୍ସ ପିଚ୍ କେମିତି ବ୍ୟବହାର କରିବ, ଭାରତୀୟ ବ୍ୟାଟର୍ କିଭଳି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା କରିବେ, ଟସ୍ କେତେ ଗୁରୁତ୍ବପୂର୍ଣ୍ଣ ରହିବ ସେ ଚର୍ଚ୍ଚା କୋଲକାତା କ୍ରିକେଟ୍ ଜଗତକୁ ଆନ୍ଦୋଳିତ କରୁଛି।
ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ
ବଲିଉଡ଼ ଅଭିନେତା ଗୋବିନ୍ଦାଙ୍କୁ ନେଇ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବଲିଉଡ୍ ଅଭିନେତା ଗୋବିନ୍ଦା ଅସୁସ୍ଥ । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ଗୋବିନ୍ଦା ହଠାତ୍ ଅଚେତ ହୋଇ ପଡିଥିଲେ । ଫୋନରେ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ତୁରନ୍ତ ଔଷଧ ଦିଆଯାଇଥିଲା । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଛି । ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗୋବିନ୍ଦାଙ୍କ ଲୟର ଲଲିତ ବିନ୍ଦଲ କହିଛନ୍ତି, ”ଅଭିନେତା ଗୋବିନ୍ଦା ଅସୁସ୍ଥ ଅନୁଭବ କରିଥିଲେ । ଘରେ ଚେତାଶୂନ୍ୟ ହୋଇପଡିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସବୁ ପରୀକ୍ଷା କରାଯାଇଛି । ରିପୋର୍ଟ ଏବଂ ନ୍ୟୁରୋ ପରାମର୍ଶଦାତାଙ୍କୁ ଅପେକ୍ଷା କରିଛୁ । ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଅଛି ।”
ଏହି କାମ ପାଇଁ ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ
ଗିନିଜ୍ ବୁକ୍ ଅଫ୍ ୱର୍ଲଡ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଭାରତର ଲୋକପ୍ରିୟ ଗାୟିକା ପଲକ ମୁଚ୍ଛଲ । ତେବେ ସଙ୍ଗୀତ ପାଇଁ ନୁହେଁ, ନିଜର ଅଦ୍ୱିତୀୟ ମାନବୀୟ କାର୍ଯ୍ୟ ପାଇଁ । ପଲକ ପଲାଶ ଦାତବ୍ୟ ସଂଗଠନ ଜରିଆରେ ପଲକ ଦେଶ ଓ ବିଦେଶରେ ବଞ୍ଚିତ ୩,୮୦୦ରୁ ଉଦ୍ଧ୍ୱର୍ ପିଲାଙ୍କର ହାର୍ଟ ସର୍ଜରି ପାଇଁ ପାଣ୍ଠି ସଂଗ୍ରହରେ ସେ ନିଜର ଯୋଗଦାନ ଦେଇଛନ୍ତି । ଏହି ମହତ ପ୍ରୟାସ ଜରିଆରେ ସଙ୍ଗୀତ ପ୍ରତି ନିଜ ପାସନ୍କୁ ଦୟାଭାବର ଏକ ଜୀବନବ୍ୟାପୀ ମିଶନରେ ସେ ରୂପାନ୍ତରିତ କରିଛନ୍ତି । ପଲକଙ୍କ ଦାତବ୍ୟ ପ୍ରୟାସର ଯାତ୍ରା ପିଲାଦିନୁ ଆରମ୍ଭ ହୋଇଥିଲା।
ପିଲାଦିନେ, ଏକ ଟ୍ରେନ୍ ଯାତ୍ରା ସମୟରେ ସେ କିଛି ବଞ୍ଚିତ ପିଲାଙ୍କ ସଂସ୍ପର୍ଶରେ ଆସିଥିଲେ । ସେହି ମୁହୂର୍ତ୍ତ ତାଙ୍କ ଜୀବନକୁ ନୂଆ ମୋଡ଼ ଦେଲା । ସେହିଦିନ ସେ ନିଜକୁ ପ୍ରତିଶ୍ରୁତି ଦେଲେ ‘ଦିନେ ମୁଁ ସେମାନଙ୍କୁ ସାହାଯ୍ୟ କରିବି ।’ ସେହି ପ୍ରତିଶ୍ରୁତି ତାଙ୍କ ସଂଗଠନ ପଛର ବଡ଼ ପ୍ରେରଣାପ୍ରଦ ଶକ୍ତି ପାଲଟିଲା । ଏହା ଜରିଆରେ ପଲକ ପ୍ରତ୍ୟେକ କନ୍ସର୍ଟ ଓ ବ୍ୟକ୍ତିଗତ ସଞ୍ଚୟରୁ ଆୟ ଅର୍ଥକୁ ବଞ୍ଚିତଙ୍କ ଜୀବନ ରକ୍ଷାକାରୀ ଚିକିତ୍ସାରେ ଲଗାଉଛନ୍ତି । ପଲକଙ୍କ ବଦାନ୍ୟତା ଗୋଟିଏ କାରଣ ମଧ୍ୟରେ ସୀମିତ ନୁହେଁ । ଅନେକ ବର୍ଷ ଧରି ସେ କାରଗିଲ ସହିଦଙ୍କ ପରିବାରଙ୍କୁ ସାହାଯ୍ୟ କରିଛନ୍ତି । ଗୁଜରାଟ ଭୂକମ୍ପ ପୀଡ଼ିତଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି ।
ସମାଜ ମଙ୍ଗଳ ନିମନ୍ତେ ତାଙ୍କ ଅଙ୍ଗୀକାରବଦ୍ଧତା ଗଭୀର ଦୟାଭାବର ଉଦାହରଣ, ଯାହା ନିରନ୍ତର ପ୍ରୟାସ ଦ୍ୱାରା ସଫଳ ହୋଇଛି ।ପଲକ ‘ମେରୀ ଆଶିକୀ’, ‘କୌନ୍ ତୁଝେ’ ଓ ‘ପ୍ରେମ୍ ରତନ ଧନ ପାୟୋ’ ଭଳି ଗୀତ ଜରିଆରେ ସଙ୍ଗୀତ କ୍ୟାରିଅର୍ରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । କିନ୍ତୁ ନିଜର ସାମର୍ଥ୍ୟ ଓ ଆୟକୁ ସେ ନିଜ ସଂଗଠନକୁ ଉତ୍ସର୍ଗ କରିଛନ୍ତି । ବୃତ୍ତିଗତ ଉପଲବ୍ଧି ସହିତ ମାନବୀୟ କାର୍ଯ୍ୟ ପ୍ରତି ଅଦ୍ଭୁତ ସମର୍ପଣଭାବ ତାଙ୍କୁ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ର ଅଧିକାରିଣୀ କରିଛି ।
ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା, ଟ୍ରେନ୍ ଲାଇନଚ୍ୟୁତ ,୨୦ ରୁ ଅଧିକ ଲୋକ ଆହତ
ଆର୍ଜେଣ୍ଟିନାର ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବ୍ୟୁନୋସ୍ ଆୟର୍ସର ଲିନିୟର୍ସ ରେଳ ଷ୍ଟେସନ ନିକଟରେ ଏକ ଧୀର ଗତିରେ ଯାଉଥିବା ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସାର୍ମିଏଣ୍ଟୋ ଲାଇନ ପାସେଞ୍ଜର ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ପରେ ସମଗ୍ର ରୁଟରେ ଟ୍ରେନ୍ ସେବା ବନ୍ଦ ହୋଇଯାଇଥିଲା। ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଛି।
ଦୁର୍ଘଟଣା କିପରି ଘଟିଲା?
ଇଣ୍ଟରଲକିଂ ସିଷ୍ଟମ ଟ୍ରାକ୍ ସ୍ୱିଚ୍ ନିୟନ୍ତ୍ରଣ କରେ। ଏହି ତ୍ରୁଟି ଯୋଗୁଁ ଟ୍ରେନର ଚକ ଧୀର ଗତିରେ ଚାଲୁଥିଲେ ମଧ୍ୟ ଟ୍ରାକ୍ ରୁ ଖସିଗଲା ଏବଂ ତିନୋଟି ବଗି ଲାଇନଚ୍ୟୁତ ହେଲା। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଯେଉଁଥିରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଦେଖାଯାଉଛି।
ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି
ଦୁର୍ଘଟଣା ପରେ ସମ୍ପୂର୍ଣ୍ଣ ଟ୍ରେନରେ ଆତଙ୍କ ଖେଳିଯାଇଥିଲା । ବଗି ଭିତରେ ଅନେକ ଯାତ୍ରୀ ଫସି ରହିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ରେଳ ପ୍ରଶାସନ କହିଛି ଯେ, ଏହି ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଗାର ଜଣଙ୍କୁ ଘଟଣାସ୍ଥଳରେ ଚିକିତ୍ସା କରାଯାଇଥିଲା। ନଅ ଜଣ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି।
ଲାଲ୍କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୂଟ୍ଟାନରୁ ଫେରିବା ପରେ ଡାକ୍ତରଖାନାକୁ ଯାଇ ଲାଲ୍କିଲ୍ଲା ସମ୍ମୁଖରେ ଘଟିଥିବା କାର ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଡୋଶୀ ଭୂଟ୍ଟାନକୁ ଦୁଇ ଦିନିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ଏପଟେ ସୋମବାର ସଂଧ୍ୟାରେ ଲାଲକିଲ୍ଲା ସମ୍ମୁଖରେ କାର ବିସ୍ଫୋରଣରେ ଯାଇଛି ୧୩ ଜଣଙ୍କ ଜୀବନ । ଡଜନେରୁ ଅଧିକ ଲୋକ ଆହତ ହୋଇ ଏଲ୍ଏନଜେପି ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ପ୍ରଧାନମନ୍ତ୍ରୀ ବୁଧବାର ଦିଲ୍ଲୀରେ ଅବତରଣ ପରେ ତୁରନ୍ତ କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଡାକ୍ତରଖାନାକୁ ଯାଇ ସେହି ବିସ୍ଫୋରଣ ପୀଡିତଙ୍କୁ ଭେଟିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସଂପର୍କରେ ବୁଝିଛନ୍ତି । ଏହାସହ ବିସ୍ଫୋରଣ ସଂପର୍କୀତ ଏକ ଗୁରୁତ୍ବପୂର୍ଣ୍ମ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ସାରା ଦେଶକୁ ଥରାଇଦେଇଛି ୧୦/୧୧ ଦିଲ୍ଲୀ କାର ବୋମା ବିସ୍ଫୋରଣ । ତେବେ ଏନେଇ ବିଦେଶ ମାଟିରୁ ବି ଷଡୟନ୍ତ୍ରକାରୀଙ୍କୁ ପ୍ରଧାନମନ୍ତ୍ରୀ ଦେଇସାରିଛନ୍ତି ଚେତାବନୀ । ବିସ୍ଫୋରଣ ଘଟାଇଥିବା , ସେଥିରେ ସଂପୃକ୍ତ ଥିବା କେହି ବି ଜଣେ ଅଭିଯୁକ୍ତ ଏବଂ ଷଡୟନ୍ତ୍ରକାରୀ ନିସ୍ତାର ପାଇବେ ନାହିଁ । ସେମାନଙ୍କୁ ନିଶ୍ଚିତ ଭାବେ ଆଇନର କାଠଗଡ଼ାରେ ଛିଡ଼ାକରାଯିବ । କାହାରିକୁ ମଧ୍ୟ ଛଡାଯିବ ନାହିଁ । ଆଉ ବୁଧବାର ଆହତଙ୍କୁ ସାକ୍ଷାତ କରିସାରିବା ପରେ ସେହି କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । “ ଆଜି ମୁଁ ଏକ ବ୍ୟଥିତ ହୃଦୟରେ ଏଠାକୁ ଆସିଛି । ସୋମବାର ଲାଲ୍କିଲ୍ଲା ସାମ୍ନାରେ ଘଟିଥିବା ଅଭାବନୀୟ ଘଟଣା ମୋତେ ଗଭୀର ବେଦନା ଦେଇଛି । ଏହି ଭୟାନକ ଏବଂ ନୃଶଂସ ଘଟଣା ସମସ୍ତଙ୍କ ପାଇଁ ଅତି ଦୁଃଖଦ ଏବଂ କଷ୍ଟକର । ମୁଁ ପୀଡିତ ପରିବାରଙ୍କ ଦୁଃଖ ଓ ବେଦନାକୁ ଅନୁଭବ କରୁଛି । ତେବେ ଏହି କ୍ଷଣରେ ସାରା ଦେଶ ସେହି ପରିବାର ମାନଙ୍କ ପଛରେ ଛିଡା ହୋଇଛି । “ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀରେ ଏହି ଅଘଟଣ ଘଟିବା ସମୟରୁ ହିଁ ସେ, ସମସ୍ତ ଘଟଣାକ୍ରମ ଉପରେ ନଜର ରଖିଛନ୍ତି । ତଦନ୍ତ ପ୍ରକିୟାକୁ ପ୍ରତ୍ୟକ୍ଷଭାବେ ଅନୁଧ୍ୟାନ କରୁଛନ୍ତି । ସେ ତଦନ୍ତକାରୀ ଏଜେନ୍ସୀ ଗୁଡିକ ସହ ନିରନ୍ତରଭାବେ ଯୋଗାଯୋଗରେ ଅଛନ୍ତି ଏବଂ ପ୍ରତିଟି ତଦନ୍ତ ଦିଗ ଉପରେ ମଧ୍ୟ ଦୃଷ୍ଟି ରଖିଛନ୍ତି। “ ଏହି ଭୟାନକ ହିଂସାରେ ସଂପୃକ୍ତ ଦେୋଷୀଙ୍କୁ କେବେ ବି ଛଡ଼ାଯିବ ନାହିଁ । ଷଡୟନ୍ତ୍ରକାରୀଙ୍କୁ ତ୍ରାହୀ ମିଳିବ ନାହିଁ । ଆମ ତଦନ୍ତକାରୀ ଟିମ୍ ଘଟଣାର ମୂଳକୁ ନିଶ୍ଚିତ ଭାବେ ଯିବେ ଏବଂ ଷଡୟନ୍ତ୍ରକାରୀଙ୍କ ପାଖରେ ହିଁ ପହଞ୍ଚିବେ । ସମସ୍ତ ଦେଷୀଙ୍କୁ ଆଇନର କାଠଗଡ଼ାକୁ ଅଣାଯିବ। “ବୁଧବାର ସୁରକ୍ଷା ସଂପର୍କୀତ ତଥା ଦିଲ୍ଲୀ ବିସ୍ଫୋରଣ ସଂକ୍ରାନ୍ତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ମଙ୍ଗଳବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ସ୍ଥିତି ନେଇ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ସୁରକ୍ଷା ଏଜେନ୍ସିର ଅଫିସର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ସେ ମଧ୍ୟ ତ୍ବରିତ ଯାଞ୍ଚ ଉପରେ ଫୋକସ କରିଛନ ସେ । ଏହାସହ ତୁରନ୍ତ ଦୋଷୀଙ୍କୁ ଖୋଜି ବାହାର କରି ବିଚାରର ସାମ୍ନାକୁ ଆଣିବାକୁ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅମିତ ଶାହ ।
ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା
ବିଜୟ ହଜାରେ ଟ୍ରଫି ଖେଳିବେ ରୋହିତ ଶର୍ମା । ଭାରତୀୟ ଦଳର ବିସ୍ଫୋରକ ବ୍ୟାଟର ତଥା ପୂର୍ବତନ ଅଧିନାୟକ ରୋହିତ ଘରୋଇ ମ୍ୟାଚ୍ ଖେଳିବା ନେଇ ସୂଚନା ମିଳିଛି । ଏବାବଦରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜଣାଇ ଦେଇଛନ୍ତି । ବିସିସିଆଇ ସମସ୍ତ ଖେଳାଳିଙ୍କୁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ନିର୍ଦ୍ଦେଶ ଦେବା ପରେ ରୋହିତ ଘରୋଇ କ୍ରିକେଟ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ରିପୋର୍ଟ ଅନୁସାରେ, ମୁମ୍ବାଇ ଦଳରେ ସାମିଲ ହେବା ପାଇଁ ରୋହିତ ରାଜି ଅଛନ୍ତି । ଯାହା ଡିସେମ୍ବର ୨୪ରୁ ଆରମ୍ଭ ହେବ । ଏସମ୍ବନ୍ଧରେ ସେ ଏମସିଏକୁ କହିଛନ୍ତି । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍ ପୂର୍ବରୁ ବିଜୟ ହଜାରେ ଟ୍ରଫି ଖେଳି ରୋହିତ ଅଧିକ ଅଭ୍ୟାସ କରିପାରିବେ । ଏପରିକି ୨୦୨୭ ବିଶ୍ବକପ୍ ଯଦି ସେ ଖେଳିବେ ତାହାଲେ ଘରୋଇ ମୁକାବିଲା ଦ୍ୱାରା ସେ ନିଜ ଫର୍ମରେ ସୁଧାର ଆଣିପାରିବେ ।
ଅନ୍ୟଦିଗରେ ବିରାଟ କୋହଲିଙ୍କୁ ନେଇ ସସପେନ୍ସ ଲାଗି ରହିଛି । ୩୭ ବର୍ଷୀୟ ବିରାଟ ଏବେ ଲଣ୍ଡନରେ ରହୁଛନ୍ତି । ଘରୋଇ ଟୁର୍ଣ୍ଣାମେଣ୍ଟ ବାବଦରେ ସେ ଦିଲ୍ଲୀ କ୍ରିକେଟ୍ ଆସୋସିଏସନକୁ କିଛି ଜଣାଇ ନାହାଁନ୍ତି ।
ସୂଚନାଯୋଗ୍ୟ, ଉଭୟ ବିରାଟ ଏବଂ ରୋହିତ ଟେଷ୍ଟ୍ ଏବଂ ଟି୨୦ ଫର୍ମାଟରୁ ଅବସର ନେଇଛନ୍ତି ।ଏବେ କେବଳ ଦିନିକିଆ ମ୍ୟାଚ୍ ଖେଳୁଛନ୍ତି । ଜାତୀୟ ଦଳରେ ଖେଳିବାକୁ ହେଲେ ଘରୋଇ ମୁକାବିଲାରେ ସାମିଲ ହେବାକୁ ପଡିବ ବୋଲି ବିସିସିଆଇର କଡା ନିର୍ଦ୍ଦେଶ ରହିଛି ।
ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ
ବିହାର ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି, ଏବଂ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୨୨ ଆସନରେ ଭୋଟର ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ବିହାରରେ ୪୭.୬୨% ମତଦାନ ହୋଇଛି।
ଆରାରିଆର ଫୋର୍ବସଗଞ୍ଜରେ ବିଜେପି ଏବଂ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ସୁରକ୍ଷା କର୍ମୀଙ୍କୁ ବଳ ପ୍ରୟୋଗ କରି ହସ୍ତକ୍ଷେପ କରିବାକୁ ପଡିଥିଲା। ଫୋର୍ବସଗଞ୍ଜ କଲେଜର ୧୯୮ ନମ୍ବର ପୋଲିଂ ବୁଥ୍ରେ ଏହି ଘଟଣା ଘଟିଛି। କଂଗ୍ରେସ ସମର୍ଥକମାନେ ଅଭିଯୋଗ କରିଛନ୍ତି, ବିଜେପି ବିଧାୟକ ଏବଂ ଏନଡିଏ ପ୍ରାର୍ଥୀ କଂଗ୍ରେସ ଭୋଟରଙ୍କୁ ମାଡ଼ ମାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ଶୁଣି କଂଗ୍ରେସ କର୍ମୀମାନେ ଉତ୍ତେଜିତ ହୋଇ ପୋଲିଂ ବୁଥ ବାହାରେ ହଙ୍ଗାମା କରିବାକୁ ଲାଗିଲେ। ଏସଡିଓ ରଞ୍ଜିତ କୁମାର କହିଛନ୍ତି ଯେ, କୌଣସି ଲାଠିଚାର୍ଜ ହୋଇନାହିଁ ଏବଂ ପରିସ୍ଥିତି ଏବେ ଶାନ୍ତ ଅଛି।
ଭୋଟ ଦେଉଛି ନୂଆପଡ଼ା,ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୨୫% ମତଦାନ
ଭୋଟ ଦେଉଛି ନୂଆପଡ଼ା । ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସରିଛି ସବୁ ପ୍ରସ୍ତୁତି । କଡ଼ା ସୁରକ୍ଷା ଭିତରେ ବୁଥ୍କୁ ଯାଇଛି ଇଭିଏମ୍ । ବିଶେଷକରି ଦୁର୍ଗମ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ପୋଲିଂ ଅଧିକାରୀ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ବୁଥକୁ ଯାଇଛନ୍ତି । ସୁନାବେଡ଼ାରେ ମାଓପ୍ରବଣ ୮ଟି ବୁଥ୍ ରହିଛି । ଏହିସବୁ ବୁଥକୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ଏଥିସହ ଆଜି ନୂଆପଡା ବିଧାନସଭା ଉପ ନିର୍ବାଚନରେ ସକାଳ ୧୧ଟା ପର୍ଯ୍ୟନ୍ତ ୩୧.୨୫% ମତଦାନ ହୋଇଛି l ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି । ଏହି ନିର୍ବାଚନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେପଟେ ଆଜି ନୂଆପଡା ବିଧାନସଭା ଉପ ନିର୍ବାଚନରେ ସକାଳ ୯ଟା ପର୍ଯ୍ୟନ୍ତ ୧୪.୯୯% ମତଦାନ ହୋଇଛି l ବଡ଼ ବଡ଼ ଟାଣୁଆ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି । ବିଜେପି ନେତା ଅଭିନନ୍ଦନ ପଣ୍ଡା ଆସି ମତଦାନ କରିଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ହେଉଥିବା ବେଳେ ଏହି ରଣାଙ୍ଗନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । କିନ୍ତୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଶାସକ ଦଳ ‘ବିଜେପି’ରୁ ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ, ମୁଖ୍ୟ ବିରୋଧୀ ଦଳ ‘ବିଜେଡ଼ି’ରୁ ସ୍ନେହାଙ୍ଗୀନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀ ମଇଦାନକୁ ଓହ୍ଲାଇଛନ୍ତି ।
ଏହି ୩ଟି ଦଳର ନେତାମାନେ ନୂଆପଡ଼ା, କୋମନା ଏବଂ ଖରିଆର ରୋଡ୍ରେ ବିଗତ ଦିନରେ ଜୋରଦାର ପ୍ରଚାର କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତ ଦାନ କେନ୍ଦ୍ର ରହିଛି । ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି ।
ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି । ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ । ସେମାନଙ୍କ ମଧ୍ୟରୁ ପୁରୁଷ ୧ ଲକ୍ଷ ୨୪ ହଜାର ୧୦୮ ଜଣ, ମହିଳା ୧ ଲକ୍ଷ ୨୯ ହଜାର ୪୯୫, ବରିଷ୍ଠ ନାଗରିକ ୧୭୮୬ ଜଣ, ଯୁବ ଭୋଟର ୯୪୨୯ ଏବଂ ଭିନ୍ନକ୍ଷମ ମତଦାତା ୩୯୮୮ ରହିଛନ୍ତି ।
ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ଖବରକୁ ପରିବାର ପକ୍ଷରୁ ଖଣ୍ଡନ
ମଙ୍ଗଳବାର ସକାଳେ ବଲିଉଡ ସୁପରଷ୍ଟାର ଅଭିନେତା ଧର୍ମେନ୍ଦ୍ରଙ୍କ ଙ୍କ ପରଲୋକ ହୋଇଥିବା ନେଇ ଟେଲିଭିଜନର ଅନେକ ଲୋକପ୍ରିୟ ଚ୍ୟାନେଲଗୁଡ଼ିକ ବାଜି ଉଠିଥିଲା। କେବଳ ଏତିକି ନୁହେଁ ବିଭିନ୍ନ ପ୍ରକାର ପୋଷ୍ଟ ମାଧ୍ୟମରେ ଲୋକେ ସୋସିଆଲ ମିଡିଆରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବି ଆରମ୍ଭ କରି ଦେଇଥିଲେ।
ଦିଲ୍ଲୀ ବିସ୍ଫୋରଣ ମାମଲା: ୪ଜଣ ଡାକ୍ତରଙ୍କ ସମେତ ୮ ଗିରଫ
ଦେଶ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଥିବା ଏକ ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କକୁ ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ଗୁଜରାଟ ଓ ହରିୟାଣା ପୁଲିସ ଠାବ କରିବାରେ ସଫଳ ହୋଇଛନ୍ତି। ଏହି ଆତଙ୍କବାଦୀ ନେଟୱର୍କକୁ ୪ଜଣ ଡାକ୍ତର ଓ ସେମାନଙ୍କ ସହଯୋଗୀମାନେ ଚଳାଇଥିଲେ। ପୁଲିସ ୪ଜଣ ଡାକ୍ତରଙ୍କ ସମେତ ୮ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨୯୦୦ କିଲୋ ବିସ୍ଫୋରକ, ଏକାଧିକ ରାଇଫଲ, ପିସ୍ତଲ ଓ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଡାକ୍ତରଙ୍କ ମଧ୍ୟରେ ଜଣେ ମହିଳା ଡାକ୍ତର ଅଛନ୍ତି। ନଭେମ୍ବର ୬ରୁ ୧୦ ତାରିଖ ୪ଦିନ ମଧ୍ୟରେ ଏହିସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ଗିରଫ ଡାକ୍ତରମାନେ ମୌଳବାଦ ଦ୍ବାରା ପ୍ରଭାବିତ ହୋଇ ଦେଶ ବିରୋଧୀ କାର୍ଯ୍ୟ ପାଇଁ ଷଡଯନ୍ତ୍ର ଚଳାଇଥିଲେ। ସେମାନେ ଆଇଏସ୍ଆଇଏସ୍, ଜୈସ-ଇ-ମହମ୍ମଦ (ଜେଇଏମ୍) ଓ ଅନସର ଘଜୱାତ୍-ଉଲ୍-ହିନ୍ଦ (ଏଜିୟୁଏଚ୍) ଭଳି ବେଆଇନ ଘୋଷିତ ସଂଗଠନ ସହିତ ଜଡିତ ଥିଲେ। ଏପରି କି ଗିରଫ ଡାକ୍ତରମାନେ ନିଜ ସଂଗଠନର ଆନ୍ତର୍ଜାତିକ ସଦସ୍ୟଙ୍କ ସହିତ ନିୟମିତ ଯୋଗାଯୋଗରେ ଥିଲେ। ସେମାନେ ମାରାଣାସ୍ତ୍ର ଓ ବିସ୍ଫୋରକ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଆକ୍ରମଣ ଘଟାଇବାକୁ ଯୋଜନା କରିଥିଲେ। ଡାକ୍ତର ଭଳି ଉଚ୍ଚ ଶିକ୍ଷିତ ବୃତ୍ତିରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା ଦେଶ ପାଇଁ ବଡ ଚିନ୍ତାର ବିଷୟ ହୋଇଛି।
ଏହି ଆତଙ୍କବାଦୀ ନେଟୱର୍କରେ ଜଡିତ ଡାକ୍ତର ହେଲେ ଜାମ୍ମୁ-କାଶ୍ମୀର ଅନନ୍ତନାଗର ଆଦିଲ ରାଠେର (୨୭)। ଆଦିଲକୁ ଜାମ୍ମୁ କାଶ୍ମୀର ପୁଲିସ ଉତ୍ତରପ୍ରଦେଶ ସାହରଣପୁରରୁ ନଭେମ୍ବର ୬ରେ ଗିରଫ କରିଥିଲା। ଆଦିଲକୁ ପ୍ରଥମେ ଗିରଫ କରାଯିବା ପରେ ତା’ର ତଥ୍ୟ ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯାଇଛି। ଆଦିଲ ଜାମ୍ମୁ-କାଶ୍ମୀର ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ୨୦୨୪ ଅକ୍ଟୋବରରୁ ସିନିୟର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଛି। ସେ ଜେଇଏମ୍ ଓ ଏଜିୟୁଏଚ୍ ସଂଗଠନ ସହିତ ଜଡିତ ଥିଲା। ଜେଇଏମ୍ ପୋଷ୍ଟରରେ ଆଦିଲର ଫଟୋ ରହିଥିଲା। ପୋଷ୍ଟରର ଫଟୋକୁ ଆଧାର କରି ପୁଲିସ ତା’ର ସନ୍ଧାନ କରିଥିଲା। ତା’ ନିକଟରୁ ଏକ ଏକେ-୪୭ ରାଇଫଲ ଜବତ କରାଯିବା ସହିତ ପୁଲିସ ୟୁଏପିଏ ଅନୁଯାୟୀ ମାମଲା ରୁଜୁ କରି ନିଜ ହେପାଜତରେ ରଖି ଜେରା କରିଥିଲା।
ନଭେମ୍ବର ୭ରେ ଗୁଜରାଟ ପୁଲିସର ଏଟିଏସ୍ ହାଇଦରାବାଦର ଡାକ୍ତର ଅହମ୍ମଦ ମୋହିଉଦ୍ଦିନ ସୟଦ (୩୫)କୁ ଗିରଫ କରିଥିଲା। ସୟଦ ଚୀନରୁ ଏମବିବିଏସ୍ ପାସ୍ କରିଛି। କିଛି ମାସ ହେଲା ସେ ରିସିନ୍ ନାମକ ଏକ ପ୍ରକାର ବିଷାକ୍ତ ସାମଗ୍ରୀ ତିଆର କରୁଥିଲା। କାଷ୍ଟର ସିଡ୍ରୁ ପ୍ରସ୍ତୁତ ଏହି ବିଷାକ୍ତ ସାମଗ୍ରୀକୁ ଦିଲ୍ଲୀ, ଲକ୍ଷ୍ମୌ ଭଳି ବିଭିନ୍ନ ସ୍ଥାନକୁ ଚାଲାଣ କରିଥିଲା। ଖାଦ୍ୟରେ ବିଷ ମିଶ୍ରଣ କରିବା ଲାଗି ସେ ଦିଲ୍ଲୀ ଭଳି ଖାଦ୍ୟ ବଜାରରେ ସର୍ଭେ କରିଥିଲା। ତା’ ନିକଟରୁ ଦୁଇଟି ଗ୍ଲୋକ୍ ପିସ୍ତଲ ଓ ୩୦ଟି କାଟ୍ରିଜ୍ ଜବତ କରାଯାଇଛି। ଏହା ସହିତ ୪ଲିଟର କାଷ୍ଟର ତେଲ ଜବତ କରାଯାଇଛି।
ନଭେମ୍ବର ୯ରେ ଗିରଫ ହୋଇଥିବା ଡାକ୍ତର ହେଲେ ମୁଜାମିଲ୍ ସକିଲ୍। ସକିଲକୁ ଜାମ୍ମୁ-କାଶ୍ମୀର ଓ ହରିୟାଣା ପୁଲିସ ମିଳିତ ଭାବେ ଗିରଫ କରିଛନ୍ତି। ତା’ର ଘର ଜାମ୍ମୁ-କାଶ୍ମୀରର ପୁଲୱାମା। ସକିଲ ଡାକ୍ତରଙ୍କ ଆତଙ୍କବାଦୀ ନେଟୱର୍କ (ହ୍ବାଇଟ୍ କଲାର ଟେରରିଜିମ୍)ର ମୁଖ୍ୟ ବୋଲି ବିବେଚନା କରାଯାଇଛି। ସକିଲ ଅଲ୍ ଫରିଦାବାଦସ୍ଥିତ ଅଲ୍ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଏହି ଘରୋଇ ମେଡିକାଲ କଲେଜଟି ଦିଲ୍ଲୀଠାରୁ ମାତ୍ର ୪୫ କିମି ଦୂର। ସକିଲର ଦୁଇଟି ଘରୁ ମୋଟ ୨୯୦୦ କିଲୋ ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଗତ ସାଢେ ତିନି ବର୍ଷ ହେଲା ସେ ଫରିଦାବାଦର ଧୌଜରେ ଅବସ୍ଥାନ କରିଆସୁଥିଲା। ରବିବାର ସକିଲକୁ ଗିରଫ କରାଯିବା ପରେ ଏହି ଘରୁ ୩୫୦ କିଲୋ ବିସ୍ଫୋରକ, ୨୦ଟି ଟାଇମର, ରାଇଫଲ, ହ୍ୟାଣ୍ଡଗନ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ସକିଲ ଫରିଦାବାଦର ଫତେପୁର ଗ୍ରାମରେ ଆଉ ଏକ ଘର ଭଡା ନେଇଥିଲା। ଯାହା ଧୌଜ ଠାରୁ ୪ କିମି ଦୂର। ଘର ମାଲିକ ଜଣେ ମୌଲାନାଙ୍କୁ ପୁଲିସ ମଧ୍ୟ ଗିରଫ କରିଛି। ଦ୍ବିତୀୟ ଘରୁ ସୋମବାର ୨୫୬୩ କିଲୋ ବିସ୍ଫୋରକ, ଏକ ପିସ୍ତଲ, ରାଇଫଲ, ଦୁଇଟି ମାଗାଜିନ୍, ଏକ କାର୍ ଜବତ କରାଯାଇଛି। ଫରିଦାବାଦ ପୁଲିସ କମିସନର କହିଛନ୍ତି ଯେ ସକିଲ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସହିତ ଜଡିତ ଥିଲା। ଆଦିଲ ରାଥରର ସୂଚନା ଆଧାରରେ ସକିଲକୁ ଗିରଫ କରାଯାଇଛି।
ସୋମବାର ଗିରଫ ହୋଇଥିବା ମହିଳା ଡାକ୍ତର ହେଲେ ସାହିନ ସାହିଦ। ସାହିନ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ହୋଇଥିବାବେଳେ ତାକୁ ଫରିଦାବାଦରୁ ଗିରଫ କରାଯାଇଛି। ସେ ଅଲ୍ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ସେ ମୁଜାମିଲ୍ ସକିଲ୍ ସହ ଯୋଗାଯୋଗରେ ରହିଥିଲା। ସାହିନ ବ୍ୟବହାର କରୁଥିବା କାରରୁ ପୁଲିସ ଏକ ରାଇଫଲ ଓ କାଟ୍ରିଜ୍ ଜବତ କରିଛି। ସାହିନର କାରଟିକୁ ସକିଲ ଅସ୍ତ୍ରଶସ୍ତ୍ର ନେବା ଆଣିବା ଲାଗି ବ୍ୟବହାର କରୁଥିଲା ବୋଲି ପୁଲିସ କହିଛି। ହ୍ବାଇଟ୍ କଲାର ଟେରରିଜିମ୍ ନେଟୱର୍କର ଏହି ୪ଜଣ ଡାକ୍ତରଙ୍କ ବ୍ୟତୀତ ପୁଲିସ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜାମ୍ମୁ-କାଶ୍ମୀର ଶ୍ରୀନଗରର ଆରିଫ୍ ନିସାର ଦାର ଓରଫ ସାହିଲ ୟାସିର ଉଲ୍ ଅସ୍ରଫ ଓ ମକସୁଦ ଅହମ୍ମଦ ଦାର୍ ଓରଫ ସାହିଦ, ସୋଫିଆନାର ଜମିର ଅହମ୍ମଦ ଅହଙ୍ଗର ଓ ମୌଲବୀ ଇରଫାନ ଅହମ୍ମଦ। ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏର ୧୩,୨୮,୩୮ ଓ ୩୯ ଏବଂ ଅସ୍ତ୍ରଶସ୍ତ୍ର ଆଇନର ଧାରା ୭ ଓ ୨୫ରେ ମାମଲା ରୁଜୁ କରାଯାଇଛି।